Unknown

 

 

 

 

 

 

 

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

୧୬୯ତମ ସଂଖ୍ୟା କୋଣାର୍କ ୨୦୧୩

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପାତ୍ର

 

ଉପଦେଷ୍ଟା:

ଶ୍ରୀ ସାତକଡ଼ି ହୋତା

 

ସମ୍ପାଦକ ମଣ୍ଡଳୀ:

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ

 

ସୂଚୀ

 

ସମ୍ପାଦକୀୟ.............

୧.

ଗଞ୍ଜାମର ଲୋକନୃତ୍ୟ : କୃଷ୍ଣଲୀଳା.

ଲିଙ୍ଗରାଜ ନାହାକ

୨.

ଝୁମର : ଏକ ଉତ୍କୃଷ୍ଟ ଲୋକକଳା

ଶିଶିର ବେହେରା

୩.

ସାହିତ୍ୟଦର୍ପଣାକାର ବିଶ୍ୱନାଥ

କବିରାଜ : ବଂଶ ଓ କୃତି.

ତପନ କୁମାର ଶତପଥୀ

୪.

ଷଢ଼େଇକଳା, ଖରସୁଆଁର ଲୋକସଂସ୍କୃତି

ସତ୍ୟପ୍ରିୟ ମହାଳିକ

୫.

କୃଷ୍ଣଚରଣଙ୍କ ବହୁବର୍ଣ୍ଣା ଗଦ୍ୟସମ୍ଭାର : ଏକ ବିମର୍ଷ

ଗୋପାଳକୃଷ୍ଣ ଆଚାର୍ଯ୍ୟ

୬.

ବିଶ୍ୱକବି ରବୀନ୍ଦ୍ରନାଥ : ଜୀବନ ଓ ସାହିତ୍ୟ

ରବୀନ୍ଦ୍ର କୁମାର ବେହୁରିଆ

୭.

ନୀଳଶୈଳ ଉପନ୍ୟାସର କଥାକଳ୍ପରେ

ଭାରତୀୟ ସଂସ୍କୃତିର ଚିତ୍ର

ବ୍ରହ୍ମାନନ୍ଦ ଖୁଣ୍ଟିଆ

 

***

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଯତୀନ୍ଦ୍ର କୁମାର ଦାଶ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଆନନ୍ଦ ପ୍ରିଣ୍ଟର୍ସ, ଚଣ୍ଡୀ ଛକ, କଟକ-୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଆନନ୍ଦ ପ୍ରିଣ୍ଟର୍ସ, ଚଣ୍ଡୀ ଛକ, କଟକ-୨

୧୦.

ସ୍ଵତ୍ତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସମ୍ପାଦକୀୟ...

 

ସମକାଳର ସାହିତ୍ୟ ସାଧନା

 

ସାହିତ୍ୟ ସମାଜର ଏକ ବିକଶିତ ରୂପ । ସାହିତ୍ୟରେ ଥାଏ ସମାଜ ଓ ଜୀବନର କଥା । ଜୀବନର ସୂକ୍ଷ୍ମ ଅନୁଭବ ବାସ୍ତବଭାବରେ ସାହିତ୍ୟରେ ଅଙ୍କିତ ହୋଇଥାଏ । ସେଥିପାଇଁ ମଣିଷ ସାହିତ୍ୟ ପଢ଼େ ଓ ସେଥିରୁ ଆନନ୍ଦ ଉପଲବ୍ଧି କରେ । ଯେଉଁ ସାହିତ୍ୟ ଯେତେ ବାସ୍ତବ, ତାହା ସେତେ ପାଠକଙ୍କଦ୍ୱାରା ଆଦୃତ । ଜୀବନର ଅବବୋଧ ଓ ସମାଜର ସ୍ୱରୂପ ଉନ୍ମୋଚିତ ହୋଇଥାଏ ସାହିତ୍ୟରେ । ଲେଖକ ନିଜ ସମୟର କଥାକୁ ସ୍ୱକୀୟ ଅନୁଭବରେ ଫେଣ୍ଟାଫେଣ୍ଟି କରି ସାରସ୍ୱତ ଶୈଳୀରେ ପ୍ରକାଶ କରିଥାଏ । ଯେଉଁ ସୃଷ୍ଟିଟି ଜୀବନର ଅନ୍ତର୍ଲିପିରୁ ସମ୍ଭୂତ ହୋଇଥାଏ, ତାହା ପାଠକକୁ ଛୁଇଁଥାଏ ଓ ପାଠକର ଚିତ୍ତକୁ ଆଲୋଡ଼ିତ କରିଥାଏ । ଏଥିରୁ ଜଣାପଡ଼ୁଛି ସାହିତ୍ୟ ପ୍ରକୃତରେ ଜୀବନ ଓ ସମାଜର ମର୍ମଲିପି । ଯେଉଁ ସାହିତ୍ୟ ସମାଜ ଓ ଜୀବନର କଥାକୁ କଳାତ୍ମକ ଢଙ୍ଗରେ ପରିବେଷଣ କରିଥାଏ ଓ ତାହା ବାସ୍ତବ ଆଧାରିତ ହୋଇଥାଏ, ସେହି ସାହିତ୍ୟକୁ କାଳଜୟୀ ସାହିତ୍ୟ କୁହାଯାଇଥାଏ । ମହାଭାରତ, ରାମାୟଣ, ସମାଜ ଓ ଜୀବନ ଆଧାରିତ ହୋଇଥିବାରୁ ତାହା ମଣିଷକୁ ସବୁକାଳ ଓ ସବୁ ସମୟରେ ପ୍ରବୋଧିତ କରୁଛି । ମାନବ ସଭ୍ୟତା ଥିବା ପର୍ଯ୍ୟନ୍ତ ମହାଭାରତ, ରାମାୟଣର ମୂଲ୍ୟବୋଧ ଉଜ୍ଜୀବିତ ହୋଇରହିଥିବ । କାରଣ ଏଥିରେ ଅଛି ମଣିଷ ଜୀବନର ଦୃଷ୍ଟି, ଦର୍ଶନ ଓ ସମାଜ ଜୀବନର ଗହନ କଥା ।

 

ଆଜିର ସାହିତ୍ୟକୁ ପଢ଼ିଲେ ମନେହୁଏ, ସାହିତ୍ୟର ଆଦର୍ଶ ପାଖରୁ କେଜାଣି କାହିଁକି ଲେଖକମାନେ ଦୂରେଇ ଯାଉଛନ୍ତି । ସମାଜର ଅନ୍ତଃରହସ୍ୟକୁ ଉନ୍ମୋଚିତ କରିବା ପାଇଁ ଲେଖକମାନେ ଶ୍ରମ କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଲେଖିବା ପାଇଁ ଲେଖକର ଯେପରି ବିପୁଳ ଉପଲବ୍ଧି ଓ ଅନୁଭବର ଆବଶ୍ୟକତା ରହିଛି, ସେହିପରି ରହିଛି ସମାଜ ଓ ଜୀବନ ପ୍ରତି ତା’ର ଅଙ୍ଗୀକାରବଦ୍ଧ ଆତ୍ମସଚେତନତା । ସେଥିପାଇଁ ଲେଖକକୁ ବିପ୍ଳବୀ ବୋଲି କୁହାଯାଇଥାଏ । କାରଣ ଲେଖକ ଲେଖା ମାଧ୍ୟମରେ ପରିବର୍ତ୍ତନ ପାଇଁ ଦିଏ ଆହ୍ୱାନ ଓ ସୃଷ୍ଟି କରେ ନୂତନ ଭିତ୍ତିଭୂମି-। ଏହି ସତ୍ୟକୁ ପୃଥିବୀର ବିଭିନ୍ନ ଦେଶରେ ହିଁ ପ୍ରମାଣ କରିଛି ସାହିତ୍ୟ । ଲେଖିବା ଗୋଟିଏ ସଉକ ନୁହେଁ, ବରଂ ଏକ ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ୱ । ଭୋଗପ୍ରାଚୁର୍ଯ୍ୟ ଭିତରେ ରହି ଲେଖକ ଦୁଃଖକୁ ବା ସମାଜର ବାସ୍ତବ ସ୍ଥିତିକୁ ଆକଳନ କରିପାରିବ ନାହିଁ । ସେଥିପାଇଁ ଲେଖକକୁ ହେବାକୁ ପଡ଼ିବ ସମାଜ ଓ ମାଟିମନସ୍କ । ଲେଖକ କ୍ଷେତ୍ରକୁ ଯାଇ ବାସ୍ତବ ସ୍ଥିତିକୁ ନିଜ ହୃଦୟରେ ନିବିଡ଼ ଭାବେ ଉପଲବ୍ଧି କରିପାରିଲେ ଓ ସେହି ଉପଲବ୍ଧି ଶବ୍ଦଶୈଳୀରେ ରୂପାନ୍ତରିତ ହୋଇପାରିଲେ ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି ହୋଇପାରିବ । ଏହି ଉଚ୍ଚାଙ୍ଗ ସାହିତ୍ୟ ମଣିଷ ଓ ସମାଜକୁ ନୂତନ ପଥ ନିର୍ଦ୍ଦେଶ କରିବ ।

 

ଲେଖିବା ଗୋଟିଏ ସହଜ କଥା ନୁହେଁ । ଏହା ହେଉଛି ସାଧନା ବା ତପସ୍ୟା । ଲେଖକ ଅହଂକାର ବର୍ଜିତ ହୋଇ ସରଳ ମନ ନେଇ ସମାଜକୁ ନିଜ ଅନ୍ତଃଚେତନାରେ ଉପଲବ୍ଧି କଲେ ସେ ବାସ୍ତବ ସତ୍ୟକୁ ପ୍ରତ୍ୟକ୍ଷ କରିପାରିବ । ସେଥିପାଇଁ କୁହାଯାଇଛି – ଆତ୍ମଜ୍ୱଳନର ପୀଡ଼ା ଲେଖକକୁ ପ୍ରୋତ୍ସାହିତ କରେ ସାହିତ୍ୟ ରଚନା କରିବା ପାଇଁ । ସବୁ ସମୟରେ ଏ ପ୍ରକାର ସାହିତ୍ୟ ସୃଷ୍ଟି ହୋଇଛି ଓ ତାହା କାଳଜୟୀ ବୋଲି ବିବେଚିତ ହୋଇଛି । ଲେଖକଟି କାହାକୁ ଆନନ୍ଦିତ ବା ଦୁଃଖିତ କରିବାର ଉଦ୍ଦେଶ୍ୟ ରଖି ସାହିତ୍ୟ ରଚନା କରେ ନାହିଁ । ନିଜ ଜୀବନରେ ବା ସମାଜରେ ଯାହା ଯେପରି ଘଟିଛି ସେସବୁକୁ ସେମିତି କେବଳ ଥୋଇଦେଲେ ହେବ ନାହିଁ, ବରଂ ସେଥିରେ ସୃଜନଶୀଳ ଦୃଷ୍ଟିଭଙ୍ଗୀ ଓ କଳାତ୍ମକ ପରିପାଟୀର ମଧ୍ୟ ଆବଶ୍ୟକତା ହିଛି । ନିଷ୍କପଟ ଅଭିବ୍ୟକ୍ତି ରଚନାକୁ ଶକ୍ତିଶାଳୀ କରେ । ତେଣୁ ଲେଖକମାନେ ନିଜ ସୃଜନଶୀଳ ମନୋଭାବକୁ ପ୍ରକାଶ କରିବା ପାଇଁ ସ୍ପଷ୍ଟଭାବେ ଲେଖନୀ ଚାଳନା କରନ୍ତୁ । ଲେଖକମାନେ ଅନୁଭବ ଓ ଉପଲବ୍ଧିରେ ସିକ୍ତ ହୋଇ ନବ ସର୍ଜନାରେ ଆଗୁସାର ହୁଅନ୍ତୁ । ବୌଦ୍ଧିକତା ନୁହେଁ, ବରଂ ସରଳ ରୁଚିପୂର୍ଣ୍ଣ ଭାଷାରେ ସ୍ୱକୀୟ ଭାବଭାବନାକୁ ଜାତି ଉଦ୍ଦେଶ୍ୟରେ ସମର୍ପି ଦିଅନ୍ତୁ । ତେବେ ଯାଇ ଆମ ସାହିତ୍ୟ ପାଠକ ବା ମଣିଷ ପ୍ରିୟ ହୋଇପାରିବ ଓ ସମାଜର ବିକାଶରେ ସହାୟକ ହେବ । ଲେଖକମାନେ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେଲେ ସାହିତ୍ୟ ପ୍ରସାରିତ ହେବ ଏବଂ ସମାଜର ଅଶେଷ ମଙ୍ଗଳ ସାଧିତ ହେବ ।

 

କୋଣାର୍କର ୧୬୯ତମ ସଂଖ୍ୟା ୭ଟି ପ୍ରବନ୍ଧରେ ସୀମିତ ରହିଛି । ଏଥିରେ ଭିନ୍ନ ଭିନ୍ନ ସ୍ୱାଦର ପ୍ରବନ୍ଧ ସ୍ଥାନ ପାଇଛି । ସାହିତ୍ୟଦର୍ପଣାକାର ବିଶ୍ୱନାଥ କବିରାଜଙ୍କ ଜୀବନ ଓ କୃତି ସମ୍ପର୍କରେ ଯେପରି ଆକଳନ କରାଯାଇଛି, ସେହିପରି ଗଞ୍ଜାମର ଲୋକନୃତ୍ୟ ‘କୃଷ୍ଣଲୀଳା’ ବିଷୟରେ ବିଚାର ଆଲୋଚନା ଭିନ୍ନ ଦୃଷ୍ଟିକୋଣରୁ କରାଯାଇଛି । ‘‘ଝୁମର’’ ଏକ ଉତ୍କୃଷ୍ଟ ଲୋକକଳା । ଏହି ଲୋକକଳାର ବିଭିନ୍ନ ଦିଗ ଓ ଏହାର ମୌଳିକ ଭାବ ସମ୍ପର୍କରେ ଆଲୋଚନା କରାଯିବା ସହ ଷଢ଼େଇକଳା ଖରସୁଆଁର ଲୋକସଂସ୍କୃତି ଉପରେ ମଧ୍ୟ ଆଲୋକପାତ କରାଯାଇଛି । ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଜୀବନ ଓ ସାହିତ୍ୟର ସମୀକ୍ଷା କରାଯାଇଛି ଏଥିରେ । ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ରେ କେବଳ ଶ୍ରୀଜଗନ୍ନାଥଙ୍କ କଥା ନୁହେଁ ବରଂ ଭାରତୀୟ ସଂସ୍କୃତିର ଚିତ୍ର ମୁଗ୍ଧରୀତିରେ ଆତ୍ମପ୍ରକାଶ କରିଛି । ଏହାର ପ୍ରମାଣିକତାକୁ ପ୍ରାବନ୍ଧିକ ସୂଚାଇଛନ୍ତି ‘ନୀଳଶୈଳ ଉପନ୍ୟାସର କଥାକଳ୍ପରେ ଭାରତୀୟ ସଂସ୍କୃତିର ଚିତ୍ର’ ପ୍ରବନ୍ଧରେ । ଓଡ଼ିଶାର ଯାଜପୁର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଯାଜପୁରରେ ରହିଛି ଏକ ଅନନ୍ୟ ପରମ୍ପରା ଓ ସମୃଦ୍ଧ ଇତିହାସ । ଯାଜପୁର ମାଟିରେ ମଧ୍ୟ ରହିଛି ବୌଦ୍ଧଧର୍ମର ପ୍ରଚାର ପ୍ରସାରର ଇତିହାସ । ଏହି ଯାଜପୁରର ବୌଦ୍ଧ ପରମ୍ପରା ସମ୍ପର୍କରେ ଏକ ସୁଚିନ୍ତିତ ଅନୁଶୀଳନ କରାଯାଇଛି ଏକ ପ୍ରବନ୍ଧରେ । କୃଷ୍ଣଚରଣଙ୍କ ଗଦ୍ୟକୁ ନେଇ ଏକ ସ୍ୱତନ୍ତ୍ର ଆଲେଖ୍ୟ ମଧ୍ୟ ଏଥିରେ ସ୍ଥାନିତ ହୋଇଛି ।

 

ଏଥରର ‘କୋଣାର୍କ’ ଗବେଷକ, ଆଲୋଚକମାନଙ୍କୁ ଆନନ୍ଦିତ କରିବ ଓ ତଥ୍ୟ ବିଚାର ପ୍ରଦାନରେ ନିଶ୍ଚୟ ସହାୟକ ହେବ ।

 

 

ସମ୍ପାଦନା ମଣ୍ଡଳୀ ପକ୍ଷରୁ

ବିଜୟାନନ୍ଦ ସିଂହ

 

***

 

ଗଞ୍ଜାମର ଲୋକନୃତ୍ୟ : କୃଷ୍ଣଲୀଳା

ଲିଙ୍ଗରାଜ ନାହାକ

 

ଏ ଗଞ୍ଜାମ ମହୀ ମଞ୍ଜୁ ଶତଦଳ,

କଳାଲୀଳା ନଟନଟୀ କୋଳାହଳ

 

ଅର୍ଥାତ ଗଞ୍ଜାମ ଜିଲ୍ଲା ହିଁ ଲୀଳାର ଜନ୍ମଭୂମି । ଭାରତଲୀଳା, କୃଷ୍ଣଲୀଳା, ରାମଲୀଲା, ରାଧାପ୍ରେମ ଲୀଳା ଏହି ଅଞ୍ଚଳରୁ ହିଁ ସୃଷ୍ଟି ହୋଇଛି । ଲୋକଚରିତ୍ର, ଲୋକଧର୍ମ, ଲୋକଚଳଣି, ଲୋକବାଦ୍ୟ ଓ ଲୋକକଥାର ବିଚିତ୍ର ସମନ୍ୱୟରେ ଲୋକ ନୃତ୍ୟ ସମୃଦ୍ଧ । ନାଟ୍ୟଶାସ୍ତ୍ର ପ୍ରଣେତା ଭରତ ମୁନିଙ୍କ ମତରେ-

 

ଲୋକଧର୍ମୀ ନାଟ୍ୟଧର୍ମୀତି ଦ୍ୱିବିଧଃ ସ୍ମୃତଃ

ଭାରତୀ ସ୍ୱାତ୍ତ୍ୱତୀ ଚୈବ କୌଶିକ୍ୟାଚର ଭଟ୍ଟୀ ତଥା ।।

 

ଲୋକଧର୍ମୀ ଶବ୍ଦର ବ୍ୟବହାର ଲୋକନୃତ୍ୟ ସମ୍ପର୍କିତ ଧାରଣା ପ୍ରଦାନ କରିଛନ୍ତି । କାହାଣୀ ଅଭିନୟ, ଚରିତ୍ର, ନୃତ୍ୟ, ସଙ୍ଗୀତ, ସଂଳାପ, ରଙ୍ଗମଞ୍ଚ, ରସ ପ୍ରସଙ୍ଗ ଏଥିରେ ସନ୍ନିବେଶିତ-। ମୁକ୍ତ ମଞ୍ଚ ହିଁ ଏହାର ପ୍ରଧାନ କର୍ମଭୂମି । ଭରତ ମୁନି ନାଟ୍ୟଶାସ୍ତ୍ରରେ ପୁଣି ଲେଖିଛନ୍ତି:

 

ଦୁଃଖାର୍ତ୍ତାନାଂ ଶ୍ରୀମାର୍ତ୍ତାନଂ ଶୋକାର୍ତ୍ତାନାଂ ତପସ୍ୱିନାମ୍

ବିଶ୍ରାମ ଜନନଂ ଲୋକେ ନାଟ୍ୟମେତଦ ଭବିଷ୍ୟତି ।।

 

ଦୁଃଖ ଯନ୍ତ୍ରଣା ଜର୍ଜରିତ ଅବସାଦଗ୍ରସ୍ତ ଲୋକଙ୍କୁ ଲୋକନୃତ୍ୟ ହିଁ ଦେଇପାରିବ ସୁଖ, ଶାନ୍ତି ଓ ଆନନ୍ଦ । ଓଡ଼ିଆ ଲୋକନୃତ୍ୟ ଇତିହାସରେ ଅବିଭକ୍ତ ଗଞ୍ଜାମ ଜିଲ୍ଳାର ଭୂମିକା ଚିରସ୍ମରଣୀୟ ରହିଛି । କାରଣ ଗଞ୍ଜାମ ଜିଲ୍ଲାରେ ହିଁ ସର୍ବାଧିକ ଲୋକନୃତ୍ୟ ରହିଛି । ‘ଲୀଳା’ ଶବ୍ଦର ଆକ୍ଷରିତ ଅର୍ଥ ହେଲା ଅନୁକରଣ । ପୁଣି ’ଲୀଳା’ର ଅର୍ଥ ଭଗବାନଙ୍କ ଅବତାର ଯେଉଁଥିରେ ଭଗବାନଙ୍କ କାର୍ଯ୍ୟବର୍ଣ୍ଣନା କରାଯାଏ । ‘ଲୀ’ ଧାତୁର ନିଷ୍ପନ୍ନ ଅର୍ଥ ଆଲିଙ୍ଗନ । ‘ଲା’ ଧାତୁର ନିଷ୍ପନ୍ନ ହେଲେ ଏହା ଗ୍ରହଣ କରିବାକୁ ବୁଝାଏ । ଲୀଳାର ଆଭିଧାନିକ ଅର୍ଥ ହେଲା କ୍ରୀଡ଼ା, କେଳି, କଳାପ, ବିଳାସ ଇତ୍ୟାଦି । ପୌରାଣିକ ଅବତାରଙ୍କ ଚରିତ୍ର, ବିଷୟକ ଗୀତାଭିନୟ କେଳି, କ୍ରୀଡ଼ା, ଆମୋଦପ୍ରମୋଦ, ବିଳାସପୂର୍ଣ୍ଣ କାର୍ଯ୍ୟକୁ ‘ଲୀଳା’ କୁହାଯାଏ ।

 

ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପରମପୁରୁଷ ଭଗବାନ ବିଷ୍ଣୁଙ୍କ ବିଭିନ୍ନ ଅବତାର ଲୀଳା ବର୍ଣ୍ଣନା ମଧ୍ୟରେ ସୃଷ୍ଟିର ପର୍ଯ୍ୟାୟକ୍ରମ ସହିତ ଏକଦିଗରେ ମାନବ ସମାଜ ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ବର୍ଣ୍ଣମୟୀ ରୂପାୟନ ଓ ଅପର ଦିଗରେ ବ୍ୟକ୍ତି ବା ଗୋଷ୍ଠୀର ରୁଚି ଅନୁକୂଳ ଧାର୍ମିକ ଚିନ୍ତାଧାରାର ପରିପ୍ଳାବନ ପରିଲିଖିତ ହୁଏ । ଅନ୍ତତଃ ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସିବା ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟରେ ଏହା ହିଁ ଥିଲା ଆଭିମୁଖ୍ୟ । ସେହି ଭିତ୍ତିଭୂମିରେ ଓଡ଼ିଶାରେ ଲୀଳା, ଯାତ୍ରା ଓ ନାଟକ ଆକାରରେ ବହୁ ଗ୍ରନ୍ଥ ଲେଖା ଯାଇଥିବା ଜଣାଯାଏ । ତନ୍ମଧ୍ୟରୁ କୃଷ୍ଣଲୀଳା ଅନ୍ୟତମ । ଦ୍ୱାପର ଯୁଗରେ ସ୍ୱୟଂ ଗୋଲକବିହାରୀ ବିଷ୍ଣୁ ଶ୍ରୀକୃଷ୍ଣ ରୂପେ ଅବତାର ଗ୍ରହଣ କଲେ । ସେହି ପରମାରାଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କର ଲୀଳା ଅବର୍ଣ୍ଣନୀୟ । ଦ୍ୱାପର ଯୁଗୀୟ ସେହି ଶ୍ରୀକୃଷ୍ଣ ଲୀଳା ସମୂହର ସାଙ୍କେତିକ ବର୍ଣ୍ଣନା ହିଁ କୃଷ୍ଣଲୀଳାରେ ସ୍ଥାନ ପାଇଛି । କୃଷ୍ଣ ଉପାସନାର ପରମ୍ପରା ଅତି ପ୍ରାଚୀନ । ପଞ୍ଚମ-ଷଷ୍ଠ ଶତାବ୍ଦୀ ବେଳକୁ ଓଡ଼ିଶାରେ ଏହାର ବହୁଳ ପ୍ରସାର ଥିଲା । କାଳକ୍ରମେ ସାହିତ୍ୟରେ ରାଧାକୃଷ୍ଣ, କୃଷ୍ଣଚେତନାକୁ ନେଇ ଅସଂଖ୍ୟ କାବ୍ୟ, କବିତା ସୃଷ୍ଟି ହୋଇଛି । ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ମାର୍କଣ୍ଡ ଦାସଙ୍କ କେଶବ କୋଇଲି ପ୍ରଭୃତିରେ କୃଷ୍ଣଙ୍କ ଜନ୍ମ, ବାଲ୍ୟଲୀଳା, ଅଲୌକିକ କାର୍ଯ୍ୟ ସବୁ ବର୍ଣ୍ଣନା ହେଲା । ପରବର୍ତ୍ତୀ କାଳରେ ଏସବୁର ନାଟ୍ୟଧାରା ରୂପ ହିଁ ‘କୃଷ୍ଣଲୀଳା’ ଭାବେ ବିବେଚିତ ହେଲା ।

 

କୃଷ୍ଣଲୀଳା ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଏହା ପ୍ରାୟତଃ ୧୯୧୦ ମସିହାରେ ଆରମ୍ଭ ହୋଇଥିବା ଜଣାଯାଏ । ଗଞ୍ଜାମର ବାବାଜୀ ଦୁଃଖିଶ୍ୟାମ ଦାସ ହିଁ ସର୍ବପ୍ରଥମେ ‘କୃଷ୍ଣଲୀଳା’ ରଚନା କରି ଆଠଗଡ଼ ବାଉଁଶିଆ ଗ୍ରାମରେ ମଞ୍ଚସ୍ଥ କରାଇଥିଲେ । ଏହି କୃଷ୍ଣଲୀଳାକୁ ଆଠଗଡ଼ିଆ କୃଷ୍ଣଲୀଳା କୁହାଯାଏ । ପାରଳାଖେମୁଣ୍ଡିର ରାଜକବି ମଧୁସୂଦନ ପାଣିଗ୍ରାହୀ, ଚିକିଟିର ରାଜା ରାଧାମୋହନ ରାଜେନ୍ଦ୍ର ଓ ବିପ୍ରଶ୍ୟାମ ଗୌତମୀର ହରିହର ଷଡ଼ଙ୍ଗୀ ପ୍ରଭୃତି କୃଷ୍ଣଲୀଳା ରଚନା କରିଥିଲେ । ତଥାପି ଗଞ୍ଜାମ କୃଷ୍ଣଲୀଳା କହିଲେ ଲୋକେ ମୁଖ୍ୟତଃ ଦୁଃଖିଶ୍ୟାମ ଦାସଙ୍କ କୃଷ୍ଣଲୀଳାକୁ ହିଁ ବୁଝନ୍ତି । କାରଣ ସେ କୃଷ୍ଣଲୀଳାକୁ ଜନମାନସରେ ପ୍ରତିଷ୍ଠିତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଚିକିଟିର ବିଶ୍ୱମ୍ଭର ରାଜେନ୍ଦ୍ର ଓ ବିପ୍ରଶ୍ୟାମଙ୍କ କୃଷ୍ଣଲୀଳା ଚିକିଟି ଅଞ୍ଚଳରେ ଜନପ୍ରିୟ ହୋଇଥିବା ଜଣାଯାଏ । ସୁବଲୟାର ହରିହର ଷଡ଼ଙ୍ଗୀ, ଦଧିମନ୍ଥନ ପୁତନାବଧ,ଶକଟାସୁର ବଧ ପ୍ରଭୃତି ପନ୍ଦରଟି ଲୀଳା କରିଛନ୍ତି । ସେହିପରି ବଡ଼ଖେମୁଣ୍ଡି ରାଜା ଲକ୍ଷ୍ମୀ ନାରାୟଣ ଦେବ ଦଧିମନ୍ଥନ, କାଳୀୟ ଦଳନ, ବସ୍ତ୍ର ହରଣ, ଗୋବର୍ଦ୍ଧନ ପୂଜା ଏହିପରି ଚାରୋଟି ଲୀଳା ରଚନା କରିଥିଲେ । କିନ୍ତୁ ଦୁଃଖିଶ୍ୟାମ ଦାସ ତା’ପରବର୍ତ୍ତୀ କାଳରେ ପୁରୁଷୋତ୍ତମପୁରଠାରେ ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ କଂସବଧ ପର୍ଯ୍ୟନ୍ତ ୪୮ଟି ଲୀଳା ରଚନା କରି ନିଜ ଗ୍ରାମରେ ମଞ୍ଚସ୍ଥ କରାଇବା ସହିତ ସମସ୍ତ ରାଜ୍ୟରେ ଅତ୍ୟନ୍ତ ଲୋକପ୍ରିୟ କରାଇଥିଲେ ।

 

କୃଷ୍ଣଲୀଳାରେ ବହୁ ଶାସ୍ତ୍ରୀୟ ରାଗ ବ୍ୟବହୃତ ହୋଇଥାଏ । ମାଳବ, ଆହାରୀ, ମୁଖାରୀ, ଦକ୍ଷିଣାଶ୍ରୀ, ଆଶାବରୀ, ରସକୂଲ୍ୟା, ଭାଟିଆରୀ ସାବେରୀ ପ୍ରଭୃତି ୧୬ଟି ରାଗରେ କୃଷ୍ଣଲୀଳାର ଗୀତଗୁଡ଼ିକ ଗାନ କରାଯାଏ । ସେହିପରି ତ୍ରିପୁଟା, ମଠତାଳ, ବେପଞ୍ଚୁ ତାଳ, ରୂପକ ଇତ୍ୟାଦି ଆଠଟି ତାଳ ବ୍ୟବହାର ହୋଇଛି । କରୁଣ୍ୟ, ବାତ୍ସଲ୍ୟ, ଶାନ୍ତ, ରୌଦ୍ର, ବିଭତ୍ସ, ହାସ, କୃଷ୍ଣଲୀଳାର ପ୍ରଧାନ ରସ । କୃଷ୍ଣଲୀଳାର ଗୀତଗୁଡ଼ିକ ଆଧ୍ୟାତ୍ମିକ ଶୈଳୀ ସମ୍ପନ୍ନ । ତେଣୁ ପରିବେଷଣକାରୀ ଦର୍ଶକ ଓ ଶ୍ରୋତାମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ମନରେ ଭାଗବତ ପ୍ରେମ ଜାତ କରାଏ । ଏଣୁ ଏହି ନୃତ୍ୟ ପରିବେଷଣ ସମୟରେ ସମସ୍ତେ ଆଞ୍ଚଳିକ ଭେଦଭାବୁ ଭୁଲି ପାରସ୍ପରିକ ଭ୍ରାତୃ ଭାବରେ ଆବଦ୍ଧ ହୋଇଥାନ୍ତି ।

 

ଦୁଃଖିଶ୍ୟାମ ଦାସ ଥିଲେ ଆଠଗଡ଼ି ବାଉଁଶିଆ ଗ୍ରାମର ଅଧଷ୍ଠିତ ହନୁମାନ ମଠର ବାବାଜୀ ଓ ଗୌଡ଼ୀୟ ବୈଷ୍ଣବ । ଫଳରେ ତାଙ୍କ ରଚିତ କୃଷ୍ଣଲୀଳା ଓଡ଼ିଆ ଓ ବଙ୍ଗଳାର ଏକ ମିଶ୍ରିତ ଭାଷାରେ ଲିଖିତ । ପୂର୍ବରୁ ଏହି ଗୀତରେ ଥିବା ସମସ୍ତ ଗୀତ ପ୍ରାୟତଃ ବଙ୍ଗଳା ଶୈଳୀରେ ପରିବେଷଣ ହେଉଥିବା ବେଳେ କ୍ରମଶଃ ତାହା ଓଡ଼ିଆରେ ରୂପାନ୍ତରିତ ହୋଇ ବର୍ତ୍ତମାନ ମୁଖ୍ୟତଃ ଓଡ଼ିଆ ଶୈଳୀରେ ପରିବେଷଣ କରାଯାଉଛି । ଧନରାଶି ଗ୍ରାମର ଗଣପତି ରଣା କୃଷ୍ଣଲୀଳାର ବଙ୍ଗଳା ଭାଷାକୁ ଓଡ଼ିଆ ଭାଷାରେ ରୂପାନ୍ତରିତ କରିଥିବା ଜଣାଯାଇଛି । ଏହାକୁ ଭଙ୍ଗା ଦୁଃଖିଶ୍ୟାମ ଦାସ କୃଷ୍ଣଲୀଳା କୁହାଯାଏ । ଭାଗବତର ଦଶମସ୍କନ୍ଦର କୃଷ୍ଣ ଜନ୍ମଠାରୁ କଂସ ବଧ ଯାଏ ୪୮ ଲୀଳା ଏହାର ପରିସର । ଏହି ଲୀଳା ପରିବେଷଣ ସମୟ ୪୮ ଦିନ ଥିଲା । ମାଘ ତିଳ ସପ୍ତମୀଠାରୁ ଆରମ୍ଭ ହୋଇ ପ୍ରତିପକ୍ଷର ଦଶମୀ ଏକାଦଶୀ ଏହିପରି ବର୍ଷସାରା ଏହା ମଞ୍ଚସ୍ଥ କରାଯାଉଥିବା ବେଳେ ପରେ ଏହା ବର୍ଷକୁ ସାତଦିନ ଓ ବର୍ତ୍ତମାନ ୧୨ ରୁ ୨୦ ଘଣ୍ଟାକୁ ସଂକୁଚିତ ହୋଇଯାଇଛି । ଅବଶ୍ୟ ୨୦୦୮ ମସିହାରେ ଶେଷଥର ପାଇଁ ହିଞ୍ଜିଳିକାଟୁ ଠାରେ ବର୍ଷେ ବ୍ୟାପି ନିୟମାନୁଯାୟୀ କୃଷ୍ଣଲୀଳା ମଞ୍ଚସ୍ଥ ହୋଇଥିଲେ । ହିଞ୍ଜିଳିକାଟୁର ସୁବାସ ଚନ୍ଦ୍ର ପଣ୍ଡାଙ୍କ ପ୍ରୋତ୍ସାହନ, ଜିଲ୍ଲାର ସମସ୍ତ ଦଳ ଓ ଗୁରୁମାନଙ୍କ ଉପସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇଥିଲା ।

 

‘କୃଷ୍ଣଲୀଳା’ ସଙ୍ଗୀତ ପ୍ରଧାନ । ଏଥିରେ ପାରମ୍ପରିକ ବାଦ୍ୟଯନ୍ତ୍ର ମୃଦଙ୍ଗ, ତାଳ, ଆଦି ବ୍ୟବହାର ହେଉଥିଲା । କ୍ରମଶଃ ହାରମୋନିୟମ, କେସିଓ, ଢୋଲ୍‍କି ଓ ନାଗର ଆଦି ଆଧୁନିକ ସଙ୍ଗୀତ ଯନ୍ତ୍ର ବ୍ୟବହାର କରାଯାଉଛି । କୃଷ୍ଣଲୀଳା ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ହୁଏ । କେବଳ ଖରା ଓ ରାତ୍ର ଥଣ୍ଡାରୁ ରକ୍ଷା ପାଇଁ ଛାମୁଣ୍ଡିଆ ତିଆରି ହୁଏ । କେତେକ ସ୍ଥାନରେ ଛାମୁଣ୍ଡିଆରେ ଚାନ୍ଦୁଆଟିଏ ବନ୍ଧା ଯାଉଥିବାର ଦେଖା ଯାଇଥାଏ । ଲୀଳା ପରିବେଷଣ ସମୟରେ ଛାମୁଣ୍ଡିଆର କୌଣସି ସ୍ତମ୍ଭରେ ଫୁଲଥିବା କଦମ୍ବ ଡାଳ ବାନ୍ଧି କଦମ୍ବ ଗଛ, ଅନ୍ୟ ଏକ ସ୍ତମ୍ଭରେ ଦଧିଭାଣ୍ଡ ବାନ୍ଧି ଦଧିଭାଣ୍ଡ ଭଗ୍ନ ଦୃଶ୍ୟ କରାଯାଏ । ସେହିପରି କାଳୀୟ ଦଳନ ସମୟରେ କାଠର ତିଆରି ଏକ ଛନ୍ଦରେ ହରିଦ୍ରା ଓ କଳାରଙ୍ଗର ଅବିକଳ ସାପ ପରି ଚିତ୍ରଣ କରି ସର୍ପର ଫଣାକୁ କୃଷ୍ଣଙ୍କ ଉଦ୍ଦେଶ୍ୟରେ ବାରମ୍ବାର ସଂକୋଚନ ଓ ପ୍ରସାରଣ କରି କାଳୀୟ ଦଂଶନ କରାଯାଏ । ତା’ପରେ କାଠରେ ନିର୍ମିତ ଗରୁଡ଼ ମୂର୍ତ୍ତି ତାରରେ ବନ୍ଧାଯାଇ ଛାମୁଣ୍ଡିଆ ଉପର ଭାଗରୁ ତଳକୁ ଖସାଯାଏ । ଗରୁଡ଼ଙ୍କ ଆଗମନରେ କୃଷ୍ଣ ଚେତା ପାଇ କାଳୀୟ ଦଳନ କରନ୍ତି । ଲୋକପ୍ରିୟତା ଦୃଷ୍ଟିରୁ ବର୍ତ୍ତମାନ କେବଳ ବାଲ୍ୟଲୀଳା ଦଧିମନ୍ଥନ ଓ କାଳୀୟ ଦଳନ ଲୀଳା ପରିବେଷଣ କରାଯାଉଛି ।

 

ଲୀଳା ଆରମ୍ଭରେ ପ୍ରଥମେ ମୃଦଙ୍ଗ ଓ ତାଳ ବାଦନ କରି କୀର୍ତ୍ତନ କରାଯାଏ । କୃଷ୍ଣଲୀଳାରେ କୀର୍ତ୍ତନ ଏକ ବିଶିଷ୍ଟ ସ୍ଥାନ ଗ୍ରହଣ କରିଥାଏ । ବ୍ରଜଲୀଳାରେ ଶ୍ରୀକୃଷ୍ଣ କୀର୍ତ୍ତିଗାନ ହିଁ କୀର୍ତ୍ତନ । ବାବାଜୀ ଦୁଃଖିଶ୍ୟାମଙ୍କ ମତରେ – ‘‘ଯେଉଁ ସ୍ଥାନ ହୋୟେ ଭାଇ ନାମ ସଂକୀର୍ତ୍ତନ ସେ ସ୍ଥାନକୁ ବୋଲିଟି ଗୋଲକ ବୃନ୍ଦାବନ ।’’ ଏଣୁ କୃଷ୍ଣଲୀଳାରେ ପ୍ରାୟ ଅଧଘଣ୍ଟା ଯାଏ ବିଭିନ୍ନ ବାଦ୍ୟ ଓ ତାଳବାଦନ କରି କୀର୍ତ୍ତନ କରାଯାଏ । ତା’ପରେ ପଡ଼ିଗାୟକ ପାଟ ପିନ୍ଧି ଓ ପାଟଓଢ଼ଣି ଦେହରେ ପକାଇ ମଣ୍ଡଳକୁ ଆସି ମଙ୍ଗଳାଚରଣ ଶ୍ଳୋକ ପଢ଼ନ୍ତି । ତା’ପରେ କୃଷ୍ଣ, ବଳରାମ ଓ ଗୋପାଳ ବାଳକମାନେ ଅର୍ଘ୍ୟ ଥାଳି ଧରି ଆସି ମାଙ୍ଗଳିକ ଗାନ କଲାପରେ ମୁଖ୍ୟଗାୟକ ଆସି ଲୀଳାକୁ ଆଗେଇ ନିଅନ୍ତି । ସାଧାରଣତଃ ମୁଖ୍ୟଗାୟକ ପାଟ ପିନ୍ଧିବା, ପାଟଓଢ଼ଣି ଧରିବା ସହିତ ହାତରେ ସୁନାର ବଳା ଓ ବାହୁରେ ସୁନାର ବାହୁବନ୍ଧ ପିନ୍ଧିଥାନ୍ତି । ଅଭିନେତାଙ୍କ ବେଶ ପୋଷାକ ମଧ୍ୟରେ ଶ୍ରୀକୃଷ୍ଣଙ୍କ ମଥାରେ ମୁକୁଟ, କଟିରେ କଟିଦେବ, ପାଦରେ ଘୁଙ୍ଗୁର, ହାତରେ ବଂଶୀ ଓ ଗଳାରେ ଫୁଲମାଳ ଧାରଣ କରିଥାନ୍ତି । ସେହିପରି ବଳରାମ, ସୁଦାମ, ଦାମ, ମଧୁମଙ୍ଗଳ କୃଷ୍ଣଙ୍କ ପରି ବେଶ ପିନ୍ଧନ୍ତି । ଯଶୋଦା, ଦେବକୀ, ନନ୍ଦ ରାଜକୀୟ ବେଶ ପୋଷାକ ପିନ୍ଧିଥାନ୍ତି ।

 

ଆଠଗଡ଼ ବାଉଁଶିଆର କୃଷ୍ଣଲୀଳା ଦେଖି ପୁରୁଷୋତ୍ତମପୁରରେ ବାବାଜୀ ଦୁଃଖିଶ୍ୟାମ ଦାସଙ୍କ ୪୮ ଲୀଳା ମଞ୍ଚସ୍ଥ ହେବାରୁ ସାରା ଗଞ୍ଜାମ ଜିଲ୍ଲାରେ ଏହି ଲୀଳାର ଜନପ୍ରିୟତା ଗଗନ ପବନ ମୁଖରିତ ହେଲା । ଗୁରୁଶିଷ୍ୟ ପରମ୍ପରାରେ ଦୁଃଖିଶ୍ୟାମ ଦାସଙ୍କ ଶିଷ୍ୟମାନେ ବିଭିନ୍ନ ଗାଁରେ କୃଷ୍ଣଲୀଳା ଦଳ ଗଠନ କରି ନିଜେ ନିର୍ଦ୍ଦେଶନା ଦେଲେ । କାଳକ୍ରମେ ଏହା ଗାଁର ଯାନିଯାତ୍ରା ସହିତ ସଂଶ୍ଳିଷ୍ଟ ହେଲା । ଫଳରେ ବହୁ ଗ୍ରାମରେ କୃଷ୍ଣଲୀଳା ଦଳ ଗଠନ ହୋଇ ବହୁ କଳାକାର ଓ ଗୁରୁ ସୃଷ୍ଟି ହେଲେ । ପୁରୁଷୋତ୍ତମପୁର ବ୍ଲକସ୍ଥ ସୁନାଧର ଗ୍ରାମରେ ଦୁଇଦଳ ଗ୍ରାମ ଲୀଳା ଥିଲା । ସେମାନେ ଏହି କୃଷ୍ଣଲୀଳାରେ ପ୍ରଭାବିତ ହୋଇ ୪୦ ବର୍ଷ ଧରି ଚାଲିଥିବା ରାମଲୀଳା ଛାଡ଼ି କୃଷ୍ଣଲୀଳା ଆରମ୍ଭ କଲେ । ଅଦ୍ୟାବଧି ସେଠାରେ କୃଷ୍ଣଲୀଳା ଚାଲିଥିବା ବେଳେ ୨୦୦୮ ମସିହାରେ ଏହି ଦଳ ହିଞ୍ଜିଳିକାଟୁଠାରେ ୪୮ ଲୀଳା ପରିବେଷଣ କରି ବେଶ୍ ସୁନାମ ଅର୍ଜନ କରିଥିଲେ । ପୁଣି ୨୦୧୧ ମାର୍ଚ୍ଚ ୫/୬ ତାରିଖରେ ଏହି କୃଷ୍ଣଲୀଳା ଦଳ ଓ ସୁନାଥର ଜାଗୃତି ନାଟ୍ୟ ସଂସଦ ନେତୃତ୍ୱରେ ବ୍ରହ୍ମପୁରଠାରେ ରାଜ୍ୟସ୍ତରୀୟ କୃଷ୍ଣଲୀଳା ଗୁରୁ ଓ କଳାକାର ସମ୍ମିଳନୀ ହୋଇଥିଲା । ୪୭ଜଣ ଗୁରୁ ତଥା ଶତାଧିକ କଳାକାର ଯୋଗଦେଇ ନିଜ ନିଜର ଲୀଳା ପ୍ରଦର୍ଶନ କରିବା ସହିତ ଭାବର ଆଦାନପ୍ରଦାନ କରିଥିଲେ । ସମୟ କ୍ରମେ କୃଷ୍ଣଳୀଳା ଅବଲୁପ୍ତ ହୋଇ ଯାଉଥିବା ବେଳେ ଏହାର ପୁନଃ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିବାରୁ ଏଥିରେ ଉତ୍ସାହିତ ହୋଇ ଜିଲ୍ଲାର କୋଣ ଅନୁକୋଣରୁ ଅଧିକାଂଶ ଗୁରୁ ଓ କଳାକାର ଅଂଶ ଗ୍ରହଣ କରିଥିଲେ । ଅନୁସନ୍ଧାନରୁ ଜଣାଗଲା ଯେ, ଅତୀତରେ ଜିଲ୍ଲାରେ ଅନେକ କୃଷ୍ଣଲୀଳା ଦଳ ଥିଲାବେଳେ ବର୍ତ୍ତମାନ ୬ଟି ଦଳ ରହିଛି । ପ୍ରତିଦଳରେ ୧୦ ରୁ ୧୨ ଜଣ ତଥା ୧୦ ରୁ ୧୨ ବର୍ଷ ବୟସର ଦେଢ଼ଶହ କଳାକାର ଓ ୭ ଜଣ ଗୁରୁ ଅଛନ୍ତି । ଗୁରୁଙ୍କ ମଧ୍ୟରେ ୭୦ ପ୍ରତିଶତ ୭୦ ବର୍ଷରୁ ଉର୍ଦ୍ଧ୍ୱ ତଥା ସମସ୍ତଙ୍କଠାରୁ ବୟସ୍କ ଜଗନ୍ନାଥ ପ୍ରସାଦର କାଦୁଆ ଗ୍ରାମର ୯୨ ବର୍ଷ ବୟସ୍କ ନରସିଂହ ଷଡ଼ଙ୍ଗୀ ମଧ୍ୟ ଏଥିରେ ଅଂଶଗ୍ରହଣ କରି କୃଷ୍ଣଲୀଳାର ଗୀତ ଗାଇବା ସହିତ ନିଜର ଅନୁଭୂତି ପରିପ୍ରକାଶ କରିଥିଲେ ।

 

ଆଜିର ଏ ଆଲୋଚନା ଅବସରରେ ଦୁଃଖିଶ୍ୟମା ଦାସ ଭଣତି କୃଷ୍ଣଲୀଳର କେତେକ ଗୀତ, ତାଳ ଓ ରାଗର ସମ୍ୟକ ସୂଚନା ଦେବା ସମୀଚୀନ ମନେ କରୁଛି । କଂସର ଦୂତ ଗୋପପୁର ଆସିବା ଦେଖି ଗୋପୀମାନଙ୍କ କଥୋପକଥନ ଛନ୍ଦରେ କବି ଲେଖିଛନ୍ତି ।

 

(ଗୀତ)            ଦେଖମିତ ବିପରୀତ ଦଇବ ଦଶା

            ଆସିଛି କଂସର ଦୂରତ ଘେନିଣ ଭାଷା ।।

            କଂସର ଭାରିଯା ପୁଣି ଅଟେ ପଦ୍ମାବତୀ ରାଣୀ

            ସେ କରଇ ମଧୁପୁରେ ଧନ୍ୟତ୍ରୀ ଓଷା ।।

            କାଳିନ୍ଦୀକୁ କେହିଯିବ, ପଦ୍ମ ପୁଷ୍କ କେ ତୋଳିବ

            କାହାର ଏଥିରେ ନାହିଁ ପ୍ରାଣକୁ ଆଶା ।।

            ମାରଇ ବିଷ ଲହରୀ, ପକ୍ଷୀ ନ ପାରନ୍ତି ଉଡ଼ି

            ସଦା ପୂର୍ଣ୍ଣ ହୋଇଥାଏ ଖରା ବରଷା ।।

            କଂସର ଅହନ୍ତା ମିତ, କାଳେ କାଳେ ନଗଲାତ

            ଚାଲର ଏ ଗୋପରୁ ଯିବା ନାହିଁ ଭରସା ।।

            ଦୁଃଖିଶ୍ୟାମ ଦାସ ଭନି, ଆକୁଲେ ଗୋପ ତରୁଣୀ

            ଏକୁ ଆରେ କୁହାକୁହି ସାହି ପଡ଼ିଶା ।।

 

ସରଳ କାବ୍ୟ ଭାଷା ମାଧ୍ୟମରେ କବି ଆପଣାର ଆବେଗକୁ ସୁସଂହତ ଢଙ୍ଗରେ ସମିଶ୍ରିତ କରି ଲୀଳାରେ ପରିପ୍ରକାଶ କରିଛନ୍ତି । କବିଙ୍କର ଶବ୍ଦସାମ୍ୟ, ବାକ୍ୟବିନ୍ୟାସ ଓ ପଦସଜ୍ଜା ଦର୍ଶକଙ୍କ ହୃଦୟକୁ ଆକୃଷ୍ଟ କରେ । ସେହିପରି ବଙ୍ଗଳା ମିଶ୍ରିତ କୃଷ୍ଣଲୀଳା ଗୀତ ମଧ୍ୟରେ କବିଗାୟକ କଣ୍ଠେ ରାଗ ପୟାର ଓ ତାଳ ତ୍ରିପୁଟାରେ ଲେଖିଛନ୍ତି: (ଗୀତ) :

 

            ବିକଶିତ ପଦ୍ମବନ ଫୁଟି ଶଶ୍ରେ ଦଲ

            ପ୍ରକଟିତ ହୈଲ ବାସ ସୁଗନ୍ଧ ଶିତଲ ।।

            ସେହି ବନେ ବିହାର କରଇ ଦେବହରି

            ବେଡ଼ିଲ ସକଲି ନାଗେ ଶଶ୍ରେ ପୁରକରି ।।

            ହସ୍ତେ ଡାଳ ଧରି ଉଭା ଦେବ ଭଗବାନ

            କୃଷ୍ଣ କେ ଦେଖିଆ ସର୍ପ ଗର୍ଜେ ତତକ୍ଷଣ ।।

            ମୁଖରେ ଓଷ୍ଠର ବିଷ ଦିଶେ ଧୁମ୍ରମୟେ

            ଛାଡ଼ିଲ ଗରଳ ଧାରା ବିଜୁଳି ପରାୟେ ।।

 

ନୃତ୍ୟ, ଗୀତ, କାବ୍ୟ, ବାଦ୍ୟ, ଅଭିନୟ, ଆଳାପ, ଅଭିସାର, ଉତ୍କଣ୍ଠା, ଦ୍ୱନ୍ଦ୍ୱ ପ୍ରଭୃତି ଏହି ଲୀଳାରେ ପ୍ରତିଫଳିତ ହୋଇଛି । ପୁଣି ଶ୍ରୀକୃଷ୍ଣଙ୍କ କାଳୀୟଦଳନ ଅବସରରେ ସର୍ପକୁ କହିଛନ୍ତି ରାଗ ସାବେରୀରେ...

 

ଗୀତ (ରେ ) ଅହିବରରେ ବିଷଧର,             ଭାଙ୍ଗିବି ଗାରିମା ତୋହର

ଏ ଅଟେ ତୀର୍ଥଜଳ କଲୁ ତୁହିଁ ଗରଳ

ଜନ୍ତୁଏ ଖାଇ ନାରଖାରରେ... ।। ଘୋଷା ।।

ଆଜି ତୋହର ଟାଣ,            ଭାଙ୍ଗିବି ମୁହିଁ ଜାଣ

ନିଶ୍ଚେ ତୁ ଯିବୁ ଯମପୁର ।।୧।।

x      x      x      x      x      x      x

ଜୀବନେ ଥିଲେ ଆଶା,             ଯାଅ ତୋହର ବସା

ଦୁଃଖିଶ୍ୟାମ କହନ୍ତି ଗୀରରେ... ।। ୨ ।।

 

ଅର୍ଥାତ୍ କୃଷ୍ଣଲୀଳାର ସମସ୍ତ ଗୀତଗୁଡ଼ିକ ଦୁଃଖିଶ୍ୟାମ ଦାସଙ୍କ ନାମରେ ଭଣତି କରାଯାଇଛି । ପୁନଶ୍ଚ କୃଷ୍ଣଙ୍କ ସର୍ପ ଦଂଶନ ପରେ ନନ୍ଦରାଜା ଶୋକ କରି କହିଛନ୍ତି ଚିନ୍ତା ଦେଶାକ୍ଷ ରାଗରେ...

 

(ଗୀତ) ନନ୍ଦ ଅତି ବ୍ୟାକୁଳିତ ମନ ଚିନ୍ତି ଶ୍ରୀକୃଷ୍ଣଙ୍କ ଗୁଣଗାନ

ଆହା ବାପଧନ ମୋ ରଙ୍କ ରତନ

ବୃଦ୍ଧକାଳେ ଦିଲୁ ଏ କଷଣରେ ନନ୍ଦନ... । ୧ ।

କାଳିନ୍ଦୀକୁ ନ ଯା ବାପ ବୋଲି

ପଥେ ମନା କୈଳିରେ ଶଙ୍ଖାଳି

ମୋ ବୋଲ ନ ମାନି ବାପ ନୀଳମଣି

ଆସି ଅହି ମୁଖେ ଦିଲୁ ପ୍ରାନରେ ନନ୍ଦନ... । ୨ ।

 

ସେହିପରି ଯଶୋଦା ମଧ୍ୟ ଶୋକ କରି କହିଛନ୍ତି, ରାଗ-ଆହାରୀରେ.....

 

(ଗୀତ)

କାହିଁକି ପଶିଲୁ ବାପ କାଳିନ୍ଦୀ ହ୍ରଦରେ

 

ଆରେ ବଂଶୀଧର...

(ଶ୍ଳୋକ)

ହା କୃଷ୍ଣ ସୁନ୍ଦରଶ୍ୟାମଃ ବୃଦ୍ଧକାଳେ ଏକଃ ସୁତଃ

 

ହତାନି ଯେମନ ପୁତ୍ରେଣ ଦିବାନ୍ଧକାରଃ ଦୃଶ୍ୟତେ ।

(ପଦ)

ତୁ ମୋ ଏକଇ କୁମର ଶଙ୍ଖାଳି ବୃଦ୍ଧ କାଳର

 

କରିଗଲୁ ବାପ ମତେ ଦିବସ ଅନ୍ଧାରରେ

 

ଆରେ ବଂଶୀଧର....।

(ଶ୍ଳୋକ)

ଦଶାମାସୈଃ ସମ୍ପୂର୍ଣ୍ଣେ ଗର୍ଭକଷ୍ଟ ପ୍ରଚାରିତେ

 

କୂଳି ସୁମଦ୍ରେ ଭେଳାୟାଃ ଚଳିତ ଘେନ ।।

(ପଦ)

ଗର୍ଭେ ଧରି ଦଶମାସ କୋଳେ ଧରି ନାହିଁ ଆସ

 

ଅକୂଳେ ସମୁଦ୍ରେ ଭେଳା ବୁଡ଼ାଇଲୁ ମୋରରେ

 

ଆରେ ବଂଶୀଧର... ।

(ଶ୍ଳୋକ)

ହୀନ କପାଳ ଲିଖନ ସମଂନା ସ୍ତୈବ ତ୍ରିପୁରେ

 

କାରେ ବା କଥିତଂ ଦୁଃଖ କେବେ ଶ୍ରୁଣୁତଂ ଶ୍ରବଣେ ।।

(ପଦ)

କି ହୀନ କପାଳ ମୋର ଏ ତିନିପୁରୁ ବାହାର

 

କାରେବା କହିବି ଦୁଃଖ କେ ଶୁଣିବ ମୋରରେ

 

ଆରେ ବଂଶୀଧର... ।

(ଶ୍ଳୋକ)

କିମର୍ଥେ ଗମନ ଗୋପ କାହା ଶ୍ରୀମୁଖଂ ଦର୍ଶନେ

 

କିମର୍ଥେ ଜୀବନଂ ରକ୍ଷୋ ଇତି ଚରଣଂ ନିଶ୍ଚୟଂ ।।

(ପଦ)

ଆଉ କି ଗୋପକୁ ଯିବି କାହା ଶ୍ରୀମୁଖ ଦେଖିବି

 

ଏ ଜୀବନ ଯିବା କଥା ହେଲା ମୋ ଆଗରେ

 

ଦୁଃଖିଶ୍ୟାମ ଦାସ ବୋଲେ ନିଶ୍ଚେ ଖାଇବି ଜହରରେ

 

ଆରେ ବଂଶୀଧର... ।

 

କୃଷ୍ଣଲୀଳା କାବ୍ୟବୃତ୍ତିକୁ ଅନୁସରଣ କରିଥିବା ଯୋଗୁଁ ଏଥିରେ ଅନେକ ଅଳଙ୍କାର ସଂଯୋଜିତ ହୋଇଅଛି । ସାଧାରରତଃ ଏହି ଲୀଳାରେ ଅନୁପ୍ରାସ ଅଳଙ୍କାର ପ୍ରୟୋଗ କରି ଅତ୍ୟଧିକ ଅନୁରାଗ ପ୍ରକାଶ କରିଥାନ୍ତି । ଫଳରେ ଏହା ଦର୍ଶକମାନଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ଏହାଛଡ଼ା ଅଳଙ୍କାରର ଯଥାର୍ଥ ପ୍ରୟୋଗ ଯୋଗୁଁ କୃଷ୍ଣଲୀଳାର ଗୀତଗୁଡ଼ିକ ପାଠକ ତଥା ଶ୍ରୋତାମାନଙ୍କ ମନକୁ ଛୁଇଁ ପାରିଛି । ଏଣୁ ଏହା ଲୋକ ନାଟକ ପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଅଦ୍ୟାବିଧି କୃଷ୍ଣଲୀଳା ବିଷୟରେ ଆଖିଦୃଷ୍ଟିଆ ଗବେଷଣା ହୋଇଥିବା ଦୃଷ୍ଟିଗୋଚର ହୁଏ ନାହିଁ । ତଥାପି କୃଷ୍ଣଲୀଳା ତା’ର ଐଶରିକ ଶକ୍ତି ନେଇ ଜନମାନସରେ ଆଲୋଡ଼ନ ସୃଷ୍ଟି କରିପାରିଛି ।

 

 

ସମ୍ପାଦକ, ରଙ୍ଗମଞ୍ଚ

ବାଲିପଦର – ୭୬୧୧୧୭, ଗଞ୍ଜାମ

 

***

 

ଝୁମର : ଏକ ଉତ୍କୃଷ୍ଟ ଲୋକକଳା

ଶିଶିର ବେହେରା

 

ଏକ ପୁରାତନୀ ଲୋକସଙ୍ଗୀତ ତଥା ବର୍ତ୍ତମାନର ଜାତୀୟ ସାଂସ୍କୃତିକ ଜୀବନରେ ବିଶିଷ୍ଟ ଲୋକଗୀତ ହେଉଛି ‘ଝୁମର’ । ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଆସାମ ଆଦି ପ୍ରଦେଶମାନଙ୍କରେ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଏହି ଲୋକ ସଙ୍ଗୀତର ଆବେଦନ ଓ ଆକର୍ଷଣ ଅଧୁନା ପ୍ରମୁଖ ଚର୍ଚ୍ଚାର କାରଣ ସାଜିଛି । ଏହି ଆଲୋଚନା ସାପେକ୍ଷ ‘ଝୁମର’ ସମ୍ବନ୍ଧରେ ଚୁମ୍ବକୀୟ ଆଲୋକପାତ କରିବା ଉକ୍ତ ଆଲୋଚନାର ପ୍ରମୁଖ ହେତୁ । ଝୁମରରେ ପରିଦୃଷ୍ଟ କେତେଗୋଟି ଦିଗ ଉପରେ ପାଠକବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ କରାଯାଇଛି ଏଥିରେ ।

 

ଓଡ଼ିଶାର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ପାର୍ବତ୍ୟ ଅଞ୍ଚଳ ଏବଂ ପଡ଼ୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ ପ୍ରଭୃତି ଉପାନ୍ତ ଅଞ୍ଚଳସ୍ଥ ମାନଭୂମ, ବୀରଭୂମ, ସିଂହଭୂମ, ବାଙ୍କୁଡ଼ା, ପୁରୁଲିଆ, ଶିଖରଭୂମ, ରାଞ୍ଚି, ଛୋଟନାଗପୁର ଆଦି ସ୍ଥାନମାନଙ୍କରେ ଝୁମର ସଙ୍ଗୀତର ଅସପତ୍ନ ପ୍ରଭାବ ଦେଖିବାକୁ ମିଳେ । ସ୍ଥାନ ଭେଦରେ ଏହାର ରୂପ, ଲୟ, ପ୍ରକାଶଭଙ୍ଗୀରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ସତ; ମାତ୍ର ଏହା ଏତେ ମାତ୍ରାରେ ଭିନ୍ନ ନୁହେଁ, ଯାହା ଅନ୍ୟ ଝୁମର ସହିତ ଥିବା ସମ୍ପର୍କକୁ ଅସ୍ୱୀକାର କରିବ । ତଥାପି ପ୍ରତ୍ୟେକ ପ୍ରଦେଶରେ ସେଗୁଡ଼ିକର ସ୍ୱାତନ୍ତ୍ର୍ୟ ଅଲଗା । ତେଣୁ କୁହା ଯାଇପାରେ – ଆସାମରେ ‘ବିହୁ’, ଉତ୍ତରପ୍ରଦେଶର ‘ଚୈତ୍ରୀ’ ଓ ‘କାଜ୍‌ରୀ’, ଜମ୍ମୁ-କାଶ୍ମୀରର ‘ଭୋଗ୍‌ରୀ’ ଭଳି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରର ଲୋକଗୀତ ଭାବରେ ଝୁମର ବେଶ୍ ପ୍ରସଦ୍ଧି ଅର୍ଜନ କରିଛି ।

 

ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ସୁନ୍ଦରଗଡ଼ ପ୍ରଭୃତି ଅଞ୍ଚଳର ପ୍ରମୁଖ ଲୋକସଙ୍ଗୀତ ଭାବରେ ଝୁମର ବେଶ୍ ପରିଚିତ । ବିଶେଷତଃ ନିଜକୁ ‘ହଡ଼୍ ମିତାନ୍’ (୧) ସଂସ୍କୃତିର ଉତ୍ତରସାଧକ ବୋଲି ଉଦ୍‌ଘୋଷଣା କରୁଥିବା କୁଡ଼ୁମି ମହାନ୍ତମାନେ ନିଜକୁ ଆଦିବାସୀ ବୋଲି ଦାବି କରିବା ସହିତ ସାନ୍ତାଳମାନଙ୍କୁ ସାନଭାଇ ଭାବରେ ଜ୍ଞାନ କରିଥାନ୍ତି । ଆଲୋଚକଙ୍କ ଭାଷାରେ- ‘‘ଏମାନେ ଗୋଟିଏ ବାପା ଓ ଦୁଇଟି ମାର ସନ୍ତାନ । ବଡ଼ ମାଆର ପିଲାମାନେ ହେଲେ କୁଡ଼ୁମି ଓ ଛୋଟମାଆର ସନ୍ତାନମାନ ହେଲେ ସାନ୍ତାଳ । ତେଣୁ ସାନ୍ତାଳମାନେ କୁଡ଼ୁମିମାନଙ୍କ ବଡ଼ଭାଇ ବୋଲି ସମ୍ବୋଧନ କରିଥାନ୍ତି । କେବେ ବି ନାମ ଧରି ଡକାଡକି ହୁଅନ୍ତି ନାହିଁ ।’’ (୨) କେହି କେହି ଏହି କୁଡ଼ୁମିମାନଙ୍କୁ ଖଣ୍ଡାୟତ ସମ୍ପ୍ରଦାୟଭୁକ୍ତ କରିଥାନ୍ତି । ଏ ପ୍ରସଙ୍ଗ ଆଲୋଚନା ସାପେକ୍ଷ । ସେ ଯାହା ହେଉନା କାହିଁକି ଆଜି ଝୁମର କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ନ ହୋଇ ସର୍ବଭାରତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିପାରିଛି । ଉତ୍ତର ଓଡ଼ିଶାରେ କୁଡ଼ିମିମାନଙ୍କଦ୍ୱାରା ଏହି ଝୁମରର ବ୍ୟାପକ ପ୍ରଚାର-ପ୍ରସାରକୁ ଆଦୌ ଉପେକ୍ଷା କରାଯାଇ ନ ପାରେ । ଘଞ୍ଚ ଅରଣ୍ୟାନି ପରିବେଷ୍ଟିତ ପ୍ରାକୃତିକ ପରିବେଶର ମନୋଜ୍ଞ ଭୂମିରେ ଝୁମର ସଙ୍ଗୀତମାନ ଓ ନୃତ୍ୟକୁ ଯେ କେହି ନ ଦେଖିଲେ ତା’ର ମାଦକତାକୁ ଅନୁଭବ କରିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ କେତେଗୋଟି ପର୍ଯ୍ୟାୟରେ ଝୁମରର ବିଭିନ୍ନ ପ୍ରସଙ୍ଗକୁ ନିମ୍ନରେ ଆଲୋଚନା କରାଯାଇପାରେ ।

 

‘ଝୁମର’ର ଅର୍ଥ

‘ଝୁମର’ କହିଲେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଲୋକ ସଙ୍ଗୀତକୁ ହିଁ ବୁଝାଏ । ସାଧାରଣ ଭାବରେ ଦେଖିଲେ ଏହା ଏକ ଧ୍ୱନ୍ୟାତ୍ମକ ଶବ୍ଦ । ଝମ୍‌ଝମ୍‌ ଶବ୍ଦରୁ ଏହାର ସୃଷ୍ଟି । ପାଦରେ ଘୁଙ୍ଗୁରି ବାନ୍ଧି ସମୂହ ନୃତ୍ୟ କଲାବେଳେ ଝମ୍‌ଝମ୍‌ ଶବ୍ଦ ହୋଇଥାଏ । ସମ୍ଭବତଃ ଏହି ଧ୍ୱନିରୁ ଝୁମର ଶବ୍ଦ ଗୃହୀତ ହୋଇଥାଇପାରେ । ଆଲୋଚକ ଲଳିତ କୁମାର ମହାନ୍ତ ଏହି ପ୍ରସଙ୍ଗକୁ ମଧ୍ୟ ଗ୍ରହଣ କରିଛନ୍ତି ୧ ସେ କହନ୍ତି – ‘ଝୁମୁରା’ ନାଚରୁ ଏ ଶବ୍ଦର ସୃଷ୍ଟି । ଝୁମୁରା ନାଚର ମୁଖ୍ୟ ବିଷୟ ହେଲା ‘ଝମ୍‌ଝମ୍’ ତାଳ । ଏହି ତାଳ ବର୍ଷା ବର୍ଷିବା ପରି ଝମ୍‌ଝମ୍ ହୋଇ ବାଜିଥାଏ । ଘୁଙ୍ଗୁର ତିଆରି ହେବାରୁ ବହୁ ପୂର୍ବରୁ ନୃତ୍ୟ ସମୟରେ ନୃତ୍ୟକାରୀମାନେ ଏକପ୍ରକାର ଖୋଳପାରକୁ ପାଦ, ବାହୁ ଓ ଅଣ୍ଟାରେ ବାନ୍ଧି ନାଚୁଥିଲେ । ନାଚ ଓ ଗୀତର ତାଳେ ତାଳେ ସେଥିରୁ ‘ଝମ୍‌ଝମ୍’ ଶବ୍ଦ ବାହାରୁଥିଲା । କାଳକ୍ରମେ ଗେଣ୍ଡାର ମାଂସତକ ବାହାର କରି ତାକୁ କଣାକରି ଶୁଖାଇ ସେଗୁଡ଼ିକୁ ଘୁଙ୍ଗୁର ପରି ପାଦରେ ବାନ୍ଧୁଥିଲେ । xxx ତା’ସାଙ୍ଗକୁ ଲାଉତୁମ୍ବାରେ ‘ରୁଞ୍ଜ’ ଫଳକୁ ଭର୍ତ୍ତିକରି ଗୀତର ତାଳେ ତାଳେ ତୁମ୍ବାକୁ ହଲାଇବାରୁ ‘ଝମର’ ଶବ୍ଦ ବାହାରିବାକୁ ଲାଗିଲା । ତେଣୁ ଏହି ନୃତ୍ୟରେ ବ୍ୟବହୃତ ହେଉଥିବା ଗୀତକୁ ‘ଝୁମର’ ଗୀତ ବୋଲି ଆଖ୍ୟାୟିତ କରାଗଲା । (୩)

 

ଓଡ଼ିଆ, ବଙ୍ଗଳା, ହିନ୍ଦୀ ଆଦି ଅଭିଧାନମାନଙ୍କରେ ‘ଝୁମର’ ମାତ୍ରା ବା ଛନ୍ଦ ଭାବରେ ଗୃହୀତ । କେତେକାଂଶରେ ତାହା ବୃତ୍ତ ବା ରାଗିଣୀ ଭାବରେ ମଧ୍ୟ ପରିଚିତ । ଝୁମର ଗବେଷକ ଡଃ ଆଦିକନ୍ଦ ମହାନ୍ତ ‘ଝୁମର’ ସମ୍ପର୍କରେ ମତଦେଇ କହନ୍ତି- ‘‘ଝୁମର ଶବ୍ଦର ଶାବ୍ଦିକ ଶାସ୍ତ୍ରୀୟ ବ୍ୟାଖ୍ୟାକୁ ଲକ୍ଷ୍ୟ କଲେ ଜଣାଯାଏ – ଝରୟତି/ଝୁରାୟତେ ଇତି ଝୁମର । ସୁଖଦୁଃଖରେ ସମଦର୍ଶୀ ସ୍ଥିତପ୍ରଜ୍ଞ ରହି ବିଭୁଉକ୍ତିରେ ତଦ୍‌ଗତ ପ୍ରାଣୀ ହୋଇ ଝୁରି ଝୁରି ମର ଶରୀରକୁ ଅମରତ୍ୱ ଆଡ଼କୁ ନେବାର ସ୍ୱର ଝଙ୍କାର ହିଁ ଝୁମର ।’’ (୪)

 

ତେଣୁ ଏ ସମସ୍ତ ଆଲୋଚନାମାନଙ୍କରୁ ଏତିକି ସ୍ପଷ୍ଟ ହୁଏ ଯେ- କର୍ମକ୍ଳାନ୍ତ ମନହେଉ ଅଥବା ଆନନ୍ଦବିଧାନ ନିମନ୍ତେ ବିବିଧ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମି ଝୁମି ନୃତ୍ୟ କରି ଗାନ କରୁଥିବା ଗୀତ ହିଁ ଝୁମର ଭାବରେ ପରିଚିତ । କେବଳ କୁଡ଼ୁମି ସମ୍ପ୍ରଦାୟ କାହିଁକି ଏହା ଏକ ଜାତି ଓ ଦେଶର ସାଂସ୍କୃତିକ ପରମ୍ପରା ଓ ଅମୂଲ୍ୟ ସମ୍ପଦ ଭାବରେ ପରିଚୟ ଲାଭ କରିଛି ।

 

ଝୁମରର ବିଭାଗୀକରଣ:

ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚକମାନେ ‘ଝୁମର’କୁ ୩ ଭାଗେ ବିଭକ୍ତ କରିଅଛନ୍ତି । ଯଥା- (୧) ଦରବାରୀ ଝୁମର (୨) ଭାଦୁରିଆ ଝୁମର (୩) ରଙ୍ଗୀନ ଝୁମର ।

 

୧- ଦରବାରୀ ଝୁମର : ଯେଉଁ ଝୁମରଗୁଡ଼ିକ ରାଜ ଦରବାରରେ ସୃଷ୍ଟି ହୋଇଛି, ତାହା ଦରବାରୀ ଝୁମର ନାମରେ ଅଭିହିତ । ଅଷ୍ଟାଦଶ ଶତାବ୍ଦୀରେ ରାଜା-ଜମିଦାରମାନେ ନିଜର ମନୋରଞ୍ଜନ ନିମନ୍ତେ ଦରବାରରେ ବିଭିନ୍ନ ନର୍ତ୍ତକୀ ଓ ନାଚୁଣୀମାନଙ୍କଦ୍ୱାରା ଏହି ଝୁମରକୁ ପରିବେଷଣ କରାଉଥିଲେ । ଶାସ୍ତ୍ରୋଚିତ ରାଗରାଗିଣୀ, ଅଳଙ୍କାର, ରସ ଆଦିର ମଧୁର ସମନ୍ୱୟ ଏହି ଗୀତମାନଙ୍କରେ ଦେଖା ଯାଇଥାଏ । ଏହି ଝୁମର ପରିବେଷଣ କରିବାର ନିର୍ଦ୍ଦିଷ୍ଟ ସମୟ ରହିଛି । ଫାଲ୍‌ଗୁନ ମାସରୁ ଆଷାଢ଼ ମାସ ପର୍ଯ୍ୟନ୍ତ ଦରବାରୀ ଝୁମରର ଗାୟନ କାଳ ।

 

୨-ଭାଦୁରିଆ ଝୁମର : ଏହି ଝୁମର ବିଶେଷତଃ କରମାଗୀତ ଉପରେ ପର୍ଯ୍ୟବେସିତ । ଅଷ୍ଟାଦଶ ଶତାବ୍ଦୀବେଳକୁ ବୈଷ୍ଣବବାଦର ପ୍ରଭାବ ଫଳରେ ଏ ଭାଦୁରିଆ ଝୁମର ନାମରେ ପରିଚିତ ହେଲା । କରମାଗୀତର ଏହା ରୂପାନ୍ତର । ଏହି ଝୁମର ଓଡ଼ିଆ, କୁର୍ମାଳି, ବଙ୍ଗଳା, ନାଗପୁରିଆ, ମୁଣ୍ଡାରୀ, ହୋ, ଖୋର୍‌ଠା, ପାଜ୍ଞପରଗନିଆ ଆଦି ଭାଷାରେ ପରିଦୁଷ୍ଟ । ବର୍ଷାଋତୁ ଆରମ୍ଭରୁ ରାସପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଭାଦୁରିଆ ଝୁମର ପରିବେଷଣର ସମୟ ।

 

୩-ରଙ୍ଗୀନ ଝୁମର : ପୂର୍ବୋକ୍ତ ଝୁମର ଭଳି ଏଥିରେ କୌଣସି ନିର୍ଦ୍ଦିଷ୍ଟ ଶୃଙ୍ଖଳା ପରିଦୃଷ୍ଟ ହୁଏ ନାହିଁ । ଏହି ଝୁମର ସ୍ୱାଧୀନ ଭାବରେ ଗାନ କରାଯାଇଥାଏ । ବିଭିନ୍ନ ବିଷୟ ଓ ରାଗରାଗିଣୀ ମାଧ୍ୟମରେ ଲୋକ ଜୀବନର ଚଳଣି, ସାମାଜିକ ବିଧିବ୍ୟବସ୍ଥା ଆଦିର ରୂପଛବି ଏଥିରେ ପ୍ରକାଶ ପାଇଥାଏ । ତେଣୁ ଏହାର ସାହିତ୍ୟ ବା ରଚନାଗୁଡ଼ିକ ଲୋକଗୀତର ପର୍ଯ୍ୟାୟଭୁକ୍ତ । ରଙ୍ଗୀନ ଝୁମର ପରିବେଷଣ କରିବାରେ କୌଣସି ଋତୁ ବା ମାସର ଆବଶ୍ୟକତା ପଡ଼େ ନାହିଁ । ଏହା ବର୍ଷର ଯେକୌଣସି ସମୟରେ ଗାନ କରାଯାଇପାରେ ।

 

ମାର୍ଗଶିର ଓ ପୌଷମାସରେ ଫସଲ କ୍ଷେତ୍ରରେ ବ୍ୟସ୍ତ ରହିବା କାରଣରୁ ଏହି ସମୟରେ କୌଣସି ଝୁମର ଉପଭୋଗ୍ୟ ହୋଇପାରେ ନାହିଁ । ତେରୁ ଏହି ସମୟକୁ ଝୁମରର ବିରତି ସମୟ ଭାବରେ ଗ୍ରହଣ କରାଯାଇଥାଏ ।

 

ସେହିଭଳି ନୃତ୍ୟଭିତ୍ତିରେ ମଧ୍ୟ ଝୁମରର ବହୁ ବିଭାଗ ଦେଖିବାକୁ ମିଳିଥାଏ । ପାରମ୍ପରିକ ଏହି ଲୋକସଙ୍ଗୀତ ଗାୟନ ମଧ୍ୟରେ ବହୁ ନୃତ୍ୟର ମଧ୍ୟ ଭିଆଣ କରାଯାଇଛି । ତେଣୁ ଝୁମର କେବଳ ଲୋକଗୀତ ମଧ୍ୟରେ ସୀମିତ ରହିନାହିଁ; ନୃତ୍ୟରେ ମଧ୍ୟ ଅନୁରୂପ ପ୍ରଭାବ ବିସ୍ତାର କରି ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ଏଠାରେ ପ୍ରକାଶଯୋଗ୍ୟ ଆଲୋଚ୍ୟ ଝୁମରଗୁଡ଼ିକ କୁର୍ମାଳି ଝୁମରର ପର୍ଯ୍ୟାୟଭୁକ୍ତ । ଯଦିଓ ଏହାର ବ୍ୟାପକ ସୀମା ରହିଛି, ତଥାପି ଆଲୋଚନାର ସରଳୀକରଣ ନିମନ୍ତେ, ଓଡ଼ିଆ, ମୈଥିଳୀ ଆଦି ଭାଷାରେ ପରିଦୃଷ୍ଟ କୁର୍ମାଳି ଝୁମର ଗୀତଗୁଡ଼ିକୁ ପ୍ରସଙ୍ଗକ୍ରମେ ଗ୍ରହଣ କରାଯାଇଛି । ଝୁମର ନୃତ୍ୟଗୁଡ଼ିକ ସାଧାରଣତଃ ଏକକ ବା ପଙ୍‌କ୍ତି ମାଧ୍ୟମରେ ପରିବେଷଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଝୁମର ନୃତ୍ୟର ବହୁ ବିଭାଗ ସୃଷ୍ଟି ହୋଇଛି । ଯଥା-

 

(୧)

ପାନ୍ତାଶାଲିଆ ଝୁମର

(୨)

ନାଚୁଣୀ ଶାଲିଆ ଝୁମର

(୩).

କାଠିନାଚିଆ ଝୁମର

(୪)

ଜାଅଆ ନାଚିଆ ଝୁମର

(୫)

ବିବାହକାଳୀନ ଝୁମର.

(୬)

ଔପାସନିକ ଝୁମର

(୭)

ସଖୀନାଚିଆ ଝୁମର

(୮)

ମହଡ଼ା ନାଚିଆ ଝୁମର

(୯)

ବୈଠକୀ ଝୁମର

(୧୦)

ଛଉ ନାଚିଆ ଝୁମର

 

୧-

ପାନ୍ତାଶାଳିଆ ଝୁମର: ପଙ୍‌କ୍ତି ଶବ୍ଦରୁ ‘ପାନ୍ତା’ ଶବ୍ଦର ସୃଷ୍ଟି । ଏହା ସହିତ ଜଡ଼ିତ ସଙ୍ଗୀତକୁ ପାନ୍ତାଶାଲିଆ ଝୁମର କୁହାଯାଏ । ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ଦିନ ‘କରମ ଦେବତା’ଙ୍କୁ ପୂଜା କରିବା ଅବସରରେ ସମବେତ ହୋଇ ଏହି ଝୁମର ପରିବେଷଣ କରାଯାଇଥାଏ ।

୨-

ନାଚୁଣୀ ଶାଲିଆ ଝୁମର : ଏହା ଏକ ଝୁମର ଭାବେ ପରିଚିତ । ଜଣେ ନାରୀ ନର୍ତ୍ତକୀ ବା ନାଚୁଣୀଦ୍ୱାରା ଏହା ପରିବେଷଣ କରାଯାଇଥାଏ । ନାରୀ ଶିଳ୍ପୀର ଆବର୍ତ୍ତମାନରେ ପୁରୁଷ ଶିଳ୍ପୀ ଜଣକ ନାରୀବେଶ ହୋଇ ମଧ୍ୟ ଏହାକୁ ପରିବେଷଣ କରିଥାଏ । ବିବାହ, ଅନ୍ନପ୍ରାସନ, ସାମାଜିକ କ୍ରିୟାନୁଷ୍ଠାନ ଏବଂ ମନୋରଞ୍ଜନ ନିମନ୍ତେ ଏହି ନୃତ୍ୟ କରାଯାଇଥାଏ । ପଶ୍ଚିମ ଓଡିଶାର ‘ରସରକେଲୀ’ ଏବଂ ରାଜସ୍ଥାନର ‘ଢପ୍‌’ ସହିତ ଏହାର ସାମ୍ୟ ପରିଲକ୍ଷିତ ହୋଇଥାଏ ।

୩-

କାଠି ନାଚିଆ ଝୁମର: କାଠି ବା ଲାଠି ସାହାଯ୍ୟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମର ସଙ୍ଗୀତ ଗାନ କରି ଏହି ନୃତ୍ୟ ପ୍ରଦର୍ଶନ କରାଯାଇଥାଏ । ଓଗାଳ, କୈସାବାଡ଼ି ନୃତ୍ୟ ସହିତ ଏହି ଝୁମର ନୃତ୍ୟର ସାମ୍ୟ ଦେଖାଯାଏ ।

୪-

ଜାଅଆ ନାଚିଆ ଝୁମର : ଜାଆଆ ଏକ ବ୍ରତ । କୁଡ଼ୁମି ସମ୍ପ୍ରଦାୟର କୁମାରୀ କନ୍ୟାମାନେ ‘କରମ ଠାକୁର’ଙ୍କ ନିକଟରେ ଏହି ବ୍ରତ ରଖିଥାନ୍ତି । ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ‘କରମଠାକୁର’ଙ୍କୁ ପୂଜା କରିବା ଅବସରରେ କିଶୋରୀମାନେ ସମବେତ ହୋଇ ବାଦ୍ୟଯନ୍ତ୍ରର ତାଳେ ତାଳେ ଏହି ଝୁମର ଗୀତ ଓ ନୃତ୍ୟକୁ ପରିବେଷଣ କରିଥାନ୍ତି ।

୫-

ବିବାହକାଳୀନ ଝୁମର : ବିବାହ ଭଳି ସାମାଜିକ ଅନୁଷ୍ଠାନମାନଙ୍କରେ ଏହି ନୃତ୍ୟ ପରିବେଷଣ କରା ଯାଇଥାଏ । ଉଭୟ କନ୍ୟା ଓ ବରପକ୍ଷ ମଧ୍ୟରେ ବହୁ ଥଟ୍ଟା ପରିହାସ, ଆକ୍ଷେପ ଉକ୍ତି ମଧ୍ୟରେ ଏହି ଝୁମର ଗାନ କରାଯାଇଥାଏ ।

୬-

ଔପାସନିକ ଝୁମର : ନିଜର ଆାରାଧ୍ୟ ଦେବାଦେବୀଙ୍କ ଉପାସନା ନିମନ୍ତେ ପରିବେଷଣ କରାଯାଉଥିବା ଝୁମର, ଔପାସନିକ ଝୁମର ନାମରେ ପରିଚିତ ।

୭-

ସଖୀ ନାଚିଆ ଝୁମର : ଅଷ୍ଟାଦଶ ଶତାବ୍ଦୀରେ ବୈଷ୍ଣବ ଧର୍ମର ପ୍ରଭାବ ଫଳରେ ଝୁମରରେ ରାଧାକୃଷ୍ଣ ଏବଂ ସେମାନଙ୍କ ସଖା-ସଖୀମାନଙ୍କର ଆବିର୍ଭାବ ଘଟିଲା । ପରେ ସେହି ସଖୀମାନଙ୍କୁ ଉପଜୀବ୍ୟ କରି ଏକ ନୂତନ ନୃତ୍ୟଶୈଳୀର ସୃଷ୍ଟି ହେଲା । ଯାହା ସଖୀନାଚିଆ ଝୁମର ନାମରେ ପରିଚିତ ।

୮-

ମହଡ଼ା ନାଚିଆ ଝୁମର : ‘ମହଡ଼ା’ ଅର୍ଥ ହେଉଛି ମୁଖା । ଏହି ନୃତ୍ୟରେ ବିଭିନ୍ନ ଦେବାଦେବୀ, ଅସୁର, ପଶୁପକ୍ଷୀମାନଙ୍କ ମୁଖା ବ୍ୟବହାର କରାଯାଇଥାଏ । ବୀର ରସ ପ୍ରକାଶ କରିବାରେ ଏହି ନୃତ୍ୟର ଯଥେଷ୍ଟ ପ୍ରଭାବ ରହିଛି । ରାବଣ ବଧ, ମହିଷାସୁରର ବଧ ଆଦି ଅଭିନୟ ଏହି ନୃତ୍ୟର ମୁଖ୍ୟ ଆକର୍ଷଣ ।

୯-

ବୈଠକୀ ଝୁମର : ଗ୍ରାମ ବୈଠକରେ ବସି ବିଭିନ୍ନ ସମ୍ବନ୍ଧରେ ତର୍ଜମା କରିବା ଅବସରରେ ଯେଉଁ ଝୁମର ନୃତ୍ୟ ପ୍ରଦର୍ଶିତ ହୋଇଥାଏ, ତାହା ବୈଠକୀ ଝୁମର ଭାବେ ପରିଚିତ । ଆଲୋଚନା-ପ୍ରତ୍ୟାଲୋଚନା ମାଧ୍ୟମରେ ବିବିଧ ଦର୍ଶନ, ଚିନ୍ତା, ସାହିତ୍ୟିକ ଆଭିମୁଖ୍ୟ, ଭକ୍ତିବାଦ ଆଦିକୁ ସ୍ଥାନିତ କରାଯାଇଥାଏ ଏଥିରେ ।

୧୦-

ଛଉନାଚିଆ ଝୁମର : ଛଉ ନୃତ୍ୟ ମାଧ୍ୟମରେ ଯେଉଁ ଝୁମର ପରିବେଷଣ ହୋଇଥାଏ, ତାହା ଛଉନାଚିଆ ଝୁମର ଭାବରେ ଖ୍ୟାତ । ପ୍ରକାଶଯୋଗ୍ୟ ‘ଛଉନୃତ୍ୟ’ ଆଜି ସମଗ୍ର ବିଶ୍ୱରେ ତା’ର ଅପୂର୍ବ କଳାକୁ ପ୍ରସାରିତ କରିପାରିଛି । ବିଶେଷତଃ ଛଉନୃତ୍ୟ ଉତ୍ତର ଓଡ଼ିଶା (ମୟୁରଭଞ୍ଜ)ର ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ତେଣୁ ଆଲୋଚକମାନେ ‘ଛଉ’କୁ ମୟୁରଭଞ୍ଜରର ସୁଯୋଗ୍ୟ ସନ୍ତାନ ଭାବରେ ଏବଂ ‘ଝୁମର’କୁ ଅଲିଅଳୀ କନ୍ୟାଭାବରେ ଗ୍ରହଣ କରିଥାନ୍ତି । ଆଜି ଝୁମର ଓ ଛଉ ସମୀଭୂତା ହୋଇ ଓଡ଼ିଶାର ଏକ ମୌଳିକ ତଥା ପାରମ୍ପରିକ ଲୋକନୃତ୍ୟ ଭାବରେ ପ୍ରତିଷ୍ଠିତ ହୋଇପାରିଛି । ଏଣୁ ଏ ସମ୍ପର୍କରେ କୁହାଯାଏ – ‘‘ନୃତ୍ୟ ଜଗତରେ ‘ଛଉନାଚ’ ଯେପରି ଏକ ବିଶିଷ୍ଟ ସମ୍ପଦ, ସଙ୍ଗୀତ ରାଜ୍ୟରେ ‘ଝୁମର’ ମଧ୍ୟ ଏକ ବିଶ୍ୱସ୍ତ ସମ୍ପଦ । x x ଛଉ ଓ ଝୁମର ଅଙ୍ଗାଙ୍ଗୀଭାବେ ଜଡ଼ିତ । ଛଉନାଚର ତାଣ୍ଡବ ଓ ଝୁମର ନୃତ୍ୟ ଲାସ୍ୟ ଉଭୟେ ପରିପୂରକ । ଛଉନୃତ୍ୟ ପୁରୁଷ ପ୍ରକୃତିରେ ଅଭିନୀତ ଓ ଝୁମର ନୃତ୍ୟ ନାରୀ ପ୍ରକୃତିରେ ଅଭିନୀତ । ଜଗତରେ ସୁନ୍ଦର ବସ୍ତୁମାନଙ୍କ ମଧ୍ୟରେ ଗୋଟିଏ ହେଲା ରମଣୀ ଓ ଅନ୍ୟଟି ରାଗିଣୀ । ଏହି ଦୁଇଟି ସୁନ୍ଦରର ସମାହାର ହେଲା ‘‘ଝୁମର’’ ଉତ୍ତର ଓଡ଼ିଶାର ଏକ ସାଂସ୍କୃତିକ ପରମ୍ପରା ।’’ (୬)

 

ଝୁମରର ଯୁଗବିଭାଜନ :

ସାହିତ୍ୟରେ ଯୁଗବିଭାଜନ ପରି ଝୁମରରେ ମଧ୍ୟ ଯୁଗବିଭାଜନର ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ଆଲୋଚକମାନେ ଝୁମରର ଯୁଗବିଭାଜନ କରିଛନ୍ତି ।

 

ଯଥା-

(୧) ଆଦିଯୁଗ (ପ୍ରାଚୀନରୁ ୧୭୫୦)

(୨) ମଧ୍ୟଯୁଗ (୧୭୫୦ – ୧୮୫୦)

(୩) ରୀତିଯୁଗ (୧୮୫୦-୧୯୫୦)

(୪) ରଙ୍ଗୀନଯୁଗ (୧୯୫୦ ରୁ ଅଦ୍ୟାବଧି)

 

ଆଦିଯୁଗ (ପ୍ରାଚୀନରୁ ୧୭୫୦) : ଆଦିଯୁଗରେ ଝୁମରର ରୂପ ଲୋକଗୀତ ଧାରାରେ ଆବଦ୍ଧ ଥିଲା । କରମା ଗୀତ ସମ୍ବଳିତ ଝୁମର ଏହି ଯୁଗୀୟ ରଚନା । ପରେ ସପ୍ତଦଶ ଶତାବ୍ଦୀର ଶେଷଆଡ଼କୁ ବୈଷ୍ଣବ ଧର୍ମଦ୍ୱାରା ଏହା ପ୍ରଭାବିତ ହୋଇଅଛି । ଏହି କାଳର ଝୁମରର ରୂପ ନିମ୍ନମତେ ଲକ୍ଷଣୀୟ-

 

      କୁଳୁଥିରେ ବାଁକା କୁଳିଥି

      ଭୁଜେ ଲାଗଇ ଛଟକି ନନ୍ଦନ

      ଭୁଜଇତେ ଭୁଜଇତେ ନଣନ୍ଦ ପୋଡ଼ି ହେଲ

      ଲାଜେ ହୁଁ ନା ଗେଲାଇଁ ଶଶୁରାଲ

      ନି ଯାତିରେ ନନ୍ଦାସୁ ଭାଇ

      ନନ୍ଦ ମୋର ଫୁଲକେରୀ ହାର ।। (ଯାଓ୍ୱାଗୀତ)

 

ଏକ ସାଧାରଣ ଘଟଣାକୁ ନେଇ ଏହା ରଚିତ । ଏହି ଗୀତରେ କବି କହୁଛନ୍ତି- ସାଧାରଣତଃ କୋଳଥଫଳ ଦେଖିବାକୁ ବଙ୍କା । ସେହି ବଙ୍କା କୋଳଥକୁ ଭାଜୁ ଭାଜୁ ଛଟକି ନଣନ୍ଦ ପୋଡ଼ି ହେଲା । ଫଳତଃ ଲାଜରେ ଆଉ ଶ୍ୱଶୁର ଘରକୁ ଗଲା ନାହିଁ । ତା’ସ୍ୱାମୀ ନେବାକୁ ଆସିବା ବେଳେ ଭାଉଜ କହୁଛି – ‘‘ହେ ନନ୍ଦସୁ ଭାଇ’ (ନଣନ୍ଦର ସ୍ୱାମୀ) ମୋର ନଣନ୍ଦ ଫୁଲଠାରୁ ଆହୁରି କୋମଳ । ସେ ପୋଡ଼ି ହୋଇଛି । ଏଣୁ ଯିବ ନାହିଁ ।’’ ଆଉ ଏକ ଉଦାହରଣ ମାଧ୍ୟମରେ – ଜଣେ ବିଳାସିନୀ ରମଣୀର କେଶ ପ୍ରସାଧନକୁ ଏଠାରେ ଲକ୍ଷ୍ୟ କରାଯାଇପାରେ –

 

‘‘ହାତୀ ଦାଁତକେ କାଁକୟା ସୁରଙ୍ଗିକା ତେଲ, ମଚିଆଇଁ ବସିଏ ବିରୁନ୍ ଝାଡ଼େ

ଲାଗନ ବେଶେ, ବିରୁନ୍ କତିରଙ୍ଗ ।’’

(କରମା ଗୀତ)

 

ଅର୍ଥାତ୍ ‘‘ବିରୁନ୍ (ସ୍ତ୍ରୀର ନାମ) ଏକ ମାଁଚିଆ ଉପରେ ବସି ମୁଣ୍ଡରେ ସୁରଙ୍ଗି ତେଲ ଲଗାଉଛି ଏବଂ ହାତୀଦାନ୍ତ ପାନିଆରେ ନାନାଭଙ୍ଗୀରେ କେଶ ସଜାଉଛି ।’’

 

ମଧ୍ୟଯୁଗ (୧୭୫୦-୧୮୫୦) : ଏହି ସମୟରେ ବୈଷ୍ଣବବାଦ ଓ କବୀରବାଦର ପ୍ରଭାବ ପଡ଼ିଛି ଝୁମର ଉପରେ । ରାଧାକୃଷ୍ଣଙ୍କ ପ୍ରେମ, ମିଳନ, ବିଚ୍ଛେଦର କାହାଣୀ ଏଥିରେ ପ୍ରମୁଖ ପ୍ରସଙ୍ଗ ହୋଇଛି । ରାଜା-ଜମିଦାରମାନଙ୍କ ପୃଷ୍ଠପୋଷକତା କାରଣରୁ ଏଥିରେ (ସଙ୍ଗୀତ, ନୃତ୍ୟ, ସାହିତ୍ୟ) ବହୁ ପରିବର୍ତ୍ତନ ମଧ୍ୟ ସଙ୍ଗଠିତ ହୋଇଅଛି । କରମାଗୀତ, ବାନ୍ଦରନାଚାଗୀତ, ଟୁସୁଗୀତ, ଡମକଚ ଆଦି ଏହି ଯୁଗୀୟ ଝୁମର ପର୍ଯ୍ୟାୟଭୁକ୍ତ । ଯଥା-

 

(କ)

ଫୁଟିଲ ଡାଲିମେର ଫୁଲ, ନା ଧରିଲ କଷିରେ

ଦୁଦିନ ପିରୀତିର ଲାଗି ହଇଲାମ୍ ମୁଖ୍ ଦୋଷୀରେ ।

(କରମାଗୀତ)

 

(ଖ)

‘‘କୋନ ମହିନା ଆୟଃ ବେଦବ୍ୟାସ ମେଲା ଲାଗେ

କୋନ ମହିନା ଆୟଃ ରାଞ୍ଚୀ ମେଲା ଲାଗେ ?

ମାଘ ମହିନା ଆୟଃ ବେଦବ୍ୟାସ ମେଲା ଲାଗେ

ଫାଗୁନ ମହିଳା ଆୟଃ ରାଞ୍ଚୀ ମେଲା ଲାଗେ ।’’

 

(ଡମକଚ : ନାଗପୁରିଆ)

 

ଅର୍ଥାତ୍‍ ଝିଅଟି ତା’ର ମା’କୁ ପଚାରୁଛି ‘‘ଆୟଃ’’ (ମୁଣ୍ଡାରୀ ଭାଷାରେ ମା’କୁ ଆୟଃ କୁହାଯାଏ) ‘‘କେଉଁ ମାସରେ ବେଦବ୍ୟାସ ମେଳା ଲାଗେ ଏବଂ କେଉଁ ମାସରେ ରାଞ୍ଚି ମେଳା ଲାଗେ ? ଉତ୍ତରରେ ତା’ ମା କହୁଛି – ମାଘ ମାସରେ ବେଦବ୍ୟାସ ମେଳା ଓ ଫଗୁଣ ମାସରେ ରାଞ୍ଚୀମେଳା ଲାଗେ ।’’

 

ରୀତିଯୁଗ (୧୮୫୦-୧୯୫୦) : ଏହି ସମୟ ଝୁମର ଇତିହାସର ମହତ୍ତ୍ୱପୂର୍ଣ୍ଣ କାଳ । ଓଡ଼ିଆ ରୀତିଯୁଗୀୟ କବିମାନଙ୍କ ରଚନା ଭଳି ଏହି ସମୟର କିବିମେନ ଅଳଙ୍କାର, ରସ-ରୀତି ଆଦି ଶାସ୍ତ୍ରୀୟ ମର୍ଯ୍ୟାଦାରେ ନିଜର କାବ୍ୟନାୟିକାକୁ ଭୂଷିତ କରଅଛନ୍ତି । ଏହି କାଳରେ ରଚିତ ଆଳଙ୍କାରିକ ଝୁମରଗୁଡ଼ିକୁ ପାଠକଲେ ତାହା ଭଞ୍ଜ, ଦୀନକୃଷ୍ଣ ଆଦିଙ୍କ କୃତିଦ୍ୱାରା ପ୍ରଭାବିତ ହେବାର ସ୍ପଷ୍ଟ ଅବଧାରଣା କରିହୁଏ । ବିଶେଷତଃ ଓଡ଼ିଶା ଓ ସିଂହଭୂମର ଝୁମର କବିମାନେ ଶାସ୍ତ୍ରୋଚିତ ଅଳଙ୍କାର, ରସାଦିକୁ ଦକ୍ଷତାର ସହିତ ଉପସ୍ଥାପନ କରିପାରିଛନ୍ତି ଆପଣାର ଝୁମରମାନଙ୍କରେ । ରୌଦ୍ରରସକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ରସର ପ୍ରୟୋଗ ଏହି ସମୟରେ ସୁଲଭ୍ୟ ହୋଇଛି । ବିଶେଷକରି ଶୃଙ୍ଗାର ରସର ପ୍ରାବଲ୍ୟ ସର୍ବପେକ୍ଷା ଅଧିକ ପରିଦୁଷ୍ଟ ହୋଇଥାଏ ଝୁମରମାନଙ୍କରେ । କେତୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ :

 

(କ)

‘‘ଆହାରେ ରମଣୀ ତୁମୋ ଶିରମଣି, ହୃଦୟକୁ ମଣି ଚାହାଁରେ

ତୋ ବିନେ ମଦନ କରୁଛି ଛେଦନ, କହିବି ବେଦନ କାହାରେ

ଚାହିଁ ଶୋଭାବନ ଯିବକି ଜୀବନ, ହେଉ ତୋ ଯୌବନ ସାହାରେ ।। ୧ ।।

ମାନି ମିନିତିକି ଘେନି ଭକତିକି, ତୋଷ ମତିକି ଉରହାରେ

କରିଣ ପୀରତି ରଖତୁ କୀରତି, ଦେଇଣ ସୁରତି ବିହାରେ

ତୋହର ସୁତନୁ, ପରଶେ ଏତନୁ, ତରିବ ଅତନୁ ପ୍ରହାରେ ।। ୨ ।।

ସାରସ ବଦନା, କରକ ରଦନା, ଘେନେମୋ ବେଦନା ଗୁହାରେ

ମୁଁ ଅଟେ ଚାକର, ଧରୁଛି ତୋ’କର, ରକ୍ଷାକର ପ୍ରାଣ ବାହାରେ

ତୋର ଗୁଣଗୀତ କରିଣ ଇଙ୍ଗିତ, ଗାଇବି ସଙ୍ଗୀତ ଦୋହାରେ ।’’

 

(ଖ)

ନବଘନ ଶ୍ୟାମ, ଜିନି କୋଟିକାମ, ଶିରେ ଶିଖି ପୁଚ୍ଛ ଶୋଭାରେ

ଶ୍ରୀମୁଖଣ୍ଡଳର କରେ ଝଲମଲ କୋଟି ଦ୍ୱିଜରାଜ ପ୍ରଭାରେ ।

ମଦନମୋହନ ଶ୍ୟାମ ହେରି ଜଗଜ୍ଜନ ମନ ଲୋଭାରେ । ୧ ।

ଅଲକା ତିଲକ, କପାଲେ ମାନିକ, ଜିନି ଦାମିନୀର ପ୍ରଭାରେ

ପ୍ରଖର ମକର କୁଣ୍ଡଲ କିସ କୁଲବଧୁକୂଲ ନାଶାରେ । ୧ ।

ପୂର୍ଣ୍ଣଶଶଧର ଶ୍ରୀମୁଖଣ୍ଡମଳ ଗଲେ ଦୋଲେ ବନ ମାଲାରେ

ଶ୍ରୀମୁଖ ସରୋଜ, ରଦ କରକଜ, ମାରନାରାଚ ଭ୍ରୁଲତାରେ । ୩ ।

(ଲୁପ୍ତୋପମା)

 

ଏହିଭଳି ନାନା ପାଣ୍ଡିତ୍ୟପୂର୍ଣ୍ଣ ଝୁମର ଏହି ଯୁଗରେ ଦେଖିବାକୁ ମିଳେ । ଏତଦ୍‌ଭିନ୍ନ ଏହି ସମୟରେ ବହୁ ଦେବାଦେବୀଙ୍କ ବନ୍ଦନା, ରାଜବନ୍ଦନା, ଆଧ୍ୟାତ୍ମିକ ଚେତନାଧର୍ମୀ ଝୁମର ସଙ୍ଗୀତ ମଧ୍ୟ ଦେଖିବାକୁ ମିଳିଥାଏ ।

 

ରଙ୍ଗୀନ ଯୁଗ (୧୯୫୦ରୁ ଅଦ୍ୟାବଧି) : ଏହି କାଳରେ ଝୁମର ପୂର୍ବର ରୀତିଯୁଗୀୟ କାବ୍ୟିକ ଗୁଣକୁ ପରିହାର କରି ସାଧାରଣ ଜନପଦକୁ ଓହ୍ଲାଇ ଆସିଛି । ଶବ୍ଦକ୍ଳିଷ୍ଟତା, ଆଳଙ୍କ।ରିକ ଅଟୋପତାକୁ ପରିହାର କରି ଲୋକମୁଖୀ ଭାଷାକୁ ଆଦରି ନେଇଛି । ଫଳତଃ ରଚନାମାନଙ୍କରେ ସାମାଜିକ ଜୀବନର ଚିତ୍ରାବଳୀ ବ୍ୟକ୍ତିଜୀବନର ବହୁ ପ୍ରସଙ୍ଗ, ପ୍ରେମ-ପ୍ରଣୟ ଅଭାବ-ଅସୁବିଧା ସବୁକିଛି ସରଳ-ସୁବୋଧ ଭାବରେ ଲୋକକବିର ଲେଖନୀକୁ ଆବୋରି ବସିଛି । ୧୯୫୦ରୁ ଏ ଯାବତ୍ ଏହି ରଚନାର ଧାରା ପ୍ରଲମ୍ବିତ ହୋଇଆସିଛି । ତେଣୁ ଝୁମର କବି ଏହି ଧାରାରେ ବ୍ରତୀ ହୋଇ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଉପଜୀବ୍ୟ କରି ଗୀତ ବାନ୍ଧିବାରେ ଲାଗିଛି । ଯେପରି-

 

ପ୍ରେମ:      ଯେ ଦିନୁ ଦେଖିଲି ତାକେ

      କି ନାଇଁକି ହେଲା ମକେ, ବୁଝାବଡ଼ ଦାଇ

      କହି କଥା ମିଠା, ମୋର ବୁକେ ଅଠା

            ସେ ଯେ ଲଗାଇଲା ହାୟ

            କାହାକୁ କହିବି ଓ ମୁଇଁ ଲାଜେ ମରିଯାଏଁ ।

 

ପାରିବାରିକ (ସ୍ୱାମୀ-ସ୍ତ୍ରୀ: କେତେ ଢଙ୍ଗେ କାଟୁଛି ଶୀଁତା

                  ଘନେ ଘନେ ପାଦେ ଅଳତା ଗୋ

                        ଦେଖି ଦେଖି ହେଲି ବିଷ ପିତା ।

            ବନାରସୀ ଚୁଡ଼ି ହାତେ ପିନ୍ଧାଇଲି

            ବରମପୁରିଆ ପାଟ ପିନ୍ଧାଇଲି

            କଳାକଳା କେଶ ଶୋଭା ହେବ ବୋଲି

            କଟକୀ ତାରକସି, ପାନ ପତରି ଦେଲି

            (ଆହୁରି) କୋଜୁଛି ବେଣୀ ବନ୍ଧା ଫିତାଗୋ ।

 

ଝୁମରର ଭାଷା:

ଅଧୁନା ଭାରତର ବିଭିନ୍ନ ଭାଷାରେ ଅସଂଖ୍ୟ ଝୁମର ପରିଲକ୍ଷିତ ହୋଇଥାଏ । ଓଡ଼ିଆ, ବଙ୍ଗଳା, ସାନ୍ତାଳୀ, କୁର୍ମାଳୀ, ଆସାମୀ, ମୈଥିଳୀ ଆଦି ଭାଷାରେ ଏହା ପରିଦୃଷ୍ଟ । ମାତ୍ର ଆଲୋଚନାରୁ ଜଣାଯାଏ ଯେ ଝୁମର ସଙ୍ଗୀତର ମୂଳଭାଷା ହେଉଛି ମୈଥିଳୀ । କବି ବିଦ୍ୟାପତି ମୈଥିଳୀ ସାହିତ୍ୟର ପ୍ରଥିତଯଶା କବି । ତାଙ୍କ ପ୍ରଭାବିତ ମୈଥିଳୀ ଭାଷାର ରୂପାନ୍ତର ବିହାରର ହିନ୍ଦୀଭାଷା, ନାଗପୁରିଆ ଭାଷା, ଭୋଜପୁରୀ ଓ କୁର୍ମାଳୀ ଭାଷା ବୋଲି ଆଲୋଚକମାନେ ମତ ଦେଇଥାନ୍ତି । ସେମାନଙ୍କ ଭାଷାରେ – ‘‘ଝୁମର ସଙ୍ଗୀତର ଏହି ମୂଳଭାଷା ବିଭିନ୍ନ ପ୍ରଦେଶରେ ବିଭିନ୍ନ ଆକାରରେ ପ୍ରକାଶ ପାଇଛି ଏବଂ ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ମାତ୍ର ଏପର୍ଯ୍ୟନ୍ତ ଯେତେ ଝୁମର ରଚୟିତାଙ୍କ ସନ୍ଧାନ ମିଳିଛି, କେହି ହେଲ, ମୂଳଭାଷା ମୈଥିଳୀକୁ ଛାଡ଼ିନାହାନ୍ତି । ସମସ୍ତେ କିଛି ନ କିଛି ମୈଥିଳୀ ଭାଷାରେ ନିଶ୍ଚୟ ଝୁମର ରଚନା କରିଅଛନ୍ତି ।’’ (୭) ତେଣୁ ପ୍ରତ୍ୟେକ ଝୁମର ଯେ ମୈଥିଳୀ ଭାଷାଦ୍ୱାରା ପ୍ରଭାବିତ, ତାହା ଅସ୍ୱୀକାର କରାଯାଇ ନ ପାରେ । ଓଡ଼ିଆ, ବଙ୍ଗଳାଭାଷାରେ ପ୍ରାପ୍ତ ଝୁମରମାନଙ୍କରୁ ଏହି ସତ୍ୟ ଉଦ୍‌ଘାଟିତ ହୋଇଥାଏ । ମାତ୍ର ସମୟାନ୍ତରେ ବହୁ ପ୍ରାନ୍ତୀୟ ଭାଷାରେ ଅସଂଖ୍ୟ ଝୁମର ରଚନା ହେବାର ଜଣାଯାଏ । ସାଙ୍ଗୀତିକ ଏବଂ ସାହିତ୍ୟିକ ଦୃଷ୍ଟିକୋଣରୁ ଏହା କୌଣସି ଗୁଣରେ ନ୍ୟୁନ ବୋଲି ମନେହୁଏ ନାହିଁ । ତେଣୁ ପରିବର୍ତ୍ତନର ସ୍ରୋତରେ ସାମିଲ ହୋଇ ବିଭିନ୍ନ ପ୍ରାଦେଶିକ ସ୍ତରରେ ଝୁମର ଆଜି ଭିନ୍ନରୂପ ପରିଗ୍ରହ କରିବା ସହିତ ନିଜର ସ୍ୱାତନ୍ତ୍ର୍ୟ ମହକରେ ସମଗ୍ର ଶ୍ରୋତା, ପାଠକ ଓ ଦର୍ଶକଙ୍କୁ ମତୁଆଲା କରିରଖିଛି, ଏହା କହିବା ବାହୁଲ୍ୟ ମାତ୍ର ।

 

ଝୁମରର ରାଗ-ରାଗିଣୀ :

ଝୁମର ଏକ ସଙ୍ଗୀତ ବୋଲି ପୂର୍ବରୁ ପ୍ରକାଶିତ । ତେଣୁ ସଙ୍ଗୀତକୁ ଗାନ କରିବା ନିମନ୍ତେ କେତେକ ରାଗରାଗିଣୀର ଆବଶ୍ୟକତା ହୋଇଥାଏ । ଶାସ୍ତ୍ରୀୟ ସଙ୍ଗୀତଗୁଡ଼ିକୁ ଗାନ କରିବା ପାଇଁ ଯେଭଳି ବିଭିନ୍ନ ରାଗରାଗିଣୀର ଅବତାରଣା କରାଯାଇଛି । ତଦୁପରି ଝୁମର ସଙ୍ଗୀତକୁ ଗାନ କରିବା ନିମନ୍ତେ ଲୋକରାଗରାଗିଣୀ ଭିତ୍ତିରେ ବହୁ ରାଗରର ଭିଆଣ କରାଯାଇଛି । ଯେଉଁଗୁଡ଼ିକ ଆଲୋଚନା ସାପେକ୍ଷ । କେବଳ ଆଲୋଚନାର ସୁବିଧା ନିମନ୍ତେ ଏଠାରେ ସେଗୁଡ଼ିକର ନାମୋଲ୍ଲେଖ କରାଗଲା ।

ଯଥା-

(୧) ଝିଙ୍ଗାଫୁଲିଆ

(୨) ଉଦାସିଆ

(୩) ରସରସିଆ

(୪) ରସପକ୍ଷୀଆ

(୫) ଝୁମକା

(୬) ଝୁମଟା

(୭) ଖେମଟା

(୮) ଆଡ଼ଖେମଟା

(୯) ରିଝାଁମାଠା

(୧୦) ତାମାଳିଆ

(୧୧) ଗାଢ଼ଓ୍ୱା

(୧୨) ଡମକଚ

(୧୩) ନାଗପୁରିଆ

(୧୪) ପତରତୁଳା

(୧୫) ପାଟିଆମେଧା

(୧୬) ଦୋଛୁଟା

(୧୭) ଠାଳରିଙ୍ଗା ଇତ୍ୟାଦି ।

 

ପୁନଶ୍ଚ ଶାସ୍ତ୍ରୀୟ ସଙ୍ଗୀତର ରାଗରେ ସ୍ଥାୟୀ, ଅନ୍ତରା, ଆଭୋଗ ଆଦିର କ୍ରମସଜ୍ଜୀକରଣ ଶୈଳୀ ଝୁମରରେ ଦେଖା ନ ଗଲେ ହେଁ ସେ ସମସ୍ତର ପ୍ରଭାବ ଝୁମରର ଗାୟନ ମଧ୍ୟରେ ପରିଲକ୍ଷିତ ହୋଇଥାଏ । ତେଣୁ ଏହାର ରାଗିଣୀଗୁଡ଼ିକ ଶାସ୍ତ୍ରୀୟସଙ୍ଗୀତର ତିଳୋକ କାମୋଦ, ଦେଶ, ଜୟଜୟନ୍ତୀର ଆଦି ରାଗକୁ ଭିତ୍ତିକରି ସ୍ୱତନ୍ତ୍ର ସ୍ୱାଦରେ ପରିବେଷିତ ହୋଇଥାଏ । ଏତଦ୍‌ବ୍ୟତିତ ଲୋକଗୀତ ଆଧାରିତ ଭାଟିଆରୀ, କୀର୍ତ୍ତନ, ଛାନ୍ଦ ଆଦି ମଧ୍ୟ ଝୁମରର ଏକକ ବିଶିଷ୍ଟ ରାଗ-ରାଗିଣୀ ।

 

ଝୁମରର ବାଦ୍ୟଯନ୍ତ୍ର:

ଝୁମର ସଙ୍ଗୀତ ଓ ନୃତ୍ୟ ପରିବେଷଣରେ ଦୁଇ ପ୍ରକାରର ବାଦ୍ୟଯନ୍ତ୍ର ବ୍ୟବହୃତ ହୋଇଥାଏ । ଯଥା ଉଚ୍ଚଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର ଏବଂ ମଧୁର ଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର । ଆଞ୍ଚଳିକ ଭାଷାରେ ଏହାକୁ ମୋଟାବାଜ୍‌ନା ଓ ସରୁବାଜ୍‌ନା କୁହାଯାଏ । ଧାମସା, ମାଦକ, ଢୋଲ, ଚଡ଼ଚଡ଼ି ମୋଟାବାଜ୍‌ନା ଓ ସାହାନାଇ, ବଂଶୀ, ବେହେଲା, କେନ୍ଦେରା ପ୍ରଭୃତି ସରୁବାଜ୍‌ନା ଭାବରେ ପରିଚିତ । ଅତୀତରେ କେବଳ ଲୌକିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଥିଲା ବେଳେ, ଅଧୁନା ବହୁ ଶାସ୍ତ୍ରୀୟ ବାଦ୍ୟ ଏବଂ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର କର୍ଣ୍ଣେଟ୍ ଓ କ୍ଲାରିଓନେଟର ମଧ୍ୟ ବ୍ୟବହାର କରାଯାଉଛି ।

 

ଏହି ସମସ୍ତ ଆଲୋଚନାମାନଙ୍କରୁ ଝୁମର ସମ୍ପର୍କରେ ଏକ ମୋଟାମୋଟି ଧାରଣା କରାଯାଇପାରେ । ଓଡ଼ିଶାର ଲୋକସଙ୍ଗୀତ ତଥା ମୟୁରଭଞ୍ଜର ପାରମ୍ପରିକ ଲୋକଗୀତ-ନୃତ୍ୟ ଭାବରେ ଝୁମର ଯେଉଁ ମର୍ଯ୍ୟାଦା ଲାଭ କରିଛି, ସେ ସମ୍ପର୍କରେ ସାମାନ୍ୟ ଅବଧାରଣା କରିବା ନିମିତ୍ତ ଝୁମରର ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଚୁମ୍ବକରେ ଆଲୋଚନା କରାଗଲା । ଏକ ଉତ୍କୃଷ୍ଟ ଲୋକକଳାର ସ୍ୱାତନ୍ତ୍ର୍ୟ ବହନ କରୁଥିବା ଝୁମର କୁଡ଼ୁମୀ, ଉତ୍ତର ଓଡ଼ିଶା ସର୍ବୋପରି ଭାରତର ସାଂସ୍କୃତିକ ଲୋକ ଐତିହ୍ୟର ଏକ ଅତ୍ୟାବଶ୍ୟକ ଅଙ୍ଗ । କେବଳ ଲୋକ ସଙ୍ଗୀତ ଭାବରେ ତାହାର ମର୍ଯ୍ୟାଦା ଅତୁଟ ରହିନି: ଅଧିକନ୍ତୁ ଏକ ଉନ୍ନତ ସାହିତ୍ୟିକ ଆବେଦନକୁ ମଧ୍ୟ ଏହା ନିଜ ଭିତରେ ସମାହିତ କରି ରଖିଛି । ଜଣେ ଅନିସନ୍ଧିତ୍ସୁ ପାଠକର ମନନେଇ ଯଦି ଏଥିରେ ମନନିଯୋଗ କରାଯାଏ, ତେବେ ବହୁ ଉପାଦେୟ ତଥ୍ୟ, ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ଆବିଷ୍କୃତ ହୋଇପାରିବ । ଏହି ପରିପ୍ରେକ୍ଷୀରେ ‘ଝୁମର’ରେ ପରିଦୃଷ୍ଟ କେତେଗୁଡ଼ିଏ ସାହିତ୍ୟିକ, ସାମାଜିକ ଓ ପାରମ୍ପରିକ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନମତେ ଆଲୋକପାତ କରାଯାଇପାରେ ।

 

ଝୁମର ଗୀତରେ ‘ରସ’ :

‘ରସ’ର ଧାରା ସଙ୍ଗୀତ ଓ ସାହିତ୍ୟ ଜଗତରେ ଏକ ବହୁ ଆବଶ୍ୟକୀୟ ଉପାଦାନ । ତେରୁ ପ୍ରାଚୀନ କାବ୍ୟଶାସ୍ତ୍ରରେ ରସକୁ କାବ୍ୟର ଆତ୍ମାଭାବରେ ସ୍ୱୀକୃତି ମିଳିଛି । ତେଣୁ କବିମାନେ ନିଜ ରଚନାରେ ବିଭିନ୍ନ ରସ ଉପରେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ସଙ୍ଗୀତ କ୍ଷେତ୍ରରେ ଏହା ମଧ୍ୟ ସେହିଭଳି ପ୍ରାଧାନ୍ୟ ଲାଭ କରିଛି । ତେଣୁ ରସବିହୀନ ରଚନା ଯଥାର୍ଥ ରଚନା ପଦବାଚ୍ୟ ହୋଇପାରେ ନାହିଁ । ରସର ଏହି ମହନୀୟ ପ୍ରଭାବରୁ ଝୁମର ମୁକ୍ତ ହୋଇପାରିନି । କାବ୍ୟଶାସ୍ତ୍ରୋଚିତ ରସକୁ ଅଙ୍ଗୀକାର କରି ଝୁମର କିଭଳି ଶ୍ରୀବିମଣ୍ଡିତ ହୋଇଛି, ତାହାକୁ ଶ୍ରବଣ ବା ପାଠ କଲେ ସହଜରେ ବୁଝାପଡ଼େ । ଝୁମର କବିର ଲେଖନୀରୁ ନିଃସୃତ କେତେକଗୁଡ଼ିଏ ରସଧର୍ମୀ ଝୁମରଗୀତ ଏଠାରେ ପ୍ରକାଶଯୋଗ୍ୟ ।

 

(କ) ଶୃଙ୍ଗାର ରସ : ରସ ଶାସ୍ତ୍ରରେ ‘ଶୃଙ୍ଗାର’ ଅଙ୍ଗୀରସ ବା ଆଦିରସ ଭାବରେ ପରିଚିତ । ନାୟକାନୟିକାଙ୍କ ପ୍ରେମ, ମିଳନ, ଅନୁରାଗ ମାଧ୍ୟମରେ ଏହା ଉଦ୍ଦୀପିତ ହୋଇଥାଏ । ଝୁମରରେ ଶୃଙ୍ଗାର ରସ ହେଉଛି ପ୍ରଧାନ ରସ । ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ପ୍ରୟୋଗରେ ଝୁମର ଗୀତର ବିଶେଷ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ । ସାଧାରଣତଃ ରାଧାକୃଷ୍ଣଙ୍କ ମିଳନ-ବିଚ୍ଛେଦ ମଧ୍ୟରେ ଏହାର ସାର୍ଥକତା ଫୁଟି ଉଠିଛି ।

 

ତେଣୁ ଝୁମର କବି ଓ ଗବେଷକ ଗିରିଶ ଚନ୍ଦ୍ର ମହାନ୍ତ ଝୁମରରେ ଏହି ରସର ପ୍ରୟୋଗ ସମ୍ପର୍କରେ କହନ୍ତି – ‘‘ଝୁମରର ପ୍ରଧାନ ରସ ଶୃଙ୍ଗାର । ସ୍ଥାନେ ସ୍ଥାନେ କରୁଣ ଓ ଶାନ୍ତିରସର ପ୍ରୟୋଗ ମଧ୍ୟ ଦେଖାଯାଏ । ମାତ୍ର ଝୁମର କହିଲେ – ଶୃଙ୍ଗାର ରସର ଏକ ଆଧାର ବୋଲି ବୁଝାଯାଏ ।’’ କେତେଗୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ-

 

(୧) ସମ୍ଭୋଗ ଶୃଙ୍ଗାର :

ସହଚରି ! ଶ୍ରୀହରି ହେରିନାମ ଯମୁନାୟ

କାଲା ଆଲା ତରୁତଲା ବେଲାତେ କରାୟ ।

ପାଶେ ଆସି ହାଁସି ହାଁସି ଭାଷିଛେ କାହ୍ନାଇ

‘‘ଦେଗୋ ଦୂତିରତି ନିତି ନିତି ମାଗି ନାଇଁ ।’‘

x      x      x      x

ଉରେଉର ଅଧରେତେ ଅଧର ଲଗାୟ

ଧରାସନେ ଆଲିଙ୍ଗନେ ମାତିଲ କାନାଇ

ଉରଜେ କରଜ ମାରି ମଧୁରସ ଖାୟେ ।

ମୁଖ ଚୁମ୍ବନେ ମଦନ ରାଜନ ବିଦାୟ

ମାରଶର ଦର ତୁଳସୀର ଗେଲ ନାହିଁ

(ତୁଳସୀ ଦାସ)

 

ଆହାରେ ପ୍ରାଣସଙ୍ଗିନୀ ପ୍ରେମରସ ତରଙ୍ଗିଣୀ

ଘେନ ବିନତି ମୋହରରେ

x            x            x

ତୋ ଲାବଣ୍ୟରୂପ ଚାହିଁ ଅଧୈର୍ଯ୍ୟ ହୋଇଲି ସହି

ଦୟାକରି ତୁ ଚାକରରେ

ତୋ ମନର ଅଭିଳାଷ, ଦେଇଣ ବିଳାସ

ପୂରାଅ ମନ ମାନସରେ ।

ଉରଜ କଳସ ତୋର, ହରଷେ ଦେଇ ମୋ କର

ହର ସନ୍ତାପ ମୋହରରେ

ଉରରେ ଉରକୁ ଯୋଖି, ପ୍ରାଣରଖ ସଖୀ

ଯଶରହୁ ଭୂମଣ୍ଡଳରେ ।

(ତୁଳସୀ ଦାସ)

 

(୨) ବିପ୍ରଲମ୍ଭ ଶୃଙ୍ଗାର :

ଶ୍ୟାମ ଆଶା ଆଶାରେ ମଧୁରାତି ଗଲା ପାହି-

ଶୁଖିଲା ଚନ୍ଦନ ଟୋପା; ଶୁଖିଲା କୁସୁମ ଝୁମ୍ପା

ନ ଶୁଖେ ନୟନ ବାରି ପଥ ଚାହିଁ ଚାହଁରେ ।

(ଗିରୀଶ ମହାନ୍ତ)

 

(୩) ପୂର୍ବରାଗ ବିପ୍ରଲମ୍ଭ ଶୃଙ୍ଗାର:

ସଖା କି କହିବି ତୋରେ,

ଯେ ରୂପ ଦେଖିଲି ମଜି ଯମୁନା ତୀରେ ।

x x ଉଚ୍ଚକୁଚ ହିମଗରି, ବାଦଲ ଢାଙ୍କିଲାପରି

ଶୋଭେ ନୀଳାମ୍ବରେ

ଝରେକି ନିର୍ଝରୀ ତହିଁତାର ମୁକ୍ତା ହାରେ ।

(ଗିରୀଶ ମହାନ୍ତ)

 

(୪) ପ୍ରବାସ ବିପ୍ରଲମ୍ବ ଶୃଙ୍ଗାର :

ଦୂତିକି କହନ୍ତି ରାଧା ପାଇଣ ମଦନବାଧା

ଶ୍ରଦ୍ଧା ନାହିଁକି ଶ୍ୟାମର ଲୋ ?

ଏ ନବଯୌବନ ଯମ, କରିଅଛି କାମ

ପ୍ରେମ ବିନେ ସେ ଶ୍ୟାମର ଲୋ

ତାବିନେ ଜୀବନ ଯିବ ଜୀବନ ନ ଥିବ ଆମରଲୋ ।

କୁଳବୁଡ଼ା କି ଆକୁଳେ, ଦିନେକ ମାଧବୀ ମୂଳେ

ଆସି ଧଇଲା ମୋ କରଲୋ

‘‘ତାର ମୋ ନବ କିଶୋରୀ ଶରୀଗଲା ସରି

ହରି ହୋଇଲା ତୋହର ଲୋ ।’’

(ତୁଳସୀ ଦାସ)

 

(୫) ମାନ ବିପ୍ରଲମ୍ଭ ଶୃଙ୍ଗାର:

ଫେରି ଯା, ଯାରେ ଯାରେ କାହ୍ନା ଆଉ ଜଳାନା

ସାରା ରଜନୀ ଜଳିଛି ତୋହରି ବିନା

ତୋ ପ୍ରେମ କରି ଭରସା, ଛାଡ଼ିଲି ମୁଁ କୁଳ ଆଶା

ଜଣାଗଲା ଏବେ, ତୋର ସବୁ ଛଳନା ।

କା’ସାଥେ ନିଶି କଟାଇ କପାଳେ ସିନ୍ଦୂର ନେଇ

ନିର୍ଲଜ ଲମ୍ପଟ, ତୁ ଯେ ମୋତେ ଛୁଅନା ।

(ଗିରିଶ ମହାନ୍ତ)

 

(ଖ) ହାସ୍ୟରସ :

କହତ ରାଧା ସୁନ୍ଦରୀ ବିନୟେ ବିନୟରେ

ଦନୀଆ ହିଁ ନୌକା ମାଝେ ସଝାଇରେ

ଜୀବନେ ମାରଲାଇ ମୁଜାରାଇଁ ।

ଧଧରା ଡଙ୍ଗା ବାହିକେ ଗଧରା ଗୋଡ଼ାଇଁରେ

ହିଲିଡଲି ନୌକାଇଁ ପାନି ସାମାଇରେ ।

ମୁଡ଼େକାକେଶ ପାକଲ ମୁହେଁ ତ ଦାନ୍ତ ନାଇରେ

 

ଚେପା ନାକାଟେରା ଶୁନିଉ ନା ପାୟରେ

(ଭୀମା)

 

(ଗ) କରୁଣ ରସ :

ନାରୀ ମାତ୍ରେ ଜାନେ ପତି, ପତିଭିନ୍ନ ନାହିଁ ଗତି

ଜାନେ ସର୍ବଜନ

ଦାଁଡାୟକି ଲତା ହରେ - ତରୁର ପତନ ?

ଭନେ ଦ୍ୱିଜ ଭବପ୍ରିତା, କାନ୍ଦେ ବିରାଟ ଦୁହିତା

ସାପିନୀ ଯେମନ

ମନିହାରା ହାୟେ କାନ୍ଦେ ବ୍ୟାକୁଲ ଜୀବନ ।

(ଭବପ୍ରୀତା)

 

(ଘ) ବୀର ରସ :

ଯେନ ଭେଦେ ରବିକର, ଅନ୍ଧକାର ଭୟଙ୍କର

ତେମନୀ ପାର୍ଥ କୁଅଁର

ବ୍ୟହ ଭେଦିଲା ତଖନ, ବିଷର୍ଣ୍ଣ କୌରବ ଗନ ।

କାଲାନ୍ତକ ଯମ ସମ, ବଧେ ସୈନ୍ୟ ବୀରୋତ୍ତମ

ଦହେ ବିପକ୍ଷ ମରନ କରି ତାହା ଦରଶନ –

(ଭବପ୍ରୀତା)

 

(ଙ) ଭୟାନଗ ରସ :

ଶତ୍ରୁ ବିନାଶନ ନିମନ୍ତେ ଶିବଙ୍କର ଭୟଙ୍କର ରୂପକୁ ଚିତ୍ରଣ କରନ୍ତି କବି-

‘‘ଆନରେ ପ୍ରଲୟୀ ଶୂଲ ଢାକେନ ପଞ୍ଚାନନ

କ୍ରୋଧ ଉର୍ଦ୍ଧେ ଉଠେ ଜଟା ଯେମନ କେଶରୀ ସଟା

ଅଗ୍ନି ଛଟା ଲଲାଟେ ଦୀପନ

ଶିରେ ଗଙ୍ଗା କଲକଲ ଭାରେ ପୃଥ୍ୱୀ ଟଲମଲ

ଢଲ ଢଲ ଘାରେ ତ୍ରିନୟନ ।’’

(ଭବପ୍ରୀତା)

 

(ଚ) ଅଦ୍ଭୁତ ରସ:

ଜ୍ୟୋତିର୍ମୟୀ ରୂପଧରି, ପ୍ରକାଶିଲା ମହେଶ୍ୱରୀ ଗୋ

ଜଲନ୍ତ ପର୍ବତ ସମାକୃତି

ତେଜେ କୋଟି ରବି ରବି ଶୋଭା, କୋଟିଚନ୍ଦ୍ର ସମପ୍ରଭା

ଭୟଙ୍କରୀ ରୂପେ ବିରାଜନ ସତୀ, ନମଃ ଭଗବତୀ ।

(ଭବପ୍ରୀତା)

 

(ଛ) ବାତ୍ସଲ୍ୟ ରସ :

(ଯଶୋଦା ଶ୍ରୀକୃଷ୍ଣଙ୍କୁ ସଜାଇ ଦେବାର ଚିତ୍ର)

ବାନ୍ଧିଲ ବିନୋଦ ଚୂଡ଼ା, ମାଲତୀର ଫୁଲବେଢ଼ା

କପାଲେଲୋ ମାନିକ ଦିଲ ରାଖାଲ ରାଜେ ।

ଏକେତ ବରନ କାଲ, ତାହାତେ ପୀତବସନ

ନବୀନ ମେଘେତ ଯେନ ଦିଜଲି ବିରାଜେ ।

ଶିରେତେ ଚୁମ୍ବନ କରି କରେତେ ଦିଲ ବାଁଶରୀ

ଚରନେତେ ରୁନୁଝୁନୁ ନୂପୁର ବାଜେ ।

(ତୁଳସୀ ଦାସ)

 

ଝୁମର ଗୀତରେ ‘ଅଳଙ୍କାର’ :

ରସ ପରି ଝୁମରଗୀତରେ ଅଳଙ୍କାର ପ୍ରୟୋଗର ଚମତ୍କାର ଯେତିକି ଆକର୍ଷଣୀୟ ତହିଁ ଅପେକ୍ଷା ସେଗୁଡ଼ିକର ଭାବବୋଧ ଅତ୍ୟନ୍ତ ଉଚ୍ଚକୋଟୀର । ଝୁରରରେ ପରିଲକ୍ଷିତ ଅଳଙ୍କାରଗୁଡ଼ିକୁ ଅବଲୋକନ କଲେ ଭଞ୍ଜୀୟ କାବ୍ୟାଳଙ୍କାର ସ୍ୱତଃ ଆଖି ଆଗରେ ଝଲସି ଉଠେ । ପାର୍ବତ୍ୟଘେରା ପରିବେଶ ଭିତରେ ଝୁମର କବିର କାବ୍ୟସାଧନା – ଆଳଙ୍କାରିକ କବିତ୍ୱର ବିମୁଗ୍ଧ ରୂପକାର ସତ୍ତାଟି ସ୍ୱତଃ ଉଦ୍ଭାସିତ ହୋଇଉଠେ । ଭଞ୍ଜ ସାହିତ୍ୟର ପ୍ରଭାବ କେବଳ ସେମାନଙ୍କ ଲେଖନୀକୁ ପ୍ରଭାବିତ କରିନି; ନୂତନ ଶୈଳୀ ଓ ଅଳଙ୍କରଣ ପ୍ରୟୋଗ କରିବାରେ ମଧ୍ୟ ଯଥେଷ୍ଟ କବି ପ୍ରସିଦ୍ଧ ଆଣିଦେଇଛି । ଊନବିଂଶ ଶତାବ୍ଦୀରେ ସାନ୍ତାଳ ପ୍ରଗଣାର ଭବପ୍ରୀତାନନ୍ଦ, ଭୀମା, ଓଡ଼ିଶାର ତୁଳସୀ ଦାସ, କବି ଜଗନ୍ନାଥ ଦାସ ଆଦି ପ୍ରମୁଖ ଝୁମର କବିମାନଙ୍କ ଲେଖନୀରେ ଉଭୟ ଶବ୍ଦ ଓ ଅର୍ଥ ଅଳଙ୍କାରର ପ୍ରୟୋଗ ଯେଭଳି ହୋଇଛି, ତାହା ଏଠାରେ ଲକ୍ଷଣୀୟ । ଆଲୋଚନାଟି ଦୀର୍ଘ ହେବା ଭୟରେ ଉଭୟ ଅଳଙ୍କାର ମଧ୍ୟରୁ କେତେଗୁଡ଼ିଏ ନିର୍ବାଚିତ ଝୁମରକୁ ଏଠାରେ ଆଲୋଚନା କରାଗଲା ।

 

(୧)      ଶବ୍ଦାଳାଙ୍କାର : ଶବ୍ଦାଳଙ୍କାର ବିମଣ୍ଡିତ କେତେଗୁଡ଼ିଏ ଝୁମର ନିମ୍ନମତେ ପରିଦୃଷ୍ଟ –

 

(କ)

ଅନୁପ୍ରାସ (ଛେକାନୁପ୍ରାସ)

ଗୁନମନି ଗୁମନମନି ପ୍ରାନ ପାନି ଆୟ

କାଲା ମେଲ ଜ୍ୱାଲା ଭେଲ ହାଲାହଲ ପ୍ରାୟ । (ବାଉଲ ଦାସ)

 

ଶବ୍ଦାର୍ଥ- ଗୁନମନି – ଶ୍ରୀକୃଷ୍ଣ, ଗୁନି- ଚିନ୍ତାକରି, ପାନି ଆୟ – ପାଣ ହେବା, କାଲା- ଶ୍ରୀକୃଷ୍ଣ, ମେଲ-ମିଳନ, ଭେଲ-ହେଲା, ହଲାହଲ – ବିଷ ।

 

ଅର୍ଥାତ୍ – ଶ୍ରୀକୃଷ୍ଣଙ୍କ ଗୁଣକୁ ସ୍ମରଣ କରି କରି ଶ୍ରୀରାଧାଙ୍କ ପ୍ରାଣ ପାଣିଫାଟି ଯାଇଛି । ଶ୍ରୀକୃଷ୍ଣଙ୍କ ମିଳନ ଜ୍ୱାଳା ତାଙ୍କୁ ବିଷପ୍ରାୟ ମନେହେଉଛି ।

 

 

 

(ଖ)

ଯମଜ (ଏକ ଶବ୍ଦ ବିଭିନ୍ନ ଅର୍ଥରେ ବାରମ୍ବାର ବ୍ୟବହୃତ ହୁଏ)

 

ଆଦ୍ୟଯମକ- ମାର ମାର ମାର ନାହିଁ ଆକୁଲ ଜୀବନ ଆଁ

 

ମର ମରମ ରହିତ କର ସୁ ବଚନ ଆ ।

ଧର ଧର ଧର ସଖୀ ମୋର ଅପଘନିଆଁ

ବାର ବାର ବାରିଜାକ୍ଷୀ କର ଆଲିଙ୍ଗନିଆ ।

(ଭୀମା)

 

(ଗ)

ଶ୍ଳେଷ- ‘ହରିକାନ୍ତାରେ ନାହେରି, ହରିକାନ୍ତାରେ ନେହାରି ହେ

 

ଶୋକାକୁଲେ ସଖାକୁଲେ ବୋଲେନ ମୁରାରୀ

ଆମି ବାଂଚିବ କେମନେ ସୁରମ୍ୟ କାନ୍ତାରେ ହେରି ।’’

(ବାଉଲ ଦାସ)

 

ଶବ୍ଦାର୍ଥ- ହରି-ରାମଚନ୍ଦ୍ର ବା ଶ୍ରୀକୃଷ୍ଣ, ହରି-ହରିତ ହରିକାନ୍ତାର-ନୀଳ ଓ ପୀତ ମିଶ୍ରିତ ବନ, ମୁରାରୀ–ଶ୍ରୀକୃଷ୍ଣ, କାନ୍ତାରେ-ସ୍ତ୍ରୀଙ୍କୁ, କାନ୍ତାରେ- ବଣକୁ, ସୁରମ୍ୟ-ସୁନ୍ଦର, ସୁରମ୍ୟ-ରମଣଯୋଗ୍ୟ, ବନେର-ବଣର, ବନେର – ରଙ୍ଗ ବା ବର୍ଣ୍ଣର, ସୁନାରୀ – ସୁନାରୀ ଫୁଲ, ସୁନାରୀ – ଉତ୍ତମ ନାରୀ ।

 

୧ମ ଅର୍ଥ:

(ବନ ଅର୍ଥରେ) – ଶ୍ରୀରାମଚନ୍ଦ୍ର ବା ଶ୍ରୀକୃଷ୍ଣ ନିଜ ପ୍ରେୟସୀକୁ ନ ଦେଖି ହରିତ୍‌ବର୍ଣ୍ଣର ବଣକୁ ଅବଲୋକନ କରି ନିଜର ସଖାମାନଙ୍କୁ ଶୋକେ ଆକୁଳ ହୋଇ କହୁଛନ୍ତି, ‘ମୁଁ ଏହି ସୁରମ୍ୟ ବନକୁ ଦେଖି କିପରି ବଞ୍ଚି ରହିବି ?

୨ୟ ଅର୍ଥ :

(ନାରୀ ଅର୍ଥରେ) – ଶ୍ରୀକୃଷ୍ଣ ବା ଶ୍ରୀରାମଚନ୍ଦ୍ର ନିଜ ପ୍ରିୟାକୁ ନ ଦେଖି ହରିତବର୍ଣ୍ଣର ବଣକୁ ଅବଲୋକନ କରି ନିଜର ସଖାମାନଙ୍କୁ ଶୋକାକୁଳ ହୋଇ କହୁଛନ୍ତି – ମୁଁ ମୋର ରମଣଯୋଗ୍ୟା ନାରୀଙ୍କୁ ନ ଦେଖିଲେ କିପରି ବଞ୍ଚି ରହିବି ?

 

(ଘ) ସିଂହାବଲୋକନ :

ଦେଖ ସଖା କା’ରମଣୀ      ରମଣୀ ରତନ ମଣି

ମଣିଷ ମଧ୍ୟରେ ସାର

ସାରସ ବଦନତାର            ତାର ପତି ଛାର

ଛାର ଗତି ଦ୍ୱିରଦର

ଦରଶନେ ସନକାଦି ମୁନି ହୋଇବେ କାତର ।

(ତୁଳସୀ ଦାସ)

(ଙ) ଗୋମୂତ୍ର ଛନ୍ଦ:

ହରପର ଶର ଉର ଜର ଜର କର ଗୋ

ମରମେର ମାର ସାର ଗିରିଧର ଗୋ । (ଜଗା)

 

ଶବ୍ଦାର୍ଥ – ହର-ଶିବ, ହରପର-କନ୍ଦର୍ପ, ଶର-ତୀର, ଉର-ବକ୍ଷ, ଜରଜର-ଜର୍ଜର, ମରମେର-ମର୍ମର, ମାର-ମାରଣକାରୀ, ସାର-ଶ୍ରେଷ୍ଠ, ଗିରିଧର- ଶ୍ରୀକୃଷ୍ଣ ।

 

ଅର୍ଥ-କନ୍ଦର୍ପରସର ବକ୍ଷ ଜର୍ଜର କରୁଛି । ମର୍ମକୁ ଆଘାତ କରିବାର ଶ୍ରେଷ୍ଠ ସେଇ ଶ୍ରୀକୃଷ୍ଣ ଅଟନ୍ତି ।

 

(ଚ) ମେଷ ଯୁଦ୍ଧ : ରାମା ରତି ସାର ରସା ତୀର ମାର

            ରସ ଭାଷ ସର ରସ ଶୋଭା ସର । (ତୁଳସୀ ଦାସ)

 

ଶବ୍ଦାର୍ଥ- ରାମା-ସ୍ତ୍ରୀ, ରତିସାର-ରତିକ୍ରୀଡ଼ାରେ ଶ୍ରେଷ୍ଠ, ରସା-ରସଯୁକ୍ତନାରୀ, ରସଭାସ-ମଧୁରବଚନ, ରସଶୋଭାସର – ରସର ସୁନ୍ଦର ହ୍ରଦ, ରସାସାର-ଶ୍ରେଷ୍ଠ ରମଣୀ ।

 

ଅର୍ଥ – ସୁନ୍ଦରୀ ନାରୀର ତୀରାଘାତ ରତିକ୍ରୀଡ଼ା ମଧ୍ୟରେ ଶ୍ରେଷ୍ଠ ଅଟ । ସୁନ୍ଦରୀ ନାରୀର ରସପୂର୍ଣ୍ଣ କଥା ପୁଷ୍କରିଣୀ ସ୍ୱରୂପ ଅଟେ ।

 

(୨)      ଅର୍ଥାଳଙ୍କାର : ଅର୍ଥାଳଙ୍କାର ସମ୍ବଳିତ କେତେଗୋଟି ଝୁମର ନିମ୍ନରେ ପ୍ରଦତ୍ତ ହେଲା-

(କ) ଉପମା :

‘ଯେନ ଭେଦେ ରବି କର, ଅନ୍ଧକାର ଭୟଙ୍କର

ତେମନ ପାର୍ଥ କୁଅଁର

ବ୍ୟୁହ ଭେଦଲା ତଖନ, ବିଷର୍ଣ୍ଣ କୌରବ ଗନ ।’

(ଭବପ୍ରୀତା)

 

ଅର୍ଥାତ – ଭୟଙ୍କର ଅନ୍ଧକାରକୁ ସୂର୍ଯ୍ୟ ରଶ୍ମି ଭେଦ କଲାପରି, ପାର୍ଥପୁତ୍ର ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ କଲା । ଯାହା ଦେଖି କୌରବମାନଙ୍କ ମନ ବିଷର୍ଣ୍ଣ ହୋଇଗଲା ।

 

(ଖ) ରୂପକ :

‘‘ତୋମା ବିନେ ବିଧୂମୁଖୀ...

ନୟନ ଚକୋର ମୋର, ହୟଛେ ପ୍ରେମେ ବିଭୋର

ହେରି ମୁଖ ଚନ୍ଦ୍ରମୟ ।’’

(ଭବପ୍ରୀତା)

(ଗ) ବିଦ୍ଭାବନା:

ରାୟ ଗିୟେ ଯମୁନାର ଜଲେ ଗେଛିଲ କଦମ୍ବ ମୂଲେ ଗୋ

ଶ୍ୟାମତ୍ରିଭଙ୍ଗ କାଲଭୁଜଙ୍ଗ, ଦଂଶନ କରିଲ ରେ

କିଶୋରୀ ଶରୀ ଜାଇଲ ।

(ତୁଳସୀ ଦାସ)

 

ଅର୍ଥାତ୍ – ରାଧା ଯମୁନାକୁ ଯିବା ସମୟରେ କଦମ୍ବ ମୂଳରେ ଶ୍ରୀକୃଷ୍ଣଙ୍କୁ ଭେଟିଲେ । ତାଙ୍କର ତ୍ରିଭଙ୍ଗୀ ଠାଣିରୂପକ କାଳସର୍ପ, କିଶୋରୀ ରାଧିକାଙ୍କ ଶରୀରକୁ ଯେପରି ଦଂଶନ କଲା ।

 

(ଘ) ଉତ୍‌ପ୍ରେକ୍ଷା :

ଉରେକି ଉଦିତ ହରଷେ ହର, କଳସ ସରସ ଦେଖି ସୁନ୍ଦର

ଯୋଗୀ ଜନଚିତ୍ତ ଚଞ୍ଚଲ କରାୟ

କାକୋଦର ବିନି ଅଲକାତାର,

ତାହାତେ ଲଳିତ କଲିର ହାର

କର୍ଣ୍ଣ କି ସୁନ୍ଦର ସ୍ୱର୍ଣ୍ଣ କୁଣ୍ଡଲରେ କୁଣ୍ଡଲ ।

(ତୁଳସୀ ଦାସ)

 

ଏହିଭଳି ଅନ୍ୟାନ୍ୟ ଅଳଙ୍କାର ଯଥା – ବ୍ୟାଜସ୍ତୁତି ସମାସୋକ୍ତ, ସ୍ୱଭାବୋକ୍ତି, ବିରୋଧାଭାଷ ଆଦି ପ୍ରସଙ୍ଗ ଝୁମର ଗୀତରେ ସୁଲଭ । ଯାହା ଏକ ବିଶଦ ଆଲୋଚନାର ଅପେକ୍ଷା ରଖେ ।

 

ଝୁମର ଗୀତରେ ‘ପ୍ରକୃତି’ :

ପ୍ରକୃତିର ରୂପଛବି ଅଙ୍କନରେ ମଧ୍ୟ ଝୁମର କବି ସିଦ୍ଧହସ୍ତ । ସକାଳ ସନ୍ଧ୍ୟା ଆଦିର ବର୍ଣ୍ଣନା ଆମ କାବ୍ୟକବିତାମାନଙ୍କରେ ଯେପରି ପରିଦୃଷ୍ଟ କୁଡ଼ୁମୀ ଝୁମର କବି ଦୃଷ୍ଟିରୁ ତାହା କଦାପି ଉପେକ୍ଷଣୀୟ ହୋଇନାହିଁ । ବରଂ ପ୍ରକୃତି ଘେରା ପରିବେଶ ମଧ୍ୟରେ ବାସ କରି ସେହି କମନୀୟ ରୂପଛବିଗୁଡ଼ିକୁ ନିଜର ଲେଖନୀର ଫନୋଗ୍ରାଫରେ ତୋଳି ଧରିଛନ୍ତି ସେ । କେତେଗୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ

 

ପ୍ରଭାତ ପ୍ରକୃତି :

ତରୁନ ଅରୁନ ଯବାଫୁଲ ଛବି

ଉଦିତ ମୁଦିତ କିବା ବାଲରବି

ଭୂଲୋକ ପୁଲକ ପୂରି

ମଲିନ ରଜତ ମୁକୁରେରମତ

ଆକାଶ ବିକାଶ ଧରିଗୋ

ଉଠ ଉଠ ନବୀନ କିଶୋରୀ

ପୁହାଇଲ ବିଭାବରୀ ।

 

ଅର୍ଥାତ୍ – ନବଉଦିତ ଇଷତ୍ ରକ୍ତବର୍ଣ୍ଣ, ରକ୍ତମନ୍ଦାର ଫୁଲର ରଙ୍ଗ ଭଳି ପ୍ରଭାତକାଳୀନ ସୂର୍ଯ୍ୟଙ୍କ ଛବି ପ୍ରକଟିତ ହେଉଛି । ବାଳସୂର୍ଯ୍ୟ ଉଦିତ ହୋଇ ପୁନଶ୍ଚ ମୁଦ୍ରିତ ହେଲାପରି ମନେ ହେଉଛନ୍ତି । ସସାଗରାଧରା ଆନନ୍ଦର ଲହରୀରେ ଉଦ୍ଭାସିତ । ସ୍ୱଚ୍ଛ-ଶୁଭ୍ର ଦର୍ପଣ ଭଳି ଆକାଶ ସ୍ୱଚ୍ଛ ଓ ପରିଷ୍କାର-। ହେ ନବୀନ କିଶୋରୀ । ରାତି ପାହିଲାଣି ‘ଉଠ’ ।

 

ପୁନଶ୍ଚ-

‘‘ଯାମିନୀର କେଶ କଲାପେବେନୀ

ବାନ୍ଧିଲ ନିଜ କରେ ଦିନମନି

(ହରି) ବକୁଲ ଫୁଲେ ଘେରି,

ସିନ୍ଦୂରେର ବିନ୍ଦୁଦିଲ ଦିନବନ୍ଧୁ

ପୂର୍ବଶିଖର ଉପରି ଗୋ ।’’ (ଜଗା)

 

ଅର୍ଥାତ୍- ସତେଯେପରି ରାତ୍ରୀ ଦେବୀ ତାଙ୍କର ଘନକେଶ ରାଶିକୁ ସମଗ୍ର ପୃଥିବୀରେ ବିଛାଇ ଦେଇଥିଲେ । ଯେଉଁଥିଲାଗି ପୃଥିବୀରେ ଅନ୍ଧକାର ବ୍ୟାପିଯାଇଥିଲା । ସୂର୍ଯ୍ୟଦେବ ସେହି କେଶ ରାଶି ନିଜ ହାତରେ ଅର୍ଥାତ୍ କିରଣରେ ଏକତ୍ର କରି ଯେପରି ଏକବେଣୀ ବାନ୍ଧିଦେଲେ ଏବଂ ଉକ୍ତ ବେଣୀରେ ବଉଳ ଫୁଲ ଖୋସିଦେଲେ ଏବଂ ମଥାରେ ସିନ୍ଦୁର ବିନ୍ଦୁ ଲଗାଇ ଦେଲେ ।

 

ସନ୍ଧ୍ୟା ପ୍ରକୃତି :

‘ବସି ସନ୍ଧ୍ୟା ସମୀରନେରେ, କାନ୍ଦେ ଶ୍ରୀମତୀ ସୁନ୍ଦରୀ

ଆଇଲ ଗୋଧୂଲି କୋଥା ରଇଲ ଶ୍ରୀହରି

ବୋଲ କି ସେ ପ୍ରାନ ଧରି ।

ଗୋକୁଲେର ଗାଭୀକୁଲରେ, ଆସେ ଶୋକାକୁଲ ଭରି

ନା ଆସେ ରାଖାଲ ରାଜ ବାଜାୟେ ବାଂଶୁରୀ ।

ଡାଲେ ବସି ଚକ୍ରବାକୀରେ, କାନ୍ଦେ ଏକାକୀ ଫୁକାରି

ଅମନି କାନ୍ଦିବେ ରାଧା ଜନମ ଶର୍ବରୀ ।

(ଭବପ୍ରୀତା)

 

ଝୁମର ଗୀତରେ ବିଭିନ୍ନ ‘ଋତୁ’ :

ଝୁମର ଗୀତରେ ବିଭିନ୍ନ ଋତୁର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ବିଶେଷତଃ ଏହି ଋତୁ ମଧ୍ୟ ଦେଇ ଜୀବନର ପ୍ରେମ, ମିଳନ, ବିଚ୍ଛେଦ ଆଦି ପ୍ରସଙ୍ଗ ମୁଖ୍ୟ ଭାବରେ ଉପସ୍ଥାପିତ ହୋଇଅଛି । ଯେପରି ହୃଦୟର ଆବେଗ-ଉତ୍କଣ୍ଠାକୁ କବି ପ୍ରକାଶ କରିଛନ୍ତି ଝୁମର ଗୀତର ଋତୁ ବର୍ଣ୍ଣନା ପ୍ରସଙ୍ଗରେ ।

 

(କ)

ଗ୍ରୀଷ୍ମ ଋତୁ -

ନିଦ୍ରାଯେମଦନରାଜ, ଧରିକୁସୁମ ନାରାଚ

 

 

ଯୌବନ କାନନାଙ୍ଗନେ ଶିକାରି ସାଜିଲରେ

ବିରହୀ ଜାଲେ ପଡ଼ିଲ ।

କୋକିଲ ଭ୍ରମରା ଥାଟେ, ଜାଗି ବିଯୋଗୀର ଘାଟେ

ଝିଙ୍କାରି ଝଙ୍କାରେ ଧନୁ ଟଙ୍କାର ମାରିଲରେ ।

(ତୁଳସୀ ଦାସ)

(ଖ)

ବର୍ଷା ଋତୁ -

ଘନେ ଘନେ ଘନ ଗର୍ଜନ କରେ

ଅଙ୍ଗ ଜର ଜର ଅନଙ୍ଗ ଶରେ

ଡାହୁକା ଡାହୁକୀ ସ୍ୱରେ

ମୟୁର ଝଙ୍କାରେ ଧନୁକ ଟଙ୍କାରେ

ଡାକ ଦରଦୁର ଆଦରେ ।

(ତୁଳସୀ ଦାସ)

(ଗ)

ଶରତ ଋତୁ-

ଆଁଧାରଭାଦର ରାତି, ଦେଖିୟେ ତଳପେ ଛାତି

ପତି ନାହିଁ ପଲଙ୍କ ଉପରେ

ସଖୀରେ, ପ୍ରାନଦହେ ମଦନର ଶରେ ।

ଏକେତ ଅବଲାବାଲା ଦୋସରେ ଯୌବନ ଜ୍ୱାଲା

କେମନେ ରହିବ ଶୂନ୍ୟ ଘରେ ସଖୀରେ ।

(ଭାବପ୍ରୀତା)

(ଘ)

ହେମନ୍ତ ଋତୁ-

ହେମନ୍ତେର ଶୀତ ଅଙ୍ଗ କାଁପେ ଥରଥର

ହୃଦୟ ଫାଟେରେ ମୋର ବିନେ ସେ ନାଗର

      ପ୍ରାନ ଧରି କି ସେ ?

ଦିନରାତି ଦହିଛେ ବିରହ ବିଷେ ।

ଏକାକିନୀ ଶଯ୍ୟାଲାଗେ କଣ୍ଟକ ଯେମନ

ରାତିହେଲେ ରତିପତି କରେ ଜ୍ୱାଲାତନ

କୃଷକ ଆନନ୍ଦ ହେରି ପରିପକ୍ୱ ଧାନ

ଶ୍ୟାମବିନା ବିନୋଦିନୀ ବେଆକୁଲ ପ୍ରାନ ।

(ଭବପ୍ରୀତା)

(ଙ)

ଶୀତ ଋତୁ-

ନିହାରେ କମଲ ଫୁଲ ହୋଇଲ ସଂହାର

ଭ୍ରମରେ କୋଟରେ ପାଶ କରେ ହାହାକାର ।

ଚାନ୍ଦ ହୈଲ ବଇରୀ ମୋର ମଦନ ଶମନ

ରଜନୀ ସାପିନୀ ହୟେ କରିଛେ ଦଂଶନ

ଶିଶିରେ ଆସିଆ ଶୀତ ଦିଲ ଦରଶନ

(ଭବପ୍ରୀତା)

(ଚ)

ବସନ୍ତ ଋତୁ-

ଆଇଲ ବସନ୍ତ ଫାଲ୍‌ଗୁନ ମାସେ

ପଡ଼ିଲ ବିରହୀ ମଦନ ଫାଶେ

କାନ୍ଦେ ପ୍ରାନ ନିଶି ବାସରେ

ଦୂତି କର ଧରି ବୋଲନ୍‌ କିଶୋରୀ

ଜ୍ୱରଜ୍ୱର ପ୍ରାନ କାତରେ ।

x            x            x

କୁସୁମିତ ତରୁ ପଲ୍ଲବତାୟ

ବହେ ମନ୍ଦମନ୍ଦ ସମୀରଣ ତାୟ

ସୁଗନ୍ଧେ ଜନମନ ହରେ

କୋକିଲା ହୁଙ୍କାରେ ଭ୍ରମର ଝଙ୍କାରେ

ମଦନ ସାଜେକି ସମରେ ।

(ତୁଳସୀ ଦାସ)

 

ଝୁମର ଗୀତରେ ଆଧ୍ୟାତ୍ମିକ ଜୀବନ ଦର୍ଶନ :

ଲୋକକବି କେବଳ ସମାଜର ଚିତ୍ରକାର ନୁହେଁ, ଜୀବନର ମଧ୍ୟ ଭାଷ୍ୟକାର । ଅନୁଭବି କବି ସତ୍ତା ବେଳେବେଳେ ଜୀବନ ଦର୍ଶନର ଭାବାବେଗକୁ ଉଖାରି ବସିଛି । ଆଧ୍ୟାତ୍ମିକ ଚେତନା ଭିତରେ ସେ ତଥ୍ୟ ଓ ତତ୍ତ୍ୱର ସନ୍ଧାନ କରିଛି । ନଶ୍ୱର ଜଞ୍ଜାଳର ମାୟା ଭିତରେ ଗୁରୁନାମ, ଈଶ୍ୱରାନୁଚିନ୍ତା ସର୍ବୋପରି ସେଥିରୁ ମୁକ୍ତିଲାଭ ନିମନ୍ତେ ବହୁ ଆଧ୍ୟାତ୍ମିକ ଜୀବନ ଦର୍ଶନର କଥା ଝୁମର କବି ଲେଖନୀରେ ମହନୀୟ ରୂପ ପରିଗ୍ରହ କରିଛି । କେତେଗୁଡ଼ିକ ମର୍ମସ୍ପର୍ଶୀ ଜୀବନ ଦର୍ଶନ ଧର୍ମୀ ଝୁମର ଗୀତକୁ ଏଠାରେ ଉଦାହରଣ ଭାବରେ ଲକ୍ଷ୍ୟ କରାଯାଇପାରେ ।

 

ଅନିତ୍ୟ ସଂସାରରେ ଗୁରୁକୃପା ଲାଭ ନିମନ୍ତେ କବି କହନ୍ତି :

 

      ଏ ଭବ ନଦୀ ଆର ମାଝେ, ଦୁଇ ରଙ୍ଗେର ଜଲେ ଆଛେ

                  ବୁଝାଯାଇନା ଅନ୍ଧାକାରେରେ

      ସାଧୁସଙ୍ଗ ବିନେ ଅନ୍ୟେ କିବା ଜାନେ,

                  ନଇଲେ ଡୁବ ଦିତିମାରେ ଏଇ ବାରେରେ ।

      ଗୁରୁପଦ ପାବାର ଆଶେ, ବସେ, ଆଛି ନଦୀର ଘାଟେ

                  ଗୁରୁବାରେ ପାରକର ଏଇବାରେ

      ତୁମିରାଖୋ ଯାରେ ତୋରେ କେବା ମାରେ,

                  ଭନେ ମୂଢ଼ ରାମେଶ୍ୱରେରେ । (ରାମେଶ୍ୱର)

 

ଅର୍ଥାତ – ଏ ସଂସାର ରୂପକ ନଦୀରେ ଦୁଇଟି ରଙ୍ଗର ଜଳ ପରିପୂର୍ଣ୍ଣ ହୋଇଛି । ଅନ୍ଧକାର ଫଳରେ ତାହା ଜଣାପଡ଼ୁନାହିଁ । ସାଧୁସଙ୍ଗ ବିନା ସେଥିରୁ ମୁକ୍ତି ମିଳି ନ ପାରେ । ନହେଲେ ବୁଡ଼ିମରିବା ହିଁ ସାର ହେବ । ତେଣୁ ଭବକାଣ୍ଡାରୀ ସାଜି ଗୁରୁଦେବ ବସି ରହିଛନ୍ତି ନଦୀ ଘାଟରେ । ସେ ଯଦି କୃପା ନ କରିବେ, ତା’ହେଲେ, ଏ ଭବ ସଂସାରରୁ ମୁକ୍ତି ଲଭିବା ଅସମ୍ଭବ ।

 

ପୁନଶ୍ଚ କବି କହନ୍ତି –

                  ‘‘ମାତା ପିତା ଆଦି ପୁତ୍ର ପରିଜନ

                  ବିଚାରିୟା ଦେଖ କେହି କାରନନ୍

                        କହିଛେ ବୁଧ ସାଧୁ ଜନା

                  ଶ୍ରବନେ ନା ଶୁନବେଦ ନାହିଁ ମାନ

                        ଗୁରୁକେତ କଭୁ ଚିହ୍ନନା ।

ଗୁରୁର କଥାତେ ବିଶ୍ୱାସ ନା କର

ଶାସ୍ତ୍ରର ବଚନ କର୍ଣ୍ଣେ ନାହିଁ ଧର

ଭବିଷ୍ୟତ ଚିନ୍ତା କରନା

ପାପଛିଦ୍ର ପେୟେ ଯମେ ଯାବେ ନିୟେ

ତଖନ ହୋଇବେ ଚେତନା ।

(ସନ୍ତୋଷ)

 

ନାମର ମହାତ୍ମ୍ୟ ସମ୍ପର୍କରେ ଲୋକକବିର ବାଣୀ :

 

‘‘ହରିପଦେ ମନ ରାଖହ ସର୍ବଥା/ହେଲାୟ ଜୀବନ କାଟିଓ ବୃଥା

ନାଭୁଞ୍ଜିବେ ଯମ ଯନ୍ତ୍ରଣା

ଅସାର ସଂସାର ନାମ ମାତ୍ର ସାର/ କି କରିବେ ଜୀବନ ଯୌବନା ।

ସମୟ ଥାକିତେ ନା ଭଜିଲେ ତାରେ / ବାର୍ଦ୍ଧକ୍ୟ ବୟସେ ସବ ଜ୍ଞାନ ହରେ

ଭଲ ମନ୍ଦ କିଛି ଥାକେନା

ମୃତ୍ୟୁର ସମୟ ଇନ୍ଦ୍ରିୟ ବଶ ହୟ / ମୁଖେ ବାନୀ ତଖନ ସ୍ଫୁରେନା ।’’

(ସନ୍ତୋଷ)

 

ସେହିଭଳି ଅନ୍ୟ ଏକ ଆକର୍ଷଣୀୟ ଝୁମର ଏଠାରେ ଲକ୍ଷ୍ୟ କରାଯାଇପାରେ । ଗୋଟିଏ ସାଇକେଲକୁ ଶରୀର ଭାବେ ପ୍ରତୀକିତ କରି ତା’ମଧ୍ୟରେ ଯେଉଁ ଶରୀର ତତ୍ତ୍ୱର ବ୍ୟାଖ୍ୟା କରିଛନ୍ତି ଝୁମର କବି, ଟିକିଏ ଲକ୍ଷ୍ୟ କରନ୍ତୁ –

 

            ‘‘ଶୂନେ ହାଁସି ପାଇରେ ମନେ,

            ଏକଟି ସାଇକେଲର ତିନ୍‌ଟି ଚାକା ଦେଖିୟା ନୟନେ

            ଦଶଟି ଫେରେମେ ସାଇକେଲଟି ତୟରୀ

            ପାଞ୍ଚଟି ହେଣ୍ଡେଲ ତାର ଉପରି

                  ହେଣ୍ଡେଲେ ଧରିଛି ଏକ ଜନେ ।

            ଏକଟି ଚାଲକେ ଚାଲଇ ସାଇେକଲ

                  ସାଇକେଲ ଛୁଟିଛି ଆସମାନେ ।

            ଯାହାତେ ସାଇକେଲଟି ନାହୟ ଚୋରି

            ସେ ଭାବେ ସାଇେକେଲଟି କରେଛେ ତୈରି

            ରାଖା ରେଖେଛେ ଛୟ ଜନେ,

            କି ବୋଲବ ଭାଇ ହାଁସିର କଥା

            ଦୁଇଜନ ବାଁନ୍ଧା ତାର ପିଛନେ ।’’

(ନିତ୍ୟାନନ୍ଦ)

 

ଅର୍ଥାତ୍ – ‘‘ଗୋଟିଏ କଥା ଦେଖି ହସ ଲାଗୁଛି । ଗୋଟିଏ ସାଇକେଲରେ ତିନୋଟି ଚକା ରହିଛି ଏବଂ ଦଶଗୋଟି ଫ୍ରେମ୍ ରହିଛି । ପାଞ୍ଚଟା ହ୍ୟାଣ୍ଡେଲ ତା’ଉପରେ ରହିଛି ଯାହାକୁ ଧରି ଜଣେ ଚାଳକ ଆକାଶରେ ଛୁଟି ଚାଲିଛି । ପୁଣି ସାଇକେଲ ଯେପରି ଚୋରି ନ ହେବ, ସେଭଳି ତାହା ତିଆରି ହୋଇଛି ଅର୍ଥାତ୍ ଛ’ଜଣ ତାକୁ ଜଗିଛନ୍ତି । ଆଉ ବା କ’ଣ କୁହାଯାଇ ପାରେ – ଦୁଇଜଣ ଲୋକ ତା’ପଛରେ ବନ୍ଧା ହୋଇଛନ୍ତି ।’’

 

ଏହି ଝୁମରଟିର ପାଠ କଲେ ପଞ୍ଚସଖାଯୁଗୀୟ ସାଧକମାନଙ୍କର ଶରୀର ତତ୍ତ୍ୱମୂଳକ ଭଜନ ଓ ରଚନା କଥା ମନେ ପଡ଼ିଯାଏ । ଝୁମର କବି ଏହି ଦର୍ଶନ ତତ୍ତ୍ୱ, ଶରୀର ତତ୍ତ୍ୱ, ଆଧ୍ୟାତ୍ମିକ ଚେତନାକୁ ଖୁବ୍ ମନୋଜ୍ଞ ଭାବରେ ଉତ୍କୀର୍ଣ୍ଣ କରାଇପାରିଛି ଆପଣାର ଝୁମର ଗୁଡ଼ିକରେ ।

 

ଝୁମର ଗୀତରେ ସାମାଜିକ ଜୀବନ ଚିତ୍ର:

ଅନ୍ୟାନ୍ୟ ପ୍ରସଙ୍ଗ ପରି କ୍ରମେ ଝୁମର ଲୋକସମାଜର ଜୀବନ ଧାରାକୁ ଆଶ୍ରୟ କରିଛି । ସବୁଜ ବା ରଙ୍ଗୀନ ଯୁଗୀୟ ଝୁମରଗୁଡ଼ିକ ଏହି ପର୍ଯ୍ୟାୟବାଚୀ । ଏଥିରେ ସାମାଜିକ ଜୀବନରେ ପରିଦୃଷ୍ଟ କେତେକ ଘଟଣା ଯେପରି-ପାରିବାରିକ ଜୀବନଶୈଳୀ ଏବଂ ତହିଁରେ ସ୍ୱାମୀ-ସ୍ତ୍ରୀ, ଶାଶୂ-ଶ୍ୱଶୁର-ନଣନ୍ଦ-ଦିଅର, ପ୍ରେମ, ରାଗରୁଷା ଆଦି ଜୀବନ୍ତ ଭାବରେ ରୂପ ପାଇଛି । ଏତଦ୍‍ବ୍ୟତୀତ ସମାଜ ଜୀବନରେ ପରିଦୃଷ୍ଟ ବିଭିନ୍ନ ସମସ୍ୟା, ଯୌତୁକ, ବିବାହ, ରାଜନୈତିକ ଘଟଣା ଆଦି ଲୋକଙ୍କର ଝୁମରଗୀତରେ ମଧ୍ୟ ଦେଖାଯାଇଥାଏ । କେତୋଟି ଉଦାହରଣ ମାଧ୍ୟମରେ ଏହି ପ୍ରସଙ୍ଗକୁ ଅବତାରଣା କରାଯାଇପାରେ –

 

ମଦ୍ୟପ ସ୍ୱାମୀର ଅତ୍ୟାଚାରରେ ସ୍ତ୍ରୀର ବକ୍ତବ୍ୟ ନିମ୍ନୋକ୍ତ ଝୁମରରେ-

 

‘‘ହାତେ ମାରିଲେ ସହିନେଲି, ଭାତେ ମାରିଲେ ସହିନେଲି

ତେବେ ବି ତୋର ଦିନ କେଳେ କେଚେଗୋ

ସହି ସହି ଆର ସହିବି କେତେ ।

ଦିନସାରା ଖଟି ଖଟି, ସଞ୍ଜେ ଖାଇଲି ଆମ୍ବଡ଼ା ଚାଟି

ଏମିତି କରି ଦିନ୍‌ କାଟିବି କେତେ ଗୋ ।’’

 

ସ୍ୱଳ୍ପବେତନ ଭୋଗୀ ସ୍ତ୍ରୀର ବଦଖର୍ଚ୍ଚୀ ସ୍ୱଭାବ –

 

      ‘‘କେତେ ଢଙ୍ଗେ କାଟୁଛି ଶୀଁତା

            ଘନେ ଘନେ ପାଦେ ଅଳତା ଗୋ

                  ଦେଖି ଦେଖି ହେଲି ବିଷ୍‌ପିତା ।

      x x ସହରେ ରଖିଲେ ଖୁସିହେବ ବୋଲି

            ପୁରୀ ସମ୍ବଲପୁର ବୁଲାଇ ଆଣିଲି

            (ଆହୁରି) ଯିବ କହୁଛି କଲିକତା ଗୋ ।’’

 

ବିବାହ କରି ମନସ୍ତାପ କରିବା ପ୍ରସଙ୍ଗ ଝୁମରରେ :

 

‘‘ଏକା ଛିଲି ଭାଲ ଛିଲି, କେନ ପରେର ଦେଖେ କରଲି ହେ

ଘୂରା ଫେରା ବନ୍ଦ ହୋଇଲ ସଂସାରେର କାଜେ ।

ମାୟାଜାଲେ ପଡ଼େ ଏଖନ ଭୁଲେଛି ଆପନ ଜନହେ

ଦିନେର କ୍ଷୁଧା ରାତେର୍ ଘୁମ୍‍ହେ ଗେଲ ମିଛ କାଜେ ।’’

 

ଅର୍ଥାତ୍‍- ବ୍ୟକ୍ତିଜଣଙ୍କର ଭକ୍ତି – ‘‘ଏକାଥିଲି ଭଲରେ ଥିଲି । କାହିଁକି ଅନ୍ୟର ଦେଖି ବିବାହ କଲି ? ମାୟାଜାଲରେ ପଡ଼ିଲାରୁ ଏବେ ବୁଲାବୁଲି ବନ୍ଦ ହୋଇଗଲା । ଏପରିକି ଦିନରେ ଭୋକଶୋଷ ଓ ରାତିର ନିଦ ମଧ୍ୟ ହଜିଯାଇଛି ।’’

 

ସେହିପରି ସମାଜରେ ଅର୍ଥଲୋଭୀ ପିତା ବୃଦ୍ଧବର ହସ୍ତରେ କନ୍ୟାକୁ ଅର୍ପଣ କରିବା ପରେ କନ୍ୟାର ଦୁର୍ଦ୍ଦଶା ବଢ଼ିଯାଇଛି । ତେଣୁ ସେ କହୁଛି –

 

‘‘ବାପା ବିହା ଦିଲ ବୁଢ଼ାବରେ ଗୋ, ଦିନେ ରାଇତେ ଜଞ୍ଜାଲି କରେ

ଅନେକ ଗୁଲା ଟାକା ପାଇଲା, ବୁଢ଼ାର କଥାୟ ରାଜି ହୟଲ

ତୋଫାନ ବାନେ ଭାସାଇଁ ଦିଲ ମୋରେ ଗୋ

ଶୁନ ବୁଢ଼ାର ଗୁନେର କଥା, ତେଲ ଦେୟନା ରୁଖାମାଥା

ବିକାଲ ବେଲା ରୋଜେଇ ମାଥା ଧରେ ଗୋ ।’’

 

ଅର୍ଥାତ୍ – କନ୍ୟାଟି କହୁଛି – ‘‘ବାପା ବୁଢ଼ାବର ଦେଖି ବିବାହ କରିଦେଲେ । ଅନେକ ଟଙ୍କା ନେଇ ବୁଢ଼ା କଥାରେ ରାଜି ହୋଇଗଲେ । ହେଲେ ମୋତେ ତୋଫାନରେ ଭସାଇ ଦେଲ । ନିତି ଜଞ୍ଜାଳ କରି କରି ମରୁଛି । ବୁଢ଼ାର ଗୁଣ କହିଲେ ସରିବନି । ମୁଣ୍ଡରେ ତେଲ ଲଗାଇବାକୁ ଦିଏନା । ଯେଉଁଥି ପାଇଁ ଶୁଖିଲା ମୁଣ୍ଡ ପ୍ରତି ଉପରବେଳା ପୀଡ଼ା କରେ ।’’

 

ପ୍ରେମର ପ୍ରସଙ୍ଗ ଝୁମର ଗୀତରେ ନିଆରା । ସେସବୁର ବ୍ୟାପକ ଆଲୋଚନା ଏଠାରେ ସମ୍ଭବ ନୁହେଁ । ଗୋଟିଏ ଗୀତରେ ପ୍ରଥମ ପ୍ରେମର ରୂପ ଏଠାରେ ପରିଦୃଷ୍ଟ –

 

ଭୁଜାର ମଜା ରସୁନ୍ ପେଆଜ୍‌

ଭାତେର ମଜା ତରକାରି

ପ୍ରଥମ ପିରିତେର ମଜା

ଆଖ୍ ଠାରା ଠାରି ।

 

ଅର୍ଥାତ୍ – ମୁଢି ଖାଇବାର ମଜା ଯେପରି ପିଆଜରସୁଣ ସହିତ, ଭାତ ସହିତ ଯେପରି ତରକାରୀ, ସେହିପରି ପ୍ରଥମ ପ୍ରେମର ମଜା ଆଖିଠାର ବା ଆଖି ମିଶାରେ ହୋଇଥାଏ ।

 

ଏହିଭଳି ଅନେକ ସାମାଜିକ ଘଟଣା ଝୁମର ଗୀତରେ ସୁଲଭ । ପୁନଶ୍ଚ ଝୁମରରେ ‘ରଙ୍ଗ’ ଏକ ଭିନ୍ନ ପ୍ରସଙ୍ଗ । ଯାହାକୁ ‘ଦାୟିକା’ କୁହାଯାଇଥାଏ । ତେଣୁ ସମାଜର ସକଳ ରୂପଛବି ଝୁମର ଗୀତରେ ପ୍ରସ୍ଫୁଟିତ ଏବଂ ଏହି ସମସ୍ତ ଗୀତ ମଧ୍ୟ ସମାଜରେ ବେଶ୍ ଆଦୃତ । ଏହିଭଳି ବହୁବିଧ ଉପାଦାନରେ ‘ଝୁମର‘ ସମୃଦ୍ଧ । କେବଳ ଏହା ଲୋକ ସଙ୍ଗୀତ କହିଦେଲେ ହେବ ନାହିଁ । ଯଥାର୍ଥ ସାହିତ୍ୟ ଭାବରେ ମଧ୍ୟ ଏହା ଉପଯୁକ୍ତ ମର୍ଯ୍ୟାଦା ବହନ କରୁଥିବାର ପ୍ରମାଣ ଉକ୍ତ ଆଲୋଚନାରୁ ଅନୁମତି ହୋଇଥାଏ । କେବଳ ରସ, ଅଳଙ୍କାର, ଋତୁ, ପ୍ରକୃତି ବର୍ଣ୍ଣନା ନୁହେଁ, ଆହୁରି ଅନେକ ପ୍ରସଙ୍ଗ ଏହି ଝୁମର ଗୀତମାନଙ୍କୁ ବିଶ୍ଲେଷଣ କରାଯାଇ ପାରେ । ଯାହାର ଆଲୋଚନା ସମୟ ସାପେକ୍ଷ ।

 

ଊନବିଂଶ ଶତାବ୍ଦୀର ସାନ୍ତଳା ପ୍ରଗଣାର ଭବପ୍ରୀତାନନ୍ଦ, ସିଂହଭୂମର ଦୀନନାଥ ଅନନ୍ତରାୟ, ରାମକୃଷ୍ଣ ଗାଙ୍ଗୁଲି, ଷଢ଼େଇକଳାର ବୃନ୍ଦାବନ ମାଝୀ, ପୁରୁଲିଆର ପିତାମ୍ବର ଦାସ ଏବଂ ସର୍ବମାନ୍ୟ ଓଡ଼ିଶାର ତୁଳସୀଦାସ ଓ ବାଉଳ ଦାସ କୁର୍ମାଳୀ ଝୁମରର ଜଣେ ଜଣେ ଅଗ୍ରଗଣ୍ୟ କବି । ପୁନଶ୍ଚ ମୟୁରଭଞ୍ଜର ସୁଯୋଗ୍ୟ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ରାମଚନ୍ଦ୍ର ଭଞ୍ଜଦେଓ, ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏବଂ ପ୍ରତାପଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ ରାଜନ୍ୟବର୍ଗଙ୍କ ପୃଷ୍ଠପୋଷକତା ମଧ୍ୟ ଝୁମର ଗୀତ-ନୃତ୍ୟର ବିକାଶରେ ବହୁମାତ୍ରାରେ ସହାୟକ ହୋଇପାରିଛି । ଚଳିତ ଶତାବ୍ଦୀରେ ଏହି ଝୁମର ପରମ୍ପରାକୁ ଆଗେଇ ନେବାର ବହୁ କବିମାନେ ଝୁମର ରଚନାରେ ବ୍ରତୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଧାନବାଦର କମଳାଝରିଆ, ପୁରୁଲିଆର ସୃଷ୍ଟିଧର ମହାନ୍ତ, ଜାମସେଦପୁରର ବିପିନ ବିହାରୀମୁଖୀ, ସିଂହଭୂମର ଶଙ୍କର ସଦ୍ଦାର, ହାଡ଼ିବନ୍ଧୁ ରାୟ, ଷଢ଼େଇକଳାର ଚୈତନ୍ୟ କର୍ମକାର ଏବଂ ମୟୁରଭଞ୍ଜର ଗିରୀଶଚନ୍ଦ୍ର ମହାନ୍ତ, ଲଳିତ କୁମାର ମହାନ୍ତ, ଆଦିକନ୍ଦ ମହାନ୍ତ ପ୍ରମୁଖ ଝୁମର କବି ଓ ଗବେଷକଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ ।

 

ଏହି ଝୁମର ଗୀତ ଓ ନୃତ୍ୟ କେବଳ କୁଡ଼ୁମିମାନଙ୍କ ସମ୍ପତ୍ତି ହୋଇରହିନି, ଭୌଗୋଳିକ ସୀମାତିକ୍ରମ କରି ଏହା ସର୍ବ ଭାରତୀୟ ସ୍ତରେର ସ୍ୱତନ୍ତ୍ର ପରିଚୟ ବହନ କରିବାରେ ସମର୍ଥ ହୋଇଛି । ତେଣୁ ଏ ସବୁ ଭିତରେ ବି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ, ବିହାର ଆଦି ପ୍ରଦେଶମାନଙ୍କରେ ରଚିତ ଝୁମରକୁ ଉପେକ୍ଷା କରାଯାଇ ନପାରେ । ଏ ସମସ୍ତ ଝୁମର ସମ୍ପର୍କରେ ଏକ ସାମଗ୍ରିକ ସଂକଳନ ଓ ସମକ୍ଷାର ଆବଶ୍ୟକତା ରହିଛି । ତେଣୁ ଝୁମର ଆଜି ଅନାଲୋଚିତ ପ୍ରସଙ୍ଗ ହୋଇରହିନାହିଁ । ବହୁ ଅନିସନ୍ଧିତ୍ସୁ ଏହାର ପ୍ରସାର-ପ୍ରଚାରରେ ମଧ୍ୟ ମନୋନିବେଶ କରିବାର ଦୃଷ୍ଟିଗୋଚର ହେଉଛି । ଏ ସମ୍ପର୍କରେ ମୟୁରଭଞ୍ଜର ‘ଆମ୍ବେଦକର ସାହିତ୍ୟ ପରିଷଦ’ର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କୁଡ଼ୁମି ଜାଗରଣ ଭଳି ଏକ ଚେତନା ଉଦ୍ରେକ ମଧ୍ୟରେ ଝୁମରର ପ୍ରସାର ଲାଗି ଯଥେଷ୍ଟ ଉଦ୍ୟମ କରିବାର ପ୍ରୟାସ ଏହି ଅନୁଷ୍ଠାନର ପ୍ରମୁଖ କାରଣ ହୋଇଛି ।

 

ଯାହା ହେଉନା କାହିଁକି ମୟୂରଭଞ୍ଜର କୁର୍ମାଳି ଝୁମର ଆଜି ସମଗ୍ର ଭାରତରେ ନିଜର ପରିଚୟ ତିଆରି କରିପାରିଛି । କେବଳ ଏକ ପାରମ୍ପରିକ ଲୋକଗୀତ ଭାବରେ ଏହା ସୀମିତ ନ ରହି ଛଉନୃତ୍ୟ ସହ ତାହା ସମୀଭୂତା ହୋଇଛି ଏବଂ ଏକ ଉନ୍ନତ ସାହିତ୍ୟିକ ମର୍ଯ୍ୟାଦାର ମଧ୍ୟ ସମସ୍ତ ଗୁଣ ମଧ୍ୟ ହାସଲ କରିଛି । ତେଣୁ ଜାତୀୟ ଜୀବନର ଏହି ମହାର୍ଘ ସମ୍ପତ୍ତି ‘ଝୁମର ଗୀତ’ ଏକ ଉତ୍କୃଷ୍ଟ ଲୋକକଳା ଭାବରେ ଯେ ପ୍ରତିଷ୍ଠିତ, ତାହା ଅସ୍ୱୀକାର କରାଯାଇ ନପାରେ ।

 

ସଂକେତ ସୂଚୀ:

(୧)

ମୟୂରଭଞ୍ଜ ଭାଷାରେ ‘ହଡ଼’ ଅର୍ଥ ମଣିଷ ଓ ‘ମିତାନ ଅର୍ଥ ବନ୍ଧୁ (friend) । ମୟୂରଭଞ୍ଜରେ ସାନ୍ତାଳ, ମୁଣ୍ଡା ଆଦି ନିଜକୁ ହଡ଼ମିତାନ୍ ବା ହଳ୍ ବୋଲି କହନ୍ତି । (ଝୁମର ସଙ୍ଗୀତରେ ମୟୂରଭଞ୍ଜ ସଂସ୍କୃତି- ‘‘ଝୁମର ସମୀକ୍ଷା’’ – ଡଃ ଆଦିକନ୍ଦ ମହାନ୍ତ, ପୃ-୧୨) ।

(୨)

‘ମହାନ୍ତ-ମାଝୀ ଭାଇଭାଇ’ – ‘‘କୁଡ଼ୁମି’’ : ଏକ ଜନଜାତି – ଅଧ୍ୟାପକ ଗୋପବନ୍ଧୁ, ଆମ୍ବେଦକର ସାହିତ୍ୟ ପ୍ରକାଶନ, ପୃ-୨୮ ।

(୩)

‘ଝୁମର : ଏକ ଅନାଲୋଚିତ କଳା’ – ଲଳିତ କୁମାର ମହାନ୍ତ – ‘ଝଙ୍କାର’ : ଅଗଷ୍ଟ – ୧୯୮୫, ପୃ-୩୯୮ ।

(୪)

‘ଝୁମରର ସ୍ୱରୂପ’ – ‘ଝୁମର ସମୀକ୍ଷା’ – ଡଃ ଆଦିକନ୍ଦ ମହାନ୍ତ – ଆମ୍ବେଦକର ସାହିତ୍ୟ ପରିଷଦ, ପୃ-୫ ।

(୫)

‘‘ଝୁମର କ’ଣ ? ଏକ ଅବଲୋକତ’’ – ଗିରୀଶ ଚନ୍ଦ୍ର ମହାନ୍ତ, ୪ ଡିସେମ୍ବର ୧୯୯୬ ମସିହାରେ ଆକାଶବାଣୀ କଟକ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଝୁମର ସମାରୋହେର ପ୍ରଦତ୍ତ ଅଭିଭାଷଣ ।

(୬)

ତତ୍ରୈବ ।

(୭)

ଝୁମର ରସ ମଞ୍ଜୁଷା – ଗିରୀଶ ଚନ୍ଦ୍ର ମହାନ୍ତ, ରାଇରଙ୍ଗପୁର, ପୃ-୨ ।

(୮)

ତତ୍ରୈବ, ପୃ-୫ ।

 

ସହାୟକ ଗ୍ରନ୍ଥସୂଚୀ

(୧)

ଝୁମର ଓ ଝୁମରଦେଶ (ସଂକ) – ଗିରୀଶ ଚନ୍ଦ୍ର ମହାନ୍ତ, କୋଣାର୍କ, ପବ୍ଲିଶର୍ସ, କଟକ, ୧ମ ପ୍ର-୧୯୯୩ ।

(୨)

ଶହେଟି ଝୁମର – ଗିରୀଶଚନ୍ଦ୍ର ମହାନ୍ତ, ରାଇରଙ୍ଗପୁର, ମଯୂରଭଞ୍ଜ ।

(୩)

ଝୁମର ରସ ମଞ୍ଜୁଷା – ୰ ବାଉଳ ଦାସ (ସଂକ) – ଗିରୀଶ ଚନ୍ଦ୍ର ମହାନ୍ତ । ରାଇରଙ୍ଗପୁର, ମଯୂରଭଞ୍ଜ ।

(୪)

କୁର୍ମାଳୀ ଲୋକଗୀତର ସଂକ୍ଷିପ୍ତ ପରିଚୟ – ଗିରୀଶଚନ୍ଦ୍ର ମହାନ୍ତ – ଆକାଂକ୍ଷା ପବ୍ଲିକେଶନ୍‌ସ, ବାରିପଦା-୧୯୯୬

(୫)

କୁଡ଼ୁମାଲୀ ସାଂସ୍କୃତିକ ପରିଚୟ – ଅଧ୍ୟାପକ ଗୋପବନ୍ଧୁ – ଆମ୍ବେଦକର ସାହିତ୍ୟ ପ୍ରକାଶନ, ମଯୂରଭଞ୍ଜ, ୧ମ-୨୦୦୬ ।

(୬)

ଝୁମର ସମୀକ୍ଷା – ଡଃ ଆଦିକନ୍ଦ ମହାନ୍ତ – ଆମ୍ବେଦକର ସାହିତ୍ୟ ପରିଷଦ, ମଯୂରଭଞ୍ଜ, ୧ମ-୨୦୦୬ ।

(୭)

କୁଡୁମୀ : ଏକ ଜନଜାତି – ଅଧ୍ୟାପକ ଗୋପବନ୍ଧୁ – ଆମ୍ବେଦକର ସାହିତ୍ୟ ପରିଷଦ, ମଯୂରଭଞ୍ଜ, ୧ମ-୨୦୦୫ ।

(୮)

ଲୋକ ସାହିତ୍ୟେ ପ୍ରେମ ପ୍ରସଙ୍ଗ (ବଙ୍ଗଳା) – ଡଃ ବିଧାନ ମାହାତ, ଲୋକ ସାହିତ୍ୟ ପ୍ରକାଶନୀ, କୋଲକାତା – ୧୯୯୫ ।

(୯)

ଲୋକ ସଂସ୍କୃତି ପାଠେର ଭୂମିକା (ବଙ୍ଗଳା) – ଡଃ ତୁଷାର ଚଟ୍ଟୋପାଧ୍ୟାୟ – ଦେଜ୍ ପବ୍ଲିଶିଂ, କୋଲକାତା – ୧ମ – ୨୦୦୧ ।

(୧୦)

ପତ୍ରିକା ’ଝଙ୍କାର’ – ’୩୫ ବର୍ଷ-୨ୟ ସଂଖ୍ୟା’, ‘୩୬ବର୍ଷ-ଦ୍ୱାଦଶ ସଂଖ୍ୟା’, ‘୩୭ବର୍ଷ-୫ମ ସଂଖ୍ୟା’ ।

 

ଗବେଷକ, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, କଟକ

 

***

 

Unknown

ସାହିତ୍ୟଦର୍ପଣାକାର ବିଶ୍ୱନାଥ କବିରାଜ : ବଂଶ ଓ କୃତି

ତପନ କୁମାର ଶତପଥୀ

 

ବିଶ୍ୱନାଥ କବିରାଜ ଏକାଧାରାରେ ଜଣେ ଉଚ୍ଚକୋଟୀର ପ୍ରଚଣ୍ଡ ପ୍ରତିଭାଧର କବି ଓ ଅସାଧାରଣ ମେଧା ସମ୍ପନ୍ନ ଆଳଙ୍କାରିକ ଥିଲେ । ଉତ୍କଳ ଜନନୀଙ୍କର କତିପୟ ଯୋଗ୍ୟତମ ସନ୍ତାନମାନଙ୍କ ମଧ୍ୟରେ ବିଶଷଷତଃ ସାରସ୍ୱତ ଜଗତେ ସେ ଅଗ୍ରଗଣ୍ୟ । ତାଙ୍କ ବିରଚିତ ଅଳଙ୍କାର ଶାସ୍ତ୍ର ‘‘ସାହିତ୍ୟ ଦର୍ପଣ’’ରେ ସେ ତାଙ୍କ ପୂର୍ବପୁରୁଷ କପିଞ୍ଜଳ ଗୋତ୍ରୀୟ ବ୍ରାହ୍ମଣ ବଂଶୋଦ୍ଭବ ରାଘବାନନ୍ଦ ମହାପାତ୍ର ସାନ୍ଧିବିଗ୍ରହିଙ୍କର ଏକ ପାଣ୍ଡିତ୍ୟପୂର୍ଣ୍ଣ ଦଶାବତାର ଶ୍ଳୋକ ଉଦ୍ଧାର କରିଛନ୍ତି – ଯଥା –

 

ମହାପାତ୍ର ରାଘବାନନ୍ଦ ସାନ୍ଧିବିଗ୍ରହାଣାମ୍-

ଯସ୍ୟାଲୀୟତ ଶଳ୍‌କସୀମ୍ନି ଜଳଧିଃପୃଷ୍ଠେ ଜଗନ୍ମଣ୍ଡଳମ୍,

ଦଂଷ୍ଟ୍ରାୟାଂ ଧରଣୀ, ନଖେ ଦିତିସୂତାଧୀଶଃ, ପଦେ ରୋଦସୀ,

କ୍ରୋଧେ କ୍ଷତ୍ରଗଣଃ, ଶରେ ଦଶମୁଖଃ ପାଣୌ ପ୍ରଳମ୍ବାସୁରେ,

ଧ୍ୟାନେ ବିଶ୍ୱମସାବଧାର୍ମିକକୁଲମ୍‍ ତସ୍ମୈ ଚିଦସ୍ମୈ ନମଃ (୧)

 

ଅର୍ଥାତ-      ଭଗବାନଙ୍କର ଶଳ୍କ ପ୍ରଦେଶରେ ସମୁଦ୍ର ଲୀନ ହୋଇ ଯାଇଥିଲା (ମତ୍ସ୍ୟ), ପୃଷ୍ଠରେ ଜନନ୍ମଣ୍ଡଳ (କଚ୍ଛପ), ଦନ୍ତାଗ୍ରରେ ଧରଣୀ (ବରାହ), ନଖରେ ହରିଣ୍ୟ କଶିପୁ (ନୃସିଂହ), ପଦରେ ଆକାଶ (ବାମନ), କ୍ରୋଧରେ କ୍ଷତ୍ରୀୟ କୁଳ (ପର୍ଶୁରାମ), ଶରରେ ଦଶମୁଖ (ରାମ), ହସ୍ତରେ ପ୍ରଳମ୍ବାସୁର (ବଳରାମ), ଧ୍ୟାନରେ ସକଳ ବିଶ୍ୱ (ବୁଦ୍ଧ), ଖଡ଼୍‌ଗରେ ମ୍ଲେଚ୍ଛଗଣ (କଳ୍‌କୀ) ଲୀନ ହୋଇଯାଇଥିଲେ । ଏହିଭଳି ଅନିର୍ବଚନୀୟ ପୁରୁଷଙ୍କୁ ମୋର ନମସ୍କାର । ଭଗବତ୍ ରତି ପ୍ରସଙ୍ଗରେ ଉଲ୍ଲେଖ କରିବାକୁ ଯାଇ ଲେଖିଛନ୍ତି -

 

ପୁନଶ୍ଚ, ରାଘବାନନ୍ଦ ମହାପାତ୍ରାସ୍ତୁ ବୈସାଦୃଶ୍ୟାତ୍ ସ୍ମୃତିମପି ସ୍ମରଣାଳଙ୍କାରମ୍ ଉଦାହରଣ-ଶିରୀଷ ମୃଦ୍ୱୀ ଗିରିଷୁ ପ୍ରପେଦେ, ଯଦା ଯଦା ଦୁଃଖ ଶତାନି ସୀତା ।

 

ତଦା ତଦାସ୍ୟାଃ ସଦନେଷୁସୌଖ୍ୟ, ଲକ୍ଷ୍ୟାଣି ଦଧୌ ଗଳଦଶ୍ରୂ ରାମଃ ।। (୨)

 

୧.

ବିଶ୍ଵନାଥ କବିରାଜ ,ସାହିତ୍ୟ ଦର୍ପଣ ,ଅନୁ -ନାରାୟଣ ମହାପାତ୍ର ,ପ୍ର-ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭)-ପ୍ରଥମ ପରିଚ୍ଛେଦ ,ପୃ – ୨୦, ୨୧

୨.

ତତ୍ରୈବ,ଦଶମ ପରିଚ୍ଛେଦ, ପୃ -୬୩୩

 

ଶିରୀଷ କୁସୁମ ତୁଲ୍ୟ କୋମଳାଙ୍ଗୀ ସିୀତା ଗିରିକାନନ ବୁଲି ବୁଲି ଅନେକ ଦୁଃଖ ପାଇଲେ । ସେତେବେଳେ ଅଯୋଧ୍ୟାର ଉଆସରେ ସୁଖପ୍ରଦ ଦିନଗୁଡ଼ିକୁ ସ୍ମରଣ କରି କରି ରାମଙ୍କ ନେତ୍ରରୁ ଅଶ୍ରୁ ବହିବାକୁ ଲାଗିଲା ।

 

ବିଶ୍ୱନାଥ ନିଜ ବୃଦ୍ଧ ପ୍ରପିତାମହ ନାରାୟଣ ଦାସଙ୍କ ବିଷୟରେ ଲେଖିଛନ୍ତି-

 

‘‘ଚମତ୍କାରଶ୍ଚିତ୍ତ ବିସ୍ତାରରୂପୋ ବିସ୍ମୟାପରପର୍ଯ୍ୟାୟଃ । ତତ୍‌ ପ୍ରାଣତ୍ୱଞ୍ଚ ଅସ୍ମଦ୍ ବୃଦ୍ଧ ପ୍ରପିତାମହ ସହୃଦୟଗୋଷ୍ଠୀ ଗରିଷ୍ଠ କବି ପଣ୍ଡିତ ମୁଖ୍ୟ ଶ୍ରୀମାନ ନାରାୟଣ ପାଦୌରୁକ୍ତମ୍) ତଦାହଃ ଧର୍ମଦତ୍ତଃ ସ୍ୱଗ୍ରନ୍ଥେ ‘‘ରସେ ସାରଶ୍ଚମତ୍କାରଃ ସର୍ବତ୍ରାପ୍ୟନୁଭୂୟତେ । ତତ୍‌ ଚମତ୍କାରସାରତ୍ୱେ ସର୍ବତ୍ରାପ୍ୟଭୂତୋ ରସଃ । ତସ୍ମାତ୍ ଅଦ୍ଭୁତମେବାହ କୃତୀ ନାରାୟଣୋ ରସମ୍ ।’’ (୩)

 

ନାରାୟଣ ଦାସ ଜଣେ ପ୍ରସିଦ୍ଧ ପଣ୍ଡିତ, କବି ଓ ଆାଳଙ୍କାରିକ । ସେ ଗଙ୍ଗବଂଶ ନୃପତି ପ୍ରଥମ ନରସିଂହଦେବଙ୍କ ରାଜସଭା ମଣ୍ଡନ କରିଥିଲେ । ଏକଦା ଧର୍ମଦତ୍ତ ନାମ ଜନୈକ ଦିଗ୍‌ବିଜୟୀ ପଣ୍ଡିତ ବିଦେଶାଗତ ହୋଇ ପ୍ରଥମ ନରସିଂହଙ୍କ ରାଜସଭାରେ ଉପଗତ ହେଲେ । ତାହାଙ୍କୁ ଶାସ୍ତ୍ରାଲୋଚନାରେ ନାରାୟଣ ଦାସ ପରାସ୍ତ କରି ବିଶେଷ ସମ୍ମାନ ଳାଭ କରିଥିଲେ । ଏହା ତାଙ୍କୁ ରସ ଶାସ୍ତ୍ର ବିଚାର ବିମର୍ଷ ଉପରେ ଜାତୀୟ ସ୍ତରରେ ବିଶେଷ ପ୍ରତିଷ୍ଠା ଦେଇ ପାରିଥିଲା-। ଏହି ଘଟଣାକୁ ତାଙ୍କର ଉତ୍ତର ପୁରୁଷ ଚଣ୍ଡୀଦାସ, ବିଶ୍ୱନାଥ କବିରାଜ ଓ ଅନନ୍ତ ଦାସ ପ୍ରଭୃତି ନିଜ ନିଜ ରଚନାରେ ଉଲ୍ଲେଖ କରି ନିଜ ବଂଶର ଗୌରବଗାନ କରିଛନ୍ତି । (୪)(୫)

 

ଧର୍ମଦତ୍ତ ନିଜେ ତାଙ୍କ ଗ୍ରନ୍ଥରେ ନାରାୟଣ ଦାସଙ୍କ ପାଣ୍ଡିତ୍ୟ ଓ ବାଗ୍ମୀତାର ଉଚ୍ଚ ପ୍ରଶଂସା କରି ଲେଖିଛନ୍ତି – ଚମତ୍କାର ହେଉଛି ଚିତ୍ତର ବିସ୍ତାର ରୂପ । ସାଧାରଣଭାବେ ମୋର ତୋର ଏପରି ଭାବନାରୁ ଚିତ୍ତ ସଂକୀର୍ଣ୍ଣ ହୋଇଥାଏ । ଦିବ୍ୟ ରସାନୁଭୂତି ହେଲେ ଏହି ସଂକୀର୍ଣ୍ଣତା ରହେ ନାହିଁ । ତେଣୁ ଯଥାର୍ଥରେ ଚମତ୍କାର ହେଉଛି ବିସ୍ମୟ ପର୍ଯ୍ୟାୟଭୁକ୍ତ । ତେଣୁ ସର୍ବତ୍ର ସେହି ରସର ଚମତ୍କାରିତା ସାର ରୂପରେ ପ୍ରାଣସତ୍ତା ଓ ଜୀବନକୁ ସ୍ପନ୍ଦିତ କରିଥାଏ । ଧର୍ମଦତ୍ତ ନିଜ ଗ୍ରନ୍ଥରେ ଏହି ରସକୁ ନାରାୟଣ ରସ ରୂପରେ ଅଭିହିତ କରି ପଣ୍ଡିତ ନାରାୟଣ ଦାସଙ୍କୁ ନିଜର ଭକ୍ତି ନିବେଦନ କରିଛନ୍ତି । ଏଠାର, ବିଶ୍ୱନାଥ କବିରାଜ ମଧ୍ୟ ନାରାୟଣ ଦାସଙ୍କୁ ନିଜର ବୃଦ୍ଧ ପ୍ରପିତାମହ, ସହୃଦୟ ଗୋଷ୍ଠୀର ଗରିଷ୍ଠ କବି ଓ ପଣ୍ଡିତମାନଙ୍କ ମଧ୍ୟରେ ମୁଖ୍ୟ ବୋଲି ଅଭିହିତ କରିଛନ୍ତି । (୬)

 

ଉତ୍କଳୀୟ କବି ଜୟଦେବଙ୍କର ଗୀତଗୋବିନ୍ଦ ଉପରେ ଏକ ସାରଗର୍ଭକ ଓ ପାଣ୍ଡିତ୍ୟପୂର୍ଣ୍ଣ ଟୀକାନରାୟଣ ଦାସ ରଚନା କରିଥିଲେ । ଏହା ‘‘ସର୍ବାଙ୍ଗ ସୁନ୍ଦରୀ ଟୀକା’’ ନାମରେ ବିଖ୍ୟାତ । (୭)

 

୩.

ତତ୍ରୈବ,ଦ୍ୱିତୀୟ ପରିଚ୍ଛେଦ, ପୂ -୬୯

୪.

କାବ୍ୟପ୍ରକାଶ ଦୀପିକା (ଚଣ୍ଡୀ ଦାସ ପଦାବଳୀ )ସଂ-ଏସ୍ .ପି .ଭଟ୍ଟାଚାର୍ଯ୍ୟ -ପୃ .୧୧୨

୫.

କାବ୍ୟପ୍ରକାଶ ଦର୍ପଣ (ବିଶ୍ୱନାଥ କବିରାଜ ),ସଂ-ଗୋପରାମ ରାଜୁ -ପୃ -୪୧

୬.

ବିଶ୍ଵନାଥ କବିରାଜ, ସାହିତ୍ୟ ଦର୍ପଣ, ଅନୁ-ନାରାୟଣ ମହାପାତ୍ର, ପ୍ର-ଓଡିଶା ସାହିତ୍ୟ ଏକାଡେମୀ (୨୦୦୭)-ଦ୍ୱିତୀୟ ପରିଚ୍ଛେଦ ,ପୃ -୬୯

୭.

Dr B.Rath OHRJ-Vol-XXIX (1963), Nos.-2 &3, Ed, Dr.H.C.Das, pp=67

 

ସର୍ବାଙ୍ଗ ସୁନ୍ଦରୀ ଟୀକାରେ କବିରାଜ ନାରାୟଣ ଦାସ ଲେଖିଛନ୍ତି -

ଶ୍ରୀକୃଷ୍ଣାୟ ନମଃ

ସର୍ବାଙ୍ଗ ସୁନ୍ଦରୀ ରାଧା କୃଷ୍ଣ ସର୍ବାଙ୍ଗ ସୁନ୍ଦରଃ,

ତୟୋରାନନ୍ଦଜନନୀ ଟୀକା ସର୍ବାଙ୍ଗ ସୁନ୍ଦରୀ ।

ନତ୍ୱା ଶ୍ରୀ ହରିଚରଣଂ କରୁତେ ସର୍ବାଙ୍ଗ ସୁନ୍ଦରୀ ଟୀକାମ୍

ଶ୍ରୀ ନାରାୟଣ ଦାସଃ କବିରାଜୋଽୟଂ ଗୀତଗୋବିନ୍ଦଃ । (୮)

 

ପୁନଶ୍ଚ କବିରାଜ ନାରାୟଣ ଦାସ ନରସିଂହଦେବଙ୍କର ସଭାସଦ୍ ପଣ୍ଡିତ ଥିଲେ ବୋଲି ବିଶ୍ୱନାଥ କବିରାଜ ତଦୀୟ କାବ୍ୟପ୍ରକାଶ ଦର୍ପଣ ଗ୍ରନ୍ଥରେ ନିମ୍ନମତେ ସଗୌରବେ ଉଲ୍ଲେଖ କରିଛନ୍ତି –

 

‘‘ତଦାହୂଃ ତ୍ରିକଳିଙ୍ଗ ଭୂମଣ୍ଡଳାଖଣ୍ଡଳ ମାହାରାଜାଧିରାଜ ନରସିଂହଦେବ ସଭାୟାଂ ଧର୍ମଦତ୍ତଂ ସ୍ଥଗୟନ୍ତଃ ସକଳ ସହୃଦୟ ଗୋଷ୍ଠୀ ଗରିଷ୍ଠ କି ପଣ୍ଡିତଃ ଅସ୍ମତ୍ ବୃଦ୍ଧ ପ୍ରପିତାମହ ଶ୍ରୀ ନାରାୟଣ ଦାସ ପାଦାଃ ତତ୍ରୈବ । (୯)

 

ଏଥିରୁ ତ୍ରିକଳିଙ୍ଗ ଭୂମଣ୍ଡଳର ମାହାରାଜାଧିରାଜ ନରସିଂହଦେବଙ୍କ ରାଜସଭାରେ ପୂର୍ବୋକ୍ତ ଧର୍ମଦତ୍ତ ବିତର୍କ ଉପାଖ୍ୟାନଟି ସପ୍ରମାଣ ଦୃଢ଼ୀଭୂତ ହେଲା । ନାରାୟଣ ଦାସଙ୍କ ରଚିତ ଗୀତଗୋବିନ୍ଦ୍ର ସର୍ବାଙ୍ଗ ସୁନ୍ଦରୀ ଟୀକାଟି ବମ୍ବେର ନିର୍ଣ୍ଣୟ ସାଗର ପ୍ରେସ୍‍ଦ୍ୱାରା ମୁଦ୍ରିତ ହୋଇଛି । ଯଦିଓ କବି ଜୟଦେବଙ୍କର ସମସାୟିକ କବି ଉଦୟନାଚାର୍ଯ୍ୟ ଗୀତଗୋବିନ୍ଦ ଉପରେ ଏକ ସୁଦୀର୍ଘ ଏକହଜାର ଶ୍ଳୋକ ସମ୍ୱଳିତ ଭାବ ବିଭାବିନୀ ଟୀକା ରଚନା କରିଥିଲେ, ଏହା ଦୁଷ୍ପ୍ରାପ୍ୟ । ତେଣୁ ନାରାୟଣ ଦାସଙ୍କ ସର୍ବାଙ୍ଗସୁନ୍ଦରୀ ଟୀକା ଅଧୁନା ଉପଳବ୍ଧ ସର୍ବପ୍ରାଚୀନ ଟୀକା ଓ ଏହା ଗୀତଗୋବିନ୍ଦରୁ ପ୍ରକ୍ଷିପ୍ତ ଶ୍ଳୋକଗୁଡ଼ିକୁ ନିରୂପଣ କରିବାରେ ବିଶେଷ ସହାୟକ ହୋଇଥାଏ ।

 

ନାରାୟଣ ଦାସଙ୍କର ଦୁଇପୁତ୍ର । ଉଲ୍ଲାସ ଦାସ ଜ୍ୟେଷ୍ଠ ଓ ବିଳାସ ଦାସ କନିଷ୍ଠ । ଉଲ୍ଲାସ ଦାସ ଜଣେ ବିଦଗ୍ଧ କବି । ସେ ସମ୍ରାଟ ଦ୍ୱିତୀୟ ନରସିଂହ ଦେବଙ୍କର ରାଜଗୁରୁ ଥିଲେ । ବିଭିନ୍ନ ସମୟରେ ସେ ଆଶୁ ଶ୍ଳୋକ ରଚନା କରିବାରେ ସିଦ୍ଧ ହସ୍ତ ଥିଲେ । ତେଣୁ ସଭାସଦ ମଣ୍ଡଳୀ ତାଙ୍କୁ ବିଶେଷ ଶ୍ରଦ୍ଧା ଓ ଭକ୍ତି କରୁଥିଲେ । କନିଷ୍ଠ ବିଳାସ ଦାସ ମଧ୍ୟ ଜଣେ କବିରାଜ ଓ ନିଜ ରସାପ୍ଳୁତ ଲେଖା ନିମନ୍ତେ ସୁବିଦିତ ଥିଲେ । ପରବର୍ତ୍ତୀ ବଂଶଧର ଆଳଙ୍କାରିକ ଚଣ୍ଡୀଦାସ ଓ ବିଶ୍ଵନାଥ କବିରାଜ ଏହାର ରଚିତ କେତେକ ଶ୍ଳୋକ ନିଜ ନିଜ ରଚନାରେ ଉଦ୍ଧୃତ କରିଛନ୍ତି । (୧୦)

 

୮.

Kedarnath Mohapatra, OHRJ-Vol-XIII No.3, Pp-28

୯.

କେଦାରନାଥ ମହାପାତ୍ର, ଜୟଦେବ ଓ ଶ୍ରୀ ଗୀତ ଗୋବିନ୍ଦ, ପୃ-୩୦୪

୧୦.

କାବ୍ୟପ୍ରକାଶ ଦୀପିକା – (ସଂ) ଏସ୍‍. ପି. ଭଟ୍ଟାଚାର୍ଯ୍ୟ – ପୃ ୫୫୦, ୫୫୩ Also OHRJ-Vol-XXIX, No. 2 & 3, B.L. Rath – Pp-68

 

ବିଳାସ ଦାସଙ୍କ ପୁତ୍ର ଚଣ୍ଡୀଦାସ ଜଣେ ଦିଗ୍‌ବିଜୟୀ ପଣ୍ଡିତ, କବି ଏବଂ ଆଳଙ୍କାରିକ । ଚଣ୍ଡୀଦାସ ମମ୍ମଟ ଭଟ୍ଟଙ୍କର କାବ୍ୟପ୍ରକାଶ ଓ ଏହା ଉପରେ ରଚିତ ଟୀକାଗଡ଼ିକୁ ବିଶ୍ଳେଷଣ କରି ସେଗୁଡ଼ିକରେ ଥିବା ଭୁଲ ତୃଟିଗୁଡ଼ିକୁ ଦର୍ଶାଇଥିଲେ । କାବ୍ୟପ୍ରକାଶର ମୌଳିକତା ପ୍ରତି ଦୃଷ୍ଟିଦେଇ ସେ ଏହା ଉପରେ ଏକ ଟୀକା ରଚନା କରିଥିଲେ ଯାହା କାବ୍ୟପ୍ରକାଶ ଦୀପିକା ନାମରେ ପ୍ରସିଦ୍ଧ । ଏଥିପାଇଁ ସାହିତ୍ୟ ଦର୍ପଣରେ ବିଶ୍ୱନାଥ ଗୌରବର ସହ ତାଙ୍କ ନାମ ନେଇ ଲେଖିଛନ୍ତି ।

 

‘‘ତଦୁକ୍ତ ଅସ୍ମଦ୍ ଗୋତ୍ର କବି ପଣ୍ଡିତ ମୁଖ୍ୟ ଶ୍ରୀ ଚଣ୍ଡୀଦାସ ପାଦୈଃ’’ – (୧୧)

 

ନିଜ ଗୋତ୍ର ପୂର୍ବପୁରୁଷ କବି ଓ ପଣ୍ଡିତମାନଙ୍କ ମଧ୍ୟରେ ପ୍ରମୁଖ ଚଣ୍ଡୀଦାସଙ୍କର କାବ୍ୟପ୍ରକାଶ ସମ୍ବଳିତ ଏକ ମୌଳିକ ବ୍ୟାଖ୍ୟାକୁ ଉଦ୍ଧାର କରି ଲେଖିଛନ୍ତି –

 

‘‘ଅଖଣ୍ଡ ବାକ୍ୟାର୍ଥ ଅଖଣ୍ଡ ବୁଦ୍ଧି ବେଦ୍ୟ । ଅର୍ଥାତ୍ ଏକ ବୁଦ୍ଧି ବେଦ ହେତୁ ତହିଁର ରସକୁ ଯେତେବେଳେ ଲୋକ ତନ୍ମୟ ଭାବରେ ଅନୁଭବ କରୁଥାଏ, ସେତେବେଳେ ଏହା ମୁଖ୍ୟ କି ଗୌଣ ଏ ଭାବ ତାହାର ନଥାଏ । ରସାସ୍ୱାଦନ ସହ ସେତେବେଳ ତାର କାବ୍ୟତ୍ୱ ନିର୍ଦ୍ଧାରଣ ହୋଇଯାଏ । ତା’ପରେ ପ୍ରକରଣାଦି ପର୍ଯ୍ୟାଲୋଚନାଦ୍ୱାରା ତାହା ଗୌଣ କି ମୁଖ୍ୟ – ଏ ଜ୍ଞାନ ହେଲେ ବି ପ୍ରଥମରୁ ତା’ର ଯେଉଁ କାବ୍ୟତ୍ୱ ସ୍ଥିର ହୋଇ ଯାଇଥାଏ, ତାହା ଆଉ ଖଣ୍ଡିତ ହୁଏ ନାହିଁ । କାରଣ ସେ ରସ କେବଳ ଜ୍ଞାନର ବିଷୟ ବା ଜ୍ଞାନର ସ୍ୱରୂପ ହେତୁ ସେ ଜ୍ଞାନ ଆଉ ଦୂର ହୁଏନାହିଁ । ସାରାଂଶ ହେଲା – ରସାତ୍ମକ ବାକ୍ୟ କାବ୍ୟ । ଏଣୁ କାବ୍ୟାର୍ଥ ବୋଧ ବେଳରେ ତହିଁରେ ଥିବା ରସଦ୍ୱାରା ତାର କାବ୍ୟତ୍ୱ ଆସିଯାଏ । ପରେ ବିଚାରଦ୍ୱାରା ସେ ରସ ସେଠାରେ ଗୌଣ ହେଲେ ବି ମୂଳରୁ ନିରୂପିତ କାବ୍ୟତ୍ୱ ଖଣ୍ଡିତ ହୁଏ ନାହିଁ । (୧୨)

 

ଏଥିରୁ ସହଜରେ ଅନୁମେୟ ଯେ ଚଣ୍ଡୀଦାସ କେଉଁ ସ୍ତରର ମେଧା ସମ୍ପନ୍ନ ବଳିଷ୍ଠ ସମାଲୋଚକ ଏବଂ ଅଳଙ୍କାର ଶାସ୍ତ୍ରବେତ୍ତା ଥିଲେ । ଏପରିକି ସ୍ଥଳ ବିଶେଷରେ ସେ ମମ୍ମଟଙ୍କଠାରୁ ମଧ୍ୟ ପୃଥକ୍ ମତପୋଷଣ କରି ଏହାକୁ ଧ୍ୱନିତତ୍ତ୍ୱର ପ୍ରୟୋଗ ମାଧ୍ୟମରେ ସିଦ୍ଧ ବୋଲି ପ୍ରମାଣିତ କରିଛନ୍ତି । ତାଙ୍କର ଧ୍ୱନିତତ୍ତ୍ୱ ଉପରେ ଏକ ଉଚ୍ଚତର ଗବେଷଣାମୂଳକ ଗ୍ରନ୍ଥ ହେଲା – ଧ୍ୱନି ସିଦ୍ଧାନ୍ତ ସମାରୋହ । (୧୩)

 

ଏହି ଗ୍ରନ୍ଥରେ ସେ ବିଭିନ୍ନ କାରିକା ଓ ବୃତ୍ତି ଅବଲମ୍ବନରେ ଧ୍ୱନିତତ୍ତ୍ୱର ଜଟିଳ ସୂତ୍ର ସମୂହକୁ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିଛନ୍ତି । କୃଷ୍ଣ ମିଶ୍ରଙ୍କ ସଂସ୍କୃତ ନାଟକ ପ୍ରବୋଧ ଚନ୍ଦ୍ରୋଦୟ ଉପରେ ମଧ୍ୟ ଏକ ଉପାଦେୟ ଟୀକା ସେ ଲେଖିଥିଲେ । (୧୪)

 

୧୧.

ବିଶ୍ୱନାଥ କବିରାଜ, ସାହିତ୍ୟ ଦର୍ପଣ, ଅନୁ-ନାରାୟଣ ମହାପାତ୍ର, ପ୍ର. ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭) – ଚତୁର୍ଥ ପରିଚ୍ଛେଦ, ପୃ-୨୯୪

୧୨.

ତତ୍ରୈବ – ପୃ – ୨୯୪, ୨୯୫

୧୩.

କାବ୍ୟପ୍ରକାଶ ଦୀପିକା – ପୃ ୧୩, ୪୩, ୮୬

୧୪.

Madras Descriptive Catalogue of Sanskrit Manusript Vol-IV, I.C.R. No.3809. OHRJ-Vol-XXIX, Ps-69, 73

 

ଚଣ୍ଡୀଦାସ ସ୍ୱ ପିତାଙ୍କ ନାମରେ ଉତ୍ସର୍ଗୀକୃତ ‘‘ବିଳାସ ମଞ୍ଜରୀ କାବ୍ୟ’’ ଓ ‘‘କାଦମ୍ବରୀ କଥାସାର’’ କାବ୍ୟ ରଚନା କରିଥିଲେ, ଯାହା ତାଙ୍କ କବିତ୍ୱର ଅନୁପମ ସ୍ୱାକ୍ଷର ବହନ କରେ । ଏଥିନିମିତ୍ତ ତାହାଙ୍କୁ ସେତେବେଳେ ମହାମହୋପାଧ୍ୟାୟ, କବି ମୁଖ୍ୟ ଓ ମହାକବିଚକ୍ର ଚୂଡ଼ାମଣି ପ୍ରଭୃତି ପ୍ରଶସ୍ତିମୂଳକ ଉପାଧି ମିଳିଥିଲା । ଉଭୟ ସଂସ୍କୃତ ଓ ପ୍ରାକୃତ ଭାଷାରେ ପାଣ୍ଡିତ ସହ ଷଡ଼୍ ଦର୍ଶନରେ ମଧ୍ୟ ଚଣ୍ଡୀଦାସଙ୍କର ବ୍ୟୁତ୍ପତ୍ତି ଥିଲା । ଏଥିନିମନ୍ତେ କାବ୍ୟପ୍ରକାଶ ଦୀପିକା – ଦଶମ ଉଲ୍ଲାସର ପୁଷ୍ପିକାରେ ଯଥାର୍ଥରେ ଏହି ସାମଗ୍ରିକ କୃତି ପାଇଁ ଚଣ୍ଡୀଦାସଙ୍କୁ ‘‘କପିଞ୍ଜଳକୁଳତିଳକ’ ରୂପରେ ବର୍ଣ୍ଣନା କରାଯାଇଛି । (୧୫)

 

ଏଠାରେ ସୂଚନାଯୋଗ୍ୟ ଯେ ନାରାୟଣ ଦାସଙ୍କଠାରୁ ଆରମ୍ଭ କରି ଏହି ବଂଶଟି କପିଞ୍ଜଳ ଗୋତ୍ରୀୟ ବ୍ରାହ୍ମଣ । ଅଧୁନା କପିଞ୍ଜଳ ଓ ଗୋତ୍ରୀୟ ବ୍ରାହ୍ମଣମାନେ ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ; ସମ୍ବଲପୁର ଅଞ୍ଚଳରେ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ଦେଖାଯାନ୍ତି । ଢେଙ୍କାନାଳ ଜିଲ୍ଲାର ପଣ୍ଡିତ ନଗେନ୍ଦ୍ରନାଥ ମହାପାତ୍ର ଯେ’କି ‘‘ନାଗନାଥ ଶତକ’’ ଓ ‘‘ନାଗନାଥ ବ୍ରଜ୍ୟା’’ ପୁସ୍ତକ ଦ୍ୱୟର ରଚୟିତା ସେ ନିଜକୁ ବିଶ୍ୱନାଥ କବିରାଜଙ୍କର ବଂଶଧର ବୋଲି କହିଥାନ୍ତି । (୧୬) ଯାଜପୁର ଟାଉନରେ ବର୍ତ୍ତମାନ ମଧ୍ୟ ସାନ୍ଧିବିଗ୍ରହିକ ସାହି ରହିଛି । ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସୌଜନ୍ୟରୁ ଉପଲବ୍ଧ ତଥ୍ୟରୁ ଜଣାଯାଏ ଯେ, ଯାଜପୁରର ସନ୍ଧିବିଗ୍ରହ ସାଙ୍ଗିଆର ବ୍ରାହ୍ମଣମାନେ କପିଞ୍ଜଳ ଗୋତ୍ରୀୟ ।

 

ପୁନଶ୍ଚ, ନିଜ ବଂଶ ମର୍ଯ୍ୟାଦା, କପିଞ୍ଜଳ ଗୋତ୍ରର ଗୌରବ ଗାଥା, ତ୍ରିକଳିଙ୍ଗାଧିପତିମାନଙ୍କର ସଚିବ ପଦ ଧାରାବାହିକ ଭାବରେ ଅଳଂକୃତ କରୁଥିବା ଏହି ବଂଶର ପଣ୍ଡିତମାନଙ୍କ ବିଷୟରେ ବିଶ୍ୱନାଥ କବିରାଜଙ୍କ ସୁପୁତ୍ର, ତଥା ବିଶ୍ୱନାଥ କବିରାଜଙ୍କର ସାହିତ୍ୟ ଦର୍ପଣ ଗ୍ରନ୍ଥ ଉପରେ ‘‘ଲୋଚନ’’ ଟୀକା ଲେଖିଥିବା ଅନନ୍ତ ଦାସ ତାଙ୍କ ପିତାଙ୍କୁ ପ୍ରଶଂସା କରି ଲେଖିଛନ୍ତି –

 

ଆସୀତ୍ କପିଞ୍ଜଳକୁଳ କ୍ଷୀରାକୂପାରଚନ୍ଦ୍ରମାଃ ।

ତ୍ରିକଳିଙ୍ଗ ଧରାଧୀଶ ଧାମଧିଃ ସଚିବଃ କୃତୀ । (୧୭)

 

କବିରାଜ ଉଲ୍ଲାସ ଦାସଙ୍କ ପୁତ୍ରଙ୍କ ବିଷୟରେ କୌଣସିଠାରେ କିଛି ଉଲ୍ଲେଖ ଥିବାର ଦୃଷ୍ଟିଗୋଚର ହୋଇନାହିଁ । କିନ୍ତୁ ଉଲ୍ଲାସ ଦାସଙ୍କର ପୌତ୍ର ଚନ୍ଦ୍ରଶେଖର ମହାପାତ୍ର ସାନ୍ଧିବିଗ୍ରହିକ ମଧ୍ୟ ଏହି କୁଳର ଜଣେ ଗୌରବ ମଣ୍ଡିତ ପ୍ରତିଭା ଯାହାଙ୍କର ଦକ୍ଷତା ଓ କୃତି ତାହାଙ୍କୁ ସ୍ମରଣୀୟ କରି ରଖିଛି । ସେ ମଧ୍ୟ ବିଶ୍ୱନାଥ କବିରାଜଙ୍କର ପିତା ।

 

ବିଶ୍ୱନାଥ କବିରାଜ ସାହିତ୍ୟ ଦର୍ପଣରେ ନିଜ ପିତାଙ୍କ ବିଷୟରେ ଲେଖିଛନ୍ତି –

 

‘‘ଯଥା ମମ ତାତ ପାଦାନାଂ ମହାପାତ୍ର ଚତୁର୍ଦ୍ଦଶଭାଷାବିଳାସିନୀ ଭୁଜଙ୍ଗ ମହାକବୀଶ୍ୱର ଶ୍ରୀ ଚନ୍ଦ୍ରଶେଖର ସାନ୍ଧିବିଗ୍ରହିକାଣାମ୍’’ (୧୮) ଏଥିରୁ ଜଣାଯାଏ ଯେ ବିଶ୍ୱନାଥ କବିରାଜଙ୍କ ପିତା ଚନ୍ଦ୍ରଶେଖର ଜଣେ ମହାପାତ୍ର (ରାଜସ୍ୱ ମନ୍ତ୍ରୀ) ଓ ସନ୍ଧିବିଗ୍ରହିକ (ଯୁଦ୍ଧ ଓ ସନ୍ଧି ବିଷୟରେ ସିଦ୍ଧାନ୍ତ ଗ୍ରହଣ କରିବାର କ୍ଷମତା ଥିବା) ପାରିଷଦ ଥିଲେ । ସେ ଜଣେ ମହାକବୀଶ୍ୱର ଥିଲେ, ଅର୍ଥାତ୍ ମହାନ୍ କବିମାନଙ୍କର ମଧ୍ୟରେ ଅଗ୍ରଗଣ୍ୟ ଥିଲେ । ଏତଦ୍‌ଭିନ୍ନ ସେ ଚଉଦଟି ବିଭିନ୍ନ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ । ଏହାର କାରଣ ଏହା ହୋଇପାରେ ଯେ ସେତେବେଳେ ପ୍ରବଳ ପ୍ରତାପୀ ଗଙ୍ଗବଂଶ ରାଜନ୍ୟବର୍ଗ ଦାକ୍ଷିଣାତ୍ୟରୁ ଆରମ୍ଭ କରି ମଧ୍ୟ, ପୂର୍ବ ଓ ଉତ୍ତର ଭାରତର ଅନେକ ଜନପଦକୁ ଜିଣି ନିଜ ରାଜ୍ୟବିସ୍ତାର କରିଥିଲେ । ଯୁଦ୍ଧ ଓ ସନ୍ଧିର ଆବଶ୍ୟକତାଅନୁସାରେ ସେମାନଙ୍କ ଭାଷାରେ ସେମାନଙ୍କ ସହିତ କଥୋପକଥନ କରି ଯୁଦ୍ଧ ଓ ସନ୍ଧିର ନିର୍ଣ୍ଣୟ ନେଉଥିବା ଅମାତ୍ୟ ସେସବୁ ଭାଷାରେ ଅଭିଜ୍ଞ ହେବା ଆବଶ୍ୟକ । ଆଜିକାଲି ମଧ୍ୟ ବର୍ହିବ୍ୟାପାର ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟରତ କୂଟନୀତିଜ୍ଞମାନେ ଋଷୀୟ, ଫରାସୀ, ସ୍ପେନୀୟ, ଆରବୀ, ଆଫ୍ରିକୀୟ, ଚୀନ ଦେଶୀୟ ଭାଷାଗୁଡ଼ିକୁ ଅଧ୍ୟୟନ କରି ସେଥିରେ ଦକ୍ଷତା ହାସଲ କରୁଛନ୍ତି । ପୁନଶ୍ଚ, ସେତେବେଳକୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ପୁରୀ ଜାତୀୟ ତୀର୍ଥ ହିସାବରେ ସୁବିଖ୍ୟାତ ହୋଇସାରିଥିବାରୁ, ସେଠାକୁ ବିଭିନ୍ନ ଭାଷାଭାଷୀ ପର୍ଯ୍ୟଟକମାନେ ତୀର୍ଥାଟନରେ ଆସୁଥିଲେ । ତେଣୁ ସେମାନଙ୍କଠାରୁ ବିଦ୍ୟୋତ୍ସାହୀ ଚନ୍ଦ୍ରଶେଖର ଏହିସବୁ ଭାଷାର ଜ୍ଞାନ ଆହରଣ କରିବା ଅଧିକ ସହଜ ଓ ବିଶ୍ୱାସଯୋଗ୍ୟ । ବିଭିନ୍ନ ଚଉଦଟି ଭାଷାରେ ପ୍ରଚଣ୍ଡ ପାଣ୍ଡିତ୍ୟ ହାସଲ କରିଥିବା ଚନ୍ଦ୍ରଶେଖର ମହାପାତ୍ର ସାନ୍ଧିବିଗ୍ରହିକ, ‘‘ଭାଷାର୍ଣ୍ଣବ’’ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ନାଟକରେ କେଉଁ କେଉଁ ପାତ୍ର କେଉଁ କେଉଁ ଭାଷାରେ ନିଜର ସଂଳାପ ଉଚ୍ଚାରଣ କରିବ ତାହାର ଏକ ନିର୍ଦ୍ଦିଷ୍ଟ ବିଧି ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ଅମଳରୁ ପ୍ରଚଳିତ । ନିଜ ପିତାଙ୍କ ଭାଷାର୍ଣ୍ଣବ ଗ୍ରନ୍ଥରୁ ଭାଷା ଗୁଡ଼ିକର ଲକ୍ଷଣ ବିଷୟରେ ପାଠ କରିବାକୁ ବିଶ୍ୱନାଥ ପାଠକମାନଙ୍କୁ ସୁପାରିଶ କରିଛନ୍ତି । ସେ ଲେଖିଛନ୍ତି

 

‘‘ଭାଷା ଲକ୍ଷଣାନି ମମତ ତାତପାଦାନଂ ଭାଷାର୍ଣ୍ଣବ ।’’ (୧୯)

‘‘ଦ୍ୱାଦଶପଦା ଯଥା ମମ ତାତପାଦାନାଂ ପୁଷ୍ପମାଳାୟାମ୍ ।’’ (୨୦)

 

ଏହା ବ୍ୟତିତ ଅନ୍ୟ ପାଞ୍ଚଟି ପ୍ରସଙ୍ଗରେ ମଧ୍ୟ ସେ ନିଜ ପିତା ଚନ୍ଦ୍ରଶେଖରଙ୍କର ଶ୍ଳୋକଗୁଡ଼ିକୁ ଉଦ୍ଧୃତ କରି ନିଜ ସାହିତ୍ୟ ଦର୍ପଣ ଗ୍ରନ୍ଥରେ ସାମିଲ କରିଛନ୍ତି । ଏହି ଉଦ୍ଧୃତ ଶ୍ଳୋକମାନଙ୍କ ମଧ୍ୟରୁ ନିମ୍ନରେ ଗୋଟିଏ ଶ୍ଳୋକର ଅବତାରଣା କରାଯାଇଛି ଯେଉଁ ଶ୍ଳୋକର ଆଧାରରେ ଚନ୍ଦ୍ରଶେଖରଙ୍କର କାଳ ନିରୂପଣ କରାଯାଇ ପାରିବ ।

 

‘‘ଦୁର୍ଗାଲଂଘିତ ବିଗ୍ରହୋ ମନସିକଂ ସମ୍ମୀଳୟଂ ସ୍ତେଜସା,

ପ୍ରୋଦ୍ୟଦ୍ରାଜକଳୋ ଗୃହୀତଗରିମା ବିଷ୍ଣଗ୍‌ବୃତୋ ଭୋଗିଭିଃ ।

ନକ୍ଷତ୍ରେ ଶକୃତେକ୍ଷଣୋ ଗିରିଗୁରୌ ଗାଢ଼ାଂ ରୁଚି ଧାରୟନ୍

ଗ୍ରାମାକ୍ରମ୍ୟ ବିଭୂତି ଭୂଷିତତନୁ ରାଜତ୍ୟୁମାବଲ୍ଲଭଃ ।’’ (୨୧)

 

୧୫.

OHRJ-Vol-XXIX, Pp-69, 73

୧୬.

ପଣ୍ଡିତ କୁଳମଣି ମିଶ୍ର, ସାହିତ୍ୟ ଦର୍ପଣ ଉପକ୍ରମଣିକା – ପ – (ଭ)

୧୭.

ପଣ୍ଡିତ କୁଳମଣି ମିଶ୍ରଙ୍କଦ୍ୱାରା ଉଦ୍ଧୃତ ସାହିତ୍ୟ ଦର୍ପଣ ଉପକ୍ରମଣିକା – ପୃ – (ଭ)

୧୮.

ବିଶ୍ୱନାଥ କବିରାଜ, ସାହିତ୍ୟ ଦର୍ପଣ, ଅନୁ-ନାରାୟଣ ମହାପାତ୍ର, ପ୍ର. ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭) – ପୃ – ୫୭

୧୯.

ବିଶ୍ୱନାଥ କବିରାଜ – ସାହିତ୍ୟ ଦର୍ପଣ, ଅନୁ-ନାରାୟଣ ମହାପାତ୍ର, ପ୍ର-ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭) ଷଷ୍ଠ ପରିଚ୍ଛେଦ, ପୃ – ୪୧୨

୨୦.

ତତ୍ରୈବ, ପୃ-୩୩୩

୨୧.

ତତ୍ରୈବ, ଦ୍ୱିତୀୟ ପରିଚ୍ଛେଦ, ପୃ-୫୭

 

ଦ୍ୱିଅର୍ଥବୋଧକ ଅଭିଧାମୂଳା ବ୍ୟଞ୍ଜନାର ଏହା ଏକ ଉଦାହରଣ ଯାହାକି ଉଭୟ ଶିବଙ୍କର ସ୍ତୁତି ଓ ରାଜା (ଉମାପତି) ଭାନୁଦେବ ନୃପତିଙ୍କର ସ୍ତୁତି ଆଧାରିତ ।

 

ଶିବଙ୍କର ଅର୍ଥରେ – ଯେ ଅର୍ଦ୍ଧନାରୀଶ୍ୱର, କାମଦେବକୁ ଧ୍ୱଂସ କରିଛନ୍ତି, ଯାହାଙ୍କୁ ଲଲାଟରେ ଚନ୍ଦ୍ରଶୋଭିତ, ଯେ ଈଶ୍ୱର ହେତୁ ସଂସାରର ଗୌରବ, ସର୍ପଭୂଷଣ, ନକ୍ଷତ୍ରମାନଙ୍କର ଈଶ, ହିମାଳୟ ଯାହାଙ୍କ ଗୁରୁ (ଶ୍ୱଶୁର), ବୃଷଭାରୁଢ଼, ଭସ୍ମ ବିଲୋପନ, ଉମାପତି – ସେ ଶୋଭା ପାଉଛନ୍ତି ।

 

ରାଜାଙ୍କ ଅର୍ଥରେ – ଯେ ଦୁର୍ଗକୁ ଅବଲମ୍ବନ କରି ଯୁଦ୍ଧ କରନ୍ତି, ସୌନ୍ଦର୍ଯ୍ୟରେ କାମଦେବଙ୍କୁ ପରାଭୂତ କରିଛନ୍ତି, ରାଜକଳାରେ ଦେଦୀପ୍ୟମାନ, ପ୍ରାପ୍ତ ଗୌରବ, ଶ୍ରେଷ୍ଠ ରାଜାମାନଙ୍କୁ ଯେ ଖାତିର କରନ୍ତି ନାହିଁ, ଶିବଙ୍କଠାରୁ ଭକ୍ତି କରନ୍ତି, ବୃହସ୍ପତି ତୁଲ୍ୟ ବିଦ୍ୱାନ୍, ପୃଥିବୀକୁ ନିଜ ପରାକ୍ରମରେ କରାୟତ୍ତ କରିଛନ୍ତି, ଉମାନାମ୍ନୀ ପାଟମହିଷୀଙ୍କର ଯେ ସ୍ୱାମୀ, ସେହି ତୃତୀୟ ଭାନୁଦେବ ଶୋଭା ପାଉଛନ୍ତି । ଚନ୍ଦ୍ରଶେଖର, ଉମାନାମ୍ନୀ ପାଟମହିଷୀଙ୍କର ଯେ, ସ୍ୱାମୀ, ସେହି ତୃତୀୟ ଭାନୁଦେବ, ଶୋଭା ପାଉଛନ୍ତି । ଚନ୍ଦ୍ରଶେଖର ଗଙ୍ଗ ସମ୍ରାଟ ଭାନୁଦଦେବ, ତୃତୀୟ (ଖ୍ରୀ-୧୩୫୨ ରୁ ଖ୍ରୀ-୧୩୭୮)ଙ୍କ ରାଜସଭାରେ ସାନ୍ଧିବିଗ୍ରହିକ ମହାପାତ୍ର, ସଭାକବି, ରାଜଗୁରୁ ଓ ପାରିଷଦ ଥିଲେ । ଉମା ନାମକ ପାଟ ମହିଷୀଙ୍କର ନାମ ତୃତୀୟ ଭାନୁଦେବଙ୍କଦ୍ୱାରା ଉତ୍କୀର୍ଣ୍ଣ ଭୁବେନଶ୍ୱର ପାର୍ବତୀ ମନ୍ଦିର ଶିଳାଲେଖରେ ଦେଖିବାକୁ ମିଳେ । (୨୨) ଏହି ଶିଳାଲେଖଟିରେ ଖୋଦେଇ ସାଲ ଉଲ୍ଲେଖ ନାହିଁ ।

 

ପୁନଶ୍ଚ, ଶକାବ୍ଦ ୧୩୦୧ (ଖ୍ରୀ-୧୩୭୯)ରେ ସୀମାଞ୍ଚଳ ମନ୍ଦିର ଗାତ୍ରରେ ଉତ୍ତୀର୍ଣ୍ଣ ଅନ୍ୟ ଏକ ଶିଳାଲେଖରୁ ଜଣାଯାଏ, ଯେ ନିଜ ସ୍ୱାମୀ ତୃତୀୟ ଭାନୁଦେବଙ୍କ ମୃତ୍ୟୁର କିଛିମାସ ପରେ ରାଣୀ ଉମାଦେବୀ ସୀମାଞ୍ଚଳ ନାଥଙ୍କ ଉଦ୍ଦେଶ୍ୟରେ ଭୂମିଦାନ କରିଥିଲେ । (୨୩) ସମ୍ଭବତଃ ତୃତୀୟ ଭାନୁଦେବ ଖ୍ରୀ-୧୩୭୮ରେ ମୃତ୍ୟୁ ଲଭିଥିଲେ ।

 

ଚନ୍ଦ୍ରଶେଖରଙ୍କ ପାଣ୍ଡିତ୍ୟର ଅନ୍ୟ ଏକ ନମୁନା ତାଙ୍କ ସୁପୁତ୍ର ବିଶ୍ୱନାଥ ନିଜ ସାହିତ୍ୟ ଦର୍ପଣରେ ନିମ୍ନମତେ ଉଲ୍ଳେଖ କରିଛନ୍ତି ।

 

ଯେମଂ ତେ ନନୁ ପଦ୍ମଲୋକ୍ଷି କିଅଂ ଖେମଂ ମହଙ୍ଗ ଦିତଂ,

ଏତାଦୃକ୍ କୁଶତା, କୁତଃ ତହୁ ପୁଣୌ ପୁଟ୍‌ଠଂ ସରୀରଂ ଜଦୋ ।

କେନାହଂ ପୃଥୁଳଃ ପ୍ରିୟେ ପଣାମେଇଣି ଦେହସ୍‍ସ ସଂଳଣାତ୍,

ଦୂତ୍ତଃ ସୁଭ୍ରୂ । ନ କାପି ମେ ଜଇ ଇଦଂ ଖେମଂ କୁଦୋ ପୁଚ୍ଛସି । (୨୪)

 

୨୨.

OHRJ, Vol-III, Ed-B.B. Nath, Pp-149

୨୩.

Vol.-VI, No.730

୨୪.

ବିଶ୍ୱନାଥ କବିରାଜ, ସାହିତ୍ୟ ଦର୍ପଣ ଅନୁ-ନାରାୟଣ ମହାପାତ୍ର, ପ୍ର-ଓଡ଼ିଶା ସାହିତ୍ୟ ଏକାଡେମୀ, (୨୦୦୭), ତୃତୀୟ ପରିଚ୍ଛେଦଃ, ପୃ-୨୦୯, ୨୧୦

 

ଏହି ଶ୍ଳୋକଟିରେ ସଂସ୍କୃତ, ପ୍ରାକୃତ, ଅପଭ୍ରଂଶ, ମୈଥିଳୀ, ତେଲୁଗୁ, ତାମିଲି, କନ୍ନଡ଼, ମରାଠୀ, ସୌରସେନୀ, ଓଡ଼ିଆ ବଙ୍ଗଳା ଭାଷାର ଶବ୍ଦ ସଂଯୋଜନା ଦେଖିବାକୁ ମିଳେ । ଏଥିରୁ ଚନ୍ଦ୍ରଶେଖର ଚତୁର୍ଦ୍ଦଶ ଭାଷା ବିଳାମିନୀଭୁଜଙ୍ଗ ଉପାଧିର ଯଥାର୍ଥତା ପ୍ରତିପାଦିତ ହୋଇଅଛି ।

 

ଏହି ପଦ୍ୟଟିର ଅର୍ଥ ହେଲା – (ଦୀର୍ଘ ପ୍ରବାସରେ ଥାଇ ବିରହ ପରେ ବିଦେଶାଗତ ପତି ତା’ର ପତ୍ନୀକୁ ପଚାରୁଛି ଓ ପତ୍ନୀ ଉତ୍ତର ଦେଉଛି )-

 

ପ୍ର-      ହେ ପ୍ରିୟ, ତୁମର ସବୁ ମଙ୍ଗଳ କୁଶଳ ତ ?

ଉ-      ମୋର ଶରୀର କୃଶ, ଅତିଦୃଢ଼ ତେଣୁ ମଙ୍ଗଳ ।

ପ୍ର-      ଏତେ କ୍ଷୀଣ କାହିଁକି ହୋଇଯାଇଛି ?

ଉ-      ତୁମ ଶରୀର ଯେଣୁ ପୁଷ୍ଟ ହୋଇଛି ।

ପ୍ର-      ହେ ପ୍ରିୟେ, ମୁଁ କାହାଦ୍ୱାରା ପୁଷ୍ଟ ହୋଇଛି ?

ଉ-      ପ୍ରିୟାର ଶରୀର ମିଶିବା ହେତୁ ।

ପ୍ର-      ହେ ସୁଭ୍ର, ତୋ’ଠାରୁ ବଳି ମୋ ଆଉ ପ୍ରିୟା କିଏ ଅଛି ?

ଉ-      ଯଦି ମୋଠାରୁ ବଳି ଆଉ ପ୍ରିୟା ତୁମର ନାହାନ୍ତି ତା’ହେଲେ ମୁଁ କିପରି କୃଶ ହେଲି (ଝଡ଼ି ଯାଇଛି) ବୋଲି କିପରି ପଚାରୁଛ ? ଅର୍ଥାତ, ଏଠାରେ ଦୀର୍ଘ ବିରହ ଯୋଗୁ ଉଭୟ ଉଭୟଙ୍କ ଚିନ୍ତାରେ କୃଷତନୁ ହୋଇଛନ୍ତି ।

 

ଚନ୍ଦ୍ରଶେଖରଙ୍କ ସୁପୁତ୍ର ବିଶ୍ୱନାଥ କବିରାଜ ମୁର୍ଦ୍ଧନ୍ୟ ପାଣ୍ଡିତ୍ୟର ଚରମୋତ୍କର୍ଷ ଲାଭ କରିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଜ ପିତାଙ୍କ ପରି ସେ ମଧ୍ୟ ମହାପାତ୍ର ଓ ସାନ୍ଧିବିଗ୍ରହିକ ଥିଲେ । ଶ୍ରେଷ୍ଠକବି, ରାଜସଭା ପାରିଷଦ, ରାଜଗୁରୁ ହିସାବରେ ତାଙ୍କର ପ୍ରସିଦ୍ଧି ଓ ପ୍ରତିପତ୍ତି ଥିଲା-। ବିଶ୍ୱନାଥଙ୍କ ଚନ୍ଦ୍ରକଳା ନାଟିକାଟି ନିଶଙ୍କ ଭାନୁଦେବଙ୍କ ରାଜସଭାରେ ଅଭିନୀତ ହୋଇଥିଲା-। (୨୫)

 

ଏହାଛଡ଼ା ଚତୁର୍ଥ ନରସିଂହ ଦେବଙ୍କ ରାଜତ୍ୱର ମହନୀୟ ଘଟଣାବଳୀର ଆଧାରରେ ସେ ନରସିଂହ ବିଜୟ ଗ୍ରନ୍ଥ ରଚନା କରି ତାହା ସେହି ରାଜାଙ୍କୁ ଉତ୍ସର୍ଗ କରିଥିବାରୁ ସେ ଉଭୟ ତୃତୀୟ ଭାନୁଦେବ ଓ ଚତୁର୍ଥ ନରସିଂହ ଦେବଙ୍କ ସଭାରେ ବିଶିଷ୍ଟ ସଭାକବି ପଣ୍ଡିତ ଥିବା ପ୍ରମାଣିତ । (୨୬)

 

୨୫.

ପଣ୍ଡିତ କୁଳମଣି ମଶ୍ର, ସାହିତ୍ୟ ଦର୍ପଣ ଉପକ୍ରମଣିକା, ପୃ-(କ)

୨୬.

OHRJ-Vol-XXIX, No. 2 & 3, B.K. Rath – Pp-70

 

ବିଶ୍ୱନାଥ କବିରାଜ ସାହିତ୍ୟ ଦର୍ପଣ ପ୍ରଥମ ପରିଚ୍ଛେଦର ପୁଷ୍ପିକାରେ ନିଜର ପରିଚୟ ନିମ୍ନମତେ ପ୍ରଦାନ କରିଛନ୍ତି-

 

‘‘ଇତି ଶ୍ରୀ ମନ୍ନାରାୟଣ ଚରଣାରବିନ୍ଦ ମଧୁବ୍ରତ ସାହିତ୍ୟାର୍ଣ୍ଣବ କର୍ଣ୍ଣଧାର ଧ୍ୱନିପ୍ରସ୍ଥାପନ ପରମାଚାର୍ଯ୍ୟ କବିସୂକ୍ତି ରତ୍ନାକର ଅଷ୍ଟାଦଶ ଭାଷା ବାରବିଳାସିନୀ ଭୁଜଙ୍ଗ ସାନ୍ଧିବିଗ୍ରହିକ ମହାପାତ୍ର ଶ୍ରୀ ବିଶ୍ୱନାଥ କବିରାଜ କୃତୌ ସାହିତ୍ୟଦର୍ପଣ କାବ୍ୟସ୍ୱରୂପ ନିରୂପଣୋଂ ନାମ ପ୍ରଥମ ପରିଚ୍ଛେଦଃ-।’’

 

କବି ବିଶ୍ୱନାଥ କବିରାଜ ଶ୍ରୀ ମନ୍ନାରାୟଣଙ୍କ ଚରଣାରବିନ୍ଦରେ ନିରନ୍ତର ଭ୍ରମର ପରି ଆବିଷ୍ଟଚିତ୍ତ । ସାହିତ୍ୟ ଯଦି ଏକ ଦିଗନ୍ତବିସ୍ତାରୀ ପାରାବାର ହୁଏ ସେ ତାହାର କର୍ଣ୍ଣାଧାର ବା ନାବିକ । ସେ ଧ୍ୱନିମତ ପ୍ରସ୍ଥାପନର ପରମାଚାର୍ଯ୍ୟ ଅର୍ଥାତ୍‍ ଆନନ୍ଦବର୍ଦ୍ଧନ କୃତ ଧ୍ୱନିତତ୍ତ୍ୱର ଜଣେ ଶ୍ରେଷ୍ଠ ଅନୁଗାମୀ । ସେ କବି ସୁଲଭ ସଦୁକ୍ତି ସମୁଦ୍ରର ଅନ୍ତର୍ନିହିତ ରତ୍ନ ସଦୃଶ । ସେ ଅଠରଟି ଭାଷା ରୂପକ ବାରବିଳାସିନୀ କାମିନୀର ଇପ୍‌ସିତ ପୁରୁଷ, ଅର୍ଥାତ୍ ଅଠରଟି ଭାଷାରେ ଦକ୍ଷ । ସେ ହେଉଛନ୍ତି ସନ୍ଧି ଓ ବିଗ୍ରହ ବା ଯୁଦ୍ଧ ବିଷୟରେ ନିଷ୍ପତ୍ତି ନେଇପାରିବା ଭଳି ପ୍ରଧାନ ଅମାତ୍ୟ ଏବଂ ପରିଶେଷରେ ସେ ହେଉଛନ୍ତି କବିରାଜ । (୨୭)

 

ବିଶ୍ୱନାଥ କବିରାଜ ପ୍ରଣୀତ ସାହିତ୍ୟ ଦର୍ପଣ ଗ୍ରନ୍ଥ ସଂସ୍କୃତ ଅଳଙ୍କାର ସାହିତ୍ୟରେ ଅସାଧାରଣ ଗୌରବର ଅଧିକାରୀ । ଅଳଙ୍କାର ଶାସ୍ତ୍ରକୁ ସାହିତ୍ୟର ଦର୍ଶନଶାସ୍ତ୍ର ମଧ୍ୟ କୁହାଯାଏ । ଏଥିରେ କାବ୍ୟସ୍ୱରୂପ, ରସ, ଗୁଣ, ରୀତି, ଔଚିତ୍ୟ, ଧ୍ୱନି, ଦୃଶ୍ୟଶ୍ରାବ ନାଟକ ଓ ଅଳଙ୍କାର ଇତ୍ୟାଦି ସାହିତ୍ୟ ତତ୍ତ୍ୱର ବିଭିନ୍ନ ଦିଗ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସାହିତ୍ୟକୁ ବୈଜ୍ଞାନିକ, ଦାର୍ଶନିକ ଓ ମନସ୍ତାତ୍ତ୍ୱିକ ଭିତ୍ତି ଉପରେ ସୁପ୍ରତିଷ୍ଠିତ କରାଯାଇଛି । (୨୮)

 

ସାହିତ୍ୟ ଦର୍ପଣ ଗ୍ରନ୍ଥ ଟୀକା ଓ ଟିପ୍‍ପଣୀ ବିଭିନ୍ନ ଭାରତୀୟ ଓ ବୈଦେଶିକ ଭାଷାର ରଚିତ ଓ ପ୍ରକାଶିତ ହୋଇ ଏହି ଗ୍ରନ୍ଥର ବିଶ୍ୱସ୍ତରୀୟ ଆଦୃତିକୁ ପ୍ରମାଣିତ କରିଛି । ଏଥିନିମନ୍ତେ ଏହି ଗ୍ରନ୍ଥ ଉପରେ ମନ୍ତବ୍ୟ ଦେବାକୁ ଯାଇ ବିଶିଷ୍ଟ ପ୍ରାଚ୍ୟବିଦ୍ୟାବିଷାରଦ ଭାରତରତ୍ନ ଡଃ ପାଣ୍ଡୁରଙ୍ଗ ବାମନ କାନେ ଲେଖିଛନ୍ତି-

 

“Its greatest merit is that it presents in the compass of a single work, full and complete treatment of the science of rhetorics in all its branches. It has been accepted as the brightest gem in Sanskrit literature.”

 

ସାହିତ୍ୟ ଦର୍ପଣର ବିଶେଷତ୍ୱ ହେଉଛି ଯେ, ଏଥିରେ ବହୁବିଧ ଦୁର୍ବୋଧ୍ୟ ସାହିତ୍ୟତତ୍ତ୍ୱଗୁଡ଼ିକୁ ପ୍ରାଞ୍ଜଳ ବୋଧଗମ୍ୟ ଭାବରେ ମନୋଜ୍ଞ ଯୁକ୍ତିଯୁକ୍ତ ଉଦାହରଣ ସହିତ ପ୍ରତିପାଦନ କରାଯାଇଛି । ଏହି ଗ୍ରନ୍ଥ ବିଷୟରେ ସ୍ୱୟଂ ରଚୟିତା ବିଶ୍ୱନାଥ କବିରାଜ ଲେଖିଛନ୍ତି-

 

ସାହିତ୍ୟ ଦର୍ପଣମମୁଂ ସୁଧିୟୋବିଲୋକ୍ୟ,

ସାହିତ୍ୟତତ୍ତ୍ୱ ମଖିଳଂ ସୁଖମେବ ବିତ୍ତଂ ।

 

ଅର୍ଥାତ୍‍ ମୋର ଏହି ସାହିତ୍ୟ ଦର୍ପଣ ନାମକ ପ୍ରବନ୍ଧକୁ ଦେଖି ସାହିତ୍ୟ ଶାସ୍ତ୍ରର ସମସ୍ତ ତତ୍ତ୍ୱ ଅର୍ଥାତ୍‍ ସାରମର୍ମକୁ ଅକ୍ଳେଶରେ ବୁଝ । (୨୯)

 

୨୭.

ସାହିତ୍ୟ ଦର୍ପଣ (୨୦୦୭), ଓଡ଼ିଶା ସାହିତ୍ୟ ଏକାଡେମୀ, ପ୍ରଥମ ପରିଚ୍ଛେଦ, ପୃ-୨୩, ୨୪

୨୮.

ପଣ୍ଡିତ କୁଳମଣି ମିଶ୍ର, ସାହିତ୍ୟ ଦର୍ପଣ ମୁଖବନ୍ଧ, ପୃ-(ଛ)

୨୯.

ସାହିତ୍ୟ ଦର୍ପଣ, ଓଡ଼ିଆ ସାହିତ୍ୟ ଏକାଡେମୀ (୨୦୦୭), ଦଶମ ପରିଚ୍ଛେଦ ପୃ-୮୦୪

 

ସାହିତ୍ୟ ଦର୍ପଣ ଗ୍ରନ୍ଥର ପରିଶେଷରେ ସେ ତତୋଃଧିକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ନିର୍ଦ୍ଦେଶାତ୍ମକ ମଙ୍ଗଳାଚରଣ କରିଛନ୍ତି-

 

      ଯାବତ୍ ପ୍ରସନ୍ନେନ୍ଦୁ ନିଭାନନା ଶ୍ରୀ

            ନାରାୟଣସ୍ୟାଙ୍ଗମଳଂ କରୋତି ।

      ତାବନ୍ମନଃ ସଂମଦୟନ କବୀନା

            ମେଷ ପ୍ରବନ୍ଧଃ ପ୍ରଥିତୋଽସ୍ତୁ ଲୋକେ ।

 

ଇତ୍ୟାଳଙ୍କାରିକ ଚକ୍ରବର୍ତ୍ତୀ ସାନ୍ଧିବିଗ୍ରହିକ ମହାପାତ୍ର ଶ୍ରୀ ବିଶ୍ୱନାଥ କବିରାଜକୃତ ସାହିତ୍ୟ ଦର୍ପଣେ ଦଶମ ପରିଚ୍ଛେଦଃ ।

 

ନିଜ ପରିଚୟ ଦେବା ସହ ସେ ଯଥାର୍ଥରେ ନିଜକୁ କବିରାଜ, ଆଳଙ୍କାରିକ ଚକ୍ରବର୍ତ୍ତୀ, ସାନ୍ଧିବିଗ୍ରହିକ ମହାପାତ୍ର ପ୍ରଭୃତି ବିଶେଷଣରେ ଉପସ୍ଥାପିତ କରିବା ସହ ଲେଖିଛନ୍ତି ଯେ-ପ୍ରସନ୍ନବଦନା ଭଗବତୀ ଲକ୍ଷ୍ମୀ ଯେଉଁ ପର୍ଯ୍ୟନ୍ତ ଭଗବାନ୍‍ ଶ୍ରୀମନ୍ନାରାୟଣଙ୍କ ଅଙ୍ଗକୁ ସୁଶୋଭିତ କରୁଥିବେ, ସେହି ପର୍ଯ୍ୟନ୍ତ ସାହିତ୍ୟିକ ବିଶେଷତଃ କବିମାନଙ୍କ ହୃଦୟରେ ଆନନ୍ଦର ଢେଉ ଖେଳାଇ ଏହି ସାହିତ୍ୟ ଦର୍ପଣ ଗ୍ରନ୍ଥ ନିଜର ମହତ୍ୱ ବଳରେ ଜାଜ୍ଜଲ୍ୟମାନ ରହୁ । (୩୦)

 

ପଣ୍ଡିତମାନେ ନାଟ୍ୟଶାସ୍ତ୍ର ଗ୍ରନ୍ଥର ପ୍ରଣେତା ଭରତମୁନିଙ୍କ ଅଳଙ୍କାର ଜଗତର ପ୍ରଜାପତି ହିସାବରେ ମାନ୍ୟ ଦେଇଥାନ୍ତି । ସେ ରସ ସମ୍ପ୍ରଦାୟର ସଂସ୍ଥାପକ ଆଚାର୍ଯ୍ୟ । ପରବର୍ତ୍ତୀ ସମୟରେ ଭାମହଙ୍କ ସ୍ଥାପିତ ଅଳଙ୍କାର ସମ୍ପ୍ରଦାୟ, ଦଣ୍ଡୀଙ୍କ ରୀତି ସମ୍ପ୍ରଦାୟ, କୁନ୍ତକଙ୍କର ବକ୍ରୋକ୍ତି ସମ୍ପ୍ରଦାୟ, ଆନନ୍ଦ ବର୍ଦ୍ଧନଙ୍କର ଧ୍ୱନି ସମ୍ପ୍ରଦାୟ ଓ କ୍ଷେମେନ୍ଦ୍ରଙ୍କର ଔଚିତ୍ୟ ସମ୍ପ୍ରଦାୟ ବିକାଶ ଲାଭ କରି ଅଳଙ୍କାର ସାହିତ୍ୟକୁ ପରିପୁଷ୍ଟ କଲା । କିନ୍ତୁ ଏହି ସମସ୍ତ ଅଳଙ୍କାର ସମ୍ପ୍ରଦାୟର ତତ୍ତ୍ୱକୁ ବିବେଚନା କରି ସେମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନପୂର୍ବକ, ସେମାନଙ୍କର ଉଭୟ ଉତ୍କର୍ଷ ଓ ଅପକର୍ଷକୁ ସମୀକ୍ଷା କରି, ରସାତ୍ମବାଦର ସଂସ୍ଥାପନ ପୂର୍ବକ ବିଶ୍ୱନାଥ କବିରାଜ ସାହିତ୍ୟ ଦର୍ପଣ ମାଧ୍ୟମରେ ଯେଉଁ ଦୃଢ଼ ଭିତ୍ତି ସ୍ଥାପନ କଲେ ତାହା ଯଥାର୍ଥରେ ଅଳଙ୍କାର ଶାସ୍ତ୍ରକୁ ପରିପୂର୍ଣ୍ଣ ଭାବରେ ଉପସ୍ଥାପିତ କଲା ।

 

କାବ୍ୟ ମୀମାଂସା ଗ୍ରନ୍ଥର ରଚୟିତା ରାଜଶେଖର ପ୍ରଥେମ ‘‘ସାହିତ୍ୟ’’ ଶବ୍ଦ ପ୍ରୟୋଗ କଲେ । ସେ ସ୍ୱଗ୍ରନ୍ଥରେ ପଞ୍ଚମ ସାହିତ୍ୟ ବିଦ୍ୟା ଲେଖି ସର୍ବପ୍ରଥମେ ଶାସ୍ତ୍ର ବିଶେଷ ଅର୍ଥରେ ସାହିତ୍ୟ ଶବ୍ଦକୁ ପ୍ରୟୋଗ କରିଥିଲେ । (୩୧)

 

କାବ୍ୟ ମୀମାଂସା ଗ୍ରନ୍ଥର ରଚୟିତା ରାଜଶେଖର ପ୍ରଥମେ ‘‘ସାହିତ୍ୟ’’ ଶବ୍ଦ ପ୍ରୟୋଗ କଲେ । ସେ ସ୍ୱଗ୍ରନ୍ଥରେ ପଞ୍ଚମ ସାହିତ୍ୟ ବିଦ୍ୟା ଲେଖି ସର୍ବପ୍ରଥମେ ଶାସ୍ତ୍ର ବିଶେଷ ଅର୍ଥରେ ସାହିତ୍ୟ ଶବ୍ଦକୁ ପ୍ରୟୋଗ କରିଥିଲେ । (୩୧)

 

କାବ୍ୟ ଓ ସାହିତ୍ୟ ଭିତରେ ସୁକ୍ଷ୍ମ ଭେଦକୁ ସେ ପ୍ରଥମେ ନିରୂପଣ କରିଥିଲେ ହିଁ ପରିଶେଷରେ କାବ୍ୟ ପୁରୁଷ ସହିତ ସାହିତ୍ୟ ବିଦ୍ୟାର ବିବାହ ବର୍ଣ୍ଣନା କରି କାବ୍ୟ ଓ ସାହିତ୍ୟ ମଧ୍ୟରେ ମଧୁର ମିଳନ ଘଟାଇଥିଲେ । ରାଜଶେଖର ଲେଖିଲେ ଯେ ମାଘ, ନୈଷଧ ପ୍ରଭୃତି ହେଉଛି କାବ୍ୟ ଓ ଧ୍ୱନ୍ୟାଲୋକ, କାବ୍ୟପ୍ରକାଶ ପ୍ରଭୃତି ଅଳଙ୍କାର ଗ୍ରନ୍ଥ ହେଉଛି ସାହିତ୍ୟ । ସମ୍ଭବତଃ, ସାହିତ୍ୟର ଏହି ତର୍ଜମାରେ ପ୍ରଭାବିତ ହୋଇ ବିଶ୍ୱନାଥ ସ୍ୱରଚିତ ଅଳଙ୍କାର ଗ୍ରନ୍ଥକୁ ‘‘ସାହିତ୍ୟ ଦର୍ପଣ’ ନାମେ ନାମିତ କରିଥିଲେ । ପୁନଶ୍ଚ ରାଜଶେଖର ତତ୍‌ପ୍ରଣୀତ କାବ୍ୟ ମୀମାଂସା ଗ୍ରନ୍ଥରେ ପ୍ରଥମେ କୌଟିଲ୍ୟଙ୍କର ସିଦ୍ଧାନ୍ତ ଅନୁସାରେ ଆନ୍ୱୀକ୍ଷିକୀ, ତ୍ରୟୀ, ବାର୍ତ୍ତା ଓ ଦଣ୍ଡନୀତି - ଏହି ଚାରିଗୋଟି ବିଦ୍ୟାର ଅବତାରଣା କରିଛନ୍ତି । ସେ ସାହିତ୍ୟକୁ ହି ଚାରି ବିଦ୍ୟାର ନିର୍ଯ୍ୟାସ ଓ ପଞ୍ଚମୀ ବିଦ୍ୟା ବୋଲି କହିଛନ୍ତି । ‘‘ପଞ୍ଚମୀ ସାହିତ୍ୟ ବିଦ୍ୟେଦି ଯାଯାବରୀୟଃ, ସାହି ଚତସୃଣାଂ ବିଦ୍ୟାନାଂ ନିଷ୍ୟନ୍ଦରୂପା ।’’ ରାଜଶେଖରଙ୍କର ଏହି ଉକ୍ତିରୁ ଜଣାଯାଏ ଯ, ଚାରିବିଦ୍ୟା ଯଥା – ବେଦ, ସ୍ମୃତି, ଇତିହାସ, ପୁରାଣ ସହିତ ଷଡ଼ଙ୍ଗ, ଆୟୁର୍ବେଦ, ଦର୍ଶନ ପ୍ରଭୃତି ସମସ୍ତ ପ୍ରଚଳିତ ବିଦ୍ୟାର ସମଷ୍ଟିଗତ ସ୍ୱରୂପ ହେଉଛି ସାହିତ୍ୟ । (୩୨)

 

ସାଧାରଣତଃ ବୈୟାକରଣମାନେ ‘‘ସାହିତ୍ୟ’’ ଶବ୍ଦର ବ୍ୟାସବାକ୍ୟ ନିରୂପଣ କରିବାକୁ ଯାଇ (୧) ସହିତସ୍ୟ ଭାବଃ ସାହିତ୍ୟମ୍, (୨) ସହିତୟୋଃ ଭାବଃ ସାହିତ୍ୟମ୍ ଓ (୩) ସହିତାନାଂ ଭାବଃ ସାହିତ୍ୟମ୍ – ଏହିପରି ତିନିପ୍ରକାର ବ୍ୟାଖ୍ୟା କରିଥାନ୍ତି । ଏହି ତିନିଗୋଟି ଅର୍ଥ ମଧ୍ୟ ଠିକ୍ । କିନ୍ତୁ ଯେତେବେଳେ ସହିତାନାଂ ଭାବଃ ସାହିତ୍ୟମ୍ କୁହାଯାଉଛି, ଏହା ସକଳଶାସ୍ତ୍ରର ନିର୍ଯ୍ୟାସକୁ ବୁଝାଉଛି ।

 

୧. ସାହିତ୍ୟ ଦର୍ପଣ :

ସାହିତ୍ୟ ଦର୍ପଣର ଦଶଟି ପରିଚ୍ଛେଦରେ ଯଥାକ୍ରମେ କାବ୍ୟତତ୍ତ୍ୱ, ବୃତ୍ତିବାଦ, ରସତତ୍ତ୍ୱ, ଧ୍ୱନିବାଦ, ବ୍ୟଞ୍ଜନା, ରୂପକ, ଦୋଷ, ଗୁଣ, ରୀତି ଓ ଅଳଙ୍କାରର ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇ ପ୍ରତିଟି କ୍ଷେତ୍ରରେ ଥିବା ଦ୍ୱନ୍ଦ୍ୱ, ସଂଶୟ, ବିରୋଧାଭାସ ପ୍ରଭୃତିର ସଠିକ୍ ସମାଧାନ କରାଯାଇଛି । ଗ୍ରନ୍ଥଟିରେ ୭୯୭ଟି କାରିକା ଓ ୭୯୪ଟି ସୂତ୍ର ସନ୍ନିବେଶିତ କରାଯାଇ ପ୍ରତ୍ୟେକଟି ସାହିତ୍ୟାଳଙ୍କାରର ସଂଜ୍ଞା ନିରୂପଣ କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ଗ୍ରନ୍ଥ ଓ ପ୍ରସିଦ୍ଧ କବିମାନଙ୍କର ରଚନାରୁ ୮୨୩ଟି ଶ୍ଳୋକକୁ ଉଦ୍ଧୃତ କରାଯାଇ ଉଦାହରଣ ଆକାରରେ ଦିଆଯାଇଛି । ତନ୍ମଧ୍ୟରେ ତାଙ୍କ ନିଜ ରଚନାରୁ ୬୪ଟି ଶ୍ଳୋକ, ତାଙ୍କ ପିତା ଚନ୍ଦ୍ରଶେଖରଙ୍କ ରଚନାରୁ ୬ଟି ଶ୍ଳୋକ, ପୂର୍ବପୁରୁଷ ନିଜ ବଂଶର ରାଘବାନନ୍ଦ ମହାପାତ୍ରଙ୍କର ଦୁଇଟି, କୃଷ୍ଣାନନ୍ଦଙ୍କର ଦୁଇଟି, ନାରାୟଣ ଦାସଙ୍କର ଦୁଇଟି, ଚଣ୍ଡୀ ଦାସଙ୍କର ଦୁଇଟି ଶ୍ଲୋକ ଏହାର ଅନ୍ତର୍ଭୁକ୍ତ । ସାହିତ୍ୟ ଦର୍ପଣରେ ଯେଉଁ ବିଖ୍ୟାତ ଗ୍ରନ୍ଥମାନଙ୍କରୁ ଉଦାହରଣ ମାଧ୍ୟମରେ ଉଦ୍ଧୃତ ଦିଆଯାଇଛି, ତନ୍ମଧ୍ୟରେ – ଅଗ୍ନିପୂରାଣ (ପୃ-୪), ବିଷ୍ଣୁ ପୁରାଣ (୫), ବେଦ (୭୧୨), ଶ୍ରୀମଦ୍ଭାଗବତ (୨୭୦), ରାମାୟଣ (୨୬), ଗାଥା ସପ୍ତସତୀ (୬୨), ଆର୍ଯ୍ୟା ସପ୍ତସତୀ (୪୭୩), ହରିଶ୍ଚନ୍ଦ୍ର ଚରିତ (୭୫), ସୀତା ବନବାସ (୭୩), ସରସ୍ୱତୀ କଣ୍ଠାଭରଣ (୧୪), ବ୍ୟଞ୍ଜନାବିଚାର (୧୭), ବ୍ୟକ୍ତି ବିବେକ (୩୧୦), ଦଶ ରୂପକ (୧୦୨), ମୁଦ୍ରାରାକ୍ଷସ (୩୪୧), ଚଣ୍ଡ କୌଶିକ (୩୭୬), କର୍ପୁର ମଞ୍ଜରୀ (୪୦୮), ଯଯାତି ବିଜୟ (୪୧୫), ବଧ୍ୟଶିଳା (୪୩୦), ପୁଷ୍ପଭୂଷିତ ନାଟକ (୪୪୨), ଲୀଳା ମଧୁକର ରୂପକ (୪୪୩), ସୌଗନ୍ଧିକା ହରଣ (୪୪୩), ସମୁଦ୍ର ମନ୍ଥନମ୍ (୪୪୫), କୁସୁମ ଶେଖର ବିଜୟ ୪୪୭), ଶର୍ମିଷ୍ଠା ଯଯାତି (୪୪୮), କନ୍ଦର୍ପ କେଳି (୪୫୭), ବିଦ୍ଧଶାଳ ଭୟ୍ଜିକା (୪୫୯), ଧୂର୍ତ୍ତ ଚରିତ (୪୫୭), ଲଟକ ମେଳକ (୪୫୮), ରୈବତ ମଦନିକା (୪୬୦), ବିଳାସବତୀ (୪୬୦), ଦେବୀ ମହାଦେବ (୪୬୨), ମାଳତୀ ମାଧବ (୯୬), ଶିଶୁପାଳ ବଧ (୧୪୮), ମହାନାଟକ (୧୬୮), ବୀଥୀରୂପ ନାଟକ (୩୪୫), କୁନ୍ଦମାଳା (୩୪୩), ନାଗାନନ୍ଦ ନାଟକ (୨୨୨), ହୟଗ୍ରୀବ ବଧ (୨୩୫), ରତ୍ନାବଳୀ (୧୦୪), ନ୍ୟାୟ କୁସୁମାଞ୍ଜଳି (୩୦୮), ଶାରୀରିକ ମୀମାଂସା (୬୫୧), ମହାବୀର ଚରିତ (୧୭୪), କାଦମ୍ବରୀ (୧୯୬), ମୁକୁନ୍ଦମାଳା (୨୨୯), କାବ୍ୟପ୍ରକାଶ (୫), ଗୀତଗୋବିନ୍ଦ (୫୮୭, ୬୬୬), ବୀର ଚରିତ (୩୫୪), ଭାରବୀ (୧୭୯), ବାକ୍ୟପଦୀୟ (୫୨), ଅମର ଶତକ (୨୦), ଶୃଙ୍ଗାର ତିଳକ (୧୧୪), କାବ୍ୟାଳଙ୍କାର (୧୨୭), ଧ୍ୱନ୍ୟାଲୋକ ଲୋଚନ (୧୯), ବେଣୀ ସଂହାର (୧୭୨), ଅନର୍ଘ ରାଘବ (୩୩୩), ଜାନକୀ ରାଘବ (୩୮୧), ରାମାଭିନନ୍ଦ (୩୫୩), ଉଦ୍ଦାତ୍ତ ରାଘବ (୩୩୭), ପ୍ରସନ୍ନ ରାଘବ (୨୪୩), ରାମଚରିତ (୩୫୮), ରାମାଭ୍ୟୁଦୟ (୪୦୮), ଧ୍ୱନ୍ୟାଲୋକ (୧୪), ଦେବୀ ଶତକ (୫୯୯), ନୈଷଧ (୨୭୯), ରଘୁବଂଶ (୧୮), କୁମାର ସମ୍ଭବ (୨୨), ମାଳବିକା ଅଗ୍ନିମିତ୍ର (୮୧), ମେଘଦୂତ (୧୩୨), ଅଭିଜ୍ଞାନ ଶାକୁନ୍ତଳମ୍ (୧୪୩), ବିକ୍ରମୋର୍ବଶୀୟମ୍‍ (୨୦୬), ହର୍ଷ ଚରିତ (୬୫୧), ମାଘ (୧୩୬), ରାଘବାନନ୍ଦ ନାଟକ (୧୩୨), ଉତ୍ତର ରାମଚରିତ (୧୦୮), ମୃଚ୍ଛକଟିକ (୧୦୪), କାଦମ୍ବରୀ (୪୭୪), ଯାଦବୋଦୟ (୪୬୨), ବାଳବଧଃ (୪୬୨), ମେନକାହିତମ୍ (୪୬୩), ମାୟାକାପାଳିକମ୍ (୪୬୩), କ୍ରୀଡ଼ା, ରସାତଳମ୍ (୪୬୪), କନକାବତୀ ମାଧବ (୪୬୫), ବିନ୍ଦୁମତୀ (୪୬୬), କେଳି ରୈବତକ (୪୬୭), କାମଦତ୍ତା (୪୬୮), ସେତୁ ବନ୍ଧ (୪୭୨), କର୍ଣ୍ଣ ପରାକ୍ରମ (୪୭୨), ନାଗର (୪୭୪), ହର୍ଷ ଚରିତ (୪୭୫), ପଞ୍ଚତନ୍ତ୍ର (୪୭୫), ବିରୁଦ ମଣିମାଳା (୪୭୬), ବିଦଗ୍‌ଧ ମୁଖମଣ୍ଡନ (୬୧୪), ଅଳଙ୍କାର ସର୍ବସ୍ୱ (୬୭୬), ଉଲ୍ଲଟ ଶତକ (୭୨୨), ଭଟ୍ଟି ପଦ୍ୟ (୭୫୭), ନାଟ୍ୟଶାସ୍ତ୍ର (୫୫), ପୁଷ୍ପମାଳା (୩୩୩), ଭାଷାର୍ଣ୍ଣବ (୪୧୨), ଉଦୟନ ଚରିତ (୪୦୬) କୃତ୍ୟ ରାବଣ (୪୦୬), ରାଘବାଭ୍ୟୁଦୟ (୪୩୫), ଛଳିତ ରାମ (୪୫୪), କୀରତାର୍ଜ୍ଜୁନୀୟମ (୫୩୦), ରସ ଗଙ୍ଗାଧର (୭୩୫), କାବ୍ୟ ମୀମାଂସା (୧୧), ବାଳକରାମାୟଣ (୩୩୨), ବକ୍ରୋ ଜୀବିତମ୍ (୧୨), ପ୍ରଭୃତି ଅନେକ ପ୍ରସିଦ୍ଧ ଗ୍ରନ୍ଥ ଓ ଗ୍ରନ୍ଥକାର ଅନ୍ତର୍ଭୁକ୍ତ ।

 

ତାଙ୍କ ପୂର୍ବସୂରୀ ଯେଉଁମାନଙ୍କ ନାମ ସେ ସାହିତ୍ୟ ଦର୍ପଣରେ ଉଲ୍ଲେଖ କରିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରସିଦ୍ଧ କବି ଟୀକାକାର, ସମାଲୋଚକ ଓ ଆଳଙ୍କାରିକ ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ବ୍ୟାସଦେବ (୫୧), ପାଣିନି (୪୯୪), ଚାଣକ୍ୟ (୩୪୧), ପତଞ୍ଜଳୀ (୩୧), ରୂଦ୍ରଟ (୭୩୫), ଉଦ୍ଭଟ (୭୩୫), ଆନନ୍ଦବର୍ଦ୍ଧନ (୧୪), ଭୋକରାଜ (୫୩୧), ରାଜଶେଖର (୧୧), କୁନ୍ତକ (୧୨), ନଳ (୧୨), ମହିମ ଭଟ୍ଟ (୧୭), ନାଗୋଜୀ ଭଟ୍ଟ (୫୧), ଅଭିନବ ଗୁପ୍ତ (୬୭), ଧର୍ମଦତ୍ତ (୬୯), ଭଟ୍ଟଲୋଳଟ (୮୩), ଶ୍ରୀଶଙ୍କୁ (୮୩), ଧନିକ (୯୬), ଶ୍ରୀହର୍ଷ (୧୩୬), ହର୍ଷବର୍ଦ୍ଧନ (୨୩୪), ଉଚ୍ଚମୀମାସଂକ (୨୯୯), ଉଦୟନାଚାର୍ଯ୍ୟ (୩୦୮), କୁମାରିଲ ଭଟ୍ଟ (୩୨୨), ମୁରାରୀ ମିଶ୍ର (୩୩୩), କ୍ଷପଣକ (୩୫୩), ଶତାନନ୍ଦ (୩୫୫), ବାମନ (୫୬୨), ପୁରୁଷୋତ୍ତମ (୫୭୯), ରୁର୍ଯ୍ୟକ (୬୦୧) ବାଚସ୍ପତି ମିଶ୍ର (୬୫୧), ଭରତ ମୁନି (୫୫), ଜଗଦୀଶ ଭଟ୍ଟାଚାର୍ଯ୍ୟ (୭୬୦), କାଳିଦାସ (୧୮), ଶ୍ରୀ ଜୟଦେବ (୫୮୭), ଭର୍ତ୍ତୃହରି (୫୨), ଅମରୁ (୨୦), ଧନଞ୍ଜୟ (୧୦୨)ଙ୍କ ସହିତ ନିଜ ବଂଶ କପିଞ୍ଜଳ ଗୋତ୍ରର ପୂର୍ବପୁରରୁଷ ଯଥା – ପିତା ଚନ୍ଦ୍ରଶେଖର ସାନ୍ଧିବିଗ୍ରହିକ (୫୭), କନିଷ୍ଠ ପିତାମହ ଚଣ୍ଡୀ ଦାସ (୨୯୨), ବୃଦ୍ଧ ପ୍ରପିତାମହ ନାରାୟଣ ଦାସ (୬୯), ରାଘବାନନ୍ଦ ସାନ୍ଧିବିଗ୍ରହିକ (୨୦), କୃଷ୍ଣାନନ୍ଦ (୫୦୯), ପ୍ରଭୃତିଙ୍କର ନାମ ସେ ଉଲ୍ଲେଖ କରି ତାଙ୍କ ରଚନାରୁ ବିଭିନ୍ନ ଉଦାହରଣ ନେଇ ସାହିତ୍ୟ ଦର୍ପଣକୁ ପରିପୁଷ୍ଟ କରିଛନ୍ତି-

 

କାଳିଦାସଙ୍କ ରଘୁବଂଶରୁ ୨୩ଟି, କୁମାର ସମ୍ଭବରୁ ୨୦ଟି, ମାଳବିକାଗ୍ନିମିତ୍ରରୁ ୫ଟି, ମେଘଦୂତରୁ ୪ଟି, ଅଭିଜ୍ଞାନ ଶକୁନ୍ତଳମରୁ ୩୪ଟି ଓ ବିକ୍ରମୋର୍ବଶୀୟମରୁ ୮ଟି ଏହିପରି କାଳିଦାସଙ୍କ ରଚନାରୁ ମୋଟ ୯୪ଟି ଶ୍ଳୋକର ପ୍ରାସଙ୍ଗିକ ଉଦ୍ଧୃତି ସାହିତ୍ୟ ଦର୍ପଣରେ ସ୍ଥାନିତ । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରୁ ୧୨ଟି, ରାଜଶେଖରଙ୍କର କାବ୍ୟ ମୀମାଂସା, ବାଳ ରାମାୟଣ ଓ କର୍ପୂର ମଞ୍ଜରୀରୁ ୧୨ଟି, ଶ୍ରୀହର୍ଷଙ୍କ ମାଘ କାବ୍ୟରୁ ୧୩ଟି ନୈସଧ ଚରିତ୍ରରୁ ୩ଟି ଧ୍ୱନ୍ୟାଲୋକ (ଆନନ୍ଦବର୍ଦ୍ଧନ )ରୁ ୧୬ଟି, ଲୋଚନାକାର ଅବିନବ ଗୁପ୍ତଙ୍କର ୮ଟି ବେଣୀ ସଂହାରରୁ ୫୨ଟି ମମ୍ମଟ ଭଟ୍ଟଙ୍କର କାବ୍ୟପ୍ରକାଶରୁ ୧୯ଟି ଜୟଦେବଙ୍କ ଗୀତ ଗୋବିନ୍ଦରୁ ୨ଟି, ଅମର ଶତକରୁ ୪ଟି, ଗାଥା ସପ୍ତସତୀରୁ ୩୨, ସରସ୍ୱତୀ କଣ୍ଠାଭରଣରୁ ୨ଦଶରୂପକରୁ ୬ଟି ,ମହାବୀର ଚରିତ୍ରରୁ ୪ଟି, ବୀରଚରିତରୁ ୪ଟି, ଭାରବୀରୁ ୩ଟି, ବାକ୍ୟ ପଦୀୟରୁ ୨ଟି, ଶୃଙ୍ଗାର ତିଳକରୁ ୨ଟି, ରୁଦ୍ରଟଙ୍କ କାବ୍ୟାଳଙ୍କାରରୁ ୨ଟି, ରାମ ଚରିତରୁ ୫ଟି, ଉତ୍ତର ରାମଚରିତରୁ ୫ଟି, ମୃଚ୍ଛକଟିକରୁ ୬ଟି, ଉଦାହରଣ ଶ୍ଳୋକ ସହିତ ଅନେକ ବଳିଷ୍ଠ ଓ ଯୁକ୍ତିଯୁକ୍ତ ଉଦାହରଣ ଦିଆଯାଇ ସାହିତ୍ୟର ପ୍ରତିଟି ଆବଶ୍ୟକତାକୁ ସେ ପୂରଣ କରିଛନ୍ତି ଓ ନିଜର ବଳିଷ୍ଠ ଆଳଙ୍କାରିକ ଉପସ୍ଥାପନାକୁ ରୁଦ୍ଧିମନ୍ତ କରିଛନ୍ତି । ନିଜ ରଚିତ ପ୍ରଭାବତୀ ପରିଣୟ ନାଟିକାରୁ ବିଶ୍ୱନାଥ ୧୨ଟି, ଚନ୍ଦ୍ରକଳା ନାଟିକାରୁ ୭ଟି, କୁବଳୟାଶ୍ୱ ଚରିତମ୍‌ରୁ ୮ଟି, ରାଘବ ବିଳାସ ଓ ରାଘବ ବିଳାପରୁ ଗୋଟିଏ ଲେଖାଏଁ ପ୍ରଶସ୍ତି ରତ୍ନାବଳୀରୁ ୧୧ଟି, ତାରୁଣସ୍ୟ ବିଳାସରୁ ୧୦ଟି ସମେତ ମୋଟ ଅନ୍ୟାନ୍ୟ ଉଦାହରଣ ସହ ନିଜ ରଚିତ ଶ୍ଳୋକରୁ ୬୪ଟି ଉଦାହରଣ ଦେଇଛନ୍ତି । ସେହିପରି ବିଶ୍ୱନାଥ କବିରାଜ ନିଜ ପିତା ଚନ୍ଦ୍ରଶେଖର ମହାପାତ୍ର ସାନ୍ଧିବିଗ୍ରହିକଙ୍କର ଦୁଇଟି ଗ୍ରନ୍ଥ ପୁଷ୍ପମାଳା ଓ ଭାଷାର୍ଣ୍ଣବ ସେମତ ଅନ୍ୟାନ୍ୟ ରଚନାରୁ ୬ଟି ଶ୍ଳୋକ ଉଦାହରଣ ଦେଇଛନ୍ତି । ନିଜ ବଂଶ ପୂର୍ବପୁରୁଷ ରାଘବାନନ୍ଦ ସାନ୍ଧିବିଗ୍ରହିକଙ୍କର ଦୁଇଟି, ଚଣ୍ଡୀ ଦାସଙ୍କର ଦୁଇଟି ଓ ନାରାୟଣ ଦାସଙ୍କର ଦୁଇଟି ଶ୍ଳୋକରେ ଉଦାହରଣ ଦେଇଛନ୍ତି । ଏଥିରୁ ତାଙ୍କର ସୃଜନୀଶକ୍ତି, ବିଚକ୍ଷଣ ବୁଦ୍ଧି ଓ ମେଧାର ପରିଚୟ ମିଳେ । ଅଳଙ୍କାରଗୁଡ଼ିକର ସଠିକ୍ ବର୍ଗୀକରଣ ସହିତ ମୋଟ ୧୦ଟି ରସ ଓ ୮୧ଟି ଅଳଙ୍କାର ଏବଂ ଏଗୁଡ଼ିକର ବ୍ୟାପକ ଶାଖା ଉପଶାଖା ସମେତ ସେମାନଙ୍କର ବିଶ୍ଳେଷଣ, ତର୍ଜମା ସହିତ ଉପଯୁକ୍ତ ପ୍ରତିଷ୍ଠିତ ଶାସ୍ତ୍ରମାନଙ୍କରୁ ଯୁକ୍ତିଯୁକ୍ତ ଉଦାହରଣ ଦେଇ ବିଶ୍ୱନାଥ ନିଜ ସାହିତ୍ୟ ଦର୍ପଣ ଗ୍ରନ୍ଥକୁ ଶ୍ରେଷ୍ଠ ଅଳଙ୍କାର ଶାସ୍ତ୍ର ରୂପେ ପ୍ରତିଷ୍ଠିତ କରି ପାରିଛନ୍ତି । ଏହା ସହିତ ଏକ ସ୍ୱୟଂସମ୍ପୂର୍ଣ୍ଣ ଅଳଙ୍କାର ଶାସ୍ତ୍ରର ଅଭାବବୋଧ ମଧ୍ୟ ଚିରକାଳ ନିମେନ୍ତ ପୂର୍ଣ୍ଣ ହୋଇପାରିଲା ।

 

ବିଶ୍ୱନାଥ କବିରାଜ ସାହିତ୍ୟ ଦର୍ପଣ ବ୍ୟତୀତ ଅନେକ ମୂଲ୍ୟବାନ ଗ୍ରନ୍ଥ ମଧ୍ୟ ରଚନା କରି ଯାଇଛନ୍ତି । ତାଙ୍କ ସାହିତ୍ୟ ଦର୍ପଣ ଓ କାବ୍ୟପ୍ରକାଶ ଦର୍ପଣ ବ୍ୟତୀତ ତାଙ୍କ ପୁତ୍ର ଅନନ୍ତ ଦାସ ସାହିତ୍ୟ ଦର୍ପଣ ଉପରେ ଲେଖିଥିବା ଲୋଚନ ଟୀକାରେ ବିଶ୍ୱନାଥ କବିରାଜଙ୍କ ପ୍ରଣୀତ କେତୋଟି ଗ୍ରନ୍ଥ ବିଷୟରେ ଉଲ୍ଲେଖ କରାଯାଇ ସେଗୁଡ଼ିକରୁ ଉଦ୍ଧୃତି ଦିଆଯାଇଛି । ଅନନ୍ତ ଦାସ ନିଜ ଲୋଚନ ଟୀକାରେ ଯେଉଁ ସ୍ଥଳରେ ସଂଶୟରେ ପଡ଼ିଛନ୍ତି, ସେଠାରେ ନିଜ ପିତାଙ୍କଦ୍ୱାରା ପ୍ରତିଷ୍ଠିତ ସିଦ୍ଧାନ୍ତ ଅନୁସାରେ ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଉଦ୍ଧୃତିଗୁଡ଼ିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ନିମ୍ନୋକ୍ତ ଗ୍ରନ୍ଥଗୁଡ଼ିକ ସାହିତ୍ୟ ଦର୍ପଣ ରଚନାର ପୂର୍ବରୁ ରଚିତ ହୋଇ ସାରିଥିଲା । ସାହିତ୍ୟ ଦର୍ପଣ ତୃତୀୟ ପରିଚ୍ଛେଦରେ ପ୍ରଥମାବତୀର୍ଣ୍ଣ ଯୌବନା ତରୁଣୀର ଉଦାହରଣ ଦେଖିବାକୁ ଯାଇ ବିଶ୍ୱନାଥ ଲେଖିଛନ୍ତି –

 

‘‘ପ୍ରଥମାବତୀର୍ଣ୍ଣ ମଦନ ବିକାରା ଯଥା ମମ ପ୍ରଭାବତୀ ପରିଣୟେ-

ଦତ୍ତେ ସାଳସ ମନ୍ଥରଂ ଭୁବି ପଦଂ, ନିର୍ଯ୍ୟାତି ନାନ୍ତଃପୁରାତ୍ର ।

ନୋଦ୍ଦାମଂ ହସିତ, କ୍ଷଣାତ୍କଳାୟତେ, ହ୍ରୀଯନ୍ତ୍ରଣାଂ କାମପି ।।

କିଞ୍ଚିତ୍ ଭାବ ଗଭୀର ବିକ୍ରମ ଲବସ୍ମୃଷ୍ଟଂ ମନାଗ୍ ଭାଷତେ ।

ସଭ୍ରୂଭଙ୍ଗ ମୁଦୀକ୍ଷତେ ପ୍ରିୟକଥା ମୂଲ୍ଲାସୟନ୍ତୀଂ ସଖୀମ୍ ।। (୩୩)

 

ପ୍ରଥମ ଯୌବନ ପଦାର୍ପଣ ପ୍ରଭାବରେ କିପରି ବିଭିନ୍ନ ମଦନ ବିକାର ଜାତ ହୁଏ, ତାହାର ଉଦାହରଣ ସେ ନିଜ ଗ୍ରନ୍ଥ ପ୍ରଭାବତୀ ପରିଣୟ ନାଟକରୁ ଦେବାକୁ ଯାଇ ଲେଖିଛନ୍ତି – ସେହି ନାୟିକା ପୃଥିବୀରେ ଧୀରେ ଧୀରେ ପଦଚାଳନା କରୁଛି । ଅନ୍ତଃପୁରୁ ବାହାରକୁ ଆସୁନାହିଁ । ବାଲ୍ୟ ଚପଳତା ଚାଲିଗଲାଣି । ତେଣୁ କଥାକଥାକେ ହସୁନାହିଁ । ପ୍ରତିକାର୍ଯ୍ୟରେ ଲଜ୍ଜାବୋଧ କରୁଛି । ବହୁତ ପଚାରିଲେ ଖୁବ୍ ଭାବପୂର୍ଣ୍ଣ ପଦେ ଅଧେ କଥା କହୁଛି । ସଖୀମାନେ ପ୍ରିୟକଥା ପଦେ କହିଦେଲେ କୃତ୍ରିମ କ୍ରୋଧ ପ୍ରକାଶ କରି ଚାହୁଁଛି । ଏହିପରି ତା’ଠାରେ କାମଭାବର ପ୍ରକାଶ ହେବାକୁ ଲାଗିଲା।

 

ସେହିପରି ବିଶ୍ୱନାଥ କବିରାଜ ସ୍ୱରଚିତ ଚନ୍ଦ୍ରକଳା ନାଟିକାରୁ ଉଦାହରଣ ଦେବାକୁ ଯାଇ ଲେଖିଛନ୍ତି – (ଦୀପ୍ତି-କାନ୍ତିର ବିସ୍ତାର ଅବସ୍ଥା ପ୍ରସଙ୍ଗରେ)

 

‘‘ଯଥା ମମ ଚନ୍ଦ୍ରକଳା ନାମ ନାଟିକାୟାଂ ଚନ୍ଦ୍ରକଳା ବର୍ଣ୍ଣନମ୍ –

ତାରୁଣସ୍ୟ ବିଳାସଃ ସମଧିକ ଲାବଣ୍ୟ ସମ୍ପଦୋ ହାସଃ,

ଧରିଣିତଳସ୍ୟ ଭରଣଂ ଯୁବଜନମନସୋ ବଶୀକରଣମ୍ ।’’ (୩୪)

 

ତାଙ୍କ ରଚିତ ଚନ୍ଦକଳା ନାଟିକା ଗ୍ରନ୍ଥରେ ଚନ୍ଦ୍ରକଳାର ବର୍ଣ୍ଣନା କରିବାକୁ ଯାଇ ବିଶ୍ୱନାଥ କବିରାଜ ଲେଖିଛନ୍ତି – ଏହି ଚନ୍ଦ୍ରକଳା ନାୟିକା ଯୁବାବସ୍ଥାର ଆବିର୍ଭାବ ସ୍ୱରୂପା, ଯୁବଜନମାନଙ୍କ ମନରୁ ବଶୀଭୂତ କରିବା ବିଷୟରେ ବଶୀକରଣ ବିଦ୍ୟାସ୍ୱରୂପା ।

 

ଆଳଙ୍କାରିକ ବିଶ୍ୱନାଥ ଜଡ଼ତା ବର୍ଣ୍ଣନ ପ୍ରସଙ୍ଗରେ ନିଜ ରଚିତ କୁବଳୟାଶ୍ୱଚରିତ ଗ୍ରନ୍ଥରୁ ନିମ୍ନମତେ ଉଦାହରଣ ଦେଇଛନ୍ତି ।

 

୩୩.

ସାହିତ୍ୟ ଦର୍ପଣ, ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭) – ତୃତୀୟ ପରିଚ୍ଛେଦ, ପୃ-୧୧୧

୩୪.

ବିଶ୍ୱନାଥ କବିରାଜ, ସାହିତ୍ୟ ଦର୍ପଣ – ଅନୁ-ନାରାୟଣ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭) ତୃତୀୟ ପରିଚ୍ଛେଦ, ପୃ-୧୪୧, ୧୪୨

 

‘‘ଯଥା ମମ କୁବଳୟାଶ୍ୱଚରିତ ପ୍ରାକୃତ କାବ୍ୟେ-

ଶବରିଅଂ ତଂ ଜୁଅଜୁଅଳଂ ଅଣ୍‌ଶୋଣ୍‌ଣଂ

ଣିହିଦ ସକଳ ମନ୍ଥର ଦିଟ୍‌ଠିମ୍ ।

ଆଲେକ୍ ଖଓ ପିଅଂ ବିଅ ଖଣମେତ୍ତଂ

ତତ୍‌ଥ ସଂଝ ଠିଅଂ ମୁଅସଣ୍‌ଣମ୍ ।।’’ (୩୫)

 

ବହୁଦିନ ପରେ ବିଦେଶରୁ ଫେରିଥିବା ପତି ଓ ପତି ଗୃହରେ ଦୀର୍ଘ ବିରହିଣୀ ଅବସ୍ଥାରେ ଥିବା ପତ୍ନୀ ପ୍ରଥମ ଦେଖାରେ କିଛି ସମୟ ନିମନ୍ତେ ସ୍ଥାଣୁ ହୋଇ ଚିତ୍ରପ୍ରତିମା ପରି ନୀରବ ନିଶ୍ଚଳ ହୋଇରହିଲେ । କେବଳ ଉଭୟେ ଉଭୟଙ୍କୁ ସଜଳ ନେତ୍ରରେ ଚାହିଁ ରହିଲେ । ଏହା ଗ୍ରନ୍ଥକାର ବିଶ୍ୱନାଥଙ୍କ ପ୍ରାକୃତ ଭାଷାର ରଚନା ।

 

କରୁଣ ରସର ଉଦାହରଣ ଦେବାକୁ ଯାଇ ବିଶ୍ୱନାଥ ସ୍ୱରଚିତ ‘‘ରାଘବ ବିଳାପ’’ ଗ୍ରନ୍ଥରୁ ଏକ ପ୍ରକୃଷ୍ଟ ଉଦାହରଣ ଦେଇଛନ୍ତି –

 

‘ଯଥା ମମ ରାଘବ ବିଳାପେ-

ବିପନେ କ୍ୱ କଟା ନିବନ୍ଧନଂ            ତବ ଚେଦଂ ସ୍ୱ ମନୋହରଂ ବପୁଃ ।

ଅନ୍ତୟ୍ୟୋର୍ଘଟନା ବିଧେଃ ସ୍ଫୁଟଂ,       ମନୁ ଖଡ଼୍‌ଗେନ ଶିରୀଷକର୍ତ୍ତମ୍ । (୩୬)

 

ରାମ ବନବାସ କାଳରେ ପିତା ଦଶରଥ କାନ୍ଦି କାନ୍ଦି ଦୈବନିନ୍ଦା କରି କହୁଛନ୍ତି – ହେ ରାମ, ତୁମର ଏ ଅତି ସୁନ୍ଦର କୋମଳ ଶରୀର କେଉଁଠି ଏବଂ କଣ୍ଟା ଖୁଞ୍ଚ ପରିପୂର୍ଣ୍ଣ ବଣ ଜଙ୍ଗଲ ଭିତରେ ଜଟା ବାନ୍ଧି ବୁଲିବା କେଉଁଠି ? ଏହା ଯାହା ବିଧାତା କଲା । କୋମଳ ଶୀରିଷ ଫୁଲକୁ ଖଣ୍ଡାରେ ହାଣିଲା ।

 

ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ଏହି ଗ୍ରନ୍ଥରେ ମଧ୍ୟ ସର୍ବତ୍ର ଅନୁସୃତ ମୁଦ୍ରଣ ତୃଟି ରହିଛି । ଏହାର ଯଥାର୍ଥ ସମାଧାନ ଓ ଯୁକ୍ତିଯୁକ୍ତ ମୀମାଂସା ଅଧ୍ୟାପକ ବନମାଳୀ ରଥ ବହୁ ସାହିତ୍ୟ ଦର୍ପଣ ଛାପା ଓ ମୂଳ ପୋଥି ମିଳାଇ ତାଙ୍କ ସୁଚିନ୍ତିତ ମତାମତ ଦେଇ ‘‘ରାଘବ ବିଳାପ’’ କିପରି ‘‘ରାଘବ ବିଳାସ’’ଠାରୁ ପୃଥକ୍ ତାହାର ନିର୍ଣ୍ଣୟ କରିଛନ୍ତି । (୩୭)

 

ଏହି ରାଘବ ବିଳାସ ଗ୍ରନ୍ଥଟିର ସଠିକ୍ ନିରୂପଣ କରିବାକୁ ଯାଇ ସେ ରାମଚରଣ ତର୍କବାଗୀଶଙ୍କଦ୍ୱାରା ସମ୍ପାଦିତ ହୋଇ କଲିକତାରୁ ପ୍ରକାଶିତ ସାହିତ୍ୟ ଦର୍ପଣର ଶୁଦ୍ଧ ପାଠକୁ ଅବଲମ୍ବନ କରିଛନ୍ତି । ଏହି ତୃଟିଶୂନ୍ୟ ଯୁକ୍ତିକୁ ଆଧାର କରି ସେ ନିଜ ପୁସ୍ତକ – ‘‘ସାହିତ୍ୟ ଦର୍ପଣ ଅଫ୍ ବିଶ୍ୱନାଥ କବିରାଜ - ଆନ ଏନିଡ଼ିକାଲ ସ୍ଳର୍ଗ’’ରେ ଏହା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । (୩୮)

 

୩୫.

ତତ୍ରୈବ, ପୃ-୧୬୮, ୧୬୯

୩୬.

ତତ୍ରୈବ, ପୃ-୨୧୩

୩୭.

ଅଧ୍ୟାପକ ବନମାଳୀ ରଥ, ବିଶ୍ୱନାଥ କବିରାଜଙ୍କ ଗ୍ରନ୍ଥ ନିଚୟ, କୋଣାର୍କ, ଦ୍ୱିତୀୟ ବର୍ଷ, ଦ୍ୱିତୀୟ ସଂଖ୍ୟା (୧୯୬୦), ପୃ-୯,୧୦

୩୮.

ତତ୍ରୈବ, ପୃ-୧୨

 

ମହାକାବ୍ୟର ଲକ୍ଷଣ ସମୂହ ନିରୂପଣ କରିସାରି ତାହାର ଉଦାହରଣ ଦେବାକୁ ଯାଇ ବିଶ୍ୱନାଥ ଲେଖିଛନ୍ତି ।

 

‘‘ଯଥା ରଘୁବଂଶ ଶିଶୁପାଳ ବଧ ନୈଷଧାଦୟଃ । ଯଥା ବା ମମ ରାଘବବିଳାସାଦିଃ’’

 

ଏଥିରୁ ଜଣାଯାଉଛି ଯେ ସୁପ୍ରସିଦ୍ଧ ମହାକାବ୍ୟ ରଘୁବଂଶ, ଶିଶୁପାଳ ବଧ, ନୈଷଧ ତୁଲ୍ୟ ବିଶ୍ୱନାଥ କବିରାଜଙ୍କ ସ୍ୱରଚିତ ରାଘବ ବିଳାସାଦି କେତେକ ମହାକାବ୍ୟ ରହିଛି । ତେବେ ସେ ଯାହା ହେଉ ନା କାହିଁକି ରାଘବ ବିଳାସ ଓ ରାଘବ ବିଳାପ ମହାକାବ୍ୟ ଦୁଇଟିର ଅସ୍ତିତ୍ୱ ଏଠାରେ ସ୍ୱତଃ ପ୍ରମାଣିତ ହୁଏ । ଏବଂ ଏହି ଦୁଇଗୋଟି ମହାକାବ୍ୟ ଲକ୍ଷଣ ଲକ୍ଷିତ ମଧ୍ୟ । (୩୯)

 

ବିଶ୍ୱନାଥ ତତ୍କୃତ ସାହିତ୍ୟ ଦର୍ପଣରେ ଗଦ୍ୟକାବ୍ୟର ଅବତାରଣା କରିଛନ୍ତି । ଏଥିପାଇଁ ସେ ଲେଖିଛନ୍ତି ଯେ ଯେଉଁ ଗ୍ରନ୍ଥ ଛନ୍ଦରେ ଲେଖାହେବ ନାହିଁ ତାହା ହେଉଛି ଗଦ୍ୟକାବ୍ୟ । ଏହି ଗଦ୍ୟକାବ୍ୟ ଗ୍ରନ୍ଥଗୁଡ଼ିକୁ ବିଶ୍ୱନାଥ ଚାରି ପ୍ରକାରରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲା (୧) ମୁକ୍ତକ, (୨) ବୃତ୍ତଗନ୍ଧି, (୩) ଉତ୍କଳିକାପ୍ରାୟ, (୪) ଚୂର୍ଣ୍ଣକ । ମୁକ୍ତକ ଗଦ୍ୟକାବ୍ୟରେ ସମାସ ନ ଥାଏ । ବୃତ୍ତ ଗନ୍ଧିରେ ବୃତ୍ତର ଏକ ଅଂଶ ଥାଏ । ଉତ୍କଳିକା ପ୍ରାୟ ହେଉଛି ଅଳ୍ପ ସମାସଯୁକ୍ତ ଗଦ୍ୟବିଶେଷ । ଚୂର୍ଣ୍ଣକରେ ଛୋଟ ଛୋଟ ସମାସ ରହିଥାଏ । ବୃତ୍ତ ଗନ୍ଧର ଉଦାହରଣ ସେ ନିଜ ରଚନାରୁ ଦେଉଛନ୍ତି । ‘‘ବୃତ୍ତିଗନ୍ଧି ଯଥା ମମ-ସମର କଣ୍ଡୁଳ ନିବିଡ଼ ଭୁଜଦଣ୍ଡ କୁଣ୍ଡଳୀକୃତ କୋଦଣ୍ଡିଞ୍ଜନୀଟଂ କରୋକ୍ମାଗରିତ ବୈରିନଗର ଇତ୍ୟାଦି ।’’ ସେହିପରି ଉତ୍କଳିକାପ୍ରାୟର ଉଦାହରଣ ମଧ୍ୟ ସେ ନିଜ ଗଦ୍ୟକାବ୍ୟରୁ ଦେଇ ଲେଖିଛନ୍ତି । ‘‘ଉତ୍କଳିକାପ୍ରାୟ ଯଥା ମମୈବଂ – ଅଣିସବିସୁମରସିସ ଦସର ବିସରବଦିଳିଦ ସମର – ପରିଗଦପବରପରବଳ ଇତ୍ୟାଦି । ‘‘ଚୂର୍ଣ୍ଣକର ଉଦାହରଣ ମଧ୍ୟ ନିଜ ଗଦ୍ୟ ରଚନାରୁ ଦେଇ ଲେଖିଛନ୍ତି । ‘‘ଚୂର୍ଣ୍ଣକଂ ଯଥା ମମ – ଗୁଣରରତ୍ନ ସାଗର, ଜଗଦେବ ନାଗର, କାମିନୀ ମଦନ, ଜନରଞ୍ଜନ ଇତ୍ୟାଦି ।’’ (୪୦)

 

ଏହିସବୁ ଉଦ୍ଧୃତିରୁ ପ୍ରତୀୟମାନ ହେଉଛି ଯେ ଅନ୍ତତଃ ବିଶ୍ୱନାଥ କବିରାଜଙ୍କର ବୃତ୍ତଗନ୍ଧି, ଉତ୍କଳିକାପ୍ରାୟ ଚୂର୍ଣ୍ଣକ ସମ୍ବଳିତ କିଛି ଉଚ୍ଚକୋଟିର ଗଦ୍ୟ ରଚନା ଉଭୟ ସଂସ୍କୃତ ଓ ପ୍ରାକୃତ ଭାଷାରେ ରହିଥିଲା ଏବଂ ସେଥିରୁ ସେ ଏହିସବୁ ଉଦାହରଣ ଦେଇଛନ୍ତି । (୪୧)

 

ବିବିଧ ଭାଷାରେ ରଚିତ ଗଦ୍ୟପଦ୍ୟମୟ ରଚନାକୁ କରମ୍ଭକ କୁହନ୍ତି । ଏ ବିଷୟରେ ବିଶ୍ୱନାଥ କବିରାଜ ଲେଖିଛନ୍ତି ‘‘କରମ୍ଭକଂ ତୁ ଭାଷାର୍ଭିର୍ବିବିଧାଭିର୍ବିନିର୍ମିତମ୍ । ଯଥା ମମ ଷୋଡ଼ଶ ଭାଷାମୟୀ ପ୍ରଶସ୍ତିରତ୍ନାବଳୀ ।’’ (୪୨)

 

ଅଠରଟି ବିଭିନ୍ନ ଭାଷାରେ ପାରିଦର୍ଶିତା ହାସଲ କରିଥିବା ବିଶ୍ୱନାଥ ତନ୍ମଧ୍ୟରୁ, ଷୋହଳଟି ଭାଷାକୁ ଆଧାରକରି ଏକ କରମ୍ଭକ ଗ୍ରନ୍ଥ ‘ପ୍ରଶସ୍ତି ରତ୍ନାବଳୀ’ ଲେଖିଥିବାର ଏଥିରୁ ପ୍ରମାଣିତ ହେଉଛି ।

 

୩୯.

ବିଶ୍ୱନାଥ କବିରାଜ, ସାହିତ୍ୟ ଦର୍ପଣ, ଅନୁବାଦ-ନାରାୟଣ ମହାପାତ୍ର, ପ୍ରକାଶନ-ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭), ଷଷ୍ଠ ପରିଚ୍ଛେଦ, ପୃ-୪୭୧

୪୦.

ତତ୍ରୈବ, ପୃ-୪୭୪

୪୧.

ଅଧ୍ୟାପକ ବନମାଳୀ ରଥ, କୋଣାର୍କ ୨ୟ ବର୍ଷ, ୨ୟ ସଂଖ୍ୟା (୧୯୬୦) – ପୃ-୧୨

୪୨.

ସାହିତ୍ୟ ଦର୍ପଣ, ପୃ-୪୭୬

 

ଉପର୍ଯ୍ୟୁକ୍ତ ଆଲୋଚନା ଆଧାରରେ ଏହାହିଁ ସ୍ପଷ୍ଟ ହେଲା ଯେ, ସାହିତ୍ୟ ଦର୍ପଣରେ ଉଦ୍ଧାର କରାଯାଇଥିବା ଉପରୋକ୍ତ ଗ୍ରନ୍ଥ ଓ ରଚନା ଯଥା- (୧) ଚନ୍ଦ୍ରକଳା ନାଟିକା, (୨) ପ୍ରଭାବତୀ ପରିଣୟ ନାଟକ, (୩) ରାଘବ ବିଳାପ, (୪) ରାଘବ ବିଳାସ, (୫) ପ୍ରଶସ୍ତି ରତ୍ନାବଳୀ, (୬) କୁବଳୟାଶ୍ୱଚରିତ, (୭) ଦୁଇଗୋଟି ଗଦ୍ୟକାବ୍ୟ (ଯେଉଁଥିରୁ ମୁକ୍ତକ, ବୃତ୍ତିଗନ୍ଧି, ଉତ୍କଳିକା ପ୍ରାୟ ଓ ଚୂର୍ଣ୍ଣକର ଉଦାହରଣ ଦିଆଯାଇଛି) ଗୁଡ଼ିକ ସାହିତ୍ୟ ଦର୍ପଣ ଲେଖାହେବା ପୂବର୍ରୁ ବିଶ୍ୱନାଥ କବିରାଜ ରଚନା କରି ସାରିଥିଲେ । ସାହିତ୍ୟ ଦର୍ପଣ ରଚନା ପରେ ‘‘ନରସିଂହ ବିଜୟ’’ ସେ ରଚନା କରି ଏହାର ଉଲ୍ଲେକ ନିଜ ‘‘କାବ୍ୟପ୍ରକାଶ ଦର୍ପଣ’’ ନାମକ ଟୀକା ଗ୍ରନ୍ଥରେ କରିଛନ୍ତି । (୪୩)

 

ସାହିତ୍ୟ ଦର୍ପଣରେ କାବ୍ୟପ୍ରକାଶ ଦର୍ପଣ ବିଷୟରେ କୌଣସି ଉଲ୍ଲେଖ ନ ଥିବା ସ୍ଥଳେ କାବ୍ୟପ୍ରକାଶ ଦର୍ପଣରେ ସାହିତ୍ୟ ଦର୍ପଣରୁ ଭୁରି ଭୁରି ଉଲ୍ଲେଖ ରହିଛି ଓ ସାହିତ୍ୟ ଦର୍ପଣରୁ ୧୮ଥର ଉଦାହରଣ ଛଳରେ ଦିଆଯାଇଛି । ସେ କାବ୍ୟପ୍ରକାଶ ଦର୍ପଣ ଟୀକାରେ ମଧ୍ୟ ନିଜ ପିତାମହଙ୍କର ଅନୁଜ ଚଣ୍ଡୀଦାସଙ୍କର କାବ୍ୟପ୍ରକାଶ ଦୀପିକା ନାମକ ଟୀକାର ଉଲ୍ଲେଖ ୧୨ ଥର କରିଛନ୍ତି ଏବଂ ଏଥିରେ ଚଣ୍ଡୀଦାସଙ୍କ ଉଦ୍ଧୃତ ‘‘କଳିଙ୍ଗାଃ ସାହସିକାଃ’’ ନାମକ ପ୍ରସିଦ୍ଧ ଉଦାହରଣକୁ ସ୍ଥାନ ଦେଇଛନ୍ତି । ତେଣୁ କାବ୍ୟପ୍ରକାଶ ଦର୍ପଣ ନାମକ ଟୀକାଗ୍ରନ୍ଥ ରଚନା କରି ଯେଉଁ ସ୍ଥଳରେ ସାହିତ୍ୟ ଦର୍ପଣ ଗ୍ରନ୍ଥ ବିସ୍ତାର ଭୟରେ ସମ୍ଭବତଃ ବିଶେଷ ତର୍ଜମା କରି ନ ଥିଲେ ସେସବୁକୁ ପୁନଶ୍ଚ ବିସ୍ତୃତ ଆକାରରେ ପ୍ରଦାନ କରିଥିଲେ । (୪୪)

 

ଅନନ୍ତ ଦାସ ବିରଚିତ ସାହିତ୍ୟ ଦର୍ପଣ ଲୋଚନ ଟୀକାରେ ସେ ‘‘ମମ ପିତୃଣାଂ କଂସବଧେ’ (ପୃ-୧୧୨) ଓ ‘‘ମମ ତାତପାଦାନାକ୍ଷ୍ମୀସ୍ତବେ’’ (ପୃ ୪୮୫) ଉଲ୍ଲେଖ କରିଥିବାରୁ ତାଙ୍କ ପିତା ବିଶ୍ୱନାଥ କବିରାଜଙ୍କ ଅନ୍ୟ ଦୁଇଗୋଟି ଗ୍ରନ୍ଥ ଯଥା କଂସବଧ ଏବଂ ଲକ୍ଷ୍ମୀସ୍ତବ ଥିବାର ପ୍ରମାଣ ମିଳୁଛି । ଯେହେତୁ ଉକ୍ତ ଦୁଇଗୋଟି ଗ୍ରନ୍ଥ ବିଷୟରେ ସାହିତ୍ୟ ଦର୍ପଣ ବା କାବ୍ୟପ୍ରକାଶ ଦର୍ପଣ ଗ୍ରନ୍ଥରେ ନିଜେ ବିଶ୍ୱନାଥ କବିରାଜ କୁତ୍ରାପି ଉଲ୍ଲେଖ କରିନାହାନ୍ତି, ଏଥିରୁ ଜଣାଯାଏ ଯେ, କାବ୍ୟପ୍ରକାଶ ଦର୍ପଣ ରଚନା କରିସାରି ବିଶ୍ୱନାଥ କବିରାଜ ଏହି ଦୁଇଗୋଟି ଗ୍ରନ୍ଥ ଲେଖିଛନ୍ତି । ଏହି ଦୁଇଗୋଟି ସମ୍ଭବତଃ ତାଙ୍କ ପରିଣତ ବୟସର ଅନ୍ତିମ ରଚନା । (୪୫)

 

ପୁନଶ୍ଚ, ବିଶ୍ୱନାଥ କବିରାଜ ସାହିତ୍ୟ ଦର୍ପଣ ଗ୍ରନ୍ଥରେ ନିଜ ରଚନାରୁ ମୋଟ ୬୪ଟି ଶ୍ଳୋକ ଉଦ୍ଧାର କରିଥିଲେ ହେଁ ୧୭ଟି ଶ୍ଳୋକ ନିଜ ରଚିତ କେଉଁ କେଉଁ ଗ୍ରନ୍ଥରୁ ଆଣିଛନ୍ତି ତାହାର ନାମୋଲ୍ଲେଖ କରିଛନ୍ତି । ଅଥଚ ଅବଶିଷ୍ଟ ୪୭ଟି ଶ୍ଳୋକ କେଉଁ ଗ୍ରନ୍ଥରୁ ଆଣିଛନ୍ତି ତାହା ଉଲ୍ଲେଖ ନ କରି କେବଳ ନିଜ ରଚିତ ଶ୍ଳୋକ ବୋଲି ଲେଖିଛନ୍ତି । ହୁଏତ ତାଙ୍କର କେତେକ ଅନାଲୋଚିତ ଗ୍ରନ୍ଥ ତଥାପି ରହିଯାଇଛି, ଯାହା ବିଷୟରେ କୌଣସି ସଠିକ୍ ଖୋଜଖବର ମିଳୁନାହିଁ ଓ ତାଳପତ୍ର ପୋଥି କାଳଗର୍ଭରେ ଲୀନ ହେଲାଣି ।

 

୪୩.

କାବ୍ୟପ୍ରକାଶ ଦର୍ପଣ, ଲେ- ବିଶ୍ୱନାଥ କବିରାଜ, ପୃ-୨୩୮

୪୪.

ବିଶ୍ୱନାଥ କବିରାଜ, କାବ୍ୟପ୍ରକାଶ ଦର୍ପଣ, ସମ୍ପାଦନା- ଗୋପରାମା ରାଜୁ, ଏହ୍ଲାବାଦ (୧୯୫୪), ପୃ-୧୧୧

୪୫.

ଅନନ୍ତ ଦାସ, ସାହିତ୍ୟ ଦର୍ପଣ ଲୋଚନ- ସମ୍ପାଦନା- ପଣ୍ଡିତ କେ. କେ. କର, ଲାହୋର (୧୯୩୮), ଉପକ୍ରମଣିକା- ପୃ-୧୮

 

(୨) ଚନ୍ଦ୍ରକଳା ନାଟିକା:

ବିଶ୍ୱନାଥ କବିରାଜଙ୍କର ଚନ୍ଦ୍ରକଳା ନାଟିକାଟି ମୂଳତଃ ପୂର୍ବବର୍ତ୍ତୀ କବି ଶ୍ରୀଧରଙ୍କର ରତ୍ନାବଳୀ ନାଟିକାଦ୍ୱାରା ବିଶେଷ ଭାବରେ ପ୍ରଭାବିତ । ରତ୍ନାବଳୀ ନାଟିକାରେ ଫଳଲାଭ ପ୍ରସଙ୍ଗରେ କୁହାଯାଇଛି- ‘‘ରତ୍ନାବଲ୍ୟାଂ ରତ୍ନାବଳୀ ଲାଭଶ୍ଚ ଚକ୍ରବର୍ତ୍ତୀତ୍ୱ ଲକ୍ଷଣ ଫଳାନ୍ତର ଲାଭ ସହିତଃ’’ (୪୬)

 

ସେହିପରି ବିଶ୍ୱନାଥ କବିରାଜଙ୍କ ପୁତ୍ର ଅନନ୍ତ ଦାସ ସାହିତ୍ୟ ଦର୍ପଣ ଲୋଚନ ଟୀକାରେ ଲେଖିଛନ୍ତି-

 

‘‘ଚନ୍ଦ୍ରକଳାୟାଂ ଲକ୍ଷ୍ମୀବର ପ୍ରାପ୍ତି ସହିତୋ ରାଜ୍ଞଃ ଚନ୍ଦ୍ରକଳାଲାଭଃ’’ । (୪୭)

 

ପୁନଶ୍ଚ, ବିଶ୍ୱନାଥ କବିରାଜ ରତ୍ନାବଳୀଦ୍ୱାରା ଏତେ ପର୍ଯ୍ୟନ୍ତ ପ୍ରଭବିତ ହୋଇଥିଲେ ଯେ ସେ ଗ୍ରନ୍ଥରୁ ୩୩ଟି ଉଦାହରଣ ଶ୍ଳୋକ ଉଦ୍ଧାର କରି ସାହିତ୍ୟ ଦର୍ପଣର ବିଭିନ୍ନ ପରିଚ୍ଛେଦରେ ସ୍ଥାନ ଦେଇଛନ୍ତି । ଏ ଦୁଇଟି ନାଟିକା ରତ୍ନାବଳୀ ଓ ଚନ୍ଦ୍ରକଳାରେ ଅନେକ ସାମ୍ୟ ପରିଲକ୍ଷିତ ହୋଇଥାଏ-। ଉଭୟ ନାଟିକାର ନାୟକ ଜଣେ ରାଜା । ଉଭୟ କ୍ଷେତ୍ରରେ ନାୟକ ଉଦ୍ଦାମ ଯୌବନ ପ୍ରଭାବରେ ଉଦ୍ଦୀପିତ । ନିଜ ମନଲାଖି କୌଣସି ଏକ ସ୍ୱପ୍ନ ସୁନ୍ଦରୀକୁ ପତ୍ନୀ ଭାବରେ ପାଇବା ନିମନ୍ତେ ରାଜା ଲକ୍ଷ୍ମୀଙ୍କୁ ଆରାଧନା କରି ବରଲାଭ କରିବା ଓ ତଦନୁସାରେ ଅଭୀଷ୍ଟ ସିଦ୍ଧିପୂର୍ବକ ଇପ୍‌ସିତା ନାୟିକା ଚନ୍ଦ୍ରକଳାକୁ ପତ୍ନୀ ରୂପେ ଲାଭ କରି ରାଣୀ କରିବାକୁ ଅନୁପମ ଶୈଳୀରେ ନାଟ୍ୟରୂପ ଦେଇ ବିଶ୍ୱନାଥ ନାଟକୀୟ ଚମତ୍କାରିତା ଦର୍ଶାଇଛନ୍ତି । ପୁନଶ୍ଚ, ଭରତମୁନିଙ୍କ ନିର୍ଦ୍ଧାରିତ ପ୍ରକାରରେ ନାଟକର ସମସ୍ତ ଆନୁସଙ୍ଗିକ ବିଭାଗ, ପର୍ଯ୍ୟାୟ, ଅଙ୍କ ଓ ଦୃଶ୍ୟଗୁଡ଼ିକର ଅବତାରଣା ତାଙ୍କର ଅନ୍ୟ ଏକ ସଫଳ ବୈଶିଷ୍ଟ ।

 

ଚନ୍ଦ୍ରକଳା ନାଟିକାର ପ୍ରାରମ୍ଭରେ ଲେଖାଯାଇଛି, ‘‘ସୂତ୍ରଧରଃ : ଆର୍ଯ୍ୟେ ପଶ୍ୟ ପଶ୍ୟ । ଅୟଂ ଇଦାନୀଂ ସଭାମଧ୍ୟାସ୍ତେ ଗଜପତିଃ ମହାରାଧିରାଜଃ ତ୍ରିକଳିଙ୍ଗ ଭୂମଣ୍ଡଳାଖଣ୍ଡଳଃ ଶ୍ରୀମାନ ନିଶଙ୍କ ଭାନୁଦେବଃ ।’’ ଅର୍ଥାତ୍, ସୂତ୍ରଧର ନାଟକର ଅବତାରଣା କରିବାକୁ ଯାଇ କହୁଛି, ହେ ଆର୍ଯ୍ୟେ, ଦେଖ ଦେଖ । ଏହି ସଭା ମଧ୍ୟରେ ତ୍ରିକଳିଙ୍ଗ ଆଖଣ୍ଡଭୂମଣ୍ଡଳ ମହାରାଜାଧିରାଜ ଗଜପତି ଶ୍ରୀମାନ୍ ନିଶଙ୍କ ଭାନୁଦେବ । ଗଜପତି ନିଶଙ୍କ ଭାନୁଦେବଙ୍କ ରାଜତ୍ୱ କାଳ ଖ୍ରୀ ୧୪୧୪ରୁ ଖ୍ରୀ ୧୪୩୫ । ତାଙ୍କ ରାଜତ୍ୱର ପ୍ରଥମ ବର୍ଷେ ସେ ଗୌଡ଼ଦେଶକୁ ଜୟ କରିଥିଲେ । ଗୌଡ଼ଦେଶକୁ ଜୟ କରି ଫେରିବା ସମୟରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ତାଙ୍କ ରାଜପୁରୋଧା, ରାଜକବି, ସଭାକବି, ପ୍ରଧାନମନ୍ତ୍ରୀ (ମହାପାତ୍ର) ଏବଂ ସାନ୍ଧିବିଗ୍ରହିକ ବିଶ୍ୱନାଥ କବିରାଜ ଚନ୍ଦ୍ରକଳା ନାଟିକା ରଚନା କରି ଏହାକୁ ପଣ୍ଡିତ ମଣ୍ଡଳୀଙ୍କ ସମ୍ମୁଖରେ ଅଭିନୀତ କରାଇଥିଲେ । ନାଟକଟିର ସୂତ୍ରଧର ନାଟକର ପ୍ରସ୍ତାବନା ଅନ୍ତେ ବିଶ୍ୱନାଥ ନିଜ ବିଷୟରେ ସୂଚନା ଦେବାକୁ ଯାଇ ଲେଖିଛନ୍ତି – ଯଦ୍ୟସ୍ମାକମିତାନୀଂ.... ଶ୍ରୀ ଚନ୍ଦ୍ରଶେଖରତନୁଜନ୍ମନଃ.... ଗଜପତି ମହାରାଜସ୍ୟ ସାନ୍ଧିବିଗ୍ରହିକ – ଶ୍ରୀ ବିଶ୍ୱନାଥକବିରାଜସ୍ୟ କୃତମଭିନବାଂ ଚନ୍ଦ୍ରକଳାନାମ ନାଟିକାଂ ଅଭିନେତୁଂ ଉଚିତୋଽୟଂ ସମୟଃ ।’’ ଏଥିରୁ ବିଶ୍ୱନାଥ କବିରାଜ ଗଙ୍ଗବଂଶୀୟ ଶେଷ ସମ୍ରାଟ ନିଶଙ୍କ ଭାନୁଦେବ (ଖ୍ରୀ-୧୪୧୪ ରୁ ଖ୍ରୀ ୧୪୩୫)ଙ୍କ ସାନ୍ଧିବିଗ୍ରହିକ ଥିବାର ପ୍ରମାଣିତ ହୋଇଛି । (୪୮)

 

୪୬.

ବିଶ୍ୱନାଥ କବିରାଜ, ସାହିତ୍ୟ ଦର୍ପଣ (୨୦୦୭) ଓଡ଼ିଶା ସାହିତ୍ୟ ଏକାଡେମୀ, ପୃ-୩୬୧

୪୭.

ଅନନ୍ତ ଦାସ, ସାହିତ୍ୟ ଦର୍ପଣ, ଲାହୋର (୧୯୩୮), ପୃ-୨୮୯

 

ଏହି ଚନ୍ଦ୍ରକଳା ନାଟିକାର ୧୩ଟି ଶ୍ଳୋକ ନିଜ ସାହିତ୍ୟ ଦର୍ପଣ ଗ୍ରନ୍ଥରେ ବିଶ୍ୱନାଥ କବିରାଜ ଉଦ୍ଧାର କରିଛନ୍ତି । ସାହିତ୍ୟ ଦର୍ପଣର କଳେବର, ବିଷୟବସ୍ତୁ, ପରିଚ୍ଛେଦ ସମୂହ, ପ୍ରତିପାଦ୍ୟ ଅଳଙ୍କାର ସମୂହକୁ ଦେଖିଲେ ଏହାର ରଚନା କରିବାକୁ ଅନ୍ତତଃପକ୍ଷେ ତାଙ୍କୁ ପାଞ୍ଚବର୍ଷ ସମୟ ଯେ ନ ଲଗିଥିବ ଏହା ଚିନ୍ତା କରିବାକୁ ହେବ । ତେବେ ସାହିତ୍ୟ ଦର୍ପଣ ନିଶ୍ଚିତ ଭାବରେ ଖ୍ରୀ ୧୪୧୪ରୁ ୧୪୨୦ ମଧ୍ୟରେ ରଚିତ ହୋଇଥିବା ବିଶ୍ୱାସଯୋଗ୍ୟ । କାରଣ ଏହି ମହାନ୍ ଗ୍ରନ୍ଥ ସାହିତ୍ୟ ଦର୍ପଣ ଉପରେ ତଦୀୟ ପୁତ୍ର ଅନନ୍ତ ଦାସ ଏକ ସାରଗର୍ଭକ ‘‘ସାହିତ୍ୟ ଦର୍ପଣ ଲୋଚନ’’ ଟୀକା ଗ୍ରନ୍ଥ ଲେଖିଛନ୍ତି ଏବଂ ସେଥିରେ ମଧ୍ୟ ସେ ନିଶଙ୍କ ଭାନୁଦେବ ଗଙ୍ଗବଂଶୀୟ ଶେଷ ସମ୍ରାଟ୍‌ଙ୍କ ସାନ୍ଧିବିଗ୍ରହିକ ରୂପରେ ନିଜକୁ ଉପସ୍ଥାପନ କରିଛନ୍ତି । (୪୯)

 

ଅନନ୍ତ ଦାସ ଯେହେତୁ ତାଙ୍କ ରଚନାରେ କୁତ୍ରାପି ସୂର୍ଯ୍ୟବଂଶୀ ସମ୍ରାଟ ଗଜପତି କପିଳେନ୍ଦ୍ରଦେବଙ୍କ ନାମୋଲ୍ଲଖ କରିନାହାନ୍ତି, ତେଣୁ ସେ ମଧ୍ୟ ଖ୍ରୀ-୧୪୩୬ ବେଳକୁ ମୃତ୍ୟୁ ଲଭି ଥାଇପାରନ୍ତି । ତେଣୁ ଗଙ୍ଗବଂଶର ଶେଷ ସମ୍ରାଟ ନିଃଶଙ୍କ ଭାନୁଦେବଙ୍କ ରାଜତ୍ୱ ଶେଷବେଳକୁ ତାଙ୍କ ସାନ୍ଧିବିଗ୍ରହିକ ଅନନ୍ତ ଦାସ ମଧ୍ୟ ମୃତ୍ୟୁ ଲଭିଥିଲେ ଏବଂ ସେହି ଅବଧି ମଧ୍ୟରେ ଦର୍ପଣର ଲୋଚନ ଟୀକା ରଚିତ ହୋଇ ସାରିଥିଲା ।

 

ସାହିତ୍ୟ ଦର୍ପଣରେ ଯେଉଁ କେତୋଟି ବଛା ବଛା ଶ୍ଳୋକକୁ ସୁନିର୍ବାଚିତ ପୂର୍ବକ ଆଳଙ୍କାରିକ ଭାବଦୃଷ୍ଟିରୁ ଯୁକ୍ତିଯୁକ୍ତ ବିବେଚନା କରି ବିଶ୍ୱନାଥ ସେଗୁଡ଼ିକର ଆଲୋଚନା କରିଛନ୍ତି ତନ୍ମଧ୍ୟରୁ କେତେକର କାବ୍ୟ ସୌଷ୍ଣବ ନିମ୍ନମତେ ପର୍ଯ୍ୟାଲୋଚନା କରାଯାଇପାରେ –

 

(କ)

ଦୀପ୍ତିର ଉଦାହରଣ ଛଳରେ ବିଶ୍ୱନାଥ ଲେଖିଛନ୍ତି –

ଯଥା ମମ ଚନ୍ଦ୍ରକଳା ନାଟିକାୟାଂ ଚନ୍ଦ୍ରକଳା ବର୍ଣ୍ଣନମ୍-

ତାରୁଣସ୍ୟ ବିଳାସଃ ସମଧିକ ଲାବଣ୍ୟ ସମ୍ପଦୋ ହାସଃ,

ଧରଣୀ ତଳସ୍ୟା ଭରଣଂ ଯୁବଜନମନସୋ ବଶୀକରଣମ୍ । (୫୦)

 

୪୮.

ସାହିତ୍ୟ ଦର୍ପଣ (୨୦୦୭), ମୁଖବନ୍ଧ, ଯଦୁନାଥ ଦାସ ମହାପାତ୍ର – ପୃ-ଜ

୪୯.

ଅନନ୍ତ ଦାସ, ସାହିତ୍ୟ ଦର୍ପଣ ଲୋଚନ, ସମ୍ପାଦନା-ପଣ୍ଡିତ କେ.କ. କର, ଲାହୋର (୧୯୩୮) ପୃ-୧

୫୦.

ବିଶ୍ୱନାଥ କବିରାଜ, ସାହିତ୍ୟ ଦର୍ପଣ, ଅନୁବାଦ-ନାରାୟଣ ମହାପାତ୍ର, ପ୍ରକାଶନ – ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭), ତୃତୀୟ ପରିଚ୍ଛେଦ, ପୃ-୧୪୧

 

ଚନ୍ଦ୍ରକଳା ନାୟିକ ଯୁବାବସ୍ଥାରେ ଆବିର୍ଭାବ ସ୍ୱରୂପା, ଲାବଣ୍ୟ ସମ୍ପତ୍ତିର ହାସ୍ୟ ସ୍ୱରୂପା, ପୃଥିବୀର ଅଳଙ୍କାର ସ୍ୱରୂପା, ଯୁବଜନମାନଙ୍କ ମନକୁ ବଶୀକରଣ କରିବା ବିଷୟରେ ବଶୀକରଣ ବିଦ୍ୟାସ୍ୱରୂପା ।

 

(ଖ)

ବିଶ୍ୱନାଥ କହିଛନ୍ତି ଯୁକ୍ତିପୂର୍ଣ୍ଣ ବଚନରେ ଅପ୍ରତ୍ୟକ୍ଷ ବସ୍ତୁକୁ ସାଧନ କରିବା ହେଉଛି ବିଚାର-। ଏହି ମର୍ମରେ ନିଜ ରଚିତ ଚନ୍ଦ୍ରକଳା ନାଟିକାରୁ ଉଦାହରଣ ଦେଇ ଲେଖିଛନ୍ତି-

 

ହସତି ପିରତୋଷ ରହିତଂ ନୀରିକ୍ଷମାଣାପି ନେକ୍ଷତେ କିଞ୍ଚିତ୍

ସମ୍ୟାମୁଦାହାରନ୍ତ୍ୟାମ୍ ଅସମଞ୍ଜସଂ ଉତ୍ତରଂ ଦତ୍ତେ । (୫୧)

 

ଏଠାରେ ରାଜା ଭାବୁଛନ୍ତି, ଏହାର ହୃଦୟରେ କାମଭାବ ନିଶ୍ଚୟ ଜାତ ହୋଇଛି । କାରଣ, ଏ ହସୁଛି, ମାତ୍ର ସନ୍ତୋଷରେ ନୁହେଁ । ସଖୀମାନେ ଏହାକୁ ଦେଖୁଛନ୍ତି, କିନ୍ତୁ ଏ ଶୂନ୍ୟଦୃଷ୍ଟି ହେତୁ ତାଙ୍କୁ ଦେଖିପାରୁ ନାହିଁ । ସଖୀମାନେ ବହୁତ ପଚାରିଲେ ମଧ୍ୟ, ଏ ଖାପଛଡ଼ା ସାମାନ୍ୟ ଉତ୍ତର ଦେଉଛି । ଏଠାରେ ଚନ୍ଦ୍ରକଳାର କାମଭାବକୁ ସାଧନ ବିଚାରଦ୍ୱାରା କରାଯାଇଛି ।

 

(ଗ)

ବିଶ୍ୱନାଥ ଗୁଣ ବର୍ଣ୍ଣନାରେ ଗୁଣ ବିରୋଧିର ଆଭାସଦ୍ୱାରା କିପରି ଗୁଣାତିପାତ ହୋଇଥାଏ, ତାହା ଦର୍ଶାଇବାକୁ ଯାଇ ଚନ୍ଦ୍ରକଳା ନାଟିକାରୁ ନିମ୍ନୋକ୍ତ ଉଦାହରଣ ଦେଇଛନ୍ତି –

 

ଜଇ ସଂହରିଜୟୀ ତମୋ ଦେଯ୍ୟଇ ସଅଲେହୀଂ ତେ ପାଓ ।

ନସସି ସିରୋ ପସୁବଇଣୋ ତହବି ହ ଉତ୍‌ଥିଅ ଜୀଅଣଂ ହରଷି ।। (୫୨)

 

ଅର୍ଥାତ୍, ହେ ଚନ୍ଦ୍ର ! ତୁମେ ଅନ୍ଧକାରକୁ ଦୂର କରୁଛ । ତୁମ କିରଣକୁ ସମସ୍ତେ ଆଦରରେ ଗ୍ରହଣ କରୁଛନ୍ତି । ଦେବଦେବ ମହାଦେବଙ୍କ ମସ୍ତକରେ ବସିଛି । ତଥାପି, ଏସବୁ ଗୁଣ ସତ୍ତ୍ୱେ ଅବଳାମାନଙ୍କର ଜୀବନ ହରଣ କରୁଛି ।

 

(ଘ)

ଚନ୍ଦ୍ରକଳା ନାଟିକାର ଏକ ସଂକ୍ଷିପ୍ତ ବର୍ଣ୍ଣନାକୁ ନିମ୍ନମତେ ବିଶ୍ୱନାଥ ସାହିତ୍ୟ ଦର୍ପଣରେ ଉଦ୍ଧାର କରିଛନ୍ତି-

‘‘ଯଥା ମମ ଚନ୍ଦ୍ରକଳାୟାଂ – ରାଜା- ପ୍ରିୟେ-

ଅଙ୍ଗାନି ଖେଦୟସି କିଂ ଶିରୀଷ କୁସୁମ ପରିପେଲବାନି ମୁଧା

ଅୟମୀହିତ କୁସୁମାନି ସମ୍ପାଦୟିତା ତବାସ୍ତି ଦାସଜନଃ । (୫୩)

 

ଏଠାରେ ରାଜା ଚନ୍ଦ୍ରକଳାକୁ କହୁଛନ୍ତି, ହେ ପ୍ରିୟେ, ତୁମ ଶିରୀଷ – କୁସୁମ ପରି କୋମଳ ଅଙ୍ଗକୁ ବୃଥାରେ କଷ୍ଟ କାହିଁକି ଦେଉଛ । (ନିଜକୁ ଦେଖାଇ) ତୁମେ ଫୁଲ ତୋଳିବାକୁ ଚାହିଁଲେ ବି ଏହି ଚାକର ତୁମ ପାଖରେ ଠିଆ ହୋଇଛି ।

 

ମୋଟ ଉପରେ ଦେଖିବାକୁ ଗଲେ ବିଶ୍ୱନାଥ କବିରାଜ ହେଉଛନ୍ତି ଜଣେ ଏକାନ୍ତ ରସିକ କବି । ତାଙ୍କ ଲେଖନୀ ପ୍ରସୂତ ଚନ୍ଦ୍ରକଳା ନାଟିକା ନାଟକୀୟତା ସହିତ ଶୃଙ୍ଗାରିକତା, କଳ୍ପନାବିଳାସ, ପ୍ରାକୃତିକ ତତ୍ତ୍ୱ ବିବେଚନା, ଜୀବନ ଦର୍ଶନ, ଆଧ୍ୟାତ୍ମିକତା, ଅଳଙ୍କାରିକତା ଆଦି ସୁବ୍ୟବସ୍ଥିତ ଗୁଣରେ ପରିପୂର୍ଣ୍ଣ । ତେଣୁ ଏହି ନାଟିକାଟି ଐତିହାସିକ ତଥ୍ୟ ସମ୍ବଳିତ ହୋଇଥିବାରୁ ବିଶ୍ୱନାଥଙ୍କ କାଳନିର୍ଣ୍ଣୟ ପାଇଁ ଯେତିତି ମହତ୍ତ୍ୱପୂର୍ଣ୍ଣ, ଏହାର ଅନ୍ତର୍ନିହିତ ସାରସ୍ୱତ ଗୁଣବତ୍ତା ନିମନ୍ତେ ତତୋଃଧିକ ଉପାଦେୟ । ତେଣୁ ଏହା ବିଶ୍ୱନାଥଙ୍କ କାବ୍ୟିକ ଜୀବନର ଏକ ସଫଳ ସୃଷ୍ଟି ଓ ଅନବଦ୍ୟ କୃତି ।

 

୫୧.

ତତ୍ରୈବ, ଷଷ୍ଠ ପରିଚ୍ଛେଦ, ପୃ-୪୧୮

୫୨.

ତତ୍ରୈବ, ପୃ-୪୧୯

୫୩.

ତତ୍ରୈବ – ପୃ-୪୨୪

 

(୩)      ପ୍ରଭାବତୀ ପରିଣୟ :

ପ୍ରଭାବତୀ ପରିଣୟ ନାଟକଟି ମଧ୍ୟ ବିଶ୍ୱନାଥ କବିରାଜଙ୍କର ଅନ୍ୟ ଏକ ସାର୍ଥକ ଦୃଷ୍ଟି । ଏହି ସଂସ୍କୃତ ନାଟକର ମୂଳ କଥାବସ୍ତୁ ହରିବଂଶ ପୁରାଣରୁ ଆହରଣ କରାଯାଇଛି । ପୌରାଣିକ ଆଖ୍ୟାନକୁ ନାଟ୍ୟରୂପ ଦେବା ନିମନ୍ତେ ମୂଳ କାହାଣୀର ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପ୍ରଭାବତୀ ପରିଣତ ନାଟକରେ ନାୟକ ହେଉଛନ୍ତି ଦ୍ୱାପର ଯୁଗର ଅବତାର ଶ୍ରୀକୃଷ୍ଣ ଭଗବାନଙ୍କ ପୁତ୍ର ପ୍ରଦ୍ୟୁମ୍ନ । ପ୍ରଧାନ ନାୟିକା ପ୍ରଭାବତୀ ଏକ ରାଜକନ୍ୟା ଯାହାକୁ ରାକ୍ଷସ ରାଜ ବଜ୍ରନାଭ ଅପହରଣ କରିନେଇଛି । ଉଭୟ ନାୟକ ପ୍ରଦ୍ୟୁମ୍ନ ଓ ନାୟିକା ପ୍ରଭାବତୀଙ୍କର ଚରିତ୍ର ଚିତ୍ରଣ ମାଧ୍ୟମରେ ବିଭିନ୍ନ ସମୟରେ ମାନସିକ ଅବସ୍ଥା, ଭାବାବେଗ, ମିଳନ, ବିରହଭରା ଅବତାରଣା ଏହି ନାଟକଟିକୁ ବିଶେଷ ଉପଭୋଗ୍ୟ କରିପାରିଛି । ପରିଶେଷରେ ନାୟିକାକୁ ରାକ୍ଷସରାଜ ପ୍ରଭାବତୀ ଉଦ୍ଧାର ହୋଇପାରିଛି । ଏହି ନାଟକଟିରେ ନାରଦଙ୍କର ଭୂମିକା ଓ ବିଦୂଷକ ଚରିତ୍ର ମାଧ୍ୟମରେ ନାଟ୍ୟରୂପର ଗତିଶୀଳତା ଓ ଅସ୍ୱାଦନୀୟତାକୁ ଚମତ୍କାର ପରିସ୍ଫୁଟନ କରାଯାଇଛି ।

 

ପ୍ରଭାବତୀ ପରିଣୟ ନାଟକ ଶେଷରେ ଏକ ଆଶୀର୍ବାଦାତ୍ମକ ଶ୍ଳୋକ ଦିଆଯାଇଛି । ଯଥା-

ରାଜାନଃ ସୁତନିର୍ବିଶେଷମଧୁନା ପଶ୍ୟନ୍ତୁ ନିତ୍ୟଂ ପ୍ରଜାଃ

ଜୀୟାସୁଃ ସଦସଦବିବେକଟବଃ ସନ୍ତୋଗୁଣ ଗ୍ରାହିଣଃ ।

ଶସ୍ୟସ୍ୱର୍ଣ୍ଣ ସମୃଦ୍ଧୟଃ ସମଧିକାଃ ସନ୍ତୁ କ୍ଷମାମଣ୍ଡଳେ

ଭୁଆଦବ୍ୟଭିଚାରିଣୀ ତ୍ରିଜଗତୋ ଭକ୍ତିଶ୍ଚ ନାରାୟଣେ ।। (୫୪)

 

ରାଜାମାନେ ପ୍ରଜାମାନଙ୍କୁ ପୁତ୍ରବତ୍ ଦେଖନ୍ତୁ, ଗୁଣଗ୍ରାହୀ ସତ୍ ବିବେକୀଜନ ଚିରଞ୍ଜିବୀ ହୁଅନ୍ତୁ । ପୃଥିବୀରେ ଶସ୍ୟ ଓ ସ୍ୱର୍ଣ୍ଣ ପ୍ରଚୁର ପରିମାଣରେ ଉତ୍ପନ୍ନ ହେଉ । ଭଗବାନ ନାରାୟଣଙ୍କଠାରେ ଏହି ତ୍ରିଜଗତ୍ ଜନଙ୍କର ଅଚଳା ଭକ୍ତି ରହୁ ।

ପ୍ରଦ୍ୟୁମ୍ନଙ୍କର ଏକ ସଂଳାପ ଏହିପରି-

ପ୍ରଦ୍ୟୁମ୍ନଃ – (ସହକାର ବଲ୍ଲୀମବଲୋକ୍ୟ ସାନନ୍ଦମ୍) ଅହୋ । କଥମିହୈବି

ଅଳିକୁଳ ମଞ୍ଜୁଳକେଶୀ ପରିମଳବହୁଳା ରଜାବହୋ ତନ୍ୱୀ ।

କିଶଳୟପେଶଳପାଣିଃ କୋକିଳକଳଭାଷିଣୀ ପ୍ରିୟମତା ମେ । (୫୫)

 

ଏଠାରେ ନାୟକ ପ୍ରଦ୍ୟୁମ୍ନ ସହକାର ମଲ୍ଲୀ ଲତିକାକୁ ଦେଖି କହୁଛି – ଭ୍ରମର ସଦୃଶ କଳା କେଶ ଥିବା, ରତି ନିପୁଣା, ସୌରଭ ଯୁକ୍ତା, ଆନନ୍ଦ ଦାୟିନୀ, ରସଶୀଳା ତନ୍ୱୀ, ପଲ୍ଲବ ହସ୍ତଯୁକ୍ତା, କୋକିଳ କଣ୍ଠୀ ମୋ ପ୍ରେୟସୀ ପ୍ରଭାବତୀ କ’ଣ ଏଠାରେ ଅଛି ।

 

୫୪.

ତତ୍ରୈବ, ଷଷ୍ଠ ପରିଚ୍ଛେଦ, ପୃ-୩୯୬

୫୫.

ତତ୍ରୈବ, ଷଷ୍ଠ ପରିଚ୍ଛେଦ, ପୃ-୪୫୫

 

ପ୍ରଦ୍ୟୁମ୍ନଙ୍କର ଅନ୍ୟ ଏକ ଉଦାହୃତ ସଂଳାପରେ –

ଘଟିତମିବାଞ୍ଜନ ପୁଞ୍ଜୈଃ ପୂରିତମିବ ମୃଗମଦକ୍ଷୋଦୈଃ

ତତମିବ ତମାଳତରୁଭିର୍ବୁତମିବ ନୀଳାଂଶୁ କୈର୍ଭୁବନମ୍ । (୫୬)

 

ବର୍ତ୍ତମାନ ଅନ୍ଧକାର ଚତୁର୍ଦ୍ଦିଗରେ ଘୋଟିଛି । ଅତଏବ ପୃଥିବୀ ଅଞ୍ଜନରେ ତିଆରି ହେଲା ପରି ମୃଗନାଭି କସ୍ତୁରୀରେ ପୂର୍ଣ୍ଣ ହେଲାପରି, ତମାଳ ବୃକ୍ଷ ବ୍ୟାପ୍ତ ହେଲାପରି, ନୀଳାବସ୍ତ୍ରାଚ୍ଛାଦିତ ହେଲାପରି ଦେଖାଯାଉଛି ।

 

(୪) ପ୍ରଶସ୍ତି ରତ୍ନାବଳୀ

ବିଶ୍ୱନାଥ କବିରାଜ କରମ୍ଭକର ଉଦାହରଣ ଦେବାକୁ ଯାଇ ନିମ୍ନମତେ ଲେଖିଛନ୍ତି –

‘‘କରମ୍ଭକଂ ତୁ ଭାଷାଭିର୍ବିବିଧାଭିର୍ବିନିର୍ମିତମ୍ ।

 

ଯଥା- ମମ – ଷୋଡ଼ଶଭାଶାମୟି ପ୍ରଶସ୍ତିରତ୍ନାବଳୀ ।’’ (୫୭)

 

ବହୁବିଧ ଭାଷାରେ ବିନିର୍ମିତ ଗଦ୍ୟ ପଦ୍ୟାଦି ରଚନାକୁ କରମ୍ଭକ କୁହାଯାଏ । ପୂର୍ବରୁ ଆମେ ସାହିତ୍ୟ ଦର୍ପଣର ପ୍ରଥମ ପରିଚ୍ଛେଦ ବର୍ଣ୍ଣନାରୁ ଜାଣିଛେ ଯେ, ବିଶ୍ୱନାଥ କବିରାଜ ଅଠରଗୋଟି ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ । ତନ୍ମଧ୍ୟରୁ ସେ ଷୋହଳଟି ଭାଷା ଅବଲମ୍ବନ କରି ପ୍ରଶସ୍ତି ରତ୍ନାବଳୀ ଗ୍ରନ୍ଥ ରଚନା କରିଥିଲେ । ଏହି ପ୍ରଶସ୍ତି ରତ୍ନାବଳୀଟି ରାଜସ୍ତୁତିମୂଳକ । ଏହି ରାଜସ୍ତୁତିରେ ଅନେକ ଉଦାହରଣ ସାହିତ୍ୟ ଦର୍ପଣରେ ବିଶ୍ୱନାଥ ଉଦ୍ଧାର କରିଛନ୍ତି ।

 

ବିଶ୍ୱନାଥଙ୍କର ନିମ୍ନଲିଖିତ ରାଜସ୍ତୁତି ବିଷୟକ ଉଦାହରଣଗୁଡ଼ିକ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ଓ ଭାବଗର୍ଭକ ।

 

ପଶ୍ୟନ୍ତ୍ୟ ସଂଖ୍ୟପଥଗାଁ ତ୍ୱଦ୍ଦାନ ଜଳବାହିନୀମ୍

ଦେବି ! ତ୍ରିପଥଗାମାତ୍ମାନଂ ଗୋପୟତ୍ୟୁଗ୍ର ମୁର୍ଦ୍ଧନି । (୫୮)

 

ହେ ମହାରାଜ,! ତୁମ ଦାନ ଜଳଦ୍ୱାରା ସୃଷ୍ଟି ହୋଇଥିବା ନଦୀ ଅନକେ ପଥରେ ଗତି କଲା । ଏହା ଦେଖି ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଏହି ତ୍ରିପଥ ଦେଇ ଗତି କରୁଥିବା ନଦୀ ଗଙ୍ଗା ନିଜକୁ ଲଜ୍ଜା ହେବାରୁ ଶିବଙ୍କ ମସ୍ତକରେ ଗୋପ୍ୟ କରି ରଖିଲେ ।

 

ଅନ୍ୟତ୍ର-      ‘‘ମଧୁପାନ ପ୍ରବୃତ୍ତାସ୍ତେ ମୁହୃଦଭିଃ ସହ ବୈରିଣଃ

      ଶୃତ୍ୱା କୁତୋଽପି ତ୍ୱନ୍ମାମ ଲେଭିରେ ବିଷମାଂ ଦଶାମ୍ । (୫୯)

 

୫୬.

ତତ୍ରୈବ, ଦଶମ ପରିଚ୍ଛେଦ, ପୃ-୬୭୫

୫୭.

ତତ୍ରୈବ, ଦଶମ ପରିଚ୍ଛେଦ, ପୃ-୪୭୬

୫୮.

ତତ୍ରୈବ, ଦଶମ ପରିଚ୍ଛେଦ, ପୃ-୭୩୩

୫୯.

ତତ୍ରୈବ, ଦଶମ ପରିଚ୍ଛେଦ, ପୃ-୭୯୦

 

ହେ ମହାରାଜ ! ଆପଣଙ୍କ ଶତୃମାନେ ନିଜର ସାଙ୍ଗମାନଙ୍କ ସହିତ ମଦ୍ୟପାନରେ ରତ ଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ କେହି ଜଣେ ତୁମ ନାମର ସାଦୃଶ୍ୟ ଥିବା କୌଣସି ଏକ ପଦାର୍ଥର ନାମୋଚ୍ଚାରଣ କରନ୍ତେ, ଶତୃମାନଙ୍କର ବିଷମ ଦଶା ହୋଇଥିଲା ।

 

ପୁନଶ୍ଚ, ସେହି ରାଜସ୍ତୁତି କ୍ରମରେ ଏକାଦିକ୍ରମେ ଆଠଗୋଟି ବ୍ୟଭିଚାରୀ ଭାବର କିପରି ଉଦ୍‌ଗମ ହୋଇଥିଲା ତାହାର ଉଦାହରଣ ଦେବାକୁ ଯାଇ ଭାବ ଶବଳତାପୂର୍ଣ୍ଣ ନିଜ ରଚିତ ପ୍ରଶସ୍ତି ରତ୍ନାବଳୀର ନିମ୍ନୋକ୍ତ ଶ୍ଳୋକଟି ବିଶ୍ୱନାଥ ନିଜ ସାହିତ୍ୟ ଦର୍ପଣରେ ସ୍ଥାନ ଦେଇଛନ୍ତି । ଯଥା-

 

ପଶ୍ୟେତ୍‍ କଶ୍ଚିଜଳ ଚପଳ ! ରେ ! କା ଦ୍ୱରାହଂ କୁମାରୀ,

ହସ୍ତାଲମ୍ବଂ ବିତର ହହା ! ବ୍ୟୁତକ୍ରମଃ କ୍ୱାସି ଯାସି ।

ଇତଥଂ ପୃଥ୍ୱୀଂ ପରିବୃତ ! ଭବଦ୍ ବିଦ୍ୱେଷାଽରଣ୍ୟ ବୃତ୍ତେଃ,

କନ୍ୟା କିଞ୍ଚିତ୍‍ ଫଳ କିଶଳୟା ନ୍ୟାଦଦାନାଭିଧତ୍ତେ । (୬୦)

 

ଏହି ରାଜସ୍ତୁତିମୂଳକ ଶ୍ଳୋକରେ – ହେ ମହାରାଜ ! ଆପଣଙ୍କ ଭୟରେ ଜନୈକ ଶତୃରାଜା ଜଙ୍ଗଲକୁ ପଳାୟନ କଲା । ତା’ ରାଜକୁମାରୀ ଜଙ୍ଗଲରେ ଫଳମୂଳ ସଂଗ୍ରହ କରୁଥିବା ସମୟରେ ଯୁବକ ଏକ ଶବର ହାବୁଡ଼ରେ ପଡ଼ିଲା । ସେମାନଙ୍କର ଭକ୍ତିପ୍ରତ୍ୟୁକ୍ତି – ରାଜକୁମାରୀ – ରେ ଚପଳ, କିଏ ଦେଖିଦେବ । ଚାଲିଯା । ସମ୍ଭୋଗ ନିମନ୍ତେ ଏତେ ତର ତର କାହିଁକି ? ବର୍ତ୍ତମାନ ମୁଁ କୁମାରୀ ! ମୋ ଆଡ଼କୁ ଟିକିଏ ହାତ ବଢ଼ା । ଅହୋ ଏ କି ପ୍ରକାର ବିପରୀତ ସ୍ଥିତି । ମୁଁ ରାଜକନ୍ୟା ହୋଇ ମଧ୍ୟ ଏ ଶବର ପ୍ରତି ଆସକ୍ତ ହେଲି । ପୁଣି ପଚାରୁଛି – କୁଆଡ଼େ ଯାଉଛି ? ମୋ ଉପରେ ରାଗିଲ କି ?

 

ଏହି ଗୋଟିଏ ଶ୍ଲୋକର ଉଦାହରଣରେ ଆମେ ଶଙ୍କା, ଅସୂୟା, ଧୈର୍ଯ୍ୟ, ସ୍ମରଣ, ଶ୍ରମ, ଦୈନ୍ୟ, ବିରୋଧ, ଔତ୍ସୁକ୍ୟ ଇତ୍ୟାଦି ଆଠଗୋଟି ବ୍ୟଭିଚାରୀ ଭାବର ସମ୍ମିଶ୍ରଣ ଏକାଥରେ ଦେଖିବାକୁ ପାଉ । ଏହା ଭାବଶବଳତା ନାମକ ଅଳଙ୍କାରର ଉଦାହରଣ । ନିଜ ରଚିତ ଗ୍ରନ୍ଥରୁ ଏହି ଅନନ୍ୟ ଓ ଅନୁପମ ଉଦାହରଣ ଦେଇ କବିରାଜ ବିଶ୍ୱନାଥ ନିଜ ଅପୂର୍ବ ପାଣ୍ଡିତ୍ୟ ଓ କବି ପ୍ରତିଭାର ପରିଚୟ ଦେଇଛନ୍ତି ।

 

ସାହିତ୍ୟ ଦର୍ପଣରେ ଭାଷାସମ ଅଳଙ୍କାର ବର୍ଣ୍ଣନା କ୍ରମରେ ଆମେ ବିଶ୍ୱନାଥଙ୍କ ସ୍ୱରଚିତ ଅନ୍ୟ ଏକ ସୁବିଖ୍ୟାତ କରମ୍ଭକର ଉଦାହରଣ ଦେଖିବାକୁ ପାଉ ।

 

ସେ ଲେଖିଛନ୍ତି-

 

‘‘ଶବ୍ଦୈରେକବିଧୈରେବ ଭାଷାସୁ ବିବିଧାସ୍ୱପି,

ବାକ୍ୟଂ ଯତ୍ରଭବେତ୍ ସୋଽୟଂ ଭାଷାସମ ଇତିଷ୍ୟତେ ।

 

ଯଥା – ମମ

ମଞ୍ଜୁଳ ମଣିମଞ୍ଜୀରେ ! କଳ ଗମ୍ଭୀରେ ! ବିହାର ସରସୀତୀରେ

ବିରସାସି କେଳିକୀରେ ! କିମାଳି ! ଧୀରେ ଚ ଗନ୍ଧସାର ସମୀରେ ।

 

୬୦.

ତତ୍ରୈବ, ଦଶମ ପରିଚ୍ଛେଦ, ପୃ-୭୯୧, ୭୯୨ ।

 

ଏଷ ଶ୍ଳୋକଃ ସଂସ୍କୃତ, ପ୍ରାକୃତ, ସୌରସେନୀ, ପ୍ରାଚ୍ୟାବନ୍ତୀ, ନଗରାପଭ୍ରଂଶେ – ଷ୍ୱେକବିଧ ଏବ । (୬୧)

 

ଏକ ପ୍ରକାର ଶବ୍ଦଦ୍ୱାରା ନାନା ପ୍ରକାର ଭାଷାରେ ଯେଉଁଠାରେ ବାକ୍ୟ ରଚନା କରାଯାଏ, ତାହାକୁ ଭାଷାସମ ଅଳଙ୍କାର କୁହାଯାଏ । ଏଠାରେ କୌଣସି ଏକ ସଖୀ କହୁଛି – ହେ ସଖୀ, ମଧୁର ଓ ଗମ୍ଭୀର ଧ୍ୱନି କରୁଥିବା ମନୋରମ ମଣିମୟ ନୂପୁର ଉପରେ କାହିଁକି ରାଗୁଛୁ ? କ୍ରୀଡ଼ା ସରୋବର ତୀରକୁ ଯିବା ପାଇଁ କାହିଁକି ବିରକ୍ତ ହେଉଛୁ ? କ୍ରୀଡ଼ା ଶୁକ ଓ ମନ୍ଦ ମଳୟ ସମୀର ଉପରେ ଅବା ବିରକ୍ତ ହୋଇ କ’ଣ ହେବ ? ଯା, ପ୍ରିୟ ପାଖକୁ ଯା । ଏସବୁ ଛାଏଁ ଛାଏଁ ତୋତେ ଭଲ ଲାଗିବ ।

 

ଏହି ପଦରେ ବ୍ୟବହୃତ ଶବ୍ଦମାନ ବିଭିନ୍ନ ଭାଷା ଯଥା – ସଂସ୍କୃତ, ପ୍ରାକୃତ, ଶୌରସେନୀ, ପ୍ରାଚ୍ୟା (ଓଡ଼ିଆ ଏହି ଶ୍ରଣୀରେ ଅନ୍ତର୍ଭୁକ୍ତ), ଅବନ୍ତୀ, ନାଗର, ଅପଭ୍ରଂଶ – ଏହିସବୁ ଭାଷାରେ ସମାନ ହେତୁରୁ ଏହାକୁ ଭାଷାସମ ଅଳଙ୍କାର କୁହାଗଲା ।

 

ଏହିପରି ଭାବରେ ବହୁ ଭାଷାରେ ପାଣ୍ଡିତ ଲାଭ କରି ଦକ୍ଷତାର ସହିତ ନିଜ ଜ୍ଞାନର ସଦୁପଯୋଗ କରିଯାଇଛନ୍ତି ବିଶ୍ୱନାଥ କବିରାଜ । ତେଣୁ ତାଙ୍କୁ କେବଳ ଶ୍ରେଷ୍ଠ ଆଳଙ୍କାରିକ ଭାବରେ ନୁହେଁ, ଜଣେ ଉଚ୍ଚକୋଟିର ପଣ୍ଡିତ, ବିଦଗ୍‌ଧ କବି, ବହୁ ଶାସ୍ତ୍ରଜ୍ଞ ବିଦ୍ୱାନ, ଅଷ୍ଟାଦଶ ଭାଷାଜ୍ଞାନ ସମ୍ବଳିତ ବ୍ୟକ୍ତିତ୍ୱ, ରାଷ୍ଟ୍ରନୀତିଜ୍ଞ, ସଭା ପଣ୍ଡିତ ଓ ଅମାତ୍ୟ ହିସାବରେ ଆମେ ଜାଣିବାକୁ ପାଉ ।

 

(୫) କୁବଳୟାଶ୍ୱ ଚରିତମ୍ :

ବିଶ୍ୱନାଥ କବିରାଜ ପ୍ରାକୃତ ଭାଷା ଅବଲମ୍ବନରେ ଏହି ମହାକାବ୍ୟ ଲେଖିଛନ୍ତି । ଏହି ମହାକାବ୍ୟର ନାୟକ କୁବଳୟାଶ୍ୱ ଓ ନାୟିକା ମଦାଳସା । ଏଥିରେ ଉଭୟ କରୁଣ ଓ ଶୃଙ୍ଗାରରସ ପରିସ୍ଫୁଟନ ହୋଇଛି । ଏହି ମହାକାବ୍ୟର ବିଭିନ୍ନ ସର୍ଗକୁ ଆଶ୍ୱାସଦ୍ୱାରା ବିଭାଗୀକରଣ କରାଯାଇଛି-। ବିଶ୍ୱନାଥ ନିଜ କୁବଳୟାଶ୍ୱ ଚରିତମ୍‌ରୁ ନିମ୍ନୋକ୍ତ ଉଦ୍ଧୃତିଗୁଡ଼ିକୁ ସାହିତ୍ୟ ଦର୍ପଣରେ ସନ୍ନିବେଶିତ କରିଛନ୍ତି । ଏଠାରେ ତନ୍ମଧ୍ୟରୁ କତିପୟ ଉଦାହରଣ ଦିଆଗଲା –

 

ଜଡ଼ତାର ଉଦାହରଣ ଦେବାକୁ ଯାଇ ଲେଖିଛନ୍ତି-

‘‘ଯଥା ମମ କୁବଳୟାଶ୍ୱଚରିତେ ପ୍ରାକୃତକାବ୍ୟେ-

ଶବରିଅଂ ତ କୁଅକୁଅଳଂ ଅଣ୍‌ଶୋଣ୍‌ଶଂ

ଣିହିଦ ସକଳ ମନ୍ଥର ଦିଟ୍‌ଠିମ୍ ।

ଆଳେକ ଖଓପିଅଂ ବିଅଖମମେତ୍ତଂ

ତତ୍‌ଥ ସଂଝଠିଅଂ ମୁଅସଣ୍‌ଣମ ।’’ (୬୨)

 

୬୧.

ତତ୍ରୈବ, ଦଶମ ପରିଚ୍ଛେଦଃ, ପୃ-୫୯୪

୬୨.

ତତ୍ରୈବ, ତୃତୀୟ ପରିଚ୍ଛେଦଃ, ପୃ-୧୬୮

 

ବହୁଦିନ ପରେ ବିଦେଶରୁ ଫେରିଥିବା ପତି ଓ ପତିଗୃହରେ ଦୀର୍ଘ ବିରହିଣୀ ଅବସ୍ଥାରେ ଥିବା ପତ୍ନୀ ପ୍ରଥମ ଦର୍ଶନ କାଳରେ କେହି କାହାରିକୁ କିଛି କହିପାରିଲେ ନାହିଁ । କେବଳ ଉଭୟେ ଉଭୟଙ୍କୁ ସଜଳ ଅପଲକ ନେତ୍ରରେ ଚିତ୍ର ପିତୁଳା ପରି ଚାହିଁ ରହିଲେ ।

 

ପ୍ରାକୃତ ଭାଷାରେ ରଚିତ ମହାକାବ୍ୟର ସ୍ୱରୂପ ନିରୂପଣ କରିବାକୁ ଯାଇ ବିଶ୍ୱନାଥ ଲେଖିଛନ୍ତି-

 

‘‘ପ୍ରାକୃତୈ ନିର୍ମିତେ ତସ୍ମିନ ସର୍ଗା ଆଶ୍ୱାସ ସଜ୍ଞକାଃ,

ଛନ୍ଦସା ସ୍କନ୍ଧକେନୈତତ୍ କ୍ୱଚିଦ ଗଳିତ କୈରପି ।

ଯଥା – ସେତୁବନ୍ଧଃ ! ଯଥା ବା ମମ କୁବଳୟାଶ୍ୱ ଚରିତମ୍ ।’’ (୬୩)

 

ଏଥିରୁ ଜଣାଯାଏ ଯେ କୁବଳୟାଶ୍ୱ ଚରିତମ୍ ପ୍ରାକୃତ ମହାକାବ୍ୟଟି ବିଭିନ୍ନ ଆଶ୍ୱାସରେ ବିଭକ୍ତ ଓ ଏଥିରେ ସ୍କନ୍ଧକ ଓ ଗଳିତକ ନାମକ ଛନ୍ଦ ଦୁଇଟି ଅବଲମ୍ବନ କରାଯାଇ ଏହାକୁ ବିଶ୍ୱନାଥ କବିରାଜ ରଚନା କରିଛନ୍ତି।

 

ଏହି ପ୍ରସଙ୍ଗରେ କବିରାଜ ବିଶ୍ୱନାଥଙ୍କର ଅନ୍ୟ କେତୋଟି ପ୍ରାକୃତ ରଚନା ବିଷୟରେ ଆଲୋଚନା କରାଯାଇପାରେ । ଏହି ପ୍ରାକୃତ ଉଦ୍ଧୃତିଗୁଡ଼ିକ ତାଙ୍କ ପ୍ରାକୃତ ମହାକାବ୍ୟ କୁବଳୟାଶ୍ୱ ଚରିତମ୍‌ରୁ ନା ଅନ୍ୟ କୌଣସିରୁ ଏ ବିଷୟରେ ସ୍ପଷ୍ଟ ଭାବରେ ବିଶ୍ୱନାଥ ସାହିତ୍ୟ ଦର୍ପଣରେ ଉଲ୍ଲେଖ କରିନାହାନ୍ତି ।

 

ବିଷାଦ ଅବସ୍ଥାରେ ବର୍ଣ୍ଣନା ଛଳରେ ଲେଖିଛନ୍ତି-

‘‘ଏସା କୁଡ଼ିଳଘଣେଣସସୁଚିଉର କଡ଼ପ୍ପେଣ ତୁହ ନିବନ୍ଧା ବେଣୀ ।

ମହ ସହି ଦାରଇ ଡଂସଇ ଆଅସକ୍କଠିବ୍‌ଦି କାଳଉରଇ ବବ ହିଅଅମ ।’’ (୬୪)

 

ଏଠାରେ କୌଣସି ଏକ ପ୍ରୋଷିତ ଭର୍ତ୍ତୃକା ନାୟିକାକୁ ତାର ସଖୀ କହୁଛି – ହେ ସଖୀ ! କୁଟିଳ ଓ ନିବିଡ଼ ଭାବରେ ବନ୍ଧା ତୋର ବେଣୀ ଲୌହ ଯଷ୍ଟି ପରି ମୋ ହୃଦୟକୁ ଆଘାତ କରୁଛି ଓ କୃଷ୍ଣ ସର୍ପିଣୀ ପରି ଦଂଶନ କରୁଛି । ତୋର ବିରହ ଦୂର କରିବାକୁ କୌଣସି ଉପାୟ ଦେଖା ଯାଉନାହିଁ । କେବଳ ବିଷାଦ ହିଁ ସାର ହେଉଛି ।

 

ଜଡ଼ତାର ଉଦାହରଣ ଦେବାକୁ ଯାଇ ଅନ୍ୟତ୍ର ଲେଖିଛନ୍ତି-

‘‘ରସିଣୀ ଅଳସଏଣୀଏ ନିହଅଂ ସବ୍‌ବଂ ସୁଣିଚ୍ଚଳଂ ଅଙ୍ଗମ୍,

ଦୀହୋ ଣୀସାସହରୋ ଏସୋ ସାହେଇ ଜୀରଅଇତି ପରମ୍ ।

ଅତ୍ରଜଡ଼ତା । ଇଦଂ ମମ । (୬୫)

 

ଏଠାରେ ନିଜ କାମ ସନ୍ତପ୍ତା ସଖୀର ଜଡ଼ତା ଦଶା ଏକ ସହୃଦୟା ସଖୀ ବର୍ଣ୍ଣନା କରି କହୁଛି- ପଦ୍ମପତ୍ର ଶଯ୍ୟାରେ ନିଶ୍ଚଳ ହୋଇ ଶୋଇଛି ସତ, ମାତ୍ର ଦୀର୍ଘଶ୍ୱାସ ଜଣାଇ ଦେଉଛି ଯେ ଜିଇଁଲେ ଜିଇଁପାରେ ।

 

୬୩.

ତତ୍ରୈବ, ଷଷ୍ଠ ପରିଚ୍ଛେଦଃ, ପୃ-୪୭୨

୬୪.

ତତ୍ରୈବ, ତୃତୀୟ ପରିଚ୍ଛେଦଃ, ପୃ-୧୮୧

୬୫.

ତତ୍ରୈବ, ତୃତୀୟ ପରିଚ୍ଛେଦଃ, ପୃ-୧୯୪

 

ସେହିପରି ନାୟକର ପ୍ରଣୟମାନ ପ୍ରସଙ୍ଗରେ ଲେଖିଛନ୍ତି-

‘‘ଅଳିଅପସର ଅଣିମାଳିଅଚ ଦେସୁ ସୁହଅ ଅଜ୍‌ଝ ଓଆସମ୍,

ଗଣ୍ଡପରି ଉମ୍ବଣପୁଲଇଅଙ୍ଗ ଣାପୁଣୋ ଚିରାଇସ୍‌ମସ୍‌ ।‘‘ (୬୬)

 

କେତେ ମିଛି ମିଛିକା ଆଖିବୁଜି ଶୋଇଛ । ଘୁଞ୍ଚ, ମୋତେ ଟିକିଏ ଶୋଇବାକୁ ଜାଗା ଦିଅ-। ଚୁମ୍ବନରୁ ତୁମର ଯେଉଁ ରୋମାଞ୍ଚ ଜାତ ହେଲା, ସେଥିରୁ ତୁମ ନିଦ ଜଣାଗଲାନି । ଉଠ, ଏଥର ଉଠ । ଆଉ ବସି ବସି ଅପେକ୍ଷା କରିପାରିବି ନାହିଁ ।

 

(୬) ରାଘବ ବିଳାପ :

କରୁଣ ରସ ଆଧାରିତ ଏହି ଗ୍ରନ୍ଥ ବିଶ୍ୱନାଥ କବିରାଜଙ୍କର ଅନ୍ୟତମ ରଚନା । ଏହା ଭଗବାନ ଶ୍ରୀରାମଙ୍କର ବନବାସ ଚରିତ । ତେଣୁ ମୂଳ ବାଲ୍ମୀକି ରାମାୟଣର ଆରଣ୍ୟକ କାଣ୍ଡ, କିଷ୍କିନ୍ଦା କାଣ୍ଡ ଓ ସୁନ୍ଦରକାଣ୍ଡର କଥାବସ୍ତୁ ଆଧାରରେ ଏହା ରଚିତ । କଲିକତାରୁ ପ୍ରକାଶିତ ରାମଚରଣ ତର୍କବାଗୀଶଙ୍କର ଟୀକା ସମ୍ବଳିତ ସାହିତ୍ୟ ଦର୍ପଣଟି କେତେକ ମୂଳପୋଥିର ଶୁଦ୍ଧପାଠ ଉପରେ ନିର୍ଭର କରି ପ୍ରସ୍ତୁତ ହୋଇଥିବାରୁ ଏଥିରେ ରାଘବ ବିଳାପ କାବ୍ୟର ନାମୋଲ୍ଲେଖ ସ୍ପଷ୍ଟାକ୍ଷରରେ ରହିଛି । କିନ୍ତୁ ଅନ୍ୟାନ୍ୟ ସଂସ୍କରଣ ଗୁଡ଼ିକରେ ତୃଟିପୂର୍ଣ୍ଣ ଭାବରେ ‘‘ରାଘବ ବିଳାପେ’ ସ୍ଥଳରେ ‘‘ରାଘବ ବିଳାସେ’’ ଲେଖା ଯାଇଥିବାରୁ ‘‘ରାଘବ ବିଳାସାଦି ” ଉଲ୍ଲେଖର ମହତ୍ତ୍ୱ କିଛି ରହୁନାହିଁ । ଏହି କଥା ପୂର୍ବବର୍ତ୍ତୀ ଗବେଷକମାନେ (୬୭) ସପ୍ରମାଣ ଉଦାହରଣ ମାଧ୍ୟମରେ ପୃଷ୍ଟି କରିଛନ୍ତି ।

 

ରାଘବ ବିଳାପରୁ ଉଦ୍ଧୃତ ସାହିତ୍ୟ ଦର୍ପଣର ସେହି ପ୍ରସିଦ୍ଧ ଶ୍ଳୋକଟି ହେଲା –

‘‘ଯଥା ମମ ରାଘବ ବିଳାପେ-

ବିପିନେ କିଂ କଟାନିବନ୍ଧନଂ ତବ ଚେଦଂ କ୍ୱ ମନୋହରଂ ବପୁଃ,

ଅନୟୋର୍ଘଟନା ବିଧେଃ ସ୍ଫୁଟଂ ନନୁ ଖଡ଼୍‌ଗେନ ଶିରୀଷକର୍ତ୍ତମ୍ ।

ଅତ୍ର ହିଁ ରାମ ବନବାସ ଜନିତ ଶୋକାର୍ତ୍ତସ୍ୟ ଦଶରଥସ୍ୟ ଦୈବନିନ୍ଦା ।’’ (୬୮)

 

ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭- ତୃତୀୟ ପରିଚ୍ଛେଦ) ପୃ-୨୧୩, ସଂଶିତ ଉଦ୍ଧୃତାଂଶଟିରେ ମଧ୍ୟ ରାଘବ ବିଳାପେ ଉଲ୍ଲେଖ ନ ହୋଇ ରାଘବ ବିଳାସେ ଉଲ୍ଲେଖ ଅଛି ଯାହା ପୂ୍ର୍ବ ଉଦ୍ଧୃତ ଗବେଷଣା ଲବ୍ଧ ତଥ୍ୟର ପରପନ୍ଥୀ ।

 

୬୬.

ତତ୍ରୈବ, ପୃ-୧୯୮

୬୭.

କ)

ଅଧ୍ୟାପକ ବନମାଳୀ ରଥ, ବିଶ୍ୱନାଥ କବିରାଜଙ୍କ ଗ୍ରନ୍ଥ ନିଚୟ, କୋଣାର୍କ, ୨ୟ ବର୍ଷ, ୨ୟ ସଂଖ୍ୟା (୧୯୬୦), ପୃ-୧୦

 

ଖ)

Dr. B. Rath, OHRJ-Vol-VIII, Nos-3 & 4, Oct, 1959 & Jan, 1960 and OHRJ, Vol-XXIX (1983) No. 2 & 3 (1983) Pp-71

୬୮.

ବିଶ୍ୱନାଥ କବିରାଜ, ସାହିତ୍ୟ ଦର୍ପଣ, ଅନୁବାଦ-ନାରାୟଣ ମହାପାତ୍ର, ପ୍ରକାଶନ-ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭), ତୃତୀୟ ପରିଚ୍ଛେଦ, ପୃ-୨୧୩

 

ସେ ଯାହାହେଉ ରାଘବ ବିଳାପ ନାମକ ସଂସ୍କୃତ ମହାକାବ୍ୟ ଯେ ସ୍ୱୟଂ ବିଶ୍ୱନାଥ କବିରାଜ ଲେଖିଥିଲେ, ଏକଥା ଅଧ୍ୟାପକ ବନମାଳୀ ରଥଙ୍କ ଇଂରାଜୀ ପୁସ୍ତକ The Sahityadarpana of Viswanatha Kabiraj – An enidical slurg ଓ Orissa Historical Research Journal, Vol-VIII, No.3 & 4 Ovt, 1959 and Jan, 1960 ରେ ସ୍ଥାନୀତ ଇଂରାଜୀ ପ୍ରବନ୍ଧ A study in the unknown and little known works of Viswanatha Kabiraj Dr. B. Rath ରୁ ପ୍ରମାଣିତ ହୋଇଛି ।

 

(୭) ରାଘବ ବିଳାସ :

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଉଜ୍ଜ୍ୱଳ ଚରିତ ଆଧାରରେ ରାଘବ ବିଳାସ ନାମକ ସଂସ୍କୃତ ମହାକାବ୍ୟଟି ବିଶ୍ୱନାଥ କବିରାଜ ରଚନା କରିଥିଲେ । ସାହିତ୍ୟ ଦର୍ପଣରେ ନିଜ ସଂସ୍କୃତ ମହାକାବ୍ୟର ଲକ୍ଷଣ ନିରୂପଣ କରିସାରି ସେ ଏକ ଆଦର୍ଶ ସଂସ୍କୃତ ମହାକାବ୍ୟ ରୂପରେ ରାଘବ ବିଳାସର ଉଦାହରଣ ଦେଇଛନ୍ତି । ସେ ଲେଖିଛନ୍ତି -‘‘ଯଥା ରଘୁବଂଶ, ଶିଶୁପାଳବଧ ନୈଷଧାଦୟଃ । ଯଥା ବା ମମ ରାଘବ ବିଳାସାଦିଃ ।’’ (୬୯)

 

ଏଥିରୁ ସ୍ପଷ୍ଟ ରୂପରେ ଜଣାଯାଉଛି ଯେ, ବିଶ୍ୱନାଥ କବିରାଜଙ୍କ ଭଳି ଜଣେ ପ୍ରସିଦ୍ଧ କବି, ଆଳଙ୍କାରିକ ଓ ବିଦ୍ୱାନ, କାଳିଦାସଙ୍କ ରଘୁବଂଶ, ମାଘଙ୍କର ଶିଶୁପାଳ ବଧ ଓ ଶ୍ରୀହର୍ଷଙ୍କର ନୈଷଧ ଇତ୍ୟାଦିକୁ ମହାକାବ୍ୟ ହିସାବରେ ସ୍ୱାଭାବିକ ଭାବରେ ପରିଗଣିତ କରିଛନ୍ତି । ଏହା ସହିତ ସେ ନିଜ ରଚିତ ରାଘବ ବିଳାସାଦି ଅର୍ଥାତ୍ ରାଘବ ବିଳାସ ଇତ୍ୟାଦି କେତୋଟି (ଅନ୍ତତଃ ଆଉ ଗୋଟିଏ ଯାହାକି ରାଘବ ବିଳାପ ଅଟେ) ସଂସ୍କୃତ ଭାଷାରେ ରଚିତ ମହାକାବ୍ୟ ଅଛି ବୋଲି ସୂଚନା ଦେଇଛନ୍ତି । ଏହି ରାଘବ ବିଳାସ ଓ ରାଘବ ବିଳାପ ମହାକାବ୍ୟ ଦୁଇଟିର ଗୌରବ ରଘୁବଂଶ, ଶିଶୁପାଳବଧ ଓ ନୈଷଧ ସହିତ ସମାନ ବୋଲି ମଧ୍ୟ ଏଥିରୁ ଜଣାଯାଉଛି ।

 

ପୁନଶ୍ଚ, ବିଷମ ଅଳଙ୍କାରର ଉଦାହରଣ ଦେବାକୁ ଯାଇ ବିଶ୍ୱନାଥ କବିରାଜ ଲେଖିଛନ୍ତି-

‘‘କ୍ୱ ବନଂ ତରୁବଳ୍‌କଳ ଭୂଷଣଂ ନୃପଲକ୍ଷ୍ମୀଃ କ୍ୱ ମହେନ୍ଦ୍ର ସେବିତା ।

ନିୟତଂ ପ୍ରତିକୂଶଳବର୍ତ୍ତିନୋ ବତ ଧାତୁଶ୍ଚରିତଂ ସୁଦୁଃସହମ୍ ।

ଅତ୍ର ବନରାଜ୍ୟ ଶ୍ରୀୟୋର୍ବିରୂପୟୋଃ ସଂଘଟନା । ଇଦଂ ମମ ।’’ (୭୦)

 

ଏହାର ଅର୍ଥ – ବନ କେଉଁଠି ? ଯେଉଁଠାରେ କି ବୃକ୍ଷବକ୍କଳ ପିନ୍ଧିବାକୁ ହୁଏ । ରାଜଲକ୍ଷ୍ମୀ କେଉଁଠି ? ଯାହାଙ୍କୁ କି ଦେବରାଜ ସେବା କରନ୍ତି । ଅହୋ, ବିଧାତା ପ୍ରତିକୂଳ ହେଲେ କ’ଣ ନ ହୁଏ ? ତାହା ସହିବା କଷ୍ଟକର ।

 

୬୯.

ତତ୍ରୈବ, ଷଷ୍ଠ ପରିଚ୍ଛେଦଃ, ପୃ-୪୧୮

୭୦.

ତତ୍ରୈବ, ଦଶମ ପରିଚ୍ଛେଦଃ, ପୃ-୭୫୦

 

ଏହି ଶ୍ଳୋକଟି ବିଶ୍ୱନାଥ ନିଜ ରଚନାରୁ ଉଦ୍ଧାର କରିଥିଲେ ହେଁ ଏହା ତାଙ୍କ କେଉଁ ଗ୍ରନ୍ଥରୁ ଆଣିଛନ୍ତି, ତାହା ଲେଖି ନାହାନ୍ତି । ଏହି ଶ୍ଳୋକଟି ରାଘବ ବିଳାପ ବା ରାଘବ ବିଳାସ - ଏହି ଦୁଇଗ୍ରନ୍ଥ ମଧ୍ୟରୁ ଗୋଟିକର ହୋଇପାରେ ।

 

(୮) ନରସିଂହ ବିଜୟ :

ଚତୁର୍ଥ ନରସିଂହ ଦେବ (ଖ୍ରୀ-୧୩୭୮ ରୁ ଖ୍ରୀ-୧୪୧୪) ଜଣେ ପ୍ରଚଣ୍ଡ ପରାକ୍ରମୀ ଯୋଦ୍ଧା ଥିଲେ । ତାଙ୍କ ଶୌର୍ଯ୍ୟବୀର୍ଯ୍ୟ ଓ କୀର୍ତ୍ତିକୁ ଅବଲମ୍ବନ କରି ବିଶ୍ୱନାଥ କବିରାଜ ଏହି ନରସିଂହ ବିଜୟ ନାମକ ଗ୍ରନ୍ଥ ରଚନା କରିଥିଲେ । ଏହି ଗ୍ରନ୍ଥ ବିଷୟରେ ସାହିତ୍ୟ ଦର୍ପଣର କୌଣସି ସ୍ଥଳରେ ଉଲ୍ଲେଖ ନାହିଁ, କିନ୍ତୁ ବିଶ୍ୱନାଥ ନିଜ କାବ୍ୟପ୍ରକାଶ ଦର୍ପଣରେ ନିଜ ରଚନା ନରସିଂହ ବିଜୟ ବିଷୟରେ ଉଲ୍ଲେଖ କରି ସେଥିରୁ ଏକ ଉଦାହରଣ ଦେଇଛନ୍ତି-

 

‘‘ସ୍ଫୁଟ ବିକଟ ଚେପଟା ପାତନେ ପାତନେ ନାୟମଷ୍ଟୌ,

ସପଦ କୁଳଗିରୀନ୍ ବା ଗଣ୍ଡଶଶ୍ଚୂର୍ଣ୍ଣୟିତ୍ୱା ।

ପ୍ରଳୟ ମରୁଦୁଦାର ସ୍ଫୀତ୍‌କୃତୋଧୁତବାତଃ,

ପ୍ରସୃତିବିରଥ ପାରାବାର ମୁତ୍‌କ୍ଷେପୟାମି ।’’ (୭୧)

 

ସାହିତ୍ୟ ଦର୍ପଣ ଲୋଚନ ଟୀକାରେ ମଧ୍ୟ ବିଶ୍ୱନାଥ କବିରାଜଙ୍କ ପୁତ୍ର ଅନନ୍ତ ଦାସ ଲେଖିଛନ୍ତି-

‘‘ଯଥା ମମ ତାତପାଦାନାଂ ନରସିଂହ ବିଜୟେ

ନିଶ୍ୱାସୋଦ୍‌ଘାତ ଦାତପ୍ରସରଧୁତକୁଳାହାର୍ଯ୍ୟ ମୃଦ୍‌ଘୃଷ୍ଟାଦଂଷ୍ଟ୍ରା-

ଜାତ ଜ୍ୟୋତି ସ୍ଫୁଲିଙ୍ଗ ପ୍ରକର ବିରଚିତୋଲ୍‌କାନିକାୟାଭିଶଙ୍କଃ ।

ଅର୍ଦ୍ଧେ ପାରିନ୍ଦ୍ରମର୍ଦ୍ଧେ ନରମହହମହାଲୋକମାଲୋକ୍ୟ ଲୋକା-

ସ୍ତୋକା ସ୍ତୋକା ବିଶେଷାଃ ଶରଣ ମୁପପଯୁର୍ବାରିଧିର୍ବାରିଧିମ୍ବା ।। (୭୨)

 

ଉପରୋକ୍ତ ଆଲୋଚନାରୁ ସ୍ଥୀରିକୃତ ହେଲାଯେ ବିଶ୍ୱନାଥ କବିରାଜଙ୍କ ଏହି ନରସିଂହ ବିଜୟ ନାମକ କାବ୍ୟ ଗ୍ରନ୍ଥଟି ସାହିତ୍ୟ ଦର୍ପଣ ରଚନା ପରେ ରଚିତ ହୋଇଥିଲା । ଏହାର ଉଦ୍ଧୃତ ବିଶ୍ୱନାଥ ତାଙ୍କ ନିଜ ଗ୍ରନ୍ଥ କାବ୍ୟପ୍ରକାଶ ଦର୍ପଣରେ କରିଥିବାରୁ, କାବ୍ୟପ୍ରକାଶ ଦର୍ପଣ ଲେଖିବା ପୂର୍ବରୁ ବିଶ୍ୱନାଥ ନରସିଂହ ବିଜୟ ଗ୍ରନ୍ଥ ରଚନା କରିଥିବାର ଜଣାଯାଏ । ବିଦ୍ୟାଧରଙ୍କ ଏକାବଳୀଦ୍ୱାରା ପ୍ରଭାବିତ ହୋଇ ସମ୍ଭବତଃ, ବିଶ୍ୱନାଥ କବିରାଜ ଏହି ନରସିଂହବିଜୟ ଗ୍ରନ୍ଥ ରଚନା କରିଥିଲେ ।

 

୭୧.

ବନମାଳୀ ରଥ, ବିଶ୍ୱନାଥ କବିରାଜଙ୍କ ଗ୍ରନ୍ଥ ନିଚୟ, କୋଣାର୍କ, ୨ୟ ବର୍ଷ, ୨ୟ ସଂଖ୍ୟା (୧୯୬୦) ପୃ-୧୬

୭୨.

ତତ୍ରୈବ, ପୃ-୧୭

 

(୯) କାବ୍ୟପ୍ରକାଶ ଦର୍ପଣ :

କାବ୍ୟପ୍ରକାଶ ଦର୍ପଣ ଗ୍ରନ୍ଥଟି ବିଶ୍ୱନାଥ କବିରାଜଙ୍କର ଏକ ପ୍ରୌଢ଼ ରଚନା । ବିଶ୍ୱନାଥ ନିଜେ ସାହିତ୍ୟ ଦର୍ପଣ ଲେଖି ସେଥିରେ କାବ୍ୟପ୍ରକାଶ ବର୍ଣ୍ଣିତ ବିଭିନ୍ନ ଅଳଙ୍କାର ଉପରେ ବିସ୍ତୃତ ସମୀକ୍ଷା କରିଛନ୍ତି ଏବଂ ସାହିତ୍ୟ ଦର୍ପଣ ଗ୍ରନ୍ଥରେ ମଧ୍ୟ କାବ୍ୟପ୍ରକାଶର ଉତ୍କର୍ଷ ଅପକର୍ଷ ବିସ୍ତୃତ ବର୍ଣ୍ଣନା କରିଛନ୍ତି । ଏହା ସତ୍ତ୍ୱେ ମଧ୍ୟ ସେ ସମ୍ମଟ୍ଟ ଭଟ୍ଟଙ୍କ କାବ୍ୟପ୍ରକାଶ ଉପରେ କାବ୍ୟପ୍ରକାଶ ଦର୍ପଣ ଟୀକା ଗ୍ରନ୍ଥ ଲେଖିଛନ୍ତି । ଏହି ଗ୍ରନ୍ଥରେ ସେ ନିଜ ପୂର୍ବ ଅଳଙ୍କାର ଗ୍ରନ୍ଥ ସାହିତ୍ୟ ଦର୍ପଣର ନାମ ଅଠରଥର ଲେଖିଛନ୍ତି ଓ ଯେଉଁ ସ୍ଥଳରେ କାବ୍ୟପ୍ରକାଶ ଦୁର୍ବୋଧ୍ୟ ଲାଗୁଛି, ସେସବୁକୁ ସରଳ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିଛନ୍ତି । କାବ୍ୟପ୍ରକାଶ ଦର୍ପଣରେ ବିଶ୍ୱନାଥ ନିଜ ପ୍ରପିତାମହ ଚଣ୍ଡୀଦାସଙ୍କ ପ୍ରଣୀତ କାବ୍ୟପ୍ରକାଶ ଦୀପିକା ଟୀକା ସମେତ ଶ୍ରୀଧର ଓ ବାଚସ୍ପତି ମିଶ୍ର ପ୍ରଭୃତିଙ୍କର ଟୀକା ଉପରେ ମଧ୍ୟ ଆଲୋଚନା କରିଛନ୍ତି । ନିଜ ବୃଦ୍ଧ ପ୍ରପିତାମହ ନାରାୟଣ ଦାସଙ୍କ ସହିତ ପ୍ରଖ୍ୟାତ ବିଦ୍ୱାନ ଧର୍ମଦତ୍ତଙ୍କର ଯେଉଁ ଶାସ୍ତ୍ରାଲୋଚନା ହୋଇଥିଲା ତାହାର ଏକ ବିବରଣୀ ମଧ୍ୟ ସେ କାବ୍ୟପ୍ରକାଶ ଦର୍ପଣରେ ଉଲ୍ଲେଖ କରିଛନ୍ତି ।

 

(୧୦) କଂସବଧ :

ବିଶ୍ୱନାଥ କବିାଜ ନିଜ ରଚନା ସାହିତ୍ୟ ଦର୍ପଣ ଓ କାବ୍ୟପ୍ରକାଶ ଦର୍ପଣ ଗ୍ରନ୍ଥରେ ଏହି କଂସବଧ ନାମକ ଗ୍ରନ୍ଥ ରଚନା କରିଥିବାର ସୂଚନା ଦେଇନାହାନ୍ତି । କିନ୍ତୁ ତାଙ୍କ ପୁତ୍ର ଅନନ୍ତ ଦାସ ରଚନା କରିଥିବା ସାହିତ୍ୟ ଦର୍ପଣ ଲୋଚନ ଟୀକାରେ ‘ମମ ପିତୃଣାଂ କଂସବଧେ’ ଲେଖିଚନ୍ତି । (୭୩) ଏଥିରୁ ବିଶ୍ୱନାଥ କବିରାଜ କଂସବଧ ନାମକ ଏକ ବାବ୍ୟ ଗ୍ରନ୍ଥ ଲେଖିଥିବାର ପ୍ରମାଣ ମିଳିଅଛି ।

 

(୧୧) ଲକ୍ଷ୍ମୀସ୍ତବ :

 

ଏହା ଗୋଟିଏ ମହାଲକ୍ଷ୍ମୀଙ୍କର ସ୍ତୁତି ମୂଳକ ସ୍ତୋତ୍ର ଗ୍ରନ୍ଥ । ବିଶ୍ୱନାଥ କବିରାଜଙ୍କ ପୁତ୍ର ଅନନ୍ତ ଦାସ ନିଜ ଗ୍ରନ୍ଥ ସାହିତ୍ୟ ଦର୍ପଣ ଲୋଚନ ଟୀକାର ଅଳଙ୍କାର ନିର୍ଣ୍ଣୟ ପ୍ରସଙ୍ଗରେ ଅତ୍ୟାନୁପ୍ରାସାର ଉଦାହରଣ ଦେବାକୁ ଯାଇ ପିତାଙ୍କ ଲକ୍ଷ୍ମୀ ସ୍ତବରୁ ଏକ ସୁନିର୍ବାଚିତ ଉଦାହରଣ ଦେଇଛନ୍ତି-

 

‘‘ଯଥା ମମ ତାତପାଦାନାଂ ଲକ୍ଷ୍ମୀସ୍ତବେ-

ଶ୍ରୁତାଧୀତାଗୀତା ଶ୍ରୁତିଭିରବିଗୀତାଖିଳ ଗୁଣା,

ଗୁଣାତୀତା ଭୀତାଽଭୟକୃତୋବିନୀତାପଚୟଦା ।

ନତିପ୍ରୀତା ପୀତାମ୍ବର ସୁପରିଣୀତାଽମରବଧୁ,

ଦୃଶ୍ୟପୀତା ସ୍ଫୀତାମଳରୁଚିପରୀତା ବିଜୟତାମ୍ ।।’’ (୭୪)

 

୭୩.

ଅନନ୍ତ ଦାସ, ସାହିତ୍ୟ ଦର୍ପଣ ଲୋଚନ, ସମ୍ପାଦନା – ପଣ୍ଡିତ କେ.କେ. କର, ଲାହୋର (୧୯୩୮), ପୃ-୧୨୨

୭୪.

ତତ୍ରୈବ, ପୃ-୯

 

ଏହି ଏଗାରଟି ଗ୍ରନ୍ଥକୁ ବାଦ୍‌ଦେଇ ବିଶ୍ୱନାଥ କବିରାଜଙ୍କର ଅନ୍ୟ କେତୋଟି ଗ୍ରନ୍ଥ ଯେ ନଥିଲା, ତାହା ସଠିକ୍ ଭାବରେ କୁହାଯାଇ ପାରିବ ନାହିଁ । ହୁଏତ କାଳର କରାଳ ଗର୍ଭରେ କୀଟଦ୍ରଂଷ୍ଟ ହୋଇ କେତୋଟି ତାଳପତ୍ର ପୋଥି ବିଲୁପ୍ତ ହୋଇ ସାରିଥିବ । ଯେଉଁ କେତେକ ଗ୍ରନ୍ଥର ସୂଚନା ମିଳୁଛି, ସେଗୁଡ଼ିକ ସମସ୍ତ ମଧ୍ୟ ପୂର୍ଣ୍ଣ ରୂପରେ ମିଳୁନାହିଁ । ବିଶ୍ୱନାଥଙ୍କର ପ୍ରତିଭାର ଏକ ବିଶ୍ୱସ୍ତ ଆକଳନ କରିବା ନିମନ୍ତେ ସାହିତ୍ୟ ଦର୍ପଣ ଗ୍ରନ୍ଥରେ କେଉଁ ଗ୍ରନ୍ଥର ଅଂଶବିଶେଷ ବା କେବଳ ଚୂର୍ଣ୍ଣକ, ମୁକ୍ତକ ଇତ୍ୟାଦି ସେ ସମ୍ବନ୍ଧରେ ମଧ୍ୟ ଏକ ସଂକ୍ଷିପ୍ତ ଆଲୋଚନା କରିବା ବିଧେୟ-

 

ପ୍ରିୟ ବିକାର ହେତୁ ଜାତ ହେଉଥିବା କାମ ବିକାରକୁ ତପନ କୁହାଯାଏ । ଏହି ତପନ ଅଳଙ୍କାରର ଉଦାହରଣ ବିଶ୍ୱନାଥ ନିଜ ରଚନାରୁ ନିମ୍ନମତେ ଦେଇଛନ୍ତି ।

 

‘‘ଯଥା ମମ-ଶ୍ୱାସନ୍ ମୁଞ୍ଚତି, ଭୂତଳେ ବିଲୁଠତି, ତ୍ୱନ୍ମାର୍ଥମାଲୋକତେ,

ଦୀର୍ଘଂ ରୋଦତି, ବିକ୍ଷିପତ୍ୟତ ଇତଃ କ୍ଷାମା ଭୂଜାବଳ୍ଲରୀମ୍ ।

କଞ୍ଚ ପ୍ରାଣସମାନ କାଂକ୍ଷିପତ୍ୟତ ଇତଃ କ୍ଷାମା ଭୂଜାବଲ୍ଲରୀମ୍।

କିଞ୍ଚ ପ୍ରାଣସମାନ କାଂକ୍ଷିତବତୀ ସ୍ୱପ୍ନେଽପିତେ ସଙ୍ଗମଂ,

ନିଦ୍ରାଂ ବାଞ୍ଚତି ନ ପ୍ରୟଚ୍ଛତି ପୁନର୍ଦଗ୍‌ଧୋ ବିଧିସ୍ତ ମପି ।। (୭୫)

 

ଦୀର୍ଘଶ୍ୱାସ ପକାଉଛି, ତଳେ ଗଡ଼ିଯାଇଛି, ତୁମ ଆସିବା ବାଟକୁ ଚାହୁଁଛି, ବହୁକାଳ କାନ୍ଧୁଛି, କ୍ଷୀଣ ଭୁଜଲତାକୁ ଇତଃସ୍ତତଃ ବିକ୍ଷେପ କରୁଛି, ହେ ପ୍ରାଣପ୍ରିୟ ତୁମ ସହିତ ସ୍ୱପ୍ନରେ କିପରି ମିଳନ ହୁଅନ୍ତା ବୋଲି ଇଚ୍ଛାକରି ନିଦ୍ରାକୁ କାମନା କଲେ ମଧ୍ୟ ପୋଡ଼ାବିଧି ତାହା କରାଇ ଦେଉନାହିଁ-

 

ଅନ୍ୟତ୍ର ଉଦ୍ଦୀପନ ବିଭାଗର ଉଦାହରଣ ଦେବାକୁ ଯାଇ ଚନ୍ଦ୍ରୋଦୟର ଉଦ୍ଧୃତିରେ ଲେଖିଛନ୍ତି-

 

‘ତବ ଚନ୍ଦ୍ରୋଦୟୋ ଯଥା ମମ-

କର ମୁଦୟ ମହୀଧର ସ୍ତନାଗ୍ରେ, ଗଳିତ ତମଃ ପଟଳାଂଶୁକେ ନିବେଶ୍ୟ

ବିକଶିତ କୁମୁଦେକ୍ଷଣଂ ବିଚୁମ୍ବ ; ତ୍ୟମମରେଶଦିଶୋମୁଖ ସୁଧାଂଶୁଃ । (୭୬)

 

ଚନ୍ଦ୍ର ଉଦୟ ପର୍ବତ ରୂପକ କୁଚ ଉପରେ କର ଯେ କିରଣ ହସ୍ତ ଦେଲା । ସେହି କର ନିବେଶ କରନ୍ତେ ସ୍ତନ ରୂପକ ପର୍ବତ ଉପରୁ ଅନ୍ଧକାର ରୂପକ ବସ୍ତ୍ର ଦୂର ହୋଇଗଲା । ଅମରେଶ ଦିଶ ବା ପୂର୍ବଦିଗରୁ ନାୟିକାର ବିକଶିତ ପଦ୍ମ ରୂପକ ନେତ୍ର ମୁଖକୁ ଏହି କିରଣ ସ୍ପର୍ଶ କଲା ଓ ଚୁମ୍ବନ ଦେଲା । ତେଣୁ ଚନ୍ଦ୍ର ପୂର୍ବ ଦିଗରୁ ଉଦୟାଚଳରେ ଉଦିତ ହେଲେ ।

 

ଏକାଦିକ୍ରମେ ବିଭିନ୍ନ ସାତ୍ତ୍ୱିକ ବିକାର ପ୍ରକାଶ ପାଇଲେ କିପରି ଅବସ୍ଥା ହୁଏ, ଏହାର ଏକ ଉଦାହରଣ ପତିପତ୍ନୀ ପ୍ରଥମ ମିଳନର ଚିତ୍ରଣ କରି ବିଶ୍ୱନାଥ ଲେଖିଛନ୍ତି –

 

୭୫.

ସାହିତ୍ୟ ଦର୍ପଣ, ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୭), ପୃ-୧୫୦

୭୬.

ତତ୍ରୈବ, ତୃତୀୟ ପରିଚ୍ଛେଦ, ପୃ-୧୬୦

 

‘‘ଯଥା ମମ – ତନୁସ୍ପର୍ଶଦସ୍ୟା ଦର ମୁକୁଳିତ ହନ୍ତ ନୟନେ,

ଉଦଞ୍ଚଦ୍ରୋମାଞ୍ଜହ ବ୍ରଜତ ଜଡ଼ତା ମଙ୍ଗଳମଖିଳମ୍ ।

କପାଳୌ ଘର୍ମାଦ୍ରୌ ଧ୍ରୁବ ମୁପରତୋ ଶେଷବିଷୟଂ,

ମନଃ ସାନ୍ଦ୍ରାନନ୍ଦଂ ସ୍ପୃଶତି ଝଟିତି ବ୍ରହ୍ମ ପରମ୍ । (୭୭)

 

ନୂତନ ଭାବରେ ସ୍ତ୍ରୀ ସ୍ପର୍ଶ ବର୍ଣ୍ଣନା କରି ନିଜ ଅନୁଭୂତି କହୁଛି- ତାକୁ ଛୁଇଁ ଦେଲେ ନେତ୍ର ଦୁଇଟି ଅଧା ବୁଜି ହୋଇଯାଉଛି, ସାରା ଦେହ ରୋମାଞ୍ଚିତ ହୋଇ ଜଡ଼ ପାଲଟି ଯାଉଛି । କପୋଳରୁ ଝାଳ ବହି ଯାଉଛି । ତତ୍‌କ୍ଷଣାତ୍ ସମସ୍ତ ବିଷୟରୁ ମନ ହଟିଯାଇ ଯେପରି ପରଂବ୍ରହ୍ମ ଲାଭ ଆନନ୍ଦରେ ମଗ୍ନ ହେଉଛି । ଏଠାରେ ରୋମାଞ୍ଚ, ସ୍ୱେଦ, ସ୍ତମ୍ଭ ଓ ପ୍ରଳୟର ଭାବଗର୍ଭକ ଉଦାହରଣ ଦିଆଯାଇଛି ।

 

ଏକ ସଦୃଶ ବସ୍ତୁର ପୂର୍ବରୁ ଅନୁଭୂତ ବସ୍ତୁର ଭାବବେଶକୁ ସ୍ମୃତି କୁହାଯାଏ ।

 

ଏହାର ଉଦାହରଣରେ-

‘‘ଯଥା ମମ- ମୟି ସକପଟଂ କିଞ୍ଚିତ୍‌କ୍ୱାପି ପ୍ରମୀତବିଲୋଚନେ,

କିମପି ନୟନଂ ପ୍ରାପ୍ତେ ତୀର୍ଯକ୍ ବିଜୃମ୍ଭିତ ତାରକମ୍ ।

ସ୍ମିତମୁପଣତାମାଳୀଂ ଦୃଷ୍ଟ୍ୱା ସଲଜ୍ମ ମବାଞ୍ଚିତମ୍,

କୁବଳୟ ଦୃଶଃ ସ୍ମେରଂ ସ୍ମେରଂ ସ୍ମରାମି ତଦାନନମ୍ ।।’’ (୭୮)

 

ମୁଁ ଛଳନା କରି ଅନ୍ୟ ଆଡ଼କୁ ଟିକିଏ ଆଖି ବୁଲାଇଦେଲେ, ପ୍ରିୟା ବଡ଼ ବଡ଼ ଆଖି ମୋତେ ଚାହେଁ । ଏହା ଦେଖି ସଖୀ ହରହାସ କଲେ ସେ ଲାଜେଇ ଯାଇ ହସିଦିଏ । ପ୍ରିୟାର ସେହି ଲାଜୁଆ ହସ ହସ ବଦନକୁ ମୁଁ ସ୍ମରଣ କରୁଛି ।

 

ଅଭୀଷ୍ଟ ପ୍ରାପ୍ତି ନିମନ୍ତେ ଯଥାର୍ଥ ଜ୍ଞାନୋଦୟକୁ ଧୃତି କହନ୍ତି । ସେ ବିଷୟରେ ବିଶ୍ୱନାଥ ଲେଖିଛନ୍ତି- ‘‘ଯଥା ମମ-

 

କୃତ୍ୱା ଦୀନ ନିପୀଡ଼ନାଂ, ନିକଜନେ ବିଧ୍ୱା ବିଚେବିଗ୍ରହଂ,

ନୈବାଲୋଚ୍ୟ ଗରୀୟସୀରପି ଚିଦାଦସ୍ମିକୀ ର୍ଯାତନାଃ ।

ଦ୍ରବ୍ୟୌଘା ପରିସଂଚିତାଃ ଖଳୁ ମୟାଯସ୍ୟାଃ କୃତେ ସାମ୍ପ୍ରତଂ,

ନୀବାରାଞ୍ଜଳିନାପି କେବଳମହୋ ସେୟଂ କୃତାର୍ଥା ତନୁଃ ।। (୭୯)

 

ଦରିଦ୍ରକୁ ପୀଡ଼ା ଦେଇ, ସ୍ତ୍ରୀ ପିଲାଙ୍କୁ ହତାଦାର କରି, ପରଲୋକରେ ଯେ ଗୁରୁତର ଯାତନା ମିଳିବ ତାହାକୁ ଚିନ୍ତା ନକରି, ଯାହା ପାଇଁ ମୁଁ ଏତେ ଧନସଞ୍ଚୟ କରୁଛି ସେ କେବଳ ମୁଠେ ଚାଉଳ ନିମନ୍ତେ କୃତାର୍ଥ – ଏହା ଚିନ୍ତାକରି ବୃଦ୍ଧ କୃପଣ ଧନିକ ପରିଶେଷରେ ଜ୍ଞାନଲାଭ କଲା । ଏଠାରେ ଜୀବନ ଦର୍ଶନର ସାରବତ୍ତା ପ୍ରତିଫଳିତ ।

 

୭୭.

ତତ୍ରୈବ, ତୃତୀୟ ପରିଚ୍ଛେଦଃ, ପୃ-୧୬୩

୭୮.

ତତ୍ରୈବ, ତୃତୀୟ ପରିଚ୍ଛେଦଃ, ପୃ-୧୭୮

୭୯.

ତତ୍ରୈବ, ତୃତୀୟ ପରିଚ୍ଛେଦଃ, ପୃ-୧୮୨

 

ନିରନ୍ତର ବିଦେଶୀ ପକ୍ଷରେ ବିବାହ ଅବାଞ୍ଛିତ । ଏହାକୁ ଉପଜୀବ୍ୟ କରି ବିଶ୍ୱନାଥ ଲେଖିଛନ୍ତି –

 

‘‘ତତ୍ର ଭାବି ଯଥା ମମ-

ଯାମଃ ସୁନ୍ଦରୀ ! ଯାହି ପାନ୍ଥ ଦୟିତେ ଶୋକଂ ବୃଥା ମା,

ବୃଥାଃ ଶୋକସ୍ତେ ଗମନେ, କୁତୋ ମମ, ତତୋ ବାଷ୍ପଂ କଥଂ ମୁଞ୍ଚସି ।

ଶୀଘ୍ରଂ ନ ବ୍ରତସୀତି, ମାଂ ଗମୟିନ୍ତୁଂ, କସ୍ମାଦିୟଂ ତେ ତ୍ୱରା,

ଭୂୟାନସ୍ୟ ସହ ତ୍ୱୟା ଜିଗମିଷୋର୍ଜୀବସ୍ୟ ମେ ସଂଭ୍ରମଃ ।। (୮୦)

 

ପ୍ରିୟା କହୁଛି – ତୁମେ ତ ସର୍ବଦା ବିଦେଶୀ, ମୋତେ ବାହା ହେଉଥିଲ କାହିଁକି ? ହେ ପ୍ରିୟେ, ଶୋକ କର ନାହିଁ । ହେ ପ୍ରିୟ, ମୋ ହୃଦୟ ଭିତରେ କଣ ହେଉଛି ତୁମେ ଜାଣିବ କେମିତି-? ତେବେ ତୁମେ କାନ୍ଦୁଛ କାହିଁକି ? ତୁମ ଯିବାରେ ମୁଁ କାହିଁକି କାନ୍ଦିବି ? ତୁମ ହୃଦୟତ କଠୋର । ମୁଁ କହୁନାହିଁ ଯେ, ତୁମ ସହିତ ବିଦେଶ ଯିବି । ମାତ୍ର ଏତିକି ଜାଣିଥାଅ ଯେ, ତୁମ ଯିବା ସାଥେ ସାଥେ ମୁଁ ମରିଯିବି । ଏହି ସ୍ଥିତିକୁ ବଡ଼ ଚମତ୍କାର ମାର୍ମିକ ଭାବରେ ଉପସ୍ଥାପନା କରିଛନ୍ତି ବିଶ୍ୱନାଥ କବିରାଜ । ତତ୍କାଳୀନ ସମୟରେ ଗମନାଗମନ ସୁବିଧା ପର୍ଯ୍ୟାପ୍ତ ନ ଥିବା ସ୍ଥଳେ ଦୀର୍ଘ ବିରହର ଅବସ୍ଥା ନବ ବିବାହିତା ତରୁଣୀଟିକୁ କିପରି ଯନ୍ତ୍ରଣା ଦିଏ, ତାହା ଏହି କଥାରୁ ସୂଚୀତ ।

 

ରସରାଜ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଏକ ଆଶୀର୍ବାଦାତ୍ମକ ଶ୍ଳୋକରେ ବିଶ୍ୱନାଥ ନିମ୍ନମତେ ଲେଖିଛନ୍ତି –

 

‘‘ଯଥା ମମ-

ସ୍ୱାମୀ ମୁଗ୍‌ଧତରୋ ବନଂ ଘନମିଦଂ ବାଳାହମେକାକିନୀ,

କ୍ଷୌଣୀମାବୃଣୁତେ ତମାଳମଳିନଛାୟା ତମଃ ସଂତତିଃ ।

ତନ୍ମେ ସୁନ୍ଦର ମୁଞ୍ଚ କୃଷ୍ଣ ସହସା ବର୍ତ୍ମେତି ଗୋପ୍ୟ ଗୀରଃ,

ଶ୍ରୁତ୍ୱାଂ ପରିରଭଭ୍ୟଂ ମନ୍ମଥକଳାସକ୍ତୋ ହରିଃ ପାତୁ ବଃ ।। (୮୧)

 

ସଂଧ୍ୟା ସମୟରେ ବାଟ ଜଗିଥିବା କୃଷ୍ଣଙ୍କୁ ଗୋପୀ କହୁଛି, ହେ ସୁନ୍ଦର ହେ ଶ୍ରୀକୃଷ୍ଣ । ମୋ ସ୍ୱାମୀ ନିପଟ ମୁର୍ଖ । ଟିକିଏ ବିଳମ୍ବ ହେଲେ ବାକି ରଖିବନି । ଯେହେତୁ ସେ ଶୃଙ୍ଗାରରେ ଦକ୍ଷ ନୁହେଁ ମୋର ତା’ଠାରେ ରତି ନାହିଁ । ଏ ଯମୁନାକୂଳ ଅତି ସାନ୍ଧ୍ର । ତମାଳନବନ ହେତୁ ଦିନରେ ରାତ୍ରିଭଳି ଅନ୍ଧାର । ମୁଁ ଅବଳା, ନବଯୌବନା ଓ ଏକାକିନୀ । ଏଠାରେ ଦେଖିବାକୁ କେହି ନାହିଁ । ଏହା ଶୁଣି ଓ ଗୂଢ଼ାର୍ଥ ବୁଝି ଶ୍ରୀକୃଷ୍ଣ ସେହି ଗୋପୀଙ୍କୁ ଆଲିଙ୍ଗନ କରି ରତିକ୍ରୀଡ଼ାରେ ପରିତୃପ୍ତ କଲେ-। ସେହି କାମକ୍ରୀଡ଼ାସକ୍ତ ହରି ଆପଣମାନଙ୍କୁ ରକ୍ଷା କରନ୍ତୁ ।

 

ବ୍ୟଙ୍ଗର ଉଦାହରଣ ଦେବାକୁ ଯାଇ ତତ୍କାଳୀନ ସମାଜର ନିଚ୍ଛକ ଚିତ୍ରର ଏକ ବିଶ୍ୱସ୍ତ ପ୍ରତିବିମ୍ବ ଆମେ ବିଶ୍ୱନାଥଙ୍କ ସାହିତ୍ୟ ଦର୍ପଣରେ ପାଇଥାଉ ।

 

ଯଥା-       ସନ୍ଧୌ ସର୍ବସ୍ୱ ହରଣଂ ବିଗ୍ରହେ ପ୍ରାଣନିଗ୍ରହଃ,

      ଆହ୍ଲାଦଦୀନ ନୃପତୌ ନ ସନ୍ଧିଃ ନ ଚ ବିଗ୍ରହଃ । (୮୨)

 

ଆଲ୍ଲାଉଦ୍ଦୀନ ଖିଲିଜ୍ ସହ ଯୁଦ୍ଧ କଲେ ପ୍ରାଣ ଦେବାକୁ ହେବ ଓ ସନ୍ଧି କଲେ ନିଜର ସର୍ବସ୍ୱ ଦେବାକୁ ହେବ । ତେରୁ ଆଲ୍ଲାଉଦ୍ଦୀନ ଖିଲିଜ୍ ସହ ଯୁଦ୍ଧ ବା ସନ୍ଧି କରି ହେବନାହିଁ । ବିଶ୍ୱନାଥ କବିରାଜ ନିଜେ ଜଣେ ସାନ୍ଧିବିଗ୍ରହିକ ଥିଲେ ଓ ଉତ୍ପୀଡ଼କ ଆଲ୍ଲାଉଦ୍ଦୀନ ଖିଲିଜ ସମ୍ବନ୍ଧରେ ଏହା ତାଙ୍କର ଆକଳନ ।

 

ସେହି ସମୟରେ ଯେଉଁମାନେ ବାଲ୍ୟବିଧବା ହେଉଥିଲେ ବା କୌଣସି କାରଣରୁ ପରବର୍ତ୍ତୀ ସମୟରେ ଅସହାୟା ହେଉଥିଲେ, ସେମାନେ ସାଧାରଣତଃ ତୀର୍ଥବାସ କରୁଥିଲେ । ସେମାନଙ୍କର ତୀର୍ଥବାସକାଳୀନ ଜୀବନ ମଧ୍ୟ କିଛି କମ୍ ଦୁର୍ବିସହ ନ ଥିଲା । ଏ ବିଷୟରେ ମଧ୍ୟ ବ୍ୟଙ୍ଗବାଣ ପ୍ରୟୋଗ କରି ବିଶ୍ୱନାଥ ଲେଖିଛନ୍ତି –

 

ଅନେକ ଲୋକଗୁରଣା ସତାଂ ଧର୍ମୋପଦେଶିନୀ।

ଅହଂ ବ୍ରତବତୀ ସ୍ୱୌରମୁକ୍ତେନ କିମତଃ ପରମ୍ ।। (୮୩)

 

ଗାଧୁଆ ତୁଠରେ ମାତା (ସନ୍ନ୍ୟାସିନୀ)ଙ୍କର ଉଦର ଉଚ୍ଚତା ସମ୍ବନ୍ଧରେ ଅନ୍ୟମାତା ପଚାରିବାରୁ ସେହି ମାତା କହୁଛି – ଲୋକମାନଙ୍କର ଧର୍ମଗୁରୁ ସଜ୍ଜନମାନଙ୍କର ଧର୍ମୋପଦେଶକ ଏହି ମଠାଧୀଶଙ୍କଠାରୁ ମୁଁ ଦୀକ୍ଷା ଗ୍ରହଣ କରି ମୋର, ଉଦରକୁ ସ୍ଫୀତ କରିଛି । ଆଉ ତୋତେ ଅଧିକ ସ୍ପଷ୍ଟ ଭାବରେ କ’ଣ କହିବି ? ଏଠାରେ ଧର୍ମଗୁରୁମାନଙ୍କ ଶାଣିତ ବ୍ୟଙ୍ଗ କରିଛନ୍ତି ବିଶ୍ୱନାଥ କବିରାଜ । ଏହି ମର୍ମରେ ପୁନଶ୍ଚ ସେ ଲେଖିଛନ୍ତି –

 

‘‘ଅତ୍ର ପ୍ରତୀୟମାନୋଽପି ଶାକ୍ୟମୁନେସ୍ତୈର୍ଥୀକଯୋଷିତ ବଳାତ୍କାରେଣ

ଉପଭୋଗଂ ସ୍ଫୁଟତୟା ବାଚ୍ୟାୟମାନ ଇତ୍ୟାଗୁଢ଼ମ୍ ।’’ (୮୪)

 

ଏଠାରେ ଶାକ୍ୟମୁନି (ବାବାଜୀ)ଙ୍କର ତୈର୍ଥୀକ ଯୋଷିତ (ତୀର୍ଥରେ ଜୀବନ ଯାପନ କରିବାକୁ ଗ୍ରାମାଞ୍ଚଳରୁ ଆସୁଥିବା ସ୍ତ୍ରୀ) ଉପରେ ବଳାତ୍କାର ପୂର୍ବକ ଉପଭୋଗ କରିବାକୁ ବ୍ୟଙ୍ଗ ମାଧ୍ୟମରେ ଉପସ୍ଥାପନ କରି ବିଶ୍ୱନାଥ କବିରାଜ ସମାଜର କଳୁଷିତ ବ୍ୟବସ୍ଥା ଉପରେ କଟାକ୍ଷପାତ କରିଛନ୍ତି । କିଛିବର୍ଷ ପୂର୍ବ ଏହି ପ୍ରସଙ୍ଗରେ କିଛି ତୈର୍ଥୀକ ଯୋଷିତମାନଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇ ସର୍ବଭାରତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା ।

 

୮୦.

ତତ୍ରୈବ, ତୃତୀୟ ପରିଚ୍ଛେଦଃ, ପୃ-୨୪୫

୮୧.

ତତ୍ରୈବ, ତୃତୀୟ ପରିଚ୍ଛେଦଃ, ପୃ-୨୩୩

୮୨.

ତତ୍ରୈବ, ଚତୁର୍ଥ ପରିଚ୍ଛେଦଃ, ପୃ-୨୮୯

୮୩.

ତତ୍ରୈବ, ଚତୁର୍ଥ ପରିଚ୍ଛେଦଃ, ପୃ-୨୯୦

୮୪.

ତତ୍ରୈବ, ଚତୁର୍ଥ ପରିଚ୍ଛେଦଃ, ପୃ-୨୯୦

 

ଯେଉଁଠାରେ ଗୋଟାଏ ପଦ୍ୟରେ ଏକ ପୂର୍ଣ୍ଣ ଅର୍ଥ ପ୍ରକାଶ ପାଏ ତାହାକୁ ମୁକ୍ତକ କହନ୍ତି । ଏହି ମୁକ୍ତକର ଉଦାହରଣ ଦେବାକୁ ଯାଇ ବିଶ୍ୱନାଥ ଲେଖିଛନ୍ତି-

 

‘‘ତତ୍ର ମୁକ୍ତକଂ ଯଥା ମମ-

ସାନ୍ଦ୍ରାନନ୍ଦ ମନନ୍ତ ମବ୍ୟୟମଙ୍କ ଯଦ୍ ଯୋଗିନୋଽପି କ୍ଷଣଂ,

ସାକ୍ଷାତ୍ କର୍ତ୍ତୃମୁପାସତେ ପ୍ରତି ମୁହୂର୍ଧ୍ୟାନୈକତାନାଃ ପରମ୍ ।

ଧନ୍ୟାସ୍ତା ମଥୁରାପୁରୀ ଯୁବତୟସ୍ତଦ୍‍ବ୍ରହ୍ମ ଯାଃ କୌତୁକା,

ଦାଲିଙ୍ଗନ୍ତି ସମାଳପାନ୍ତି ଶତଧା କର୍ପନ୍ତି ଚୁମ୍ବନ୍ତି ଚ । (୮୫)

 

ପୂର୍ଣ୍ଣାନନ୍ଦ ଅନନ୍ତ ଅବ୍ୟୟ ଅଜ ଯେଉଁ ବ୍ରହ୍ମଙ୍କୁ କ୍ଷଣକାଳ ଦେଖିବାକୁ ଯୋଗୀମାନେ କଳ୍ପକଳାନ୍ତର ଧ୍ୟାନ କରୁଛନ୍ତି, ସେହି ବ୍ରହ୍ମ (କୃଷ୍ଣ)ଙ୍କୁ ମଥୁରା ଯୁବତୀମାନେ କେତେ ପୁଣ୍ୟ କରିଥିଲେ ଯେ ଆଲିଙ୍ଗନ କରୁଛନ୍ତି । ତାଙ୍କ ସହ ସାଙ୍ଗସାଥୀ ପରି କଥା ହେଉଛନ୍ତି । ତାଙ୍କୁ ଟଣାଓଟରା କରି ଚୁମ୍ବନ ଦେଉଛନ୍ତି । ବିଶ୍ୱନାଥଙ୍କ ହୃଦୟରେ ଭକ୍ତିଭାବ କିପରି ଭରପୂର ହୋଇ ରହିଥିଲା ଓ ସେ କୃଷ୍ଣଲୀଳାର ସାରାଂଶକୁ କିପରି ହୃଦୟଙ୍ଗମ କରିଥିଲେ, ଏଥିରୁ ତାହା ଜଣାଯାଏ-

 

ସାଧାରଣତଃ ଦେଖାଯାଏ ଯେ, ରାମାବତାର ସମ୍ବନ୍ଧୀୟ କାବ୍ୟର ନାନ୍ଦୀ ଶ୍ଳୋକରେ ଶିବାରାଧନା ମୂଳକ ସ୍ତୁତି କରାଯାଏ । ସେହି ହେତୁରୁ ଦେଖିଲେ ନିମ୍ନୋକ୍ତ ଶିବସ୍ତୁତିଟି ମଧ୍ୟ ତାଙ୍କ ଗ୍ରନ୍ଥ ରାଘବ ବିଳାସ ଓ ରାଘବ ବିଳାପର ନନ୍ଦୀଶ୍ଳୋକ ହୋଇପାରେ । ସେହି ଶ୍ଳୋକଟି ହେଲା-

 

ମୂର୍ଧବ୍ୟାଧୂୟମାନଧ୍ୱନଦମର ଧୂନୀଲୋଳକଲ୍ଲୋଳଜାଳୋ

ଦିଧୂମ୍ଭଃକ୍ଷୋଦଦମ୍ଭାତ୍ ପ୍ରସଭମବିନଭଃ କ୍ଷିପ୍ତନକ୍ଷତ୍ରଲକ୍ଷଣ ।

ଉର୍ଦ୍ଧ୍ୱନ୍ୟାସ୍ତଂ ଘ୍ରିଦଣ୍ଡଭ୍ରମିଭରରଭସୋଦ୍ୟନ୍ନଭସ୍ୱତ୍ ପ୍ରବେଶ-

ଭ୍ରାନ୍ତବ୍ରାହ୍ମଖଣ୍ଡଂ ପ୍ରବିତରତୁ ସିବଂ ଶାମ୍ଭବଂ ତାଣ୍ଡବଂ ବଃ । (୮୬)

 

ଭଗବାନ ଶଙ୍କରଙ୍କର ତାଣ୍ଡବ ନୃତ୍ୟ ଯୋଗୁଁ ତାଙ୍କ ମସ୍ତକରୁ ଗଙ୍ଗା ଉୁଚ୍ଛୁଳି ଆକାଶରେ ଇତଃସ୍ତତଃ ଜଳକଣା ବିକ୍ଷିପ୍ତ କରୁଛି । ଏହାଦ୍ୱାରା ଆକାଶରେ ଲକ୍ଷ ଲକ୍ଷ ନକ୍ଷତ୍ର ବିକ୍ଷିପ୍ତ ହେଲାପରି ଜଣାପଡ଼ୁଛି । ଉର୍ଦ୍ଧ୍ୱତାଣ୍ଡବ କରି ସେ ଚକ୍ରାକାରରେ କ୍ଷିପ୍ର ଗତିରେ ଘୂରିବୁଲିବାଦ୍ୱାରା ଜାତ ପବନଦ୍ୱାରା ବ୍ରହ୍ମାଣ୍ଡ ମଧ୍ୟ ଘୂରୁଛି । ସେହି ଭଗବାନ ଶଙ୍କରଙ୍କର ତାଣ୍ଡବ ନୃତ୍ୟ ଆପଣଙ୍କର ମଙ୍ଗଳବିଧାନ କରୁ ।

 

ବିଶ୍ୱନାଥଙ୍କ ଚନ୍ଦ୍ରକଳା ନାଟିକାର ପ୍ରଥମ ଅଙ୍କର ତୃତୀୟ ଶ୍ଳୋକରେ ସୂତ୍ରଧର ନାଟକର ପୃଷ୍ଠଭୂମିର ବର୍ଣ୍ଣନା ନିମ୍ନୋକ୍ତ ଚିତ୍ତାକର୍ଷକ ଢଙ୍ଗରେ କରି ବସନ୍ତ କାଳୀନ ମଳୟ ପବନ କିପରି ସମ୍ମୋହନ ହୋଇଥିଲା ତାହା ଦର୍ଶାଇଛନ୍ତି –

 

ଲାତାକୁଞ୍ଜଂ ଗୁଞ୍ଜନ୍ ମଦବିଦଳିପୁଞ୍ଜଂ ଚପଳୟନ,

ସମାଲିଙ୍ଗନଙ୍ଗ ଦୃତତରମନଙ୍ଗମ୍ ପ୍ରବଳୟନ୍‍ ।

ମରୁନ୍ମନ୍ଦଂ ମନ୍ଦଂ ଦଳିତ ମରବିନ୍ଦଂ ତରଳୟନ୍,

ରଜୋବୃନ୍ଦଂ ବିନ୍ଦନ୍ କିରତି ମକରନ୍ଦଂ ଦିଶି ଦିଶି ।। (୮୭)

 

ଏହି ସମୀରଣ ମଧୁର ଗୁଞ୍ଜନ କରୁଥିବା ଭ୍ରମରପୁଞ୍ଜ ବେଷ୍ଟିତ ଲତାକୁଞ୍ଜକୁ ଚଞ୍ଚଳ କରାଇଛି । ଅଙ୍ଗସ୍ପର୍ଶପୂର୍ବକ କାମଭାବକୁ ହୃଦୟରେ ଜାତ କରାଇ ପ୍ରସ୍ଫୁଟିତ ପଦ୍ମକୁ ଇତସ୍ତତଃ ସଞ୍ଚାଳିତ କରାଇଛି । ପୁଷ୍ପ ପରାଗକୁ ବିକ୍ଷିପ୍ତ ପୂର୍ବକ ମକରନ୍ଦ ମଧୁର ବୃଷ୍ଟି କରାଇ ମନ୍ଦ ମନ୍ଦ ବହୁଛି-। କାଳିଦାସ ଓ ଜୟଦେବଙ୍କ ପରି ବିଶ୍ୱନାଥ ଯେ ଜଣେ ପ୍ରକୃତି ପ୍ରେମୀ ରସିବ କବି, ଏଥିରୁ ପ୍ରମାଣିତ ହେଉଛି । ଏହି ଶ୍ଳୋକରେ ଉତ୍ତମ ଶବ୍ଦ ସଂଯୋଜନା ମଧ୍ୟ ଲକ୍ଷଣୀୟ ।

 

୮୫.

ତତ୍ରୈବ, ଷଷ୍ଠ ପରିଚ୍ଛେଦଃ, ପୃ-୪୬୯

୮୬.

ତତ୍ରୈବ, ସପ୍ତମ ପରିଚ୍ଛେଦଃ, ପୃ-୫୪୦

 

ବିଶ୍ୱନାଥ କବିରାଜ ସେ ଯୁଗରେ ରାଜାମାନଙ୍କର ବିଷୟରେ ମଧ୍ୟ ଏକ ବ୍ୟଙ୍ଗ ରଚନା ମାଧ୍ୟମରେ ଶାଣିତ ସମାଲୋଚନା କରିଛନ୍ତି । ଅବାଞ୍ଛିତ ଓ ନିନ୍ଦନୀୟ ସ୍ୱଭାବାର ରାଜାମାନଙ୍କ ସ୍ୱରୂପ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ ଲେଖିଛନ୍ତି –

 

‘‘କ୍ୱିଚତ୍ ବୈଧର୍ମ୍ୟେଽପି ଯଥା-

 

ସୌଜନ୍ୟମ୍ବୁ ମରୁସ୍ଥଳୀ ସୁଚରିତାଲେଖ୍ୟ ଦ୍ୟୁଭିତ୍ତିର୍ଗୁଣ,

ଜ୍ୟୋସ୍ନା କୃଷ୍ଣ ଚତୁର୍ଦ୍ଦଶୀ ସରଳତା ଯୋଗଶ୍ୱ ପୁଚ୍ଛଚ୍ଛଟା ।

ଯୈରେସାପି ଦୂରାଶୟା କଳିଯୁଗେ ରାଜାବଳୀ ସେବିତା,

ତେଷାଂ ଶୂଳିନି ଭକ୍ତିମାତ୍ର, ସୁଲଭେ ସେବା କିୟତ୍ କୌଶଳମ୍ ।’’ (୮୮)

 

କଳିକାଳରେ ଯେଉଁ ଲୋକ ଏହି ଦୁଷ୍ଟ ରାଜାମାନଙ୍କୁ ସେବାକରି ସନ୍ତୁଷ୍ଟ କରିପାରିଛି, ତା’ପକ୍ଷରେ କେବଳ ଭକ୍ତିମାତ୍ର ସୁଲଭ ଶିବଙ୍କର ସେବା କେତେ ମାତ୍ର । ସେହି ରାଜ୍ୟ ସୌଜନ୍ୟ ରୂପକ ଜଳ ସମ୍ବନ୍ଧରେ ମରୁସ୍ଥଳୀ ସଦୃଶ, ସୁନ୍ଦର ଚରିତ୍ର ରୂପକ ଚିତ୍ର ସମ୍ବନ୍ଧରେ ଆକାଶ ସଦୃଶ, ଗୁଣ ରୂପକ ଜ୍ୟୋତ୍ସ୍ନା ସମ୍ବନ୍ଧରେ କୃଷ୍ଣ ଚତୁର୍ଦ୍ଦଶୀ ଓ ସରଳତା ସମ୍ବନ୍ଧରେ କୁକୁର ଲାଙ୍ଗୁଡ଼ ପରି । ତେଣୁ କଳିଯୁଗରେ ରାଜାମାନଙ୍କଠାରୁ ସୌଜନ୍ୟ, ଚରିତ୍ର, ଦୟାଦି ସରଳ ସ୍ୱଭାବ କିପରି ଆଶା କରାଯାଇ ପାରିବ । ଏହା ମଧ୍ୟଯୁଗୀୟ ରାଜତନ୍ତ୍ରର ସ୍ୱୈରାଚାରକୁ ସୂଚାଉଛି ।

 

କୌଣସି ଏକ ତରୁଣୀର ସାବଲୀଳ ରସାଳ ବର୍ଣ୍ଣନା କରିବାକୁ ଯାଇ ବିଶ୍ୱନାଥ କବିରାଜ ରୂପକ ଅଳଙ୍କାର ଉଦାହରଣରେ ନିମ୍ନୋକ୍ତ ଶ୍ଳୋକଟି ନିଜ ରଚନାରୁ ଉଦ୍ଧୃତ କରିଛନ୍ତି । ସେ ଲେଖିଛନ୍ତି –

 

‘‘ଯଥା ମମ – ଇଦଂ ବକ୍ତ୍ରଂ ସାକ୍ଷାଦ୍ ବିରହିତ କଳଙ୍କଃ ଶଶଧରଃ

ସୁଧାଧାରାଧାରଶ୍ଚିରପରିଣତଂ ବିମ୍ବମଧରଃ ।

ଇମେ ନେତ୍ରେ ରାତ୍ରିନ୍ଦିବମଧିକ ଶୋଭେ କୁବଳୟେ,

ତନୁର୍ଲାବଣ୍ୟନାଂ ଜଳଧିରବିଗାହେ ସୁଖରତଃ ।।’’

 

ଏହି ରମଣୀର ମୁଖମଣ୍ଡଳ ଅକଳଙ୍କ ଚନ୍ଦ୍ରତୁଲ୍ୟ । ଏହାର ଅଧର ବିମ୍ବୋଷ୍ଠ ପକ୍ୱ ଅମୃତସ୍ରାବୀ ବିମ୍ବଫଳ ପରି । ଏହାର ଲୋଚନଦ୍ୱୟ ଦିନ ଓ ରାତି ଉଭୟ ସମୟରେ ନୀଳକମଳ ପରି । ଏହାର ଶରୀର ଲାବଣ୍ୟର ଗୋଟିଏ ସାଗର ଯହିଁରେ ସ୍ନାନ ଅତ୍ୟନ୍ତ ପ୍ରୀତିପଦ ହୋଇଥାଏ-। କବିଙ୍କର ଏହି ବର୍ଣ୍ଣନା ଚାତୁରୀ ନିତାନ୍ତ ଆସ୍ୱାଦନୀୟ । (୮୯)

 

ବିଶ୍ୱନାଥ କବିରାଜ ସ୍ତବ ସ୍ତୋତ୍ରାଦି ରଚନାରେ ମଧ୍ୟ ସିଦ୍ଧହସ୍ତ ଥିଲେ ବୋଲି ନିମ୍ନୋକ୍ତ ଅନନ୍ତ ଶୟନଙ୍କ ନିମନ୍ତେ ରଚିତ ଶ୍ଳୋକରୁ ଜଣାଯାଏ । ସେ ଲେଖିଛନ୍ତି-

 

‘‘ନେଦଂ ନଭୋମଣ୍ଡଳ ମମ୍ବୁରାଶି,

ନୈତାଶ୍ଚ ତାରା ନବ ଫେନଭଙ୍ଗାଃ ।

ନୟଂ ଶଶୀ କୁଣ୍ଡଳିତଃ ଫଣୀନ୍ଦ୍ରୋ,

ନାସୌ କଳଙ୍କଃ ଶୟିତୋ ମୁରାରିଃ ।। (୯୦)

 

ଏହା ଆକାଶ ନୁହେଁ, ଏହା ଏକ ସମୁଦ୍ର । ଏ ସବୁ ତାରା ନୁହନ୍ତି । ଏଗୁଡ଼ିକ ଫେନ ଖଣ୍ଡ । ଯାହାକୁ ଚନ୍ଦ୍ର କହୁଛ, ସେ ହେଉଛନ୍ତି କୁଣ୍ଡଳାକୃତି ହୋଇ ଶୋଇଥିବା ଶେଷନାଗ ବା ଅନନ୍ତ । ଏହା କଳଙ୍କ ନୁହେଁ, ଏ ହେଉଛନ୍ତି ନବଦୁର୍ବାଦଳ ଶରୀରଧାରୀ ଅନନ୍ତ ଶୟନ କରିଥିବା ମୁରାରି ।

 

କୌଣସି ଏକ ତରୁଣୀର ଅପରୂପ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଯାଇ ବିଶ୍ୱନାଥ ଏତେ ପ୍ରଗଳ୍ଭ ହୋଇ ଯାଇଛନ୍ତି ଯେ, ସେ ବ୍ରହ୍ମାଙ୍କ ସୃଷ୍ଟି ସର୍ଜନାକୁ ମଧ୍ୟ ସଂଶୟ କରିଛନ୍ତି । ଏହିଭଳି ଏକ ବର୍ଣ୍ଣନା କବିଙ୍କ ଲେଖନୀରେ ଅତ୍ୟନ୍ତ ଜୀବନ୍ତ ହୋଇଉଠିଛି ।

 

‘‘ଅସ୍ୟାଃ ସର୍ଗବିଧୌ ପ୍ରଜାପତିର ଭୂଜନ୍ଦ୍ରୋ ନୁ କାନ୍ତି ପ୍ରଦଃ,

ଶୃଙ୍ଗାରୈକରସଃ ସ୍ୱୟଂ ନୁ ମଦନୋ ମାସୋ ନୁ ପୁଷ୍ପାକରଃ ।

ବେଦାଭ୍ୟାସଜଡ଼ଃ କଞ୍ଚନୁ ବିଷୟ ବ୍ୟାବୁତ୍ତ କୌତୁହଳୌ,

ନିର୍ମାତୁଂ ପ୍ରଭବେନ୍ମନୋହରମିଦଂ ରୂପଂ ପୁରାଣୌ ମୁନିଃ ।।’’ (୯୧)

 

ଏହି ତରୁଣୀର କାନ୍ତିରୁ ଜଣାପଡ଼ୁଛି ସେ କାନ୍ତିପ୍ରଦ ସ୍ୱୟଂ ଚନ୍ଦ୍ରମା ବୋଧହୁଏ ଏହାର ସୃଷ୍ଟିକର୍ତ୍ତା । ଶୃଙ୍ଗାର ରସର ଭଣ୍ଡାର ଏଠାରେ ଥିବାରୁ ହୁଏତ ନିଜେ ଶୃଙ୍ଗାରୈବରସ ମଦନ ଏହାର ସୃଷ୍ଟିକର୍ତ୍ତା । ହୁଏତ ସକଳ ପୁଷ୍ପରାଜିର ଆଧାରା ହେତୁରୁ କୁସୁମାକର ବସନ୍ତ ଏହାକୁ ସୃଷ୍ଟି କରିଛି । ବେଦ ପାଠ କରି କରି ନୀରସ ଜଡ଼ ପାଲଟି ଯାଇଥିବା ବୃଦ୍ଧ ବ୍ରହ୍ମା ଏତେ ସୁନ୍ଦର ରୂପ କିପରି ତିଆରି କଲେ ? ତେଣୁ ବ୍ରହ୍ମାଙ୍କ ବ୍ୟତିତ ଚନ୍ଦ୍ରମା, ଅଥବା କାମଦେବ, ଅଥବା କୁସୁମାକର ବସନ୍ତ – ଏହି ତିନିଙ୍କ ମଧ୍ୟରୁ ଯିଏ ହେଲେ ଏହି ତରୁଣୀକୁ ସୃଷ୍ଟିକରି ତା’ଠାରେ ସମସ୍ତ ସୌନ୍ଦର୍ଯ୍ୟ କେନ୍ଦ୍ରୀଭୂତ କରିଛନ୍ତି । ବିଶ୍ୱନାଥଙ୍କର ଚିନ୍ତାଶକ୍ତିର ଏହା ଏକ ନମୁନା ।

 

୮୯.

ତତ୍ରୈବ, ଦଶମ ପରିଚ୍ଛେଦଃ, ପୃ-୬୪୩

୯୦.

ତତ୍ରୈବ, ଦଶମ ପରିଚ୍ଛେଦଃ, ପୃ-୬୫୩

୯୧.

ତତ୍ରୈବ, ଦଶମ ପରିଚ୍ଛେଦଃ, ପୃ-୬୮୩, ୬୮୪

 

ବିଶ୍ୱନାଥ କବିରାଜ କିପରି ପ୍ରଖର ଧୀଶକ୍ତି ସମ୍ପନ୍ନ ଅଦ୍ୱିତୀୟ ବିଦ୍ୱାନ ଥିଲେ ତାହା ତାଙ୍କଦ୍ୱାରା ରଚିତ ନିମ୍ନୋକ୍ତ ଶ୍ଳୋକରୁ ଜଣାଯାଏ । ଏହି ଶ୍ଳୋକଟିକୁ ସେ ଶିଷ୍ଟ ବିଶେଷଣ ସାମ୍ୟରେ ସମାସୋକ୍ତିର ଉଦାହରଣ ଦେବାକୁ ଯାଇ ନିମ୍ନମତେ ଲେଖିଚନ୍ତି-

 

‘‘ତତ୍ର ଶ୍ଳିଷ୍ଟତୟା ଯଥା ମମ-

ବିକଶିତମୁଖୀଂ ରାଗାସଙ୍ଗାଦ୍ ଗଳତିମିରାବୃତ୍ତିଂ

ଦିନକରକର ସୃଷ୍ଟାମୈନ୍ଦ୍ରୀଂ ନିରୀକ୍ଷ ଦିଶଂ ପୁରଃ ।

ଜରଠରବଣୀପାଣ୍ଡୁଚ୍ଛାୟୋ ଭୃଶଂ କଳୁଷାନ୍ତରଃ

ଶ୍ରୟତି ହରିତଂ ହନ୍ତ ! ପ୍ରାଚେତସାଂ ତୁହିନ ଦ୍ୟୁତିଃ ।।’’ (୯୨)

 

ଚନ୍ଦ୍ର ସ୍ୱଚକ୍ଷୁତରେ ଐନ୍ଦ୍ରୀ ଦିଶା (ଇନ୍ଦ୍ରଙ୍କ ସହ ସମ୍ବନ୍ଧିତ ପୂର୍ବଦିଗ)କୁ ରଖିଲେ । ସେ ଦିନକର (ସୂର୍ଯ୍ୟ) କର ସ୍ପୃଷ୍ଟା (କିରଣ ସ୍ପର୍ଶରେ ବା ହସ୍ତର ସ୍ପର୍ଶରେ) ବିଭୋର ହୋଇପଡ଼ିଛି । ସେ ରାଗାସଙ୍ଗାତ୍ (ଅନୁରାମ ହେତୁ ବା ସିନ୍ଦୁରା ଫାଟିବାରୁ) ବିକଶିତମୁଖୀ (ପ୍ରଫୁଲ୍ଲିତ) ହୋଇଛି । ତାହାର ଗଳତ୍ତିମିରାବୃତ୍ତି (ଅନ୍ଧକାର ଅପସରି ଯିବାରୁ ବା ଅଭିସାର ନିମେନ୍ତ ପିନ୍ଧିଥିବା ନୀଳ ଶାଢ଼ୀ ଖସିଯିବାରୁ) ଅବସ୍ଥା । ଏହିପରି ସ୍ୱକାନ୍ତାକୁ ସୂର୍ଯ୍ୟଙ୍କଠାରେ ଆସକ୍ତା ହୋଇଥିବାର ଦେଖି ଚନ୍ଦ୍ରମା ପାଚିଲା ନଅରକୋଳି ପରି ପାଣ୍ଡୁର ବର୍ଣ୍ଣ (ବିରହ ଯୋଗୁଁ ବିଷର୍ଣ୍ଣ ମନହୋଇ) ଧାରଣ କରି ପାରଚେତସ (ବରୁଣ ସମ୍ବନ୍ଧିତ) ସାଗରରେ ଅସ୍ତ ହୋଇଗଲେ । ଏହା ଏକ ସୁଲଳିତ ପ୍ରଭାତ ବର୍ଣ୍ଣନା । ପୂର୍ବଦିଗର ଅଧିପତି ଇନ୍ଦ୍ର । ଇନ୍ଦ୍ରଙ୍କ ସ୍ତ୍ରୀ ଚନ୍ଦ୍ରମାଙ୍କ ପ୍ରତି ଆକୃଷ୍ଟ ହେଲା । ପୁନର୍ବାର ଚନ୍ଦ୍ରଙ୍କୁ ମଳିନ ତେଜହୀନ ବିଷର୍ଣ୍ଣ ଅବସ୍ଥାରେ ଦେଖି ପୁନଶ୍ଚ ସେ ତେଜୀୟାନ୍ ସୂର୍ଯ୍ୟଙ୍କଠାରେ ଆସକ୍ତ ହେଲା । ତାହା ଦେଖି ଚନ୍ଦ୍ର ବିଷର୍ଣ୍ଣ ଅବସ୍ଥାରେ ଦେଖି ପୁନଶ୍ଚ ସେ ତେଜୀୟାନ୍ ସୂର୍ଯ୍ୟଙ୍କଠାରେ ଆସକ୍ତ ହେଲା । ତାହା ଦେଖି ଚନ୍ଦ୍ର ବିଷର୍ଣ୍ଣ ବଦନରେ ସମୁଦ୍ରରେ ଝାସ ଦେଲେ ବା ଅର୍ଥାନ୍ତରରେ ପ୍ରଚେତା (ବରୁଣ)ଙ୍କ ସ୍ତ୍ରୀ ପ୍ରତି ଆସକ୍ତ ହେଲେ । ଏହିପରି ଗୋଟିଏ ଶ୍ଳୋକରେ ବିଭିନ୍ନ ଅବସ୍ଥା ଓ ବିଭିନ୍ନ ଭାବରାଜ୍ୟର ଯେଉଁ ସୁସଂହତ ସମାହାର ସନ୍ନିବେଶିତ ହୋଇଛି ତାହା ଚମତ୍କାର କବି ପ୍ରତିଭା । ଏହା ହିଁ ବିଶ୍ୱନାଥଙ୍କର ବୈଶିଷ୍ଟ୍ୟ ।

 

ଉପନିଷଦୀୟ ସିଦ୍ଧାନ୍ତ ସମୂହରେ ବିଶ୍ୱନାଥ କବିରାଜଙ୍କର ସୁଦୃଢ଼ ବିଶ୍ୱାସ ଥିଲା । ଜୀବନ ଜିଜ୍ଞାସାର ସୁକ୍ଷ୍ମାତିସୁକ୍ଷ୍ମ ଅନୁଶୀଳନ କରି ଦାର୍ଶନିକ ତତ୍ତ୍ୱର ଅବତାରଣା ମଧ୍ୟ ତତ୍ ପ୍ରଣୀତ ଶ୍ଳୋକରେ ଦେଖାଯାଏ । ସାରବତ୍ତା ଗ୍ରହଣ ଓ ଅସାର ତ୍ୟାଗ ସମ୍ବନ୍ଧରେ ସେ ନିମ୍ନୋକ୍ତ ଦୁଇଗୋଟି ଶ୍ଳୋକରେ ଉଦାହରଣ ଦେଇଛନ୍ତି –

 

‘‘କି ଭୂଷଣଂ ସୁଦୃଢ଼ମତ୍ର ଯଶୋ ନ ରତ୍ନଂ

କି କାର୍ଯ୍ୟାମାର୍ଯ୍ୟେଚରିତଂ ସୁକୃତଂ ନ ଦୋଷଃ ।

କିଂ ଚକ୍ଷୁର ପ୍ରତିହତଂ ଧିଷଣା ନ ନେତ୍ରଂ

ଜାନାତି କସ୍ତ୍ୱଦପରଃ ସଦସଦ୍ ବିବେକମ୍ ।’’ (୯୩)

 

ଏ ସଂସାରରେ ସୁଦୃଢ଼ ଭୂଷଣ ହେଉଛି, ଯଶ, କିନ୍ତୁ ରତ୍ନ ନୁହେଁ । ସଂସାରରେ କର୍ତ୍ତବ୍ୟ ହେଉଛି ସଜ୍ଜନମାନଙ୍କ ସଦୃଶ ପବିତ୍ର ଆଚରଣ କିନ୍ତୁ ସୁରାପାନାଦି ଦୁଷ୍କର୍ମ ନୁହେଁ । ବାଧା ନ ପାଇବା ଚକ୍ଷୁ ହେଉଛି ବୁଦ୍ଧି, କିନ୍ତୁ ଚର୍ମ ନେତ୍ର ନୁହେଁ । ତୁମକୁ ଛାଡ଼ିଦେଲେ ସତ୍ ଅସତ୍ ବିବେକାନୁମୋଦିତ ଆଚରଣ ଆଉ କାହାକୁ ଜଣା ?

 

ଏହାକୁ ଦୃଢ଼ୀକରଣ କରିବାକୁ ଯାଇ ଆଧ୍ୟାତ୍ମିକ ମାର୍ଗର ଉପାଦେୟ ଉଦାହରଣ ନିମ୍ନମତେ ଦେଇଛନ୍ତି-

 

‘‘କିମାରାଧ୍ୟାଂ ସଦାଂ ପୁଣ୍ୟଂ କଶ୍ଚ ସେବ୍ୟଃ ସଦାଗମଃ,

କୋ ଧ୍ୟେୟୋ ଭଗବାନ ବିଷ୍ଣୁଃ କିଂ କାମ୍ୟ ପରମଂ ପଦଂ ।’’ (୯୪)

 

ସର୍ବଦା ପୁଣ୍ୟକୁ ହିଁ ଆରାଧାନ କରିବ, ପାପକୁ ନୁହେଁ । କାରଣ ପାପ ନରକର ଦ୍ୱାର । ସେହିପରି ସତ୍‌ଶାସ୍ତ୍ର ବା ସତ୍‌ସଙ୍ଗତି ହେଉଛି ସେବା, ମାତ୍ର ଅସତ୍ ସଙ୍ଗ ନୁହେଁ । କ୍ଷଣିକ ଧନାଦି ଧ୍ୟେୟ ନୁହେଁ, ଭଗବାନ ବିଷ୍ଣୁ ହେଉଛନ୍ତି ଧ୍ୟେୟ । ରାଜପଦାଦି ବିଷୟ ବାସନା ସମ୍ବନ୍ଧିତ ସୁଖ କାମ୍ୟ ନୁହେଁ କାରଣ ଏହା ଅସ୍ଥାୟୀ । ପରମ ପଦ ହିଁ କାବ୍ୟ ହେବା ବାଞ୍ଛନୀୟ ।

 

ସାହିତ୍ୟ ଦର୍ପଣକାର ବିଶ୍ୱନାଥ କବିରାଜ ପ୍ରକୃତି ବିଭବ ମଳୟସମୀର ଆଧାରରେ କିପରି କର୍ତ୍ତବ୍ୟ ଅକର୍ତ୍ତବ୍ୟର ସୀମା ନିର୍ଦ୍ଧାରଣ କରିଛନ୍ତି ତାହା ଏକାନ୍ତ ବିଚାର୍ଯ୍ୟ । ସେ ଲେଖିଛନ୍ତି-

 

‘‘ହଂ ହୋ ଧୀରସମୀର ! ହନ୍ତଂ ଜନନଂ ତେ ଚନ୍ଦନକ୍ଷ୍ମାଭୃତୋ,

ଦାକ୍ଷୀଣ୍ୟଂ ଜଗଦୁତ୍ତରଂ ପରିଚୟୋ ଗୋଦାବରୀବାରିଭିଃ ।

ପ୍ରତ୍ୟଙ୍ଗମ୍ ଦହସୀତି ମେ ତ୍ୱମପି ଚେଦୁଦ୍ଦାମଦାବାଗ୍ନିବ,

ନ୍ମତ୍ତୋୟଂ ମଳିନାତ୍ମକୋ ବନଚରଃ କି ବକ୍ଷତେ କୋକିଳଃ ।।’’ (୯୫)

 

ହେ ଭାଇ ମଳୟାନିଳ, ବଡ଼ ଦୁଃଖର ବିଷୟ ଯେ ଚନ୍ଦନପର୍ବତରୁ ତୁମର ଜନ୍ମ । ଜଗତରେ ନଥିବା ଦାକ୍ଷିଣ୍ୟଗୁଣସମ୍ପନ୍ନ, ଅତି ପବିତ୍ର ଓ ସୁଶୀତଳ ଗୋଦାବରୀ ଜଳ ସଂସ୍ପର୍ଶ – ଏତେକ ଉତ୍ତମ ଗୁଣ ଥାଇ ମଧ୍ୟ ତୁମେ ଯଦି ଉତ୍କଟ ବନାଗ୍ନି ପରି ମୋର ପ୍ରତ୍ୟେକ ଅଙ୍ଗକୁ ପୋଡ଼ି ପକାଉଛ, ତା’ହେଲେ ମଳିନାତ୍ମକ (କୃଷ୍ଣବର୍ଣ୍ଣ) ଉନ୍ମତ୍ତ (ଜ୍ଞାନଶୂନ୍ୟ), ବନଚର (ବଣୁଆ) ଯେଉଁ କୋକିଳ – ତାକୁ କ’ଣ କହିବା ? କୁଳୀନ, ସତ୍‍ସଙ୍ଗୀ, ଦକ୍ଷିଣ ଗୁଣ ସମ୍ପନ୍ନ ବ୍ୟକ୍ତିତ ଏହିପରି । ଅକୁଳୀନ, ମଦ୍ୟପ, ପାପୀଠାରୁ କ’ଣ ଆଶା କରିବା ? ଘୃଣ୍ୟ କାର୍ଯ୍ୟ ତ ପାପୀର କର୍ତ୍ତବ୍ୟ ।

 

୯୨.

ତତ୍ରୈବ, ଦଶମ ପରିଚ୍ଛେଦଃ, ପୃ-୭୦୭

୯୩.

ତତ୍ରୈବ, ଦଶମ ପରିଚ୍ଛେଦଃ, ପୃ-୭୬୩

୯୫.

ତତ୍ରୈବ, ଦଶମ ପରିଚ୍ଛେଦଃ, ପୃ-୭୭୦

 

ଏହିପରି ବିଶ୍ୱନାଥଙ୍କର ପ୍ରଚଣ୍ଡ ପ୍ରତିଭା ଓ ଅନନ୍ୟ ସାଧାରଣ ବିଦ୍‌ବତ୍ତାକୁ ବିଶ୍ଳେଷଣ କରି ତହିଁର ସାରାଂଶ ପ୍ରକାଶ କରିବା ଏକ ଦୁଃସାଧ୍ୟ କାର୍ଯ୍ୟ । ପୁରୁଷ ପୁରୁଷ ଧରି ତାଙ୍କ ପରିବାର ବିଦ୍ୟାସାଧନରେ ଏକନିଷ୍ଠ ଭାବରେ ବ୍ରତୀ ଥିଲେ । ସେମାନଙ୍କର ପୁରୁଷ ପୁରୁଷ ଧରି ବିଦ୍ୟାଭଣ୍ଡାର (ପୁସ୍ତକାଗାର) ରହିଥିଲା । ସେମାନେ ସମସ୍ତେ ଅତ୍ୟନ୍ତ ଉତ୍ସର୍ଗୀକୃତ ଭାବରେ ଏହି ବିଦ୍ୟାର୍ଜନରେ ବ୍ରତୀ ଥିଲେ । ସମସ୍ତେ ଐତିହାସିକ ପ୍ରମାଣ ଅଧାରରେ ବିଶ୍ୱନାଥ କବିରାଜଙ୍କର ବଂଶାବଳୀ ନିମ୍ନମତେ ନିର୍ଦ୍ଧାରଣ କରାଯାଇଛି- (୯୬)

 

୯୬.

କେଦାରନାଥ ମହାପାତ୍ର, ଏ ଡେସ୍‍କ୍ରିପ୍‍ଟିଭ୍‍ କାଟାଲଗ୍‍ ଅଫ୍‍ ସାନ୍‍ସ୍କ୍ରିଟ୍‍ ମାନସ୍କ୍ରିପ୍‍ଟ ଅଫ୍‍ ଓଡ଼ିଶା (୨ୟ ଭାଗ), ଓଡ଼ିଶା ସାହିତ୍ୟ ଏକାଡେମୀ (୨ୟ ସଂସ୍କରଣ-୧୯୯୬), ପୂର୍ବାଭାସ, ପୃ-୭୩ ଦ୍ରଷ୍ଟବ୍ୟ ।

 

ସାନ୍ଧିବିଗ୍ରହିକ ଅନନ୍ତଦାସଙ୍କ ପରଠାରୁ ଏହି ବଂଶର ଗୌରବଗାଥା ବିଷୟରେ ଅଧିକ ସୂଚନା ଇତିହାସରୁ ମିଳୁନାହିଁ । ସମ୍ଭବତଃ, ନିଶଙ୍କ ଭାନୁଦେବଙ୍କ ସମୟରେ ଗଙ୍ଗବଂଶର ବିଲୟ ଘଟିବା ସହିତ, ଏହି କପିଞ୍ଜଳ ବଂଶୀୟ ସାନ୍ଧିବିଗ୍ରହ ଉପାଧିଧାରୀ ପଣ୍ଡିତମାନଙ୍କୁ ଆଉ ପ୍ରୋତ୍ସାହନ ନ ମିଳିବାରୁ ସେମାନେ କ୍ରମଶଃ ରାଜଧାନୀରୁ ଅନ୍ୟତ୍ର ଚାଲିଗଲେ ଏବଂ ସେମାନଙ୍କର ସାରସ୍ୱତ ସାଧନା ମଧ୍ୟ ରାଜପୃଷ୍ଠେପାଷକତା ଅଭାବରୁ ଲୋପ ପାଇଲା ।

 

ବିଷ୍ଣୁପୁର ଶାସନ, ଭାପୁର, ଢେଙ୍କାନାଳ

 

***

 

Unknown

ଷଢ଼େଇକଳା ଖରସୁଆଁର ଲୋକସଂସ୍କୃତି

ସତ୍ୟପ୍ରିୟ ମହାଳିକ

 

‘ଲୋକ’ ଶବ୍ଦର ଅର୍ଥ ବ୍ୟାପକ । ଏହା ଯେକୌଣସି ପ୍ରକାର ଗୋଷ୍ଠୀ ବା ବ୍ୟକ୍ତି ସମୂହ ଅର୍ଥରେ ଅଭିପ୍ରେତ ହୋଇପାରେ । ମାତ୍ର ଏହି ଗୋଷ୍ଠୀର ଏକ ସାର୍ବଜନୀନ ସାଧାରଣ ଗୁଣ ବା ଲକ୍ଷଣ ଥିବା ଆବଶ୍ୟକ । ଗୋଷ୍ଠୀର ନିଜସ୍ୱ ପରମ୍ପରା ଓ ନିଜସ୍ୱ ସଂସ୍କାରକୁ ଏହି ସାଧାରଣ ଲକ୍ଷଣ ଭିତ୍ତିରେ ବିଚାର କରାଯାଇଥାଏ । ଏହି ସାଧାରଣ ଗୁଣ ବା ଲକ୍ଷଣକୁ ବ୍ୟକ୍ତି ବା ଗୋଷ୍ଠୀର ସଂଯୋଜକ ଗୁଣ ବା ଲକ୍ଷଣ ବୋଲି ଧରା ଯାଇଥାଏ । ଆଲାନ୍ ଡ୍ୟୁଣ୍ଡସ ‘who are the folk’ ପ୍ରବନ୍ଧରେ ‘ଲୋକ’ ଶବ୍ଦର ଏକ ବ୍ୟାପକ ବିଶ୍ଳେଷଣ କରି ଏହିଭଳି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଯେଉଁ ସାଧାରଣ ଗୁଣ ବା ସଂସ୍କାର ଗୋଟିଏ ଗୋଷ୍ଠୀର ମୌଳିକ ବିଶେଷତ୍ୱ ବା ଗୋଷ୍ଠୀତ୍ୱର ପରିଚାୟକ ତାହାକୁ ସାର୍ବିକଭାବେ ଗ୍ରହଣ କରୁଥିବା ଗୋଟିଏ ଗୋଷ୍ଠୀଗତ ‘ବ୍ୟକ୍ତି’କୁ ସେ ଲୋକ ବା ‘folk’ ବୋଲି ଗ୍ରହଣ କରିଛନ୍ତି ।

 

‘ଲୋକା’ ପରି ସଂସ୍କୃତିର ଅର୍ଥ ମଧ୍ୟ ବ୍ୟାପକ । ସଂସ୍କୃତି କେବଳ ମାତ୍ର ଚିତ୍ତର ପୂର୍ଣ୍ଣ ବିକାଶ ନୁହେଁ; ଏବଂ ତା’ର ପ୍ରକାଶ କେବଳ ସାହିତ୍ୟ, ଶିଳ୍ପ, ନୃତ୍ୟ, ଗୀତ ମଧ୍ୟରେ ସୀମିତ ନୁହେଁ । ସମଗ୍ର ଜୀବନଚର୍ଯ୍ୟା ଭିତରେ ସଂସ୍କୃତିର ପ୍ରକାଶ ଘଟେ । ସମାଜ ବିଜ୍ଞାନର ପରିଭାଷାରେ ‘ସଂସ୍କୃତି’ ଶବ୍ଦଟି ବିଶେଷ ଅର୍ଥବହ । ଜୈବ ପ୍ରୟୋଜନ, ବାସ୍ତବବୋଧ, ସୌନ୍ଦର୍ଯ୍ୟାନୁଶୀଳନ, ଆବେଗ-ଆକାଂକ୍ଷା, ମନନ ଓ କଳ୍ପନାର ସାମଗ୍ରିକ ପ୍ରକାଶହିଁ ସଂସ୍କୃତି ପର୍ଯ୍ୟାୟଭୁକ୍ତ । (୨)

 

ମନୁଷ୍ୟ ସମାଜର ସମଗ୍ର ଜୀବନଚର୍ଯ୍ୟାର ସମ୍ୟକ ରୂପହିଁ ସଂସ୍କୃତି । ମନୁଷ୍ୟ ଜୀବନ ଭୂମି ଓ ଚିତ୍ତ କର୍ଷଣର ଫଳସ୍ୱରୂପ କୃଷ୍ଟି ବା ସଂସ୍କୃତିର ସୃଷ୍ଟି । ସଂସ୍କୃତିର ମୂଳରେ ଜୈବ ପ୍ରୟୋଜନ, ମାନସ ସାଧନର ଯୁଗବତ୍ ସକ୍ରିୟତା ପରିଲକ୍ଷିତ ହୋଇଥାଏ । ଜୀବିକାର ବାସ୍ତବ ଉପାଦାନ, ସମାଜର ବାସ୍ତବ ରୂପ ଏବଂ ମାନସିକ ସଂପଦର ସମାହାରରେ ସଂସ୍କୃତିର ରୂପ ପରିସ୍ଫୁଟ ହୁଏ । ମୋଟ ଉପରେ ବସ୍ତୁଗତ ବା ମାନସଗତ ଉଭୟ ଦିଗରୁ ବିଭିନ୍ନ ଭାବେ ଭିନ୍ନ ଭିନ୍ନ ବିଦ୍ୱାନ ଏବଂ ନୃତତ୍ତ୍ୱ, ସମାଜତତ୍ତ୍ୱବିଦ୍ ସଂସ୍କୃତିର ବ୍ୟାଖ୍ୟା କରିଛନ୍ତି ।

 

୧.

Alan Dundes, why are folk ? Essays in folkloristics, (folklore institute, 1978), p-7

୨.

The New Encyclopaedia Britanica, Vol-III, 15th Edition, 1987, P-784

 

‘ଲୋକ ସଂସ୍କୃତି’ ସେହିପରି ଗଭୀରତର ଅର୍ଥରେ ସଂସ୍କୃତି ଓ ମନୁଷ୍ୟ ଜୀବନଚର୍ଯ୍ୟାର ବୃହତ୍ତର ବଳୟ ଅନ୍ତର୍ଗତ ଏକ ବିଷୟ । ବ୍ୟାପକ ଅର୍ଥରେ ସଂସ୍କୃତିର ଏକ ବିଶିଷ୍ଟ ଅଙ୍ଗହିଁ ଲୋକ-ସଂସ୍କୃତି । ବିଶିଷ୍ଟ ଜନଗୋଷ୍ଠୀର ସାମାଜିକ ଓ ଲୌକିକ ଜୀବନଧାରାର ବିଭିନ୍ନ ଦିଗ ଓ ତା’ର ବସ୍ତୁଗତ ଅନ୍ତନର୍ୟନଦ୍ୱାରାହିଁ ସଂସ୍କୃତିର ଅଭିବ୍ୟକ୍ତି ସାଧିତ ହୁଏ । ଏଣୁ ‘ଲୋକ ସଂସ୍କୃତି’ ସଂସ୍କୃତିର ଏକ ବିଶିଷ୍ଟ ଅଙ୍ଗ ଏବଂ ସଂସ୍କୃତି ସହ ଏହାର ସମ୍ପର୍କ ଏକାନ୍ତ ଘନିଷ୍ଠ । ଲୋକ-ସଂସ୍କୃତିବିଦ୍ Dan Ben-Amosଙ୍କ ମତରେ- The definition of folklore is not merely an analytical construct, depending upon arbitrary exclusion and inclusion of items on the contrary, it has a cultural and social base. (୩)

 

ମାନବବିଜ୍ଞାନୀମାନେ ‘ଫୋକ୍ ଲୋର୍’କୁ ‘ସାହିତ୍ୟ’ ପର୍ଯ୍ୟାୟଭୁକ୍ତ କରୁଥିବାବେଳେ ସାହିତ୍ୟବିଦ୍‌ମାନେ ଏହାକୁ ‘ସଂସ୍କୃତି’ ବୋଲି ମତ ଦେଇଥାନ୍ତି । ସଂସ୍କୃତିବିଦ୍ ମଜହର-ଉଲ-ଇସଲାମ ସଂସ୍କୃତି ଓ ଲୋକ-ସଂସ୍କୃତିର ଅନୁପୂରକୀୟତା ସମ୍ପର୍କରେ ମତ ଦେବାକୁ ଯାଇ ଉଲ୍ଲେଖ କରିଛନ୍ତି- ‘ଯଦି ସଂସ୍କୃତି ହେଉଛି ମଣିଷର ବୌଦ୍ଧିକ ଭାବନାର ଉତ୍ପାଦନ ତେବେ ଲୋକ-ସଂସ୍କୃତି ହେଉଛି ସୌନ୍ଦର୍ଯ୍ୟ ବୋଧ ଓ ସର୍ଜନଶୀଳତାର ଫଳ । (୪)

 

ଏକ ବୃହତ୍ତର ପରିପ୍ରେକ୍ଷୀରେ ବୁଝିବାକୁ ଗଲେ ଆଗ ‘ଲୋକ’କୁ ଓ ପରେ ‘ସଂସ୍କୃତିକୁ’ ବୁଝିବାକୁ ହେବ । ‘ଲୋକ’ ଥିଲେ ସଂସ୍କୃତିଟିଏ ଥିବ । ସେହି ‘ଲୋକ’ର ଅସ୍ତିତ୍ୱକୁ ମଧ୍ୟ ସ୍ଥାନ, କାଳ ଓ ପାତ୍ର ଭେଦରେ ଅଲଗା ଅଲଗା କରି ଏବଂ ଏକତ୍ର ମିଶାଇ କରି ଦେଖିବାକୁ ବା ବୁଝିବାକୁ ପଡ଼ିବ । ଷଢ଼େଇକଳା-ଖରସୁଆଁର ଲୋକ-ସଂସ୍କୃତି ପରିପ୍ରେକ୍ଷୀରେ ମଧ୍ୟ ଏହି କଥାଟିକୁ ମନେ ରଖିବାକୁ ହେବ । ଓଡ଼ିଆ ‘ଲୋକ’ର ସନ୍ଧାନରେ ବାହାରି ଷଢ଼େଇକଳା-ଖରସୁଆଁର ଜନ-ଗୋଷ୍ଠୀକୁ ଓ ତା’ର ଐତିହ୍ୟ, ବର୍ତ୍ତମାନ ଓ ଭବିଷ୍ୟତକୁ ମଧ୍ୟ ବିଚାର କରାଯାଇପାରିବ ।

 

ଷଢ଼େଇକଳା-ଖରସୁଆଁର ଲୋକ ସଂସ୍କୃତି କହିଲେ ଓଡ଼ିଆ-ଲୋକସଂସ୍କୃତିର ବିଶୁଦ୍ଧ ରୂପଟିକୁ ବୁଝିନେବାକୁ ପଡ଼ିବ । ନିଜ ଭାଷା, ଜାତି ଓ ସଂସ୍କୃତି ପାଇଁ ମଣିଷ ପ୍ରାଣରେ ଏକ ଭାବପ୍ରବଣତା ଥାଏ । ଏହା ଅନେକାଂଶରେ ଏକ ବଳୟ ତିଆରି କରିଥାଏ । ମାତ୍ର ଆଜିର ଉଦାରୀକରଣ ଓ ଜଗତୀକରଣ (globalisation)ର ଗ୍ରାସ ଭିତରେ ନିଜ ସଂସ୍କୃତିର ମୂଳ ଓ ବିଶୁଦ୍ଧ ରୂପଟି କିପରି ସଂସର୍ଗାୟିତ ହୋଇଯାଉଛି ତାହାର ଅଧ୍ୟୟନ ମଧ୍ୟ ହେବା ଆବଶ୍ୟକ ।

 

’ଓଡ଼ିଆ’ ବୋଲି କାହାକୁ କୁହାଯିବ ? ଏକ ଭାଷାକୁ ନା ଏକ ନିର୍ଦ୍ଦିଷ୍ଟ ଭାଷା-ଗୋଷ୍ଠୀର ଜନଜାତିକୁ ? ପୁଣି ଓଡ଼ିଶାରେ ରହୁଥିବା ଓଡ଼ିଆ ଓ ବାହାରେ ରହୁଥିବା ଓଡ଼ିଆଙ୍କର ମଧ୍ୟ ଏହି ପରିପ୍ରେକ୍ଷୀରେ ସୀମା ଓ ସ୍ୱରୂପ କଥା ଆସିଯାଇପାରେ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର କଥିତ ଭାଷା ଓ ଲୋକ ସଂସ୍କୃତି ସହିତ ମୂଳ ମାନବଭାଷାର କେତେ ଅଧିକ ସାଦୃଶ୍ୟ ରହିଛି । ସେହି ବିଷୟରେ ହୁଏତ ଅନେକ ମନନ କରିବେ । ଅର୍ଥାତ୍‍ ଏସବୁର ଉର୍ଦ୍ଧ୍ୱରେ ‘ଓଡ଼ିଆ’ର ଏକ ସର୍ବବିଦିତ ସଂଜ୍ଞା ବା ସ୍ୱରୂପ ଖୋଜି ବସିବାକୁ ହୁଏତ କେହି ବାହାରିପାନ୍ତି । ମାତ୍ର ‘ଓଡ଼ିଆ’କୁ ଚିହ୍ନଟ କରିବା ପାଇଁ ଭାଷା, ଜାତିଗତ ସାଧାରଣ ଗୁଣ ଓ ସଂସ୍କାର ଆଦି ସହ କେଉଁ ମୂଳ ସୂତ୍ରଟିକୁ ଚିହ୍ନଟ କରିବାକୁ ହେବ ତାହା ମଧ୍ୟ ବିଚାର କରି ଦେଖିବାକୁ ହେବ ।

 

ଅସଲ କଥା ହେଲା, ଆଜିର ଜଗତୀକରଣ ଯୁଗରେ ଆଉ ନିଜର ଭାଷା ବା ସଂସ୍କୃତିକୁ କେବଳ ନିଜର ସଂପତ୍ତି ବୋଲି ଧରି ବସି ହେବ କି ? ପରିବର୍ତ୍ତିତ ସମୟ ଓ ମୂଲ୍ୟବୋଧର ତାଳରେ ଆପଣାର ଜାତି, ଭାଷା ଓ ସଂସ୍କୃତିକୁ ଏକକ, ମୌଳିକ ବା ଅନନ୍ୟ କହି ହେବକି ? ଆଜି ପ୍ରକୃତରେ ଏହା ଏକ ପ୍ରଶ୍ନବାଚୀ ହୋଇ ଠିଆ ହୋଇରହିବ । ନିଜ ଅସ୍ତିତ୍ୱକୁ ସ୍ୱୀକାର କରିବା ପାଇଁ ନିଜ ଭିତରେ ଏ ଯେଉଁ ଆତ୍ମସଂଘର୍ଷ ଚାଲିଛି ତାହାର ପରିଣତି କ’ଣ, ତାହା ଆଜି ଚିନ୍ତା କରିବାକୁ ହେବ ।

 

ଏକଦା କଳିଙ୍ଗ ବା ଉତ୍କଳର ରାଜନୀତିକ ସୀମା ଯେତିକି ପ୍ରସାରିତ ବା ବିସ୍ତାରିତ ଥିଲା ଓ ଭାଷାଗତ, ସଂସ୍କୃତିଗତ ସାମାଜିକ ପ୍ରଭାବ ଅନ୍ୟ ରାଜ୍ୟ-ଗୋଷ୍ଠୀ ବା ଭାଷାଗୋଷ୍ଠୀ ଉପରେ ଯେତିକି ଥିଲା ତାହା ଆଜି ନାହିଁ । ଇତିହାସ ଅଧ୍ୟୟନ କଲେ ଓଡ଼ିଆ ଜାତିର ଯେ ଏକ ସ୍ୱତନ୍ତ୍ର ଅସ୍ତିତ୍ୱ ଥିଲା ଓ ତା’ର କଳା, କାରିଗରୀ, ବୀରତା, ସାହସ ଓ ଦୁର୍ଦ୍ଦଷତାର ମଧ୍ୟ ଏକ ପରିଚୟ ଥିଲା ତାହା ଅନୁମାନ କରି ହୋଇଥାଏ । ଓଡ଼ିଶା ବାହାରେ ମଧ୍ୟ ଓଡ଼ିଆ ତା’ର ଅସ୍ତିତ୍ୱ ଜାହିର କରିଥିଲା-। ଦୁଃସାହସିକ ଜଳଯାତ୍ରାରେ ସମୁଦ୍ର ପାର ଦେଶ ବିଦେଶରେ ଆପଣା ଭାଷା ଓ ସଂସ୍କୃତିର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲା ।

 

ଆଜିର ପରିପ୍ରେକ୍ଷୀରେ ସେସବୁକୁ ଦେଖିବାବେଳେ ଆହୁରି ଅନେକଗୁଡ଼ିଏ କଥା ପ୍ରସଙ୍ଗ ଭିତରକୁ ଆସିଯିବ । ଖାସ୍ କିଛି ଲୋକ ସଂସ୍କୃତିର ଚର୍ଚ୍ଚା କଲାବେଳେ ଆଉ ଏକକ ଗୋଟିଏ ଜନ-ଗୋଷ୍ଠୀର ଲୋକ ସଂସ୍କୃତିକୁ ନବୁଝି ଏହାର କାର୍ଯ୍ୟକ୍ରମେ ରୂପାନ୍ତରିତ ହୋଇଥିବା ଅବବୋଧଗୁଡ଼ିକୁ ମଧ୍ୟ ବିଚାର କରିବାକୁ ପଡ଼ିବ । ଏହାର ସଂସର୍ଗ, ସଂକ୍ରମଣ ଓ ସଂଚରଣ-ଶୀଳତା ବିଷୟରେ ମଧ୍ୟ ଆଲୋକପାତ କରିବାକୁ ହେବ ।

 

ଷଢ଼େଇକଳା-ଖରସୁଆଁର ଓଡ଼ିଆ ଲୋକସଂସ୍କୃତି ବିଷୟରେ ଚର୍ଚ୍ଚା କଲାବେଳେ ଆହୁରି ବହୁ ଜନଗୋଷ୍ଠୀର ସଂସର୍ଗ କଥା ମଧ୍ୟ ବାଛି ଦେବାକୁ ପଡ଼ିବ । କାରଣ ଦୀର୍ଘବର୍ଷ ଧରି ଏହି ଅଞ୍ଚଳର ଓଡ଼ିଆ ଲୋକ ସଂସ୍କୃତି ସ୍ଥାନୀୟ ଆଦିବାସୀ-ଲୋକସଂସ୍କୃତିଦ୍ୱାରା ଅନେକ ଭାବରେ ପ୍ରଭାବିତ । ରାଜ୍ୟ ପୁନର୍ଗଠନ କମିଶନରଙ୍କୁ ଷଢ଼େଇକଳା-ଖରସୁଆଁର ଆଦିବାସୀମାନଙ୍କର ‘ସ୍ମାରକ ଲିପି’ରେ ହୋ ଓ ସାନ୍ତାଳ ଆଦି ଜନଜାତିସହ ଓଡ଼ିଆ ସଂସ୍କୃତିର କିପରି ଆତ୍ମିକ ସଂସର୍ଗ ସ୍ଥାପିତ ହୋଇଛି ତାହା ଦର୍ଶାଯାଇଛି । (୫)

 

କୋହ୍ଲ, ସାନ୍ତାଳ, ହୋ, ମୁଣ୍ଡା, ଭୂମିଜ ଓ କୁଡ଼ୁମି ଆଦି ଜନଜାତିର ଲୋକେ କାଳକାଳରୁ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆତ୍ମୀୟତାର ସହ ଆପଣେଇ ନେଇଥିଲେ । ସିଂହଭୂମର ଚତୁର୍ଥ ରାଜ୍ୟ ଅଚ୍ୟୁତ ସିଂହଙ୍କ ରାଜତ୍ୱ କାଳରେ ରାଜାଙ୍କ ସହ ମନୋମାଳିନ୍ୟ ହେବାରେ ଆଦିବାସୀମାନେ ଏହି ଦେଶ ଛାଡ଼ି ପଳାଇବା ପ୍ରସ୍ତାବ ଦେଇଥିଲେ । ରାଜା ଏହା ଶୁଣି ସେମାନଙ୍କୁ ଡକାଇ ରାଜା ଓ ପ୍ରଜାଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନ ନିମନ୍ତେ ଶପଥ କରି ଉଭୟ ପକ୍ଷରୁ ଏକ ରାଜିନାମା ସ୍ଥାପନ କରିଥିଲେ । କାଳକାଳକୁ ‘ସିଂହରାଜା ହୋ ପରଜା’ କଥାଟି ଏକ ଆପ୍ତବାକ୍ୟ ହୋଇରହିଛି ।

 

ଆଦିବାସୀମାନେ ଓଡ଼ିଆ ମାଧ୍ୟମରେ ଶିକ୍ଷା ଅର୍ଜନ କରିବାକୁ ଅଧିକ ପସନ୍ଦ କରିବା ଓ ସେମାନଙ୍କ ସମାଧି ଉପରେ ସ୍ଥାପନ କରାଯାଉଥିବା ସ୍ମାରକ-ପ୍ରସ୍ତରରେ ଓଡ଼ିଆ ଲିପିରେ ମୃତକର ପରିଚୟ ଆଦି ଉଲ୍ଲେଖ କରିବା ପରମ୍ପରା ପ୍ରଚଳିତ ଥିଲା ।

 

ଷଢ଼େଇକଳା-ଖରସୁଆଁରେ ଓଡ଼ିଆ ସଂସ୍କୃତିର ପ୍ରତିଷ୍ଠା ପୂର୍ବରୁ, ଅର୍ଥାତ୍ ‘ଓଡ଼ିଆ’ମାନେ ଏହି ଅଞ୍ଚଳକୁ ଆସି ବସବାସ କରିବା ଓ ନିଜର ସଂସ୍କୃତିର ବିକାଶ କରିବାର ବହୁ ପୂର୍ବରୁ ଏଠି ଆଦିବାସୀମାନେ ହିଁ ମୂଳ ଅଧିବାସୀଭାବେ ରହିଥିଲେ । ବଣଜଙ୍ଗଲରେ ଘର କରି ରହିଥିବା ଓ ଶିକାର ଆଦି ପାରମ୍ପରିକ ବୃତ୍ତିଦ୍ୱାରା ଜୀବନନିର୍ବାହ କରୁଥିବା ଏହି ଜନଗୋଷ୍ଠୀ ପରବର୍ତ୍ତୀ କାଳରେ ଓଡ଼ିଆ ସଂସ୍କୃତି, ଭାଷା ଓ ଲୋକଙ୍କଦ୍ୱାରା ପ୍ରଭାବିତ ହେଲେ ।

 

ଓଡ଼ିଶାର ବିଭିନ୍ନ ପ୍ରାନ୍ତୀୟ ଅଞ୍ଚଳରୁ ଓ ବିଶେଷତଃ କଟକ, ଖୋର୍ଦ୍ଧା, ପୁରୀ ଓ ସମ୍ବଲପୁର, ସୁନ୍ଦରଗଡ଼, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରୁ ଏଠିକୁ ନାନା ବୃତ୍ତି ଓ ଜାତିର ଓଡ଼ିଆମାନେ ଆସିଲେ । ସେହିପରି ଏଠି ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତିର ବୀଜବପନ କଲେ ।

 

ଷଢ଼େଇକଳା-ଖରସୁଆଁ ଅଞ୍ଚଳର ଓଡ଼ିଆ ସଂସ୍କୃତି ବିଷୟରେ ଚର୍ଚ୍ଚାକଲା ବେଳେ ଏଠିକାର ଜନଜୀବନରେ ପ୍ରଚଳିତ ସଂସ୍କାର ଓ ଲୋକାଚାର (rituals) ଇତ୍ୟାଦି ସମ୍ପର୍କରେ ସୂଚନା ଦେବା ଉଚିତ୍ । ଏଠିକାର ଜାତି ବ୍ୟବସ୍ଥା, ସାମାଜିକ ଚଳଣି, ଜନ୍ମ-ମୃତ୍ୟୁ, ବିବାହ, କର୍ମକାଣ୍ଡ, ପୂଜାପଦ୍ଧତି, ଚାଷବାସ, ବିଦ୍ୟା ଅଧ୍ୟୟନ, ଶିକ୍ଷଣ, ଅଳଙ୍କାର, ପୋଷାକ-ପରିଚ୍ଛେଦ, ନୃତ୍ୟଗୀତ, ଖାଦ୍ୟ ଓ ଉପଚାର, କଳା-ସ୍ଥାପତ୍ୟ, ପୂଜାପାର୍ବଣ, ଦେବ-ଦେବୀ, ଧର୍ମଧାରଣା ଓ ଲୋକବିଶ୍ୱାସ ଆଦିର ଉତ୍ସ ଖୋଜିବାକୁ ପଡ଼ିବ ।

 

ଏହି ଅଞ୍ଚଳରେ କୌଣସି କର୍ମକାଣ୍ଡ ବା ପୂଜାପଦ୍ଧତିର ପ୍ରାରମ୍ଭରେ ବ୍ରାହ୍ମଣ-ପୁରୋହିତ ଯେଉଁ ମନ୍ତ୍ର ଉଚ୍ଚାରଣ କରିଥାନ୍ତି ତାହା ହେଲା – ‘‘ଅତ୍ର ପୃଥିବ୍ୟାଂ ଜମ୍ବୁ ଦ୍ୱୀପେ ଭୂଖଣ୍ଡେ ଉତ୍କଳ ଦେଶେ...’’ । ଓଡ଼ିଶା ପରି ଏଠିକାର ଲୋକେ ପୂଜାପାର୍ବଣରେ ଦିଅଁ ଦେବତାଙ୍କ ପାଖରେ ମାନସିକ କରନ୍ତି । କାର୍ଯ୍ୟସିଦ୍ଧି ପାଇଁ ବା ମନୋସ୍କାମନା ପୂରଣ ପାଇଁ ବୋଦା, କୁକୁଡ଼ା, ମେଣ୍ଢା, ବତକ କିମ୍ବା ମଇଁଷି ବଳି ଦିଅନ୍ତି ।

 

ନୀଚ ଓ ଉଚ୍ଚଜାତିର ଭେଦ ଥିବା ସତ୍ତ୍ୱେ ଏଠି ଲୋକମାନେ ସାମାଜିକ ଉତ୍ସବ ଓ ପର୍ବପର୍ବାଣୀରେ ଏକତ୍ର ସମ୍ମିଳିତ ହୁଅନ୍ତି । ଏଠିକାର ବିଖ୍ୟାତ ‘ଛଉନୃତ୍ୟ’ରେ ତେର ଜାତିର ତେର ଭକ୍ତ । ବିଶୁଦ୍ଧ ଲୋକାଚାରଦ୍ୱାରା ସଂସ୍କାରଗୁଡ଼ିକର ପାଳନ କରିବା ଓ ଘାସିବା ବା ଡମ ଜାତିର ଲୋକଙ୍କଦ୍ୱାରା ଏହି ନୃତ୍ୟରେ ବାଦ୍ୟ ଓ ସଙ୍ଗୀତ ପରିବେଷଣ କରିବା, ଆଦିବାସୀଙ୍କର ଭିନ୍ନ ଭିନ୍ନ ପୂଜାପାର୍ବଣ ଅବସରରେ ଯୋଗଦେବା ଏବଂ ଅକୁଳୀନ ନୀଚ ଜାତିର ମହିଳାମାନଙ୍କଦ୍ୱାରା ମଙ୍ଗଳା ଓଷା ଓ ବ୍ରତ ପାଳନ କରି କୁଳୀନ ବା ଉଚ୍ଚଜାତିର ଲୋକଙ୍କ ଉପରେ ଚଢ଼ିକରି ଯିବା ଓ ଆଶୀର୍ବାଦ ଦେବା ଆଦି ପ୍ରକ୍ରିୟାରୁ ସାମାଜିକ ସହାବସ୍ଥାନ ଓ ସଂପ୍ରୀତିର କେତୋଟି ନମୁନା ମିଳି ଯାଇଥାଏ ।

 

ଓଡ଼ିଶାର ପ୍ରାଚୀନ ସାହିତ୍ୟ, ପୁରାଣ-ଶାସ୍ତ୍ର, ଗ୍ରନ୍ଥ ଓ ପୂଜା-ପଦ୍ଧତି ଏଠି ଘରେ ଘରେ ପ୍ରଚଳିତ । ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମ ଦାସଙ୍କ ରାମାୟଣ, ଲକ୍ଷ୍ମୀପୁରାଣ, ସାରଳା ଦାସଙ୍କ ମହାଭାରତ ଓ ମଧୁସୂଦନଙ୍କ ବର୍ଣ୍ଣବୋଧ ଆଜିବି ଓଡ଼ିଆ ଘରେ ସ୍ଥାନ ପାଉଛି । ଏପରିକି ଆଧୁନିକ ଓଡ଼ିଆ ଗୀତ, ଭଜନ, ସଙ୍ଗୀତ, ନାଟକ ଓ ଗୀତିନାଟ୍ୟ, ଚଳଚ୍ଚିତ୍ରର ସ୍ଥିତି ବା କ୍ୟାସେଟ ଘରେ ଘରେ ମିଳିଯାଇପାରିବ । ଓଡ଼ିଆ ଲୋକଗୀତ ଓ କାହାଣୀର ଅମୂଲ୍ୟ ଭଣ୍ଡାର ଏ ଅଞ୍ଚଳରେ ରହିଛି । କାଳକ୍ରମେ ପାଶୋରି ଯାଉଥିବା ଏହି ଲୋକସାହିତ୍ୟର ପରମ୍ପରା ବିଷୟରେ ମତ ଦେବାକୁ ଯାଇ କୁଞ୍ଜବିହାରୀ ଦାଶ କହିଛନ୍ତି- ‘‘ଖରସୁଆଁ, ଚକ୍ରଧରପୁର ଓ ଆଖପାଖ ଗ୍ରାମାଞ୍ଚଳରେ ବୁଲି ଦେଖିଲି, ଓଡ଼ିଆ ଲୋକ ସଂସ୍କୃତି ଭୟାବହ ସଂଘର୍ଷର ସମ୍ମୁଖୀନ ହୋଇ ଅବସ୍ଥା ଚକ୍ରରେ ଲୋପ ପାଇବାକୁ ବସିଛି ।’’ (୬)

 

ଏହି ଚରମ ଦୁର୍ଦ୍ଦଶାର ଉଦାହରଣଟିଏ ହେଲା, ବହୁ ଗ୍ରାମାଞ୍ଚଳରେ ଓଡ଼ିଆ ନାଟକମାନଙ୍କର ଦେବନାଗରୀ ଲିପିରେ ଅନୁଲିଖନ । ଓଡ଼ିଆ ଲେଖା ଶିଖି ନ ଥିବା ବା ପଢ଼ା ଜାଣି ନଥିବା ସାମ୍ପ୍ରତିକ ଯୁବପିଢ଼ିମାନେ ଓଡ଼ିଆ ଅପେରା ବା ନାଟକଦ୍ୱାରା ପ୍ରଭାବିତ ହୋଇ ଯେତେବେଳେ ନାଟକ ମଞ୍ଚନ କରିବା ପାଇଁ ଆଗେଇ ଆସନ୍ତି ସେତେବେଳେ ତାଙ୍କ ହାତରେ ଏଇ ବିକଳ୍ପ ବ୍ୟବସ୍ଥାଟି ଥାଏ ।

 

ଆଜିବି ଓଡ଼ିଆ ଲିପିରେ ଲିଖିତ ଅସଂଖ୍ୟା ତାଳପତ୍ର ପୋଥି ‘ଭାଗବତ ଗୋସାଇଁ’ ନାଁରେ ଘରେ ଘରେ ପୂଜା ପାଉଛନ୍ତି । ଗାଁ-ଗଣ୍ଡାରେ ଓଡ଼ିଆ ପାଲା, ଦାସକାଠିଆ, ଗୋଟିପୁଅ ନାଚ କି ଅପେରା ନାଟକର ମଞ୍ଚନ ହେଉଛି । ଆଜି ବି ଓଡ଼ିଆଘର ଦୁଆର ଆଗରେ ପ୍ରତି ଗୁରୁବାର ଗୋବର ଲିପା ହୋଇ ଅରୁଆ ଚାଉଳ ବଟାରେ ଝୋଟି ଚିତା ଓ ଲକ୍ଷ୍ମୀପାଦ ଅଙ୍କାଯାଉଛି । ଗୁରୁବାର ମାଣବସା ଓଷା ଓ ଓଡ଼ିଶାରେ ପ୍ରଚଳିତ ପ୍ରାୟ ସମସ୍ତ ବ୍ରତ, ଓଷା, ପର୍ବପର୍ବାଣୀ ପାଳନ କରାଯାଉଛି ।

 

ଭାଦ୍ରମାସର ଶୁକ୍ଳପକ୍ଷ ଇନ୍ଦ୍ର ଦ୍ୱାଦଶୀ ତିଥିରେ ଓଡ଼ିଆମାନେ ନବବର୍ଷ ପାଳନ କରନ୍ତି । ପ୍ରାଚୀନ କାଳରେ ଏହା ସମଗ୍ର ଉତ୍କଳରେ ଆଡ଼ମ୍ବର ସହକାରେ ପାଳନ କରାଯାଉଥିଲା । ପ୍ରଜାମାନଙ୍କର ଶୁଭକାମନା କରି ରାଜାମାନେ ଉଚ୍ଚସ୍ଥାନରେ ’ଇନ୍ଦ୍ରଧ୍ୱଜ’ ନାମକ ଗୋଟିଏ ଖମ୍ବ ପୋତି ଇନ୍ଦ୍ରକୁ ପୂଜା କରୁଥିଲେ । ଏହି ପର୍ବଟିକୁ ‘ସୁନିଆଁ’ ବୋଲି କୁହା ଯାଉଥିଲା । ପ୍ରଜାମାନେ ମଧ୍ୟ ଏହିଦିନ ତାଙ୍କ ପ୍ରିୟ ରାଜାଙ୍କୁ ପ୍ରିୟ ଦ୍ରବ୍ୟମାନ ଉପହାର ଦେଉଥିଲେ । ସେହି ପୂଜାସ୍ଥଳଟିକୁ ‘ଇନ୍ଦ୍ରଟାଣ୍ଡି’ ବୋଲି କୁହାଯାଉଥିଲା । ଷଢ଼େଇକଳା ମୁଖ୍ୟ ସହରର ଏହିପରି ଏକ ଜାଗା ଅଛି । ଏହି ପ୍ରାଚୀନ ପରମ୍ପରା ଅନୁସାରେ ନବଜାତ ଶିଶୁମାନଙ୍କର ଜାତକ ବା କୁଣ୍ଡଳୀ ଓ ପାଞ୍ଜି ପ୍ରଭୃତିରେ ‘ସୁନିଆଁ’ ସାଲ ବ୍ୟବହାର କରାଯାଉଥିଲା (୭)

 

୬.

ଦାଶ କୁଞ୍ଜବିହାରୀ, ପଲ୍ଲୀଗୀତ ସଞ୍ଚୟନ (୩ୟ ଭାଗ), ୧୯୭୪, ପୃ-୨୪

୭.

ମହାପାତ୍ର ନଗେନ୍ଦ୍ରନାଥ, ସିଂହଭୂମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି (ଆମ ଭାଷା – ଆମ ସଂସ୍କୃତି), ପୃ-୧୩୯

 

ଓଡ଼ିଶାରେ ଯେପରି ଜମିଜମା ମାପର ଏକକ (unit) ଭାବରେ ମାଣ, ଗୁଣ୍ଠ, ବିଶ୍ୱା ପ୍ରଭୃତି ପ୍ରଚଳିତ; ଷଢ଼େଇକଳା, ଖରସୁଆଁ ଓ ଏହାର ଆଖପାଖ ଇଲାକାରେ ବିଶେଷ କରି ଓଡ଼ିଆ ଲୋକଙ୍କ କ୍ଷେତ୍ରରେ ଏହି ଦୀର୍ଘଦିନ ଧରି ପ୍ରଚଳିତ ହୋଇଆସୁଛି । ଶସ୍ୟ ଆଦି ଦ୍ରବ୍ୟମାନଙ୍କର ମାପ କ୍ଷେତ୍ରରେ ମାଣ, ସେର, ମହଣ, ପଇଲା ପୁଆ ଇତ୍ୟାଦି ଏକକର ପରିଚୟ ଗ୍ରାମମାନଙ୍କରେ ଦେଖିବାକୁ ମିଳେ । (୮) ଏହି ପରମ୍ପରା ଅନୁସାରେ ପରିବାରର ଜ୍ୟେଷ୍ଠ ପୁତ୍ର ମୁଖ୍ୟ ବା ଶ୍ରେଷ୍ଠ ଅଂଶଟିର ଅଧିକାରୀ ହୋଇଥାଏ ଏବଂ ପିତୃ ସମ୍ପତ୍ତିରେ କନ୍ୟାର ଅଂଶ ନ ଥାଏ ।

 

ଓଡ଼ିଶାରେ କରଣ ଓ ଖଣ୍ଡାୟତ (କ୍ଷତ୍ରିୟ)ଙ୍କ ମଧ୍ୟରେ ପ୍ରଚଳିତ ‘ନାଉଳି’ ପ୍ରଥା ଷଢ଼େଇକଳା-ଖରସୁଆଁରେ ମଧ୍ୟ ପ୍ରଚଳିତ ଥିଲା । ଏବେ ବି ମଧ୍ୟ କେତେକ ସ୍ଥାନରେ ଏହି ନବକର୍ମ ସଂସ୍କାର (rituals) ଅନୁଷ୍ଠିତ ହୋଇଥାଏ । ଓଡ଼ିଶାର ନାମ ଓ ସଂଜ୍ଞା (surnames), ପଦ-ପଦବୀ ପରି ଏ ଅଞ୍ଚଳର ନାମ, ସଂଜ୍ଞା ଓ ସାମରିକ ପଦବୀର ସାଦୃଶ୍ୟ ପରିଲକ୍ଷିତ । ନାୟକ, ପଟ୍ଟନାୟକ, ଦଳନାୟକ, ମହାନାଏକ, ଦଳେଇ, ବିଶୋଇ, ମହାପାତ୍ର, ଉତ୍ତର ଓ ଦକ୍ଷିଣ କବାଟ, ସେନାପତି, ମଲ୍ଲିକ, ଉଗାଳ ଷଣ୍ଢ, ସର୍ଦ୍ଦାର, ସିଂହ, ଜ୍ୟୋତିଷ, କବି ଇତ୍ୟାଦି ଏହି ପଦବୀରେ ଅନ୍ତର୍ଭୁକ୍ତ ।

 

ଏହି ଅଞ୍ଚଳର କୃଷି କର୍ମରେ ଅକ୍ଷୟ ତୃତୀୟା, ବିହନ ଅନୁକୂଳ, କ୍ଷେତବଢ଼ା, ନୂଆଖିଆ, ଗର୍ଭଣାସଂକ୍ରାନ୍ତି, ବୁଣାପୂଜା, ଚିତଉ ଅମାବାସ୍ୟା ଇତ୍ୟାଦି ଠିକ ଓଡ଼ିଶାର ରୀତି ପରି । ଓଡ଼ିଆ ବେଶ ପୋଷାକ, ଓଡ଼ିଆ ଖାଦ୍ୟପାନୀୟ, ଓଡ଼ିଆ ଓଷା-ବ୍ରତ ଓ ପର୍ବପର୍ବାଣି ଓଡ଼ିଆ ଶବ୍ଦ ଓ ଭାଷା ସମ୍ଭାର, ଓଡ଼ିଆ ଲୋକ ସଂସ୍କୃତି ଓ ଲୋକକଳାର ଓଡ଼ିଆ ସଂସ୍କୃତିର ସ୍ପଷ୍ଟ ରୂପ ଫୁଟି ଉଠେ । ପୁରପଲ୍ଲୀରେ ଜଗନ୍ନାଥ ସଂସ୍କୃତିର ନିଦର୍ଶନ ସ୍ୱରୂପ ଜଗନ୍ନାଥ ମନ୍ଦିର ଓ ରାଜବଂଶ ତରଫରୁ ରଥଯାତ୍ରା ଉତ୍ସବ ପାଳନ ଏହାର ପ୍ରକୃଷ୍ଟ ଉଦାହରଣ । ସମଗ୍ର ଜୀବନକାଳରେ ଏଠିକାର ଅଧିବାସୀମାନେ ଅନ୍ତତଃ ଥରଟିଏ ପାଇଁ ହେଉପଛେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ପରମ୍ପରା ଆଜି ବି ସୁଦ୍ଧା ବଳବତ୍ତର ।

 

ଷଢ଼େଇକଳା-ଖରସୁଆଁର ରାଜାମାନେ କାଳେ କାଳେ ପୁରୀ ଯାଉଥିଲେ ଜଗନ୍ନାଥ ଦର୍ଶନ କରିବା ପାଇଁ । ଓଡ଼ିଶା ଗଜପତିଙ୍କ ସହିତ ସେମାନଙ୍କର କୂଟନୀତିକ ସମ୍ପର୍କ ଥିଲା । ବଂଶପ୍ରଭା ମାଦଳାରୁ ଯାହା ଜଣାଯାଏ ସିଂହଭୂମର ପ୍ରାୟ ସମସ୍ତ ରାଜା ଓଡ଼ିଶାର ବିଭିନ୍ନ ଗଡ଼ଜାତ ରାଜ୍ୟମାନଙ୍କ ସହିତ ବୈବାହିକ ଓ ପାରିବାରିକ ସମ୍ପର୍କ ରକ୍ଷା କରୁଥିଲେ । ସିଂହଭୂମର ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ଓ ଓଡ଼ିଶାରୁ ବ୍ରାହ୍ମଣମାନଙ୍କୁ ଆଣି ଏହି ସ୍ଥାନରେ ବସାଇବା ପଛରେ ଏହାର ସାମାଜିକ-ସାଂସ୍କୃତିକ ସମ୍ପର୍କଟିକୁ ଜାଣି ହୋଇଯାଏ । ଓଡ଼ିଶା ରାଜସ୍ୱ ପରିଷଦ (Board of Revenue) ପକ୍ଷରୁ ଅନୁଧ୍ୟାନ କରା ଯାଇଥିବା ଏକ ପ୍ରାଥମିକ ହିସାବରୁ ଜଣାଯାଏ ଯେ ବିହାରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଯେଉଁ ଭୂ-ସମ୍ପତ୍ତି ରହିଛି ତାହାର ପରିଣାମ ହେଲା- ୦.୨୮୨ ଏକର ।

 

ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାପନା, ଗୁଣ୍ଡିଚା ମନ୍ଦିର ଓ ରଥଯାତ୍ରା ଉତ୍ସବ ପାଳନ ତଥା ଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା ପ୍ରାୟ ସମସ୍ତ ପୂଜାପାର୍ବଣ ପାଳନ କରିବାର ପରମ୍ପରା ଓଡ଼ିଆ ସାଂସ୍କୃତିକ ଚେତନାର ବଳିଷ୍ଠ ଉଦାହରଣ ହୋଇରହିଛି ।

 

ଖାଲି ଜଗନ୍ନାଥ ସଂସ୍କୃତିର ଉପାସନା ନୁହେଁ, ବରଂ ଏହି ଅଞ୍ଚଳର ଅଧିବାସୀମାନେ ବହୁ ଗ୍ରାମ ଦେବ-ଦେବୀ (Village Gods) ପୂଜା ଓ ନାନାପ୍ରକାର ଲୋକ-ବ୍ରତ ବା ଓଷା ପାଳନ କରିଥାନ୍ତି । ଦୁତିଆ ଓଷା ବା ଦିତୁଆଷ୍ଟମୀ ଏହିପରି ଏକ ଓଷା । ଏହି ଓଷାରେ ମାଆମାନେ ସନ୍ତାନଙ୍କ ମଙ୍ଗଳ କାମନା କରି ଉପବାସ ବ୍ରତ କରିଥାନ୍ତି । ଆଶ୍ୱିନ ମାସ କୃଷ୍ଣପକ୍ଷର ଅଷ୍ଟମୀ ଦିନ ଏହି ବ୍ରତ ‘ଦୁତିବାହନ’ଙ୍କ ନାମରେ ରଖା ଯାଇଥାଏ । ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଥିବା ଏହି ଲୋକପ୍ରିୟ ଓଷାଟି ଏଠି ମଧ୍ୟ ଘରେ ଘରେ ପାଳନ କରାଯାଇଥାଏ ।

 

ଦୁତିଆ ଓଷା ପରି ଆଉ ଗୋଟିଏ ବ୍ରତ ହେଉଛି ‘ପଞ୍ଚୁକ’ । କାର୍ତ୍ତିକ ମାସରେ ଏହା ପାଳନ କରାଯାଇଥାଏ । ସାରାମାସ ନିରାମିଷ ଭକ୍ଷଣ ଓ ହବିଷାନ୍ନ ଖାଇ ବହୁ ନୀତି ନିୟମର ସହିତ ଏହି ବ୍ରତ ପାଳନ କରିବାକୁ ପଡ଼େ । ବିଶେଷତଃ ବିଧବାମାନେ ଏହି ବ୍ରତକୁ ଅଧିକ ଆଗ୍ରହର ସହିତ ପାଳନ କରିଥାନ୍ତି । ଏକ ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ, ପୁରୀ ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡାଙ୍କ ଝିଅ ‘ରାଇ’ ସହିତ ଜଗନ୍ନାଥଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଲକ୍ଷ୍ମୀ ଏହି ‘ରାଇ’କୁ ଏତେ ଶ୍ରଦ୍ଧା କରୁଥିଲେ ଯେ, ଦାମୋଦରଙ୍କ ସହିତ ରାଇର ପୂଜା କରିବା ବିଧି ପ୍ରଚଳନ କଲେ । ସେହିଦିନଠାରୁ ରାଇ-ଦାମୋଦର ଓ ଲକ୍ଷ୍ମୀଙ୍କର ଏକତ୍ର ପୂଜା ପ୍ରଚଳିତ ହୋଇଆସୁଛି । (୯) ଏହି ମାସସାରା ପ୍ରତିଦିନ ତୁଳସୀ ଚଉଁରା ମୂଳରେ ଚିତା ମୁରୁଜ ପକାଇ ଫୁଲ, ଫଳ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତଥା ବଡ଼ ଦେଉଳର ଚିତ୍ର ଅଙ୍କା ଯାଇଥାଏ ।

 

ଆଉ ଦୁଇଟି ଓଷା ହେଲେ – ବୁଧେଇ ଓଷା ଓ ମଙ୍ଗଳା ଓଷା । ଲୋକାୟତରେ ଏହି ଦୁଇଟି ଓଷାପାଳନ ପଛରେ ଦୁଇଟି ଲୋକ ବିଶ୍ୱାସ ବା ଲୋକକଥାର ପ୍ରଚଳନ ଅଛି । ବୁଧେଇ ଓଷା ଭାଦ୍ରବ ମାସ ପ୍ରତି ବୁଧବାର ଦିନ କରାଯାଏ । ଅନ୍ୟାନ୍ୟ ବ୍ରତ କଥାରେ ଥିବା ଦେବ-ଦେବୀଙ୍କ ମହାତ୍ମ୍ୟ ଓ ପୂଜା ବା ବ୍ରତ ରଖିବାର ସୁଫଳ ଏବଂ ବ୍ରତ ବା ଓଷା ନ କରିବାର କୁଫଳ ବିଷୟ ପରି ଏହି ଓଷାରେ ମଧ୍ୟ କେତୋଟି କାହାଣୀ ଅଛି । ଏହି ଓଷା ଫଳରେ ଜଣେ ମଦ ବିକ୍ରେତାର ସ୍ତ୍ରୀ କୁଷ୍ଠରୋଗରୁ ମୁକ୍ତିପାଇବା, ରାଜାଙ୍କଦ୍ୱାରା ହତ୍ୟା କରାଯାଇଥିବାର ତା’ର ପାଞ୍ଚପୁଅକୁ ସେ ଫେରିପାଇବା (ଠାକୁରଙ୍କଦ୍ୱାରା ପୁନର୍ଜୀବନ ପ୍ରାପ୍ତି ହେବା), ନିଃସନ୍ତାନ ନାରୀ ସନ୍ତାନ ଲାଭ କରିବା, ଅନ୍ଧର ଚକ୍ଷୁ ଲାଭ ଇତ୍ୟାଦି ଅଲୌକିକତାରେ ପୂର୍ଣ୍ଣ ଏହି ବ୍ରତ କଥାଦ୍ୱାରା ଲୋକ-ବିଶ୍ୱାସ ଓ ଆସ୍ଥା ପ୍ରକଟିତ ହୋଇଥାଏ ।

 

ସେହିପରି ମଙ୍ଗଳା ଓଷାର କଥା । ଏହି ଓଷାଟି ଅକୁଳୀନ ନୀଚ-ଜାତିର ସ୍ତ୍ରୀମାନଙ୍କଦ୍ୱାରା କରାଯାଇଥାଏ । ଚୈତ୍ରମାସର ପ୍ରତି ମଙ୍ଗଳବାର ଏହି ଓଷା ରଖାଯାଏ । ଏହି ଓଷା ସମ୍ପର୍କରେ ବ୍ରତ କଥାଟିଏ ମଧ୍ୟ ଲୋକଶ୍ରୁତିରେ ପ୍ରଚଳିତ । ଚୈତି ନାମକ ଏକ ଅକୁଳୀନ ସ୍ତ୍ରୀ ମଙ୍ଗଳା ମା’ଙ୍କୁ ମଦ., ମାଂସ ଏବଂ ଅଣ୍ଡାଦ୍ୱାରା ଆପ୍ୟାୟିତ କରି ପୂଜା କରୁଥାଏ । ତାର ତିନୋଟି ପୁଅ ଥାଆନ୍ତି । ଥରେ ଅପୁତ୍ରିକ ରାଜାଙ୍କ ମୁହଁ ଚାହିଁ ସେ ବିରକ୍ତିରେ ରାଜାଙ୍କୁ ଅମଙ୍ଗୁଳିଆ (ଅଶୁଭ) ବୋଲି କହିଦେବାରୁ ରାଜା ତା କଥାରେ ଉତ୍ତ୍ୟକ୍ତ ହୋଇ ତା ପୁଅଙ୍କୁ ଢିଙ୍କିରେ କୁଟି ହତ୍ୟା କରିଥିଲେ । ଚୈତିର ମଙ୍ଗଳା ପୂଜା ଫଳେର ମା’ମଙ୍ଗଳା ଦୟା ପରବଶ ହୋଇ ତା’ ପୁତ୍ରକୁ ପୁନର୍ଜୀବନ ଦାନ କଲେ । ସେହିଦିନଠାରୁ ରାଣୀ ମଙ୍ଗଳା ଓଷା କଲେ ଓ ରାଜାଙ୍କର ମଙ୍ଗଳାଙ୍କ କୃପାରୁ ପୁତ୍ର ଜନ୍ମ ହେଲା ।

 

ଏହି ଓଷାର ସବୁଠୁ ବଡ଼ ବୈଚିତ୍ର୍ୟ ହେଲା ଅସ୍ପୃଶ୍ୟବର୍ଗର ସ୍ତ୍ରୀ ଲୋକମାନେ ଏହି ପୂଜା କରନ୍ତି । ମୁଣ୍ଡରେ ମଙ୍ଗଳା ଘଟ ମୁଣ୍ଡେଇ ସେମାନେ ନାଚି ନାଚି ମାଜଣା ଘାଟରୁ ନିଜ ସାହିରେ ଥିବା ମଙ୍ଗଳା ମଣ୍ଡପ ପର୍ଯ୍ୟନ୍ତ ଯାଆନ୍ତି । ସେତେବେଳେ ତାଙ୍କ ଶରୀରରେ ମା’ ମଙ୍ଗଳାଙ୍କର ଆବିର୍ଭାବ ହୋଇଥିବାର ବିଶ୍ୱାସ କରାଯାଏ । ତାଙ୍କ ଯିବା ରାସ୍ତାରେ ସ୍ଥାନେ ସ୍ଥାନେ ଖଇ, ଉଖୁଡ଼ା, ମୁଆଁ ଓ ବତକ, କୁକୁଡ଼ା ବା ପାରା ଇତ୍ୟାଦି ବଳି ଦିଆଯାଏ । ରାଜା, ବ୍ରାହ୍ମଣ, କରଣ, ବୈଶ୍ୟ ଓ କ୍ଷତ୍ରିୟାଦି ଉଚ୍ଚକୂଳର ଲୋକମାନେ ତାଙ୍କ ଯିବା ରାସ୍ତାରେ ସାଷ୍ଟାଙ୍ଗ ପ୍ରଣିପାତ କରି ତଳେ ଶୋଇରହନ୍ତି । ମଙ୍ଗଳାଙ୍କ ସାକ୍ଷାତ ପ୍ରତିମା ରୂପୀ ଏହି ନାରୀମାନେ ସେଇଦିନ ଏହି କୁଳୀନ ଲୋକଙ୍କ ଉପରେ ପାଦରଖି ଚଢ଼ି ଚଢ଼ି ଯାଆନ୍ତି ।

 

ବିଶ୍ୱାସ କରାଯାଏ ମଙ୍ଗଳାଙ୍କ ପାଦ ସ୍ପର୍ଶରେ ବହୁ ଦୁଃସାଧ୍ୟ ରୋଗ, ଦୁଃଖ, ଶୋକ ଦୂର ହୁଏ ଓ ମନୋସ୍କାମନା ପୂରଣ ହୁଏ । ଏପରି ଲୋକ ବିଶ୍ୱାସ ପଛରେ ଯେଉଁ ସାମାଜିକ ବିନିମୟତାର ଉଦ୍ଦେଶ୍ୟଟି ଥାଉ ପଛେ କୁଳୀନ ଓ ଅକୁଳୀନ ଉଭୟବର୍ଗର ଲୋକଙ୍କ ପାଇଁ ଏହା ଏକ ମୈତ୍ରୀ ଓ ସହାବସ୍ଥାନର ଅବସର ଆଣିଦିଏ । ପାରସ୍ପରିକ ଜାତି ବୈଷମ୍ୟର ଆଢ଼ୁଆଳରେ ଥିବା ଦୂରତାଟି ଦୂର ହୋଇଯାଇ ଏକ ସାମାଜିକ ସଙ୍ଗତିର ସୁଯୋଗଟିଏ ଯୋଗାଇ ଦିଏ ।

 

ଏସବୁ ଓଷା ବ୍ରତ ବ୍ୟତୀତ ଆହୁରି ବହୁ ପୂଜାପାର୍ବଣ ଏହି ଅଞ୍ଚଳରେ ଦେଖିବାକୁ ମିଳେ । ଆଦିବାସୀ ସଂସ୍କୃତିଦ୍ୱାରା ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର ଅଧିବାସୀମାନେ ଦୁର୍ଗା, କାଳୀ ଓ ମନସା ପୂଜା ଅବସରରେ ପଶୁ-ପକ୍ଷୀ ବଳି ଦେବା ସହ ସେମାନଙ୍କ ମାଂସ ଭକ୍ଷଣ କରିଥାନ୍ତି । ଓଡ଼ିଶାରେ ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ମକର ସଂକ୍ରାନ୍ତିକୁ ଏକ ପବିତ୍ର ଉତ୍ସବ ରୂପେ ପାଳନ କରାଯାଏ । ସେତିକି ଆମିଷ ଭକ୍ଷଣ ନିଷେଧ ଥାଏ । କେବଳ ପିଠା, ପଣା ଓ ଭିନ୍ନ ଭିନ୍ନ ଖାଦ୍ୟ ପାନୀୟରେ ଲୋକେ ଆମୋଦ ପ୍ରମୋଦ କରିଥାନ୍ତି । ମାତ୍ର ଷଢ଼େଇକଳା-ଖରସୁଆଁ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଲକ୍ଷ୍ୟ କରିହୁଏ । ଏହିଦିନ ଆମିଷ ଭକ୍ଷଣ ଜରୁରୀ । ମାଂସ, ପିଠାରେ ଚାରିଆଡ଼େ ଉତ୍ସବ ପାଳନ କରାଯାଏ । ନୂଆ ଲୁଗା ପିନ୍ଧିବା ଓ ମଉଜ ମଜଲିସରେ, ଖେଳକୁଦରେ ସମୟ ବିତେଇବାରେ ଲୋକମାନେ ବ୍ୟସ୍ତ ରହନ୍ତି । ଗୋବରା ଚଢ଼େଇ, କୁକୁଡ଼ା ଓ ନଡ଼ିଆ ଲଢ଼େଇ କରି ମନୋରଞ୍ଜନ କରିବା ସହିତ ନାଚ, ଗୀତ ଓ ଖେଳ ତାମସାରେ ମଧ୍ୟ ବ୍ୟସ୍ତ ରହନ୍ତି ।

 

ବଳିପ୍ରଥା ଏ ଅଞ୍ଚଳର ଏକ ସାଧାରଣ ଓ ସର୍ବମାନ୍ୟ ବିଧି । ଏହା ବିଶେଷତଃ ଆଦିବାସୀ ସଂସ୍କୃତିଦ୍ୱାରା ପ୍ରଭାବିତ । ହିନ୍ଦୁ ଦେବୀ (ଦୁର୍ଗା, କାଳୀ, ମଙ୍ଗଳା) ଓ ବିଭିନ୍ନ ଗ୍ରାମଦେବୀଙ୍କ ସମ୍ମୁଖରେ ପଶୁପକ୍ଷୀ ବଳି ଦେଇ ମନୋସ୍କାମନା ପୂରଣ କରିବାର ଅଭିଲକ୍ଷ୍ୟ ତଥା ବଳିର ପ୍ରସାଦ (ମାଂସ)କୁ ସେବନ କରିବା ମୂଳରେ ଏକ ମିଶ୍ର ସଂସ୍କୃତିର ସୂଚନା ମିଳିଥାଏ ।

 

ଓଡ଼ିଶାର କୃଷିକର୍ମୀ ଯେପରି ଭିନ୍ନ ଭିନ୍ନ ଅବସରରେ ନାନା ଉତ୍ସବ ପାଳନ କରେ ଓ ପୂଜାପାଠ କରେ; ଷଢ଼େଇକଳା-ଖରସୁଆଁର ଓଡ଼ିଆ ଲୋକମାନେ ମଧ୍ୟ ଅନୁରୂପ ସଂସ୍କାର ବା ରୀତି ପାଳନ କରନ୍ତି ।

 

ସେଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଛତୁଆ ବା ପଣାସଂକ୍ରାନ୍ତି, ଅକ୍ଷୟ ତୃତୀୟା ଅମାବାସ୍ୟା, ନୂଆଖାଇ, ଗହ୍ମା ପୂର୍ଣ୍ଣିମା, ଗର୍ଭଣା ସଂକ୍ରାନ୍ତି ଇତ୍ୟାଦି ପ୍ରଧାନ ।

 

ଆଦିବାସୀମାନେ ଯେପରି ପ୍ରଥମ ଫଳ ନିଜର ଦେବତାଙ୍କୁ ଅର୍ପଣ କରି ତା’ପରେ ଭକ୍ଷଣ କରିଥାନ୍ତି; ଏ ଅଞ୍ଚଳର ଅଧିବାସୀମାନେ ଠିକ୍ ସେହିପରି ଆଶ୍ୱିନ ମାସରେ ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଏକପ୍ରକାର କ୍ଷୀରି ତିଆରି କରି ନିଜର ଇଷ୍ଟଦେବ-ଦେବୀଙ୍କୁ ଓ ପୂର୍ବପୁରୁଷଙ୍କୁ ଅର୍ପଣ କରି ତା’ପରେ ନିଜେ ଖାଇଥାନ୍ତି । ଏପରି କରିବାଦ୍ୱାରା ଅନ୍ନ କଷ୍ଟରୁ ରକ୍ଷା ମିଳିବା ଓ ଭଲ ଫସଲ ଫଳିବା ଉଦ୍ଦେଶ୍ୟରେ ଏହି ‘ନୂଆଖାଇ’ ପର୍ବ ପାଳନ କରାଯାଏ ।

 

ଚିତଉ ଅମାବାସ୍ୟା ଦିନ ଚିତଉ ପିଠା କରାଯାଇ ଗେଣ୍ଡା, ଶାମୁକା ଆଦିଙ୍କୁ ପୂଜା କରାଯାଇଥାଏ । ଏହା ଶ୍ରାବଣମାସର ଅମାବାସ୍ୟା ଦିନ ପାଳନ କରାଯାଏ । ଏହି ପୂଜା କଲେ କ୍ଷେତ ଖମାରରେ କୃଷକକୁ ଗେଣ୍ଡା ବା ଶାମୁକା କାଟିବେ ନାହିଁ ବୋଲି ବିଶ୍ୱାସ କରାଯାଏ ।

 

ଠିକ ସେହିପରି ଗହ୍ମା ପୂର୍ଣ୍ଣିମା । ଏହା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ-। ଏହିଦିନ ବଳଦ, ଗାଈ, ମଇଁଷିମାନଙ୍କୁ ତେଲ ଓ ସିନ୍ଦୁର ଲଗାଇ ପୂଜା କରାଯାଇଥାଏ-। ଏହିଦିନ ହଳ ନିଷେଧ କରାଯାଏ । ଘରେ ଘରେ ପିଠା-ପଣା ଓ ଆନନ୍ଦ ଉତ୍ସବ ଲାଗି ରହେ ।

 

ଛତୁଆ ସଂକ୍ରାନ୍ତି ଓ ପଣାଖିଆ ସଂକ୍ରାନ୍ତି ବୈଶାଖ ମାସରେ ପାଳନ କରାଯାଏ । ଓଡ଼ିଶାରେ ଏହାକୁ ପଣା ସଂକ୍ରାନ୍ତି ବୋଲି କହନ୍ତି । ଏହିଦିନ ତୁଳସୀ ଚଉଁରା ଉପରେ ଠେକିରେ କଣାକରି ଜଳ ଓ ପଣା ଇତ୍ୟାଦି ଅର୍ପଣ କରାଯାଏ । ଏହି ସଂକ୍ରାନ୍ତିକୁ ବର୍ଷାଋତୁର ଶୁଭାଗମନ ରୂପେ ମନାଯାଏ । ଏହି ଦିନଠୁ କୃଷିକର୍ମର ଆରମ୍ଭ ବୋଲି ଧରି ନିଆଯାଏ ।

 

ପଣା ସଂକ୍ରାନ୍ତି ପରି ଅକ୍ଷୟ ତୃତୀୟା ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ଦିନ ପାଳନ କରାଯାଏ । ଏହିଦିନ ଧାନ ଅନୁକୂଳ କରାଯାଏ । ଅର୍ଥାତ୍ କ୍ଷେତରେ ବୀଜବପନ କରିବାର ଶୁଭାରମ୍ଭ ହୁଏ । ଏହିଦିନ ଜଗନ୍ନାଥଙ୍କ ରଥ ନିର୍ମାଣ ଆରମ୍ଭ ହୁଏ ଓ ନାନାଦି ନିର୍ମାଣ କାର୍ଯ୍ୟର ଶୁଭ ଦିଆଯାଇଥାଏ । ଅକ୍ଷୟ ତୃତୀୟା ଓଡ଼ିଆ କୃଷକ ପାଇଁ ଏକ ପବିତ୍ର ଉତ୍ସବ ।

 

କାର୍ତ୍ତିକ ମାସ ସଂକ୍ରାନ୍ତି ଦିନ (ପ୍ରଥମ ଦିନ) ଗର୍ଭଣା ସଂକ୍ରାନ୍ତି ଉତ୍ସବ ମନାଯାଏ । ଏହି ସମୟ ବେଳକୁ ଧାନ ଗର୍ଭବତୀ ହୁଏ । ଏହିଦିନ ଘରେ ଘରେ ସ୍ୱାଦିଷ୍ଟ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ ହୁଏ ଏବଂ ଧାନଗଛକୁ ଅର୍ପଣ କରି ପୂଜା କରାଯାଏ । ଉତ୍ତମ ଫସଲ ଆମଦାନୀ ହେବାର ଲୋକ ବିଶ୍ୱାସ ଏପରି ଉତ୍ସବ ସଂସ୍କାରର ମୂଳକଥା ।

 

ମାଘମାସ ବେଳକୁ ଫସଲ ଅମଳ ସରି ଯାଇଥିବାରୁ ଲୋକେ ବଡ଼ ଆନନ୍ଦ ଉଲ୍ଲାସରେ ମକର ପର୍ବ (ସଂକ୍ରାନ୍ତି) ପାଳନ କରିଥାନ୍ତି । ଏହି ଉତ୍ସବ ଓଡ଼ିଆ ଓ ଆଦିବାସୀ ସମେତ ଅନ୍ୟାନ୍ୟ ବର୍ଗ ବା ସମ୍ପ୍ରଦାୟର ଲୋକ ମଧ୍ୟ ପାଳନ କରିଥାନ୍ତି । ତିନିଦିନ ଧରି ପାଳନ କରାଯାଉଥିବା ଏହି ପର୍ବଟି କୃଷିକର୍ମରୁ ବିଶ୍ରାମ ନେବା ଓ ମନୋରଞ୍ଜନ କରିବାର ଉଦ୍ଦେଶ୍ୟରେ ପାଳିତ ହୁଏ ।

 

ଚୈତପର୍ବକୁ କେହି ବସନ୍ତ ଉତ୍ସବ ବୋଲି ମଧ୍ୟ କହନ୍ତି । ଏହା ଚୈତ୍ର ଶେଷ ହେବାର ଦୁଇଦିନ ପୂର୍ବରୁ ଆରମ୍ଭ ହୋଇ ସଂକ୍ରାନ୍ତି ଦିନ ଶେଷ ହୋଇଥାଏ । ବସନ୍ତ ଋତୁକୁ ବିଦାୟ ଦେଇ ନୂତନ ଋତୁଚକ୍ରକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଏ ପର୍ବ ପାଳନ କରାଯାଇଥାଏ ।

 

ଏହି ଚୈତ୍ରପର୍ବ ମୁଖ୍ୟତଃ ଛଉ ନୃତ୍ୟ ପାଇଁ ବିଖ୍ୟାତ । ବିଶ୍ୱପ୍ରସିଦ୍ଧ ଏହି ଛଉନୃତ୍ୟର ଅନୁପମ ମୁଖା, ଗତି ବା ଚାଲି, ବୋଲି ବା ସଙ୍ଗୀତ, ପୋଷାକ ଓ ଶୈଳୀ ପାଇଁ ଏହା ସ୍ୱତନ୍ତ୍ର । ପୁରୁଲିଆ ଏବଂ ମୟୁରଭଞ୍ଜ ନୃତ୍ୟ ଶୈଳୀଠାରୁ ଏହାର ଶୈଳୀ ଭିନ୍ନ । ଓଡ଼ିଆ ନୃତ୍ୟ, ସଙ୍ଗୀତ ଓ ଶୈଳୀର ପ୍ରଭାବ ଏହି ନୃତ୍ୟରେ ପରିପୁଷ୍ଟ । ଏହି ନୃତ୍ୟର ଓଡ଼ିଆତ୍ୱ ସମ୍ପର୍କରେ ମତ ଦେବାକୁ ଯାଇ ବିହାର ସରକାର ତାଙ୍କ ପ୍ରେସ ନୋଟରେ କହିଛନ୍ତି – ‘‘Government have made liberal grants for Ratha Yatra and the Chhow Dance which are typical oriya function. xxx The background of music of the dances – and the dances themselves are oriya in composition, conception and execution.’’ (୧୦)

 

୧୦.

A Colossal Hoax (Comments on Bihar Govt. Press Note, dt. Ranchi, 12 Sept, 1949) P-17, 52

 

ତେରଦିନ ଧରି ପାଳନ କରାଯାଉଥିବା ଧାର୍ମିକ କ୍ରିୟାଚାର (rituals)ରେ ୧୨ ଜାତିରୁ ୧୩ ଜଣ ଭକ୍ତ ଅଂଶଗ୍ରହଣ କରିଥାନ୍ତି । ଏହି ଧାର୍ମିକ କ୍ରିୟାଚାର ଭିନ୍ନ ଭିନ୍ନ ଅବସରରେ ଆଖତାମତା, ଯାତ୍ରାଘଟା, ଗରିଆଭାର, କାଳିକା ଘଟ, ବୃନ୍ଦାବନୀ ଆଦି ଉତ୍ସବର ଆୟୋଜନ କରାଯାଇ ତିନିଦିନ ଧରି ଛଉ ନୃତ୍ୟ ପ୍ରଦର୍ଶନ କରାଯାଏ ।

 

ଛଉନୃତ୍ୟର ଲୌକିକ ଶୈଳୀ ସତ୍ତ୍ୱେ ଏହାକୁ ସ୍ଥାନୀୟ ନୃତ୍ୟ ବିଶାରଦମାନେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେବାକୁ ଚାହାନ୍ତି । ଏହା ସ୍ୱୀକାର କରିବାରେ ଆଦୌ କୁଣ୍ଠା ପ୍ରକାଶ କରାଯାଇ ନ ପାରେ ଯେ, ଏହି ନୃତ୍ୟ ସ୍ଥାନୀୟ ଆଦିବାସୀ ଲୋକନୃତ୍ୟର ଏକ ପାରିମାର୍ଜିତ ପ୍ରକରଣ । ଏହାର ମୁଖା, ଏହାର ଗତି ବା ଚାଲିରେ ପ୍ରୟୋଗ ହେଉଥିବା ଲୋକଚାଲି ବା ଉପଲୟ (ଉଫଲି)ରୁ ଏହା ପ୍ରମାଣିତ ହୋଇଯାଏ ।

 

ଗୁଟିକୁଡ଼ା, ଧାନକୁଟା, ହଳଦୀମଖା, ଝୁଣ୍ଟିଦିଆ, ମାଛଧରା, ଛେଳି ଡ଼େଙ୍ଗା, ବତାଚିରା, ବାଘ ରାମ୍ପଡ଼ା ଇତ୍ୟାଦି ଉପଲି ଏହି ଲୋକାଚାରର ନମୁନା । ବୀରରସ ପୁଷ୍ପ ଏହି ନୃତ୍ୟ ଶୈଳୀ ମୂଳତଃ ସୈନିକମାନଙ୍କ ଫରିଖଣ୍ଡା ଖେଳ ଓ କସରତରୁ ଆସିଥିବା ଯୋଗୁଁ ଏଥିରେ କାଳକ୍ରମେ ଅନ୍ୟାନ୍ୟ ରସର ପ୍ରୟୋଗ କରାଯାଇ ଏହାକୁ ଶାସ୍ତ୍ରୀୟ ମାନ୍ୟତାର ଦାବି କରାଯାଉଛି । ମାତ୍ର ଷଢ଼େଇକଳା ଓ ଖରସୁଆଁ ଛଉନୃତ୍ୟ ଭିତରେ ଏକ ମୌଳିକ ପ୍ରଭେଦ ହେଉଛି ମୁଖା । ଖରସୁଆଁର ଛଉରେ ଷଢ଼େଇକଳା ପରି ମୁଖାର ପ୍ରୟୋଗ ହୋଇ ନଥାଏ । ମୟୁରଭଞ୍ଜର ନୃତ୍ୟଶୈଳୀ ସହ ଖରସୁଆଁ ଶୈଳୀର ସାଦୃଶ୍ୟ ଲକ୍ଷ୍ୟ କରାଯାଇପାରେ ।

 

ଲୋକ ସଂସ୍କୃତିକୁ ଚିହ୍ନିବାକୁ ହେଲେ ଲୋକସଂସ୍କାର ଓ ଲୋକ ବିଶ୍ୱାସ ତଥା ଲୌକିକ କ୍ରିୟାଚାର ଇତ୍ୟାଦି ସମ୍ପର୍କରେ ଅବଧାରଣା ରହିବା ଆବଶ୍ୟକ । ଷଢ଼େଇକଳା-ଖରସୁଆଁ ଅଞ୍ଚଳର ପ୍ରଚଳିତ ଲୋକ ସଂସ୍କାର ଓ ଲୋକ-ବିଶ୍ୱାସଗୁଡ଼ିକ ଓଡ଼ିଶାର ଲୋକ-ବିଶ୍ୱାସ ବା ସଂସ୍କାର ସହିତ ପ୍ରାୟ ମିଳି ଯାଉଥାଏ । ନିମ୍ନରେ ସେଗୁଡ଼ିକୁ ଉଲ୍ଲେଖ କରାଗଲା ।

 

ଜନ୍ମ ସଂସ୍କାର :

ପିଲା ଜନ୍ମ ହେବା ମାତ୍ରେ ନାହି କଟାଯାଏ ଓ ସମସ୍ତ ବିଧିପାଳନ କରାଯାଏ । ପାଞ୍ଚଦିନରେ ପଞ୍ଚୁଆତି କରାଯାଏ । ୬ଷ୍ଠ ଦିନରେ ଷଷ୍ଠୀପୂଜା ହୁଏ । ଜନ୍ମର ନବମଦିନରୁ ‘ବାର୍ତ୍ତା’ ବୋଲି କୁହାଯାଏ । ସେଦିନ ଘରର ଲୋକ (ବିଶେଷକରି ମାଆ) ନଖ କାଟିବେ । ତେଲ, ହଳଦୀ ଲଗାଇ ନୂଆ ଲୁଗା ପିନ୍ଧିବେ ଓ ଗାଧୋଇବେ । ୨୧ ଦିନରେ ଏକୋଇଶା ହୁଏ । କେହି କେହି ସତ୍ୟନାରାୟଣ ପାଲା କରନ୍ତି । ସେଦିନ କେହି ନାମକରଣ କରନ୍ତି । ନଅଦିନ ଯାଏ ଦିଅଁ ଦେବତା ପୂଜାକର୍ମ ନିଷେଧ ଥାଏ ।

 

ବିବାହ ସଂସ୍କାର

ଆଗେ ବରପକ୍ଷ କନ୍ୟା ଖୋଜି ଯାଉଥିଲେ । କନ୍ୟା ଘରେ ନିର୍ବନ୍ଧ ସ୍ଥିର ହେଉଥିଲା । ବାହାଘରର ଦୁଇଦିନ ପୂର୍ବରୁ ବେଦୀରେ ‘ମାଟିପକା’ କ୍ରିୟାଚାର ପାଳନ କରାଯାଏ । ଭଣ୍ଡାରୀ (ଭଣ୍ଡାରୁଣୀ) ବେଦୀର ଚାରିକୋଣରୁ ମାଟିନେଇ ସାତଟି ପତ୍ର ଦୋନାରେ ସାତଜଣ ସ୍ତ୍ରୀକୁ ଦିଏ । ବେଦୀରେ ମାଆ ଓ କନ୍ୟା ବା ବର ବସିବାବେଳେ ଏହି ସାତଜଣ ସ୍ତ୍ରୀ ସେମାନଙ୍କୁ ବନ୍ଦାଇ ଦିଅନ୍ତି-। ସାତ ସ୍ତ୍ରୀଙ୍କୁ ସାତଟି ଗୁଆ (ସୁପାରି) ଦିଆଯାଏ । ବାହାଘର ପୂର୍ବଦିନ ମଙ୍ଗଳହାଣ୍ଡି ସଜଡ଼ା ଯାଏ । ପାଉଡ଼ି ଦେବୀଙ୍କ ଦେହୁରୀ ଘରୁ ମାଟି ଆସି ସେ ହାଣ୍ଡିରେ ରହେ । ବାହାଘର ପରେ କନ୍ୟା ବିଦା ହୁଏ । ଚତୁର୍ଥୀଦିନ ଦହି ଓ ମାଛ, ମିଠା, ଖଇ-ଉଖୁଡ଼ା ଆଦି ଭାରଯାଏ । ବାହା ହୋଇସାରି ବୋହୂ ଶାଶୁଘରକୁ ଗଲାବେଳେ ପ୍ରଥମେ ଝୋଟି ଚିତା ଦେଇଥାଏ । ନଣନ୍ଦ ଦୁଆର ମୁହଁରେ ବାଟ ଓଗାଳି ଥାଏ । ତାକୁ ନଣନ୍ଦ ପେଡ଼ି ମିଳିଲା ପରେ ସେ ନୂଆ ବୋହୂଟିକୁ ବାଟ ଛାଡ଼େ-। ତା’ପରେ ମୁହଁ ଦେଖାହୁଏ । ବୋହୁଟି ପ୍ରଥମେ ସାତଟି କାଠର ପୀଢ଼ା ଓ ସାତଟି ଧାତୁ ନିର୍ମିତ ବାଟିକୁ ଗୋଟି ଗୋଟି କରି ଥାକରୁ ଓହ୍ଲାଇ ତଳେ ରଖେ ।

 

ମୃତ୍ୟୁ ସଂସ୍କାର:

ପ୍ରଥମେ ଶବକୁ ତୁଳସୀ ଚଉଁରା ପାଖରେ ରଖି ଗାଧୋଇ ଦିଆଯାଏ ଏବଂ ପୂଜା କରାଯାଏ । ପୁରୁଷ ଲୋକ ପଇତା ପିନ୍ଧିଥିଲେ ତାକୁ ଓଲଟା କାନ୍ଧରେ ପିନ୍ଧାଇ ଦିଆଯାଏ । ସ୍ତ୍ରୀଲୋକର ଶବ ହୋଇଥିଲେ ତା ଚୁଡ଼ି, ଅଳତା ଓ ସିନ୍ଦୁରକୁ ଅନ୍ୟ ସ୍ତ୍ରୀ ଲୋକମାନେ ସଂଗ୍ରହ କରିନିଅନ୍ତି । ପୂଜା କରିବା ପାଇଁ । ନୀଚଜାତିର ଲୋକେ ଶବକୁ ମାଟିରେ ପୋତୁଥିବାବେଳେ ଉଚ୍ଚଜାତିରର ଲୋକେ ଦାହ କରିଥାନ୍ତି । ଶବକୁ ଶ୍ମଶାନକୁ ନେବା ପୂର୍ବରୁ ରାସ୍ତାରେ ବା ଗାଁ ମୁଣ୍ଡରେ ଥିବା କୌଣସି ଅଶ୍ୱତଥ୍ ଗଛ ତଳେ ରଖି ଆତ୍ମୀୟମାନେ ବଡ଼ ପାଟିରେ କହନ୍ତି – ‘ଶରୀରରେ ଜୀବନ ଥିଲେ ଫେରିଆ, ନ ହେଲ, ଆମେ ଦାହ କରିଦେବୁ’ ଏପରି ବିଶ୍ୱାସ ପଛରେ ଶବଟି ପୁନର୍ଜୀବିନ ଫେରି ପାଇବାର ଆଶା ଥାଏ । ‘ତେର ଗଡ଼ିଆ’ ବା ତେରଖଣ୍ଡ କାଠଗଡ଼ରେ ଜୁଇ ପ୍ରସ୍ତୁତ ହୁଏ । ମୃତଲୋକର ବଡ଼ ପୁଅ ମୁଖାଗ୍ନି ଦେଇଥାଏ । ମଶାଣୀରୁ ଫେରି ଗୋବରର ଓ ଧାନ ଛୁଇଁ ଶୌଚ ହୋଇ ଘରକୁ ପଶନ୍ତି । ରାତିରେ ଅଧୁଆ ଚାଉଳର ଭାତ, ତେନ୍ତୁଳି ଓ ବିରିଡାଲିକୁ ଘର ବାହାରେ ନୂଆ ହାଣ୍ଡିରେ ରାନ୍ଧି ସମସ୍ତେ ଭୋଜନ କରନ୍ତି । ଭୋଜନ ପରେ ହାଣ୍ଡିକୁ ଫିଙ୍ଗି ଦିଆଯାଏ । କଟା ପରିବା, ବଟା ମସଲା, ତେଲ ଇତ୍ୟାଦି ଖିଆଯାଏ ନାହିଁ ।

 

ମୁଖାଗ୍ନି ଦେଇଥିବା ଲୋକ ଗୋଟେ ପତ୍ର ଦୋନାରେ ପ୍ରେତକୁ ଖାଇବା ଦ୍ରବ୍ୟ ସମର୍ପଣ କରିସାରି ଖାଇବସେ । ସେ ୧୦ ଦିନ ଯାଏ ଖଣ୍ଡିଏ ଲୁଗା ପିନ୍ଧେ, ତଳେ ଶୁଏ, ଯୋତା କି ଛତା କଲମ ଆଦି ବ୍ୟବହାର କରେନାହିଁ । ତେଲ ଲଗାଏ ନାହିଁ । ମୁଣ୍ଡ କୁଣ୍ଡାଏ ନାହିଁ । ତୃତୀୟ ଦିନ ଶ୍ମଶାନରୁ ଅସ୍ଥି ଅଣାଯାଇ ପଞ୍ଚମଦିନ ଗଙ୍ଗାରେ ବିସର୍ଜନ କରାଯାଏ । ଦଶମଦିନ ମୁଣ୍ଡନ କରାଯାଏ-। ଏକାଦଶ ଦିନ ବ୍ରାହ୍ମଣ ଭୋଜନ ଓ ଦାନ କର୍ମ ସମ୍ପାଦିତ ହୁଏ ।

 

ଲୋକ-ବିଶ୍ୱାସ:

ଲୋକ ଜୀବନରରେ ନାନା ପରିସ୍ଥିତିରେ ଫଳିତ ଘଟଣାଗୁଡ଼ିକ ସହିତ ନାନାବିଧ ଶୁଭାଶୁଭ ଶକୁନ ବା ଫଳାଫଳକୁ ଯୋଡ଼ି କରି ଦେଖାଯାଇଥାଏ । ଏହି ଲୋକବିଶ୍ଵାସ ଗୁଡ଼ିକୁ ସାମାଜିକ ଜୀବନ ଓ ସାଂସ୍କୃତିକ ଅବବୋଧ ଗୁଡ଼ିକ ସମ୍ପର୍କରେ ଯଥେଷ୍ଟ ଧାରଣା ଯୋଗାଇ ଥାଆନ୍ତି । ନିମ୍ନରେ ସେଗୁଡ଼ିକୁ ବିଶ୍ୱାସ, ଶୁଭ, ଅଶୁଭ ଓ ନିଷେଧ ଇତ୍ୟାଦି ଭେଦରେ ଉଲ୍ଲେଖ କରାଗଲା ।

 

(କ) ଲୋକ-ବିଶ୍ୱାସ

୧.

ଖାଇଲାବେଳେ କାଶିଲେ ବା ତଣ୍ଟିରେ ଅଟକିଲେ କେହି ଆତ୍ମୀୟ ମନେ ପକାଉଛି ବୋଲି ବିଶ୍ୱାସ କରାଯାଏ ।

୨.

ରାସ୍ତାରେ ଚାଲିବାବେଳେ ଝୁଣ୍ଟିଲେ କେହି ଗାଳି ଦେଉଛି ବା ଅମଙ୍ଗଳ ପାଞ୍ଚୁଛି ।

୩.

ଗୋଟିଏ ତାରା ଦେଖିଲେ ଅଯାଚିତ ମରଣ ଆସେ ।

୪.

ଗଣେଶ ଚତୁର୍ଥୀ ଦିନ ଜହ୍ମ ଦେଖିଲେ ଦୋଷ ଲାଗେ ।

୫.

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦିନ ଖାଇଲେ ବା ହଣାକଟା କାମ କଲେ ଅଙ୍ଗଛେଦ ହୁଏ ।

୬.

ଶାଳପତ୍ରରେ ଓଲଟା ଖାଇଲେ ଅଶୁଭ ।

୭.

ଭୂତ, ପ୍ରେତ, ଡାଆଣୀରେ ବିଶ୍ୱାସ ।

୮.

ଛୁଆଁ-ଅଛୁଆଁରେ ବିଶ୍ୱାସ ।

୯.

କୌଣସି ବର୍ଷ ଭଲ ତେନ୍ତୁଳି ଫଳିଲେ ବର୍ଷା ହୁଏ ନାହିଁ ।

୧୦.

ଆମ୍ବ ଭଲ ଫଳିଲେ ବର୍ଷା ଭଲ ହୁଏ ।

୧୧.

ପିଲା ବଞ୍ଚୁ ନ ଥିଲେ ଘାସି (ଅସ୍ପୃଶ୍ୟ ଜାତି)କୁ ବିକ୍ରୀ କରିଦେଲେ ସେ ବଞ୍ଚେ ।

୧୨.

ଘୃଣା ବା ଅସୁନ୍ଦର ନାମ ଦେଲେ ପିଲାର ମୃତ୍ୟୁ ହୁଏ ନାହିଁ । ଯଥା – ଘାସି, ପାଗଳା, ବୁଢା ଇତ୍ୟାଦି ।

୧୩.

ଲଙ୍କା ହାତରେ ଦିଆଗଲେ ଶତ୍ରୁତା ବଢ଼େ ।

୧୪.

ଲୁଣ ଉଧାର ନେଲେ ଫେରାଇବା ନିଶ୍ଚିତ ।

୧୫.

ଲୁଣ ଭୂଇଁରେ ପକାଯାଏ ନାହିଁ ।

୧୬.

ବିଧବା ଶୁଭ କର୍ମରେ ଅଂଶଗ୍ରହଣ କରିପାରିବ ନାହିଁ ।

୧୭.

ଛୁଆଙ୍କ ଦୃଷ୍ଟି ନଜରରୁ ରକ୍ଷା କରିବା ପାଇଁ କଳା ଟୋପା ପିନ୍ଧାଯାଏ ।

୧୮.

ଫଳନ୍ତି ଗଛରୁ ଚୋରିକଲେ ଆଉ ଗଛ ଫଳେ ନାହିଁ ।

୧୯.

ଝିଟିପିଟି ଟିକ୍ ଟିକ୍‌ କଲେ କଥାର ସତ୍ୟତା ସିଦ୍ଧ ହୁଏ ।

୨୦.

ପିଲାଙ୍କ ଦେହରେ କହୁଣୀ ବାଜିଲେ ସାତଥର ଚିମୁଡ଼ିବା ଦରକାର ।

୨୧.

ବିଞ୍ଚଣା (ପଙ୍ଖା) ଦେହରେ ବାଜିଲେ ଭୁଇଁଲେ ସାତଥର ପିଟିବା ।

 

(ଖ)      ଶୁଭ ସଙ୍କେତ:

୧.

ଭରା କୁମ୍ଭ ଦେଖିଲେ ।

୨.

ଖାଲି କୁମ୍ଭ ନେଇ ପାଣି ଭରିବାକୁ ଯାଉଥିବା ସ୍ତ୍ରୀ ।

୩.

ଶବ ଦେଖିଲେ ।

୪.

ପୁରୁଷର ଡାହାଣ ଆଖି ଓ ସ୍ତ୍ରୀର ବାଁ ଆଖି ଡେଇଁଲେ ।

୫.

ମାଛ ଦେଖିଲେ ।

୬.

ଦହି ଖାଇ ଘରୁ ଯାତ୍ରା ଆରମ୍ଭ କଲେ ।

୭.

ନଡ଼ିଆ, ବେଲ ଓ ଗୁଆ ଶୁଭ ।

୮.

ବାଁ ପାଖରେ (ବାମ ଦିଗରେ) ଶିଆଳ ଦେଖିଲେ ।

୯.

ଡାହାଣ ଦିଗରେ ସାପ ଓ ନେଉଳ ଦେଖିଲେ ।

 

(ଗ) ଅଶୁଭ ଶକୁନ :

୧.

ଖାଲି ମାଠିଆ

୨.

ଅପୁତ୍ରିକର ମୁହଁ

୩.

ଗୋଟିଏ ଆଖି ଦଳୁଥିବା ଲୋକ ।

୪.

କଣା, କୁଜା ଓ ଛୋଟା ବ୍ୟକ୍ତିର ମୁହଁ ।

୫.

ଭଙ୍ଗା ହେଉଥିବା ଘରର ଦୃଶ୍ୟ ।

୬.

ଅନୁକୂଳ କରି ଯାଉଥିବା ବେଳେ ଗଛରୁ ଡାଳ ଭାଙ୍ଗିପଡ଼ିବା ।

୭.

ଗଲାବେଳେ (ରାସ୍ତାରେ) ବିରାଡ଼ି ଛିଙ୍କିବା ।

୮.

ମା’ ବ୍ୟତିତ ଆଉ କେହି ପଛରୁ ଡାକିବା ।

୯.

ମଧ୍ୟାହ୍ନରେ କାଉ ରାବିବା ।

୧୦.

ରାତିର ପେଚା ବୋବାଇବା ।

୧୧.

କୁକୁର କାନ୍ଦିବା ।

୧୨.

ଘର ଭିତରେ ବିଲୁଆ ପଶିବା କିମ୍ବା ଚାଳରେ ପେଚା ଓ ଶାଗୁଣା ବସିବା ।

୧୩.

ଝିଟିପିଟି ଦେହରେ ଖସିଲେ ।

୧୪.

ଉତ୍ତରକୁ ମୁଣ୍ଡ କରି ଶୋଇବା

୧୫.

ଦୁଧ ଦେଖି ଯାତ୍ରା କରିବା ।

୧୬.

ଆକାଶରୁ ତାରା ଖସିବା ।

 

(ଘ) ନିଷେଧ:

୧.

ନିଜ ଗୋତ୍ରର ପଶୁପକ୍ଷୀଙ୍କୁ ହତ୍ୟା କରିବା ।

୨.

ଶାଶୂ-ଶ୍ୱଶୁର, ଦେଢ଼ଶୁର, ସ୍ୱାମୀଙ୍କ ନାଁ ଧରିବା ।

୩.

ପୂଜା ସରଞ୍ଜାମ ଧରି ଛିଙ୍କିବା ।

୪.

ଦେଢ଼ଶୁରଙ୍କ ଳୁଗା, ଅଇଁଠା ଓ ବ୍ୟବହୃତ ଦ୍ରବ୍ୟ ଛୁଇଁବା ।

୫.

ଜନ୍ମବାରରେ ବାଳ ଓ ନିଶଦାଢ଼ି କାଟିବା ।

୬.

ରାତିରେ ଘରର ଅଳିଆ ବାହାରକୁ କାଢ଼ିବା ।

୭.

ଅଶ୍ୱତ୍‌ଥ, ପଣସ, କଦଳୀ ଓ ବାଉଁଶ ଗଛ ଲଗାଇବା (ଯୁବକ ଓ ପିଲାମାନଙ୍କ ପାଇଁ)

୮.

ଘର ଆଗରେ ସଜନା ଓ ବରକୋଳି ଗଛ ଲଗାଇବା ।

୯.

ଗୁରୁବାର, ସଂକ୍ରାନ୍ତି ଓ ପୂର୍ଣ୍ଣିମାରେ ଘରର ଅଳନ୍ଧୁ ସଫା କରିବା ।

୧୦.

ବାବା-ମାଆ ବଞ୍ଚିଥିଲେ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ ବା ରାତିରେ ପିତା ଖାଇବା ।

୧୧.

ବେଲ, ଅଶ୍ୱତ୍‌ଥ ଓ ଫଳନ୍ତି ଗଛ କାଟିବା ।

୧୨.

ଅମାବାସ୍ୟା ଓ ସଂକ୍ରାନ୍ତିରେ ହଳ କର୍ଷଣ ।

୧୩.

ମାଘ ମାସରେ ବିଧବା ସ୍ତ୍ରୀ ଲୋକର ମୂଳା ଓ ବରକୋଳି ଖାଇବା ।

୧୪.

ରାତିରେ ଲୁହା, ଛୁଞ୍ଚି, ହଳଦୀ, କାଠ, ତେଲ, ତିଳ, ଯବ, ଖଟିଆ, ସିନ୍ଦୁର ଦେବା ବା ବିକ୍ରୀ କରିବା ।

୧୫.

ରାତିରେ କପଡ଼ାରେ ଖୋଳ ସିଲେଇ କରିବା ।

୧୬.

ଘର ଦୁଆର ଆଗରେ ଝାଡ଼ୁ, ହାଣ୍ଡି ରଖିବା ।

୧୭.

ଏକା ସାଙ୍ଗରେ ଝାଡ଼ୁ, ହାଣ୍ଡି ଓ କୁଲା ରଖିବା ।

୧୮.

ରାତିରେ ମାଟି ଖୋଳିବା ।

୧୯.

ସୂର୍ଯ୍ୟଗ୍ରହଣ ଓ ପରାଗ ସମୟରେ ଗର୍ଭବତୀ ସ୍ତ୍ରୀଙ୍କର କାଟିବା, ଛେଚିବା ବା ଖୋଳିବା କି କଣା କରିବା ।

୨୦.

ଭଙ୍ଗା ଦର୍ପଣ ଘରେ ରଖିବା ।

୨୧.

ପିଲାର ଜନ୍ମବାରରେ ମାଆର ନୂଆ ଲୁଗା ପିନ୍ଧିବା ।

୨୨.

ମୂରବୀ (ଗୁରୁଜନ)ଙ୍କ ମୃତ୍ୟୁ ଦିବସରେ କାହାରିକୁ ଧାନ, ଚାଉଳ ଦିଆଯାଏ ନାହିଁ ।

୨୩.

ସ୍ତ୍ରୀ (ଋତୁମତୀ)ର ଡଙ୍ଗାରେ ବସିବା ।

 

ମାନବ ଜୀବନ ସଂସ୍କୃତିର ଅବୟବ ଓ ଅବଲମ୍ବନ । ସଂସ୍କୃତି ଜୀବନ ସଂପୃକ୍ତ ଶ୍ରମ ଓ ସାଧନା ବା କର୍ମଶକ୍ତି ଓ ମନନ ଶକ୍ତିଜାତ ସୃଜନଶୀଳତା, ଯାହାର ପ୍ରକାଶ ଦୃଷ୍ଟିଗ୍ରାହ୍ୟ ଓ ଉପଲବ୍ଧିଗତ ରୂପେ ପ୍ରତୀୟମାନ ହୁଏ । (୧୧) ପାରସ୍ପରିକ ସଂଯୋଗ ଓ ସଂହତିର ଭିତ୍ତିରେ ଗଢ଼ି ଉଠିଥିବା ଲୋକ ସମାଜର ପାରସ୍ପରିକ ଆତ୍ମିକ ସଂଯୋଗ ଓ ଜୀବନଯାପନ ପଦ୍ଧତିରୁ ଉଦ୍‌ଭୂତ ସଂସ୍କୃତିହିଁ ଲୋକ ସଂସ୍କୃତି । ଏହି ଲୋକ ସଂସ୍କୃତିକୁ ଲୋକସଂସ୍କୃତିବିଦ୍‌ମାନେ ମୁଖ୍ୟତଃ ପାଞ୍ଚଟି ଭାଗରେ ବିଭକ୍ତ କରିଥାନ୍ତି । ଯଥା-୧. ଦୈହିକ କ୍ରିୟାଧର୍ମୀ, ୨. ଶିଳ୍ପଧର୍ମୀ, ୩. ବାକ୍‌ଧର୍ମୀ, ୪. ପ୍ରୟୋଗ ଧର୍ମୀ ଓ ୫. ବିଶ୍ୱାସ ଅନୁଷ୍ଠାନ ଧର୍ମୀ ।

 

ଦୈହିକ କ୍ରିୟାଧର୍ମୀ ସଂସ୍କୃତିରେ କ୍ରୀଡ଼ା, ଅଭିନୟ, ଇଙ୍ଗିତ, ନୃତ୍ୟ-ଅନୁଷ୍ଠାନ, ସଙ୍ଗୀତ ବାଦ୍ୟ ଇତ୍ୟାଦିର ଚର୍ଚ୍ଚା କରାଯାଉଥିବା ବେଳେ ଶିଳ୍ପଧର୍ମୀ ସଂସ୍କୃତିରେ ଚାରୁ ଓ କାରୁକଳା, ଶିଳ୍ପ, ଗୃହ, ସ୍ଥାପତ୍ୟ, ଆସବାବପତ୍ର, ପୋଷାକ ଓ ଶୃଙ୍ଗାର, ଯାନବାହନ, ବ୍ୟବହାରିକ ଉପକରଣ ଏବଂ ରନ୍ଧନ ସାମଗ୍ରୀ ଇତ୍ୟାଦିର ଚର୍ଚ୍ଚା କରାଯାଇଥାଏ । ଠିକ୍ ସେହିପରି ବାକ୍‌ଧର୍ମୀ ପ୍ରସଙ୍ଗରେ ଭାଷା, ଲୋକକଥା, ପ୍ରବାଦ-ପ୍ରବଚନ, କିମ୍ବଦନ୍ତୀ, ଲୋକଗୀତ ଇତ୍ୟାଦିର ଚର୍ଚ୍ଚା କରାଯାଏ ଓ ପ୍ରୟୋଗଧର୍ମୀ ସଂସ୍କୃତିରେ ଗୁଣିଗାରେଡ଼ି, ଝାଡ଼ଫୁଙ୍କ, ଚିକିତ୍ସା ଓ ଔଷଧ-ପଥ୍ୟ ଲୋକବିଶ୍ୱାସ ଆଦିର ଆଲୋଚନା କରାଯାଇଥାଏ । ବିଶ୍ୱାସ-ଅନୁଷ୍ଠାନଧର୍ମୀ ସଂସ୍କାରରେ ଲୋକସଂସ୍କାର, ଧର୍ମୀୟ କ୍ରିୟାଚାର (rituals), ପର୍ବପର୍ବାଣୀ, ପ୍ରଥା ଓ ପରମ୍ପରା ଇତ୍ୟାଦିର ଚର୍ଚ୍ଚା କରାଯାଇଥାଏ-

 

୧୧.

ତୁଷାର ଚଟ୍ଟୋପାଧ୍ୟାୟ, ଲୋକସଂସ୍କୃତିର ତତ୍ତ୍ୱରୂପ ଓ ସ୍ୱରୂପ ସନ୍ଧାନ, (ଏ. ମୁଖାର୍ଜୀ ଏଣ୍ଡ୍‍ କୋ.ପ୍ରା.ଲିଃ., କଲିକତା, ୧୯୮୦) ପୃ-୬୯

 

ଏହି ସମସ୍ତ ବିଭାଗ ଷଢ଼େଇକଳା-ଖରସୁଆଁର ଲୋକ-ସଂସ୍କୃତିରେ ଦେଖିବାକୁ ମିଳେ । ଓଡ଼ିଶାର ଲୋକ–ସଂସ୍କୃତି ସହିତ ତୁଳନା କରି ଦେଖିଲେ ଅନେକ କ୍ଷେତ୍ରରେ ସାଦୃଶ୍ୟ ଓ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥିବା ସତ୍ତ୍ୱେ କେତେକ କ୍ଷେତ୍ରରେ ବୈଚିତ୍ର୍ୟ ମଧ୍ୟ ପରିଦୃଷ୍ଟ ହୁଏ । ଓଡ଼ିଶା ପରି ଝୋଟି, ଚିତା, ମୁରୁଜ ଓ ଗୃହସଜ୍ଜା, କଳା ଓ ସ୍ଥାପତ୍ୟ ପୋଷାକ ଓ ଶୃଙ୍ଗାର ତଥା ନୃତ୍ୟ, ଗୀତ, ପାଲା ଓ ଅଭିନୟ ଆଦିର ନିଦର୍ଶନ ଓଡ଼ିଆ ସଂସ୍କୃତିକୁ ଉଜ୍ଜୀବିତ କରିଥାଏ । ଖାଦ୍ୟ ଓ ପାନୀୟ, ଲୋକବିଶ୍ୱାସ ଓ ଗୁଣିଗାରେଡ଼ି, ଝାଡ଼ଫୁଙ୍କ, ପ୍ରଥା ଓ ପରମ୍ପରା ଆଦି କ୍ଷେତ୍ରରେ ମଧ୍ୟ ଏହି ସାଦୃଶ୍ୟଗୁଡ଼ିକୁ ଲକ୍ଷ୍ୟ କରାଯାଏ ।

 

ନିମ୍ନରେ କେତେକ ପର୍ବପର୍ବାଣି, ଖାଦ୍ୟ-ପାନୀୟ ଓ ଆଳି – ଅଳଙ୍କାର ଆଦିର ଉଲ୍ଲେଖ କରାଗଲା-

 

ପର୍ବପର୍ବାଣି

୧.

ପାଟପଣା ସଂକ୍ରାନ୍ତି

୨.

ଅକ୍ଷୟ ତୃତୀୟା

୩.

ରଜ ସଂକ୍ରାନ୍ତି

୪.

ଶୀତଳ ଷଷ୍ଠୀ

୫.

ଦେବସ୍ନାନ ପୂର୍ଣ୍ଣିମା

୬.

ରଥ ଓ ବାହୁଡ଼ା ଯାତ୍ରା

୭.

ଚିତଉ ଅମାବାସ୍ୟା

୮.

ଗହ୍ମା ପୂର୍ଣ୍ଣିମା

୯.

ରେଖା ପଞ୍ଚମୀ

୧୦.

ଷଷ୍ଠୀ ଓଷା

୧୧.

ସୁନିଆଁ ଓ ଇନ୍ଦ୍ରୋତ୍ସବ

୧୨.

ନୂଆଖିଆ ଜନ୍ତାଳ

୧୩.

ଜତୁଆଷ୍ଟମୀ (କରମ ପୂଜା)

୧୪.

ନିଶା ମଙ୍ଗଳବାର ଓଷା

୧୫.

ଦୁର୍ଗା ପୂଜା

୧୬.

କୁମାର ପୂର୍ଣ୍ଣିମା

୧୭.

ଗର୍ଭଣା ସଂକ୍ରାନ୍ତି

୧୮.

କାଳୀପୂଜା ଓ ବନ୍ଦନା ପର୍ବ

୧୯.

ବିଷ୍ଣୁ ପଞ୍ଚକ

୨୦.

ରାସପୂର୍ଣ୍ଣିମା ଓ ଡଙ୍ଗାଭସା

୨୧.

ପ୍ରଥମାଷ୍ଟମୀ

୨୨.

ପ୍ରବରଣ ଷଷ୍ଠୀ

୨୩.

ମାର୍ଗଶିର ଗୁରୁବାର ଓଷା

୨୪.

ସୁଦଶାବ୍ରତ

୨୫.

ଧନୁ ସଂକ୍ରାନ୍ତି

୨୬.

ବକୁଳ ଅମାବାସ୍ୟା

୨୭.

ମକର ସଂକ୍ରାନ୍ତି

୨୮.

ସମ୍ବର ଦଶମୀ

୨୯.

ପୁଷ୍ୟାଭିଷେକ

୩୦.

ରବିନାରାୟଣ ବ୍ରତ

୩୧.

ମଙ୍ଗଳା ଓଷା

୩୨.

ଚୈତ୍ର ପର୍ବ

୩୩.

ବୁଣା ପୂଜା

୩୪.

ଆଷାଢ଼ ପୂଜା

୩୫.

କ୍ଷେତବଢ଼ା

 

ଖାଦ୍ୟ-ପାନୀୟ

ପଖାଳ

୨.

ଭୁଜା (ମୁଢ଼ି)

୩.

ଆରିସା ପିଠା

୪.

କାକରା ପିଠା

୫.

ମଣ୍ଡା ପିଠା

୬.

ପୁଳି ପିଠା

୭.

ପୁଆ ପିଠା

୮.

ମାଲପୁଆ

୯.

ଏଣ୍ଡୁରି ପିଠା

୧୦.

ଚକୁଳି ପିଠା

୧୧.

ସୁରୁ ଚକୁଳି

୧୨.

ପୁଡ଼ା (ପୋଡ଼) ପିଠା

୧୩.

ସୁରି ପିଠା (ଛୁଞ୍ଚିପତ୍ର)

୧୪.

ଚିତଉ ପିଠା

୧୫.

ଛିଲକା ପିଠା

୧୬.

ପୁଷ ଗଇଁଠା

୧୭.

ଦହ ଘଣ୍ଟା

୧୮.

ଖଇଁ ମୁଆଁ

୧୯.

ଭୁଜା ମୁଆଁ

୨୦.

ଚୁଡ଼ା ମୁଆଁ

୨୧.

ଭୁଜା କୁନ୍ଦା

୨୨.

ଭାତ ବଡ଼ା

୨୩.

ଖିରୀ

୨୪.

ମିଠାଇ

୨୫.

ଖଜା

୨୬.

ଗଜା

୨୭.

ସାତପୁରୀ

୨୮.

ସରଦପୁଳି

୨୯.

ପାଳ କାକରା

୩୦.

ଝିଲିପଣା

୩୧.

ଅମୃତ ରସାବଳୀ

 

ଆଳି-ଅଳଙ୍କାର

(କ)

ପୁରୁଷଙ୍କ ଅଳଙ୍କାର:

 

୧.

ବଳା

 

୨.

ମକର କୁଣ୍ଡଳ

 

୩.

କଣ୍ଠି

 

୪.

ଧାନମାଳୀ

 

୫.

ଗିନ ମାଳୀ

 

୬.

ବାହୁଟ

 

୭.

ଲବଙ୍ଗ ଫୁଲ

 

୮.

ମୁଦି

 

୯.

ମୁଦ୍ରା

 

 

 

(ଖ)

ସ୍ତ୍ରୀ ଅଳଙ୍କାର:

 

୧.

କିଆ ଫୁଲ

 

୨.

ଝରଗୁଞ୍ଜ କାଠି

 

୩.

ଗୁଞ୍ଜ କାଠି

 

୪.

ମଲ୍ଲୀ କଢ଼ି

 

୫.

ପାନପତର

 

୬.

ସେବତୀ ଫୁଲ

 

୭.

ଚିରୁଣୀ

 

୮.

ପାନିଆଁ

 

୯.

ପ୍ରଜାପତି

 

୧୦.

କଣ୍ଟାଫୁଲ

 

୧୧.

କର୍ଣ୍ଣଫୁଲ

 

୧୨.

ଝୁମ୍‌ଝୁମା

 

୧୩.

ମାଛମାଳି

 

୧୪.

ସୂତାମାଳି

 

୧୫.

ଆମ କଷି

 

୧୬.

ଟୀକା

 

୧୭.

ସିନ୍ଥୀପାତସୀ

 

୧୮.

ଚନ୍ଦ୍ରସୂର୍ଯ୍ୟ

 

୧୯.

ବେଣୀ ସଜ

 

୨୦.

ଧେଡ଼ି

 

୨୧.

କାପ

 

୨୨.

ଗାଣ୍ଠିଆ

 

୨୩.

ଫୁଲି

 

୨୪.

ମଜୁରୀ

 

୨୫.

ଗୁଲାପ

 

୨୬.

ପେଁଜନ

 

୨୭.

ଝରାଫୁଲ

 

୨୮.

ଦଣ୍ଡ

 

୨୯.

କଣ୍ଠି

 

୩୦.

ହାର

 

୩୧.

ସୂତା

 

୩୨

ଚମ୍ପାକଢ଼ି

 

୩୩.

ଧାନମାଳୀ

 

୩୪.

ଗିନିମାଳୀ

 

୩୫.

ବାଜୁ

 

୩୬.

ବାଲା

 

୩୭.

ଚୂଡ଼

 

୩୮.

ଅନନ୍ତ

 

୩୯.

ଆଗପଛ

 

୪୦.

ମୁଦି

 

୪୧.

ହାତପଦ୍ମ

 

୪୨.

ଚନ୍ଦ୍ରହାର

 

୪୩.

ଅଣ୍ଟାସୂତା

 

୪୪.

ପା ପଦ୍ମ

 

୪୫.

ପାହୁଡ଼

 

୪୬.

ଗୋଡ଼ବଳା

 

୪୭.

ମାଳ

 

୪୮.

ଝୁଣ୍ଟିଆ

 

୪୯

ବନ୍ଦରିଆ

 

୫୦.

କତରିଆ

 

୫୧.

ଜାଲବିଛା

 

୫୨.

ବାଙ୍କ

 

ଷଢ଼େଇକଳା-ଖରସୁଆଁର ଲୋକ ସଂସ୍କୃତି ମୁଖ୍ୟତଃ ଓଡ଼ିଆ ଲୋକସଂସ୍କୃତି ହୋଇଥିଲେ ହେଁ ଏହା ସ୍ଥାନୀୟ ଆଦିବାସୀ ଓ ଅନ୍ୟାନ୍ୟ ଭାଷାଭାଷୀ ବା ଗୋଷ୍ଠୀର ସଂସ୍କୃତିଦ୍ୱାରା ପ୍ରଭାବିତ । ଏହାର ଖାଦ୍ୟ, ପୋଷାକ, ନୃତ୍ୟ-ସଙ୍ଗୀତ, ପର୍ବପର୍ବାଣୀ ଓ ଲୋକାଚାର ଆଦି ଏହି ବୈଚିତ୍ର୍ୟର ପ୍ରମାଣ ଯୋଗାଇଥାଏ ।

 

***

 

Unknown

କୃଷ୍ଣଚରଣଙ୍କ ବହୁବର୍ଣ୍ଣା ଗଦ୍ୟସମ୍ଭାର : ଏକ ବିମର୍ଷ

ଗୋପାଳକୃଷ୍ଣ ଆଚାର୍ଯ୍ୟ

 

ଶୃଙ୍ଖଳାର ନିପୀଡ଼ନଠାରୁ ଦୂରେ ରହି ଅନ୍ତରୀଣ ଭାବସୂତ୍ର ସହ ସମ୍ପର୍କ ଯୋଡ଼ି ଯେଉଁ ଗଦ୍ୟସ୍ରଷ୍ଟା ସୃଷ୍ଟି ସମ୍ଭାରକୁ ସମ୍ମୁଖକୁ ଆଣିଥାଏ, ସେ ହୋଇଯାଏ ହୃଦୟାହ୍ଲାଦକାରୀ ସ୍ରଷ୍ଟା । ଏମିତି ଏକ ବିସ୍ମୟକର ବ୍ୟକ୍ତିତ୍ୱ ହେଉଛନ୍ତି ଚଳନ୍ତି ସମୟର ସାହିତ୍ୟ, ସଙ୍ଗଠନ, ସମ୍ପାଦନା ଓ ରମ୍ୟରଚନାର ଅଗ୍ରଣୀ କର୍ଣ୍ଣଧାର ଡକ୍ଟର କୃଷ୍ଣଚରଣ ବେହେରା । ହାଲୁକା କଥା କେଇପଦରେ ସେ ବାନ୍ଧି ରଖନ୍ତି ମନଗହନକୁ । ମଣିଷ ଓ ସମାଜକୁ ଭଲ ପାଇ ବସନ୍ତି ଅତି ନିବିଡ଼ ଭାବରେ । ସମାଜର ଉନ୍ନତି ଓ ମାନବସମ୍ବଳର ବିକାଶ ପାଇଁ ସେ ରଚି ବସନ୍ତି ରାଶି ରାଶି ପ୍ରବନ୍ଧ, ରମ୍ୟରଚନା, ସାହିତ୍ୟାଲୋଚନା, ସମାଲୋଚନା ଓ ସମ୍ପାଦନା । ଷାଠିଏ ବର୍ଷରୁ ଉର୍ଦ୍ଧ୍ୱକାଳ ସେ କେବଳ ତପସ୍ୟା କରିଛନ୍ତି ବିଦଗ୍‍ଧ ବଟଦ୍ରୁମ ତଳେ ବାଙ୍‍ମୟ ସିନ୍ଧୁସୈକତରେ । ଗଦ୍ୟଶୈଳୀ ତାଙ୍କର ଏକାନ୍ତ ନିଜସ୍ୱ । ତାଙ୍କ ହାତରେ ଯେଉଁ ତାନପୁରାଟି ରହିଛି ତାହା କେତେବେଳେ କେଉଁ ରୂପ ନିଏ ତାହା ପାଠକେ ହିଁ ବୁଝନ୍ତି । ଗମ୍ଭୀର, ମଧୁର, ଉଦାର ବା ଲାସ୍ୟ-ଚଞ୍ଚଳ ଧ୍ୱନିରେ ସେ ବାଜିଉଠେ ସମୟାନ୍ତରରେ । ଡଃ ବେହେରାଙ୍କ ଗଦ୍ୟରଚନାକୁ ନୂତନତ୍ୱ ଦେଇଛି ତାଙ୍କର ଯୁକ୍ତି, ପ୍ରାଞ୍ଜଳତା ଓ ଚିନ୍ତାଶୃଙ୍ଖଳା । ଏ ସମଗ୍ର ରଚନାର ଜୀବନଶକ୍ତି ମୂଳରେ ଛପି ରହିଛି ତାଙ୍କର କଥ୍ୟରୀତି ଓ ବାଗବେୈଶିଷ୍ଟ୍ୟ । ତାଙ୍କର ଅନେକ ଚରିତ ସାହିତ୍ୟ, ରମ୍ୟରଚନା, ଆଲୋଚନା ଓ ପ୍ରବନ୍ଧାବଳୀରେ ପ୍ରକଟିତ ହୋଇଛି ଦୈନନ୍ଦିନ ସଂଳାପର ଭଙ୍ଗୀ । ସରଳ, ସାବଲୀଳ ଓ ପ୍ରାଞ୍ଜଳ ଗଦ୍ୟରଚନାରେ ସେ ପାଠକଚିତ୍ତ ପାଇଁ ଖଞ୍ଜି ଦେଇଛନ୍ତି ଗଭୀର ପ୍ରଶାନ୍ତି, ପ୍ରବଳ ସନ୍ତୋଷ, ଅପୂର୍ବ କୋମଳତା ଓ ଦୀପ୍ତିମାନ କିରଣ । ଭୀମଭୈରବୀ କଲ୍ଲୋଳର ବିଭୀଷିକା କୌଣସି କ୍ଷେତ୍ରରେ ଏ ସବୁର ଧ୍ୟାନ ଭଗ୍ନ କରିନାହିଁ । ଉତ୍ତପ୍ତ ଆଗ୍ନେୟଗିରି ସମ ଲାଭଉଦ୍‍ଗୀରଣ କରି ଏହା ବୋଧିଚିତ୍ତକୁ ବିକ୍ଷୁବଧ କରିନାହିଁ ! ଯଦି ଅଙ୍ଗୀଭୂତ କରିବାକୁ ଥାଏ ତ ଦେଖିନିଅ ଭାବର ଲାବଣ୍ୟ । ହୃଦୟ କନ୍ଦରକୁ କରିଦିଅ ଏକାନ୍ତ ଶାନ୍ତ ସ୍ନିଗ୍ଧ । ଅଧ୍ୟାପକ ବିପିନ ବିହାରୀ ବିଶ୍ୱାଳ କୃଷ୍ଣଚରଣଙ୍କ ଗଦ୍ୟକୁ ଚିନ୍ତାର ଗଦ୍ୟ ବା ପ୍ରବନ୍ଧ-ଗଦ୍ୟ ଭାବରେ ଅଭିହିତ କରିଛନ୍ତି । ତାଙ୍କ ଗଦ୍ୟ ଅଯଥା ଅଳଙ୍କାରରେ ଭାରାକ୍ରାନ୍ତ ନୁହେଁ କି ବିଶେଷଣ ପ୍ରାବଲ୍ୟରେ ବ୍ୟତିବ୍ୟସ୍ତ ନୁହେଁ । ତାହା ବସ୍ତୁ ସର୍ବସ୍ୱ, ଯଥାଯଥ ଓ ପରିମିତ । ଯୁକ୍ତି ଓ ବିଚାରପଦ୍ଧତି ତଥା ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ସେ ପ୍ରବନ୍ଧମାନ ରଚନା କରିଛନ୍ତି । ସେଥିରେ ଦର୍ଶନର ହଟଚମଟ ତତ୍ତ୍ୱର ଭେଳିକି ତଥା ବୈଜ୍ଞାନିକ ଚିନ୍ତାର ଜଟିଳତା ନାହିଁ-। ଯଥାସମ୍ଭବ ସରଳ ଉପସ୍ଥାପନା ହିଁ ତାଙ୍କ ଗଦ୍ୟ ରଚନାର ବୈଶିଷ୍ଟ୍ୟ । ଜଣର ଚିନ୍ତାକୁ ଗଣ ସହିତ, ସମାଜର ଗତିକୁ ପ୍ରାକୃତିକ ନୀତିନିୟମ ସହିତ ଯୋଡ଼ି ସେ ଶ୍ରଦ୍ଧାଶୀଳ ଗଦ୍ୟସ୍ରଷ୍ଟାର ମୁକୁଟ ପିନ୍ଧି ପାରିଛନ୍ତି । ଅନେକ ପ୍ରବନ୍ଧ-ଗଦ୍ୟରେ ତାଙ୍କର ଭରି ରହିଥାଏ ମାର୍ଗଦର୍ଶନ ।

 

‘କୁସୁମକେଳି’ ଗ୍ରନ୍ଥର ‘ଆପଣା ଢୋଲ’ରେ ସେ ଲେଖିଛନ୍ତି – ‘‘ଉପରସ୍ତରରୁ ତଳସ୍ତର ଯାଏ ଏବେ ଆମ ଜାତୀୟ ଜୀବନରେ ଆତ୍ମପ୍ରଶସ୍ତି ଓ ଆତ୍ମପ୍ରଚାରକୁ ଏକପ୍ରକାର ଗୌରବ ଓ ମର୍ଯ୍ୟାଦା ଦିଆଯାଉଥିବାର ମନେ ହେଉଛି । ଆମର ବହୁ ଯୁବକଯୁବତୀ ଓ ତରୁଣ ତରୁଣୀ ଆପଣା ଢୋଲ ପିଟିବାକୁ ଲଜ୍ଜାକର ବା ଅସମ୍ମାନଜନକ ବୋଲି ଭାବୁଥିବାର ଜଣାଯାଉନାହିଁ । ଆତ୍ମପ୍ରଶଂସା ବା ଆତ୍ମବିଜ୍ଞାପନ ଯେ ଭଦ୍ର ଓ ସାଧୁଜୀବନଚର୍ଯ୍ୟାର ଅନ୍ତର୍ଗତ ନୁହେଁ, ଏ ବିଷୟରେ ସେମାନେ ସେଚେତନ ଥିବାର ମନେ ହେଉନାହିଁ । (୧) ତାଙ୍କର ସମାଲୋଚନାରେ ରହିଛି ରାଷ୍ଟ୍ରୀୟ ସନ୍ଦର୍ଭବାଦ । ଏକ ସନ୍ତୁଳିତ ରୂପରେ ସେଥିରେ ରହିଛି ଐତିହାସିକ ସାପେକ୍ଷବାଦ (Historical relativitism) କାବ୍ୟଶାସ୍ତ୍ରୀୟ ସୌନ୍ଦର୍ଯ୍ୟରୂପକ ଦୃଷ୍ଟିକୋଣ ଏବଂ ସମାଜଶାସ୍ତ୍ରୀୟ ଯଥାର୍ଥବାଦୀ ଆଭିମୁଖ୍ୟ । ଶାଣିତ ଦୃଷ୍ଟି, ସଂରଚନାତ୍ମକ, ମାର୍ଗଦର୍ଶକ ଓ ବୌଦ୍ଧିକ ତଥା ସ୍ପଷ୍ଟ, ପ୍ରତ୍ୟକ୍ଷ ଓ ପ୍ରଭାବଶାଳୀ ଉପସ୍ଥାପନା ତାଙ୍କ ସୃଷ୍ଟିର ଅନୁପବ ଅଭିନବତ୍ୱ । ମାର୍କସବାଦୀ ଭାବନାର ପକ୍ଷ ନେଇ ସେ ‘ଚା’ କପରେ ଝଡ଼’, ’୫୪-ଭାନୁବାଈ ଲେନ’ ପରି କବିତା ରଚନା କରିବା ସହିତ ୧୯୫୮ ମସିହାରେ ‘ପ୍ରଗତି ସାହିତ୍ୟ’ ନାମକ ସମାଲୋଚନା ପୁସ୍ତକ ରଚନା କରିଛନ୍ତି । ମାର୍କସବାଦୀ ଦର୍ଶନର ବ୍ୟାଖ୍ୟା ଅନୁସାରେ ସମାଜରେ ଦୁଇ ବୈପରୀତ୍ୟମାନଙ୍କର ସଂଘର୍ଷ ପୂର୍ବଠାରୁ ଆହୁରି ଉନ୍ନତ ଓ ବିକଶିତ ମୂଲ୍ୟବୋଧକୁ ଜନ୍ମଦିଏ । ବିକାଶର ଧାରା ଉଭୟ ସମାଜ ଓ ସାହିତ୍ୟ ସହିତ ସମତୁଲତା ରକ୍ଷା କରେ । କାରଣ ମୃତ୍ୟୁ ହିଁ ପଶ୍ଚାତଗତି-ଜନ୍ମ ହିଁ ଅଗ୍ରଗତି । ଜଣେ ଦକ୍ଷ ସମାଲୋଚକ ଭାବରେ ପୁରାତନ ସମାଜଠାରୁ ସାମ୍ପ୍ରତିକ ସମାଜ ପର୍ଯ୍ୟନ୍ତ ବିକାଶଧାରା ଓ ଉତ୍ପାଦନ ପ୍ରଣାଳୀକୁ ଦୃଷ୍ଟି ସମ୍ମୁଖରେ ରଖି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମାଜ ଜୀବନକୁ ଆଲୋଚନା କରିଛନ୍ତି ଡଃ ବେହେରା । ସାରଳା ସାହିତ୍ୟର ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ଓ ବାସ୍ତବତା ବିଚାରକରି ଫକୀରମୋହନଙ୍କ ପ୍ରଗତିଶୀଳ ଦୃଷ୍ଟିକୋଣ ଓ ବାସ୍ତବତା ଏହାଠାରୁ କିପରି ପୃଥକ ତାହା ଦର୍ଶାଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ‘ସାମ୍ୟବାଦୀ ବାସ୍ତବତା’ ସମ୍ପର୍କରେ ନିଜର ଦୃଷ୍ଟିଭଙ୍ଗୀକୁ ପ୍ରକାଶ କରିଛନ୍ତି ସମାଲୋଚକ । ସମାଲୋଚକ ସ୍ୱୀକାର କରିଛନ୍ତି- ‘‘ପ୍ରଗତି ଉନ୍ନତ ଓ ଅଗ୍ରମାନର ସାହିତ୍ୟ । ଜୀବନମୁଖୀନତା, ସମାଜ ସଚେତନତା ଓ ରାଷ୍ଟ୍ରୀୟ ଚେତନା ଏହାର ପ୍ରଧାନ ଉପଜୀବ୍ୟ । ତେଣୁ ଏହା ବାସ୍ତବବାଦୀ ସାହିତ୍ୟ । କିନ୍ତୁ ଏହା ବର୍ତ୍ତମାନ ଜୀବନର ସାମର୍ଥ୍ୟ ଓ ସମ୍ଭାବନା ଉପରେ ଦୃଢ଼ବିଶ୍ୱାସ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ବିଚାରସିଦ୍ଧ ବୈଜ୍ଞାନିକ କଳ୍ପନା ଘୋଷଣା କରୁଥିବାରୁ ଏହାର ବାସ୍ତବତା ସାମ୍ୟବାଦୀ ବାସ୍ତବତା । ପ୍ରଗତି ସାହିତ୍ୟ ଅତୀତର ଜାତୀୟ ସାହିତ୍ୟ, ସଂସ୍କୃତିକୁ ସମ୍ପୂର୍ଣ୍ଣ ଅବହେଳା କରେନା । ଜୀବନର ଅର୍ଥନୈତିକ ଦିଗ ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ମାନବିକ, ସାଂସ୍କୃତିକ ଦିଗ ଉପରେ ଆଲୋକପାତ କରେ । ଏହା ଏକ ଯୁଗୋପଯୋଗୀ, ଜନପ୍ରିୟ ଓ ଶିଳ୍ପୀ ସୁଲଭ ଆଙ୍ଗିକ ଗ୍ରହଣ କରେ ଏବଂ ବିଷୟବସ୍ତୁଠାରୁ ଆଙ୍ଗିକକୁ କେବେ ଉଚ୍ଚସ୍ଥାନ ଦିଏ ନାହିଁ । ଏହାର ଭାଷା ଜନସାଧାରଣଙ୍କ ଭାଷା ଓ ପ୍ରକାଶଭଙ୍ଗୀ ସହଜ, ସୁବୋଧ୍ୟ । ସର୍ବୋପର ପ୍ରଗତି ସାହିତ୍ୟ ଗୋଟିଏ ମହତ୍ ଲକ୍ଷ୍ୟ ଦିଗରେ ଦୃଷ୍ଟି ରଖେ । ତେଣୁ କଳା ପାଇଁ କଳାର ସାଧନାନୀତିର ଏହା ବିରୋଧୀ । ଏହା ସାମାଜିକ ଓ ଜାତୀୟଜୀବନ ଗଠନରେ ପ୍ରଧାନ ଅଂଶଗ୍ରହଣ କରେ । ତେଣୁ ପ୍ରତ୍ୟେକ ଦେଶ ପାଇଁ ଏହାର ଐତିହାସିକ ଆବଶ୍ୟକତା ରହିଛି । (୨) ଡଃ ବେହେରାଙ୍କ ବଳିଷ୍ଠ ସାରସ୍ୱତ ଦିଗ ମଧ୍ୟରେ ରହିଛି ପ୍ରବନ୍ଧ ଓ ରମ୍ୟରଚନା । ‘‘ଅଧ୍ୟାପକର ବେଦନା’’, ‘‘ଚରୁ ଓ ଚରିତ’’, ‘‘କୁସୁମକେଳି’’, ‘‘ପରଶମଣି’’, କେତୋଟି ସାହିତ୍ୟିକ ଅଭିଭାଷଣ ଆଦି ତାଙ୍କର ପ୍ରବନ୍ଧ, ଚରିତ ସାହିତ୍ୟ ଓ ରମ୍ୟରଚନା ସଂକଳନ-। ଜଣେ ଚିନ୍ତାଶୀଳ ସ୍ରଷ୍ଟାମାନସରେ ସେ ରଚନା କରିଛନ୍ତି, ‘‘ଅଧ୍ୟାପକର ବେଦନା’’, ‘‘ହେ ପ୍ରେମିକ ସାବଧାନ’’, ‘‘ମିଷ୍ଟର ଉଡ଼ହାଉସଙ୍କ ଓଡ଼ିଶାର ଆବିଷ୍କାର’’, ‘‘ବେକାର ସମସ୍ୟାର ବିକାର’’, ‘‘ତେଳପସରା ଓ ବେଲପସରା’’, ‘‘ବିପ୍ଳବ’’, ‘‘ଜ୍ଞାନର ଗଞ୍ଜଣା’’, ‘‘ସିନିୟର ଜୁନିଅର’’, ‘‘ଆପଣାଢୋଲ’’, ‘‘ଭାଷା କ’ଣ ଶୋଷଣର ଏକ ଯନ୍ତ୍ର ?’’, ‘‘ନୃଶଂସତା କାହିଁ ତୋ ବେଶ ଭୀଷଣ’’ ଇତ୍ୟାଦି ନାନା ପ୍ରବନ୍ଧ ଓ ରମ୍ୟରଚନ । ଏସବୁ ତାଙ୍କର ସାମାଜିକ ଓ ମାନବୀୟ ବ୍ୟକ୍ତିତ୍ୱର କଳାତ୍ମକ ପରିପ୍ରକାଶ । ଜଣେ ଆଦର୍ଶ ଅଧ୍ୟାପକ ଭାବରେ ସେ ଯେଉଁଠି ଯେଉଁ ଅଭାବ ଓ ଦୁର୍ଦ୍ଦଶା ଅନୁଭବିଛନ୍ତି, ସେହିକଥା ଚଟୁଳ ରୀତିରେ ଉପସ୍ଥାପିତ କରିଛନ୍ତି । ସେ ହୋଇପାରେ ଶିକ୍ଷାଦାନ ନାମରେ ବ୍ୟବସାୟ, କ୍ଷମତା, ରାଜନୀତି ଓ ପ୍ରଶାସନିକ ଅଧିକାରୀଙ୍କ ଅଧ୍ୟାପକଙ୍କ ପ୍ରତି ବୈମାତୃକ ମନୋଭାବ । ମିଷ୍ଟର ଉଡ଼ହାଉସ ଓଡ଼ିଶାରେ ଚାରିବର୍ଷ କଟାଇବା ଅବସରରେ ଓଡ଼ିଆତ୍ୱହୀନ ଲୋକମାନଙ୍କୁ ଦେଖି ବିସ୍ମିତ ହୋଇଛନ୍ତି । ଏଠାକାର ଆଦିବାସୀମାନେ ଉଲଗ୍ନ । ହୁଏତ ସେମାନେ ସନ୍ନ୍ୟାସ ଦୀକ୍ଷା ନେଇଛନ୍ତି । ନାରୀମାନଙ୍କଠାରୁ ଓଡ଼ିଆ ପୁରୁଷ ଲଜ୍ଜାଶୀଳ । ଊନବିଂଶ ଶତାବ୍ଦୀରେ ଷ୍ଟର୍ଲିଂ ଓ ହଣ୍ଟର ଓଡ଼ିଆମାନଙ୍କୁ ମାଇଚିଆ, ନିର୍ବୋଧ ଓ ମୂଲ୍ୟବାନ ଚାକର ଶ୍ରେଣୀବୋଲି ଯାହା କହିଥିଲେ ଏବେ ମଧ୍ୟ ତାହା ରହିଆସିଛି । ଓଡ଼ିଆଙ୍କର ମଗଜ ବିପ୍ଳବଯୁକ୍ତ ହେଲେ ମଧ୍ୟ ଏହା ଜାତିର ସ୍ୱାଭିମାନ ପାଇଁ ନୁହେ, ବରଂ ଗୋଡ଼ ଟଣାଟଣି, ବାଡ଼ିଆପିଟା ମାଧ୍ୟମରେ ପାରସ୍ପରିକ ବୈରୀଭାବ ପ୍ରଦର୍ଶନ ବୋଲି ଏହି ପ୍ରବନ୍ଧରେ ସୂଚିତ ହୋଇଛି । ‘ବେକାର ସମସ୍ୟାର ବିକାର’ ପ୍ରବନ୍ଧରେ ଚାକିରି ଆଶାୟୀ ଯୁବକଯୁବତୀଙ୍କ ଯୋଗ୍ୟତା ବ୍ୟାକିଙ୍ଗ୍, ଧରାଧରି, ଲାଞ୍ଚ ଉପୁରି ଓ ଚରଣଚୁଟି ସ୍ପର୍ଶ ବୋଲି ସେ ସୂଚାଇ ଦେବା ସଙ୍ଗେ ସଙ୍ଗେ ଏଥିପ୍ରତି ସଚେତନ ରହିବାକୁ ପ୍ରେରଣା ଦେଇଛନ୍ତି । ‘‘ତେଳପସରା ଓ ବେଲପସରା ପ୍ରବନ୍ଧରେ ଡଃ. ବେହେରା ମନୁଷ୍ୟର ଅନ୍ତର୍ନିହିତ ପ୍ରଚଣ୍ଡ ଶାନ୍ତି ଓ ମନୋବଳ ସମ୍ପର୍କରେ ସୂଚନା ଦେଇଛନ୍ତି । ‘‘ବିପ୍ଳବ’’ ମଧ୍ୟ ଏକ ସଚେତନଶୀଳ ସାମାଜିକ ପ୍ରବନ୍ଧ । ‘‘ଜ୍ଞାନର ଗଞ୍ଜଣା’’ ପ୍ରବନ୍ଧରେ ଲେଖକ ମଣିଷର ଜ୍ଞାନ ସମ୍ପର୍କରେ ସୁଚିନ୍ତିତ ବିଶ୍ଳେଷଣ କରିଛନ୍ତି । ସିନିୟର ଜୁନିଅର’ ପ୍ରବନ୍ଧ ଚାକିରି କୈନ୍ଦ୍ରିକ ଏକ ଅନୁଶୀଳନ । ଏଥିରେ ଯୋଗ୍ୟତା ଚୁଲିଯାଏ, ବୟସରେ ବରିଷ୍ଠକୁ ପଦୋନ୍ନତି ଦିଆଯାଏ । ଏହା ଏକ ସମାଲୋଚନାଧର୍ମୀ ଲେଖା । ଆତ୍ମପ୍ରଚାର ଓ ଆତ୍ମପ୍ରଶସ୍ତିକୁ ନିନ୍ଦା କରି ଲେଖକ ଲେଖିଛନ୍ତି, ‘‘ଆପଣା ଢୋଲ’’ । ଏହାଦ୍ୱାରା ଜାତୀୟ ସଂସ୍କୃତି କଳୁଷିତ ହୁଏ ବୋଲି ସେ ଦର୍ଶାଇଛନ୍ତି । ‘‘ଭାଷା କ’ଣ ଶୋଷଣର ଏକ ଯନ୍ତ୍ର ?’’ ପ୍ରବନ୍ଧରେ ମାତୃଭାଷାରୂପୀ ଜାତିର ମହାର୍ଘ ସନ୍ତକଟିକୁ ଶିକ୍ଷା ଓ ଶାସନର ମାଧ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ‘‘ନୃଶଂସତା କାହିଁ ତୋ ବେଶ ଭୀଷଣ’’ ପ୍ରବନ୍ଧରେ ଅମାନୁଷିକ ଜୀବହତ୍ୟା ଓ ନରହତ୍ୟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ପ୍ରାବନ୍ଧିକ । ଏହିପରି ଭାବେ ମଣିଷ ଓ ବିଶ୍ୱ ପ୍ରତ୍ୟେକ ଉପାଦାନକୁ ନୂତନ ଭାଷା ଓ ଭାବରେ ପ୍ରବନ୍ଧ ମାଧ୍ୟମରେ ଗୁମ୍ଫିତ କରିଛନ୍ତି ଡଃ ବେହେରା ।

 

କୃଷ୍ଣଚରଣଙ୍କ ଧର୍ମଦୃଷ୍ଟିର ଏକ କ୍ରମବଦ୍ଧ ଆଲୋଚନା ତାଙ୍କର ଦୀର୍ଘ ପ୍ରବନ୍ଧ ‘‘ଓଡ଼ିଶାରେ ଧର୍ମଧାରା’’ରେ ବ୍ୟକ୍ତ ହୋଇଛି । ତା. ୩.୧.୧୯୭୯ରିଖରେ ଯାଜପୁର ନରସିଂହ ଚୌଧୁରୀ କଲେଜରେ ଷଷ୍ଠ ‘‘ବିରଜା ବକ୍ତୃତାମାଳା’’ର ତୃତୀୟ ବକ୍ତୃତା ରୂପେ ପ୍ରଦତ୍ତ ତାଙ୍କ ଭାଷଣର ଏକ ମୁଦ୍ରିତ ରୂପ । ୧୯୮୨ରେ ପ୍ରୋକ୍ତ ବକ୍ତୃତାର ଏକ ପରିମାର୍ଜିତ ଓ ପରିବର୍ଦ୍ଧିତ ସଂସ୍କରଣ ‘ଧର୍ମ ଅଧର୍ମ କଥା’ ଶୀର୍ଷକ ବହନ କରି କଟକରୁ ରେନେଁସା ପବ୍ଲିକେଶନଙ୍କଦ୍ୱାରା ଏହା ପ୍ରକାଶିତ ହୋଇଥିଲା । କୃଷ୍ଣଚରଣ ପ୍ରବନ୍ଧର ‘ଅଗ୍ରଲିପି’ରେ ଧର୍ମ ଶବ୍ଦଟିକୁ ସୁନ୍ଦର ରୂପେ ବୁଝାଇଛନ୍ତି । ସେ ପ୍ରଥମବାକ୍ୟରେ ସ୍ପଷ୍ଟ କରି ଦେଇଛନ୍ତି ‘‘ଗୁଣ, ସ୍ୱରୂପ-ପ୍ରକୃତି, ପୁଣ୍ୟ ବା ମଙ୍ଗଳ ଅର୍ଥରେ ନୁହେଁ, ବୌଦ୍ଧ-ଖ୍ରୀଷ୍ଟିୟାନ, ଇସଲାମ ଆଦି ସଂଗଠିତ ଆନୁଷ୍ଠାନିତ ଆଧ୍ୟାତ୍ମିକ ସାଧନା ପଦ୍ଧତି ଅର୍ଥରେ ହିଁ ଏଠାରେ ଧର୍ମ କଥାଟି ପ୍ରୟୋଗ କରାଯାଇଛି । ଉପସଂହାରରେ କୃଷ୍ଣଚରଣ କହିଛନ୍ତି – ‘‘ମୁଁ କୌଣସି ଧର୍ମର ବିରୁଦ୍ଧାଚରଣ କରୁନାହିଁ – ବିଶେଷତଃ ଏହି ବୈଜ୍ଞାନିକ ପ୍ରଗତି ଓ ବସ୍ତୁତନ୍ତ୍ର ପ୍ରଧାନ ଯୁଗରେ ମାନବଜାତିର ନୈତିକ ଶକ୍ତି ସଂରକ୍ଷଣ ତଥା ଆଚରଣ ପଦ୍ଧତିର ନିୟନ୍ତ୍ରଣରେ ଏହାର ଉପଯୋଗିତା ଯଥେଷ୍ଟ । ଡକ୍ଟର ବେହେରାଙ୍କର ପ୍ରଗାଢ଼ ଅନୁରକ୍ତି ରହିଛି ମୂଲ୍ୟବୋଧ ଓ ବାସ୍ତବ ଚିନ୍ତାଧାରା ପ୍ରତି । ନୂଆକରି କିଛି ଦେଖାଇବାର ସଂଗ୍ରାମ ତାଙ୍କର ପରିଣତ ବୟସରେ ମଧ୍ୟ ଖିଆଲ ହୋଇରହିଛି । ଯେନତେନ ପ୍ରକାରେଣ କାର୍ଯ୍ୟ ହାସଲ କରିବାକୁ ସେ ଘୃଣା କରନ୍ତି । ସବୁ କ୍ଷେତ୍ରରେ ନିଷ୍ଠାପର ଅଧ୍ୟବସାୟ ଓ ଜୀବନ୍ତସତ୍ୟର ପରିପ୍ରକାଶ ତାଙ୍କର ମୂଳ ଲକ୍ଷ୍ୟ । ତାଙ୍କର ଓଡ଼ିଆ ଉପନ୍ୟାସ ସମ୍ପର୍କିତ ଗବେଷଣା ବହୁ ପ୍ରଖ୍ୟାତ ସାହିତ୍ୟିକ ଓ ଗବେଷକଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ । ବର୍ତ୍ତମାନ ପର୍ଯ୍ୟନ୍ତ ଡଃ. ବେହେରାଙ୍କର ତତ୍ତ୍ୱାବଧାନେ ଉଣେଇଶ ଜଣ ଛାତ୍ରଛାତ୍ରୀ ଗବେଷଣା କରି ପି.ଏଚ୍.ଡ଼ି. ଉପାଧି ହାସଲ କରି ସାରିଲେଣି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଶତାଧିକ ଗବେଷଣାଧର୍ମୀ ପ୍ରବନ୍ଧ ଓ ନିବନ୍ଧ ପ୍ରକାଶ ପାଇସାରିଛି । ନିଜର ପ୍ରିୟ ଛାତ୍ର ତଥା ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଡକ୍ଟର କ୍ଷେତ୍ରବାସୀ ନାୟକଙ୍କ ସହ ୧୯୮୦ ମସିହାରେ ସେ ପ୍ରତିଷ୍ଠା କରିଛନ୍ତି । ‘ଓଡ଼ିଆ ଗବେଷଣା ପରିଷଦ’ । ଏହି ଅନୁଷ୍ଠାନ ଓଡ଼ିଆ ଓ ଓଡ଼ିଶାର ଗବେଷଣା ପାଇଁ ଏକ ଉତ୍ସର୍ଗୀକୃତ ଅନୁଷ୍ଠାନ ରୂପ ଉଭା ହୋଇଛି । ଏହାର ସୌଜନ୍ୟରୁ ଗବେଷଣାଧର୍ମୀ ପୁସ୍ତକ ପ୍ରକାଶନ ଓ ଗବେଷଣାର ଭିତ୍ତି ପ୍ରସ୍ତୁତି ଲାଗି ନିରନ୍ତର ସଭାସମିତିମାନ ଏକାଗ୍ରତା ସହ ଚାଲୁ ରହିଛି । ଏହି ଅନୁଷ୍ଠାନର ମୁଖପତ୍ର ‘ଏଷଣା’ ଗବେଷଣା କ୍ଷେତ୍ରରେ ଏକ ମାର୍ଗଦର୍ଶକର ଭୂମିକା ଗ୍ରହଣ କରିପାରିଛି ।

 

ସେ ଆଜୀବନ ମଧୁକ୍ଷରଣକୁ ଅବଲେହନ କରିବା ପାଇଁ ଧାଇଁଛନ୍ତି ସାରସ୍ୱତ ତ୍ରିଦଶାଳୟରେ ଏକ ସାର୍ଥକ ସ୍ରଷ୍ଟର ଅନ୍ତହୀନ ପିପାସାକୁ ନେଇ । ଏଣୁ ସଂସାରୀ ହୋଇ ମଧ୍ୟ ସେ ସନ୍ନ୍ୟାସୀ । ଭୋଗ ବସୁଧାରେ ତ୍ୟାଗର ପ୍ରତିମୂର୍ତ୍ତିଟିଏ ହେଉଛନ୍ତି ଡକ୍ଟର କୃଷ୍ଣଚରଣ ବେହେରା । ନିଜର ଅନ୍ୱେଷା ସମ୍ପର୍କରେ ମତ ଦେଇ ସେ କହନ୍ତି – ‘‘ସ୍ୱାଧୀନତା ଲାଭ ପରେ ଆମ ରାଜ୍ୟରେ ଯେତେବେଳେ ଶିକ୍ଷାର ଅଭିବୃଦ୍ଧି ଓ ସମ୍ପ୍ରସାରଣ ହେଉଥିଲା, ସେତିକିବେଳେ ଅଧ୍ୟାପନା ଆରମ୍ଭ କରି ମୁଁ ଲକ୍ଷ୍ୟ କଲି – ଶିକ୍ଷାପ୍ରାପ୍ତି ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଆକାଂକ୍ଷା । ଚାରିଆଡ଼େ ସ୍କୁଲ୍ ଓ କଲେଜମାନ ପ୍ରତିଷ୍ଠା ହେବାରେ ଲାଗିଥାଏ । ବହୁ ଶିକ୍ଷକ, ଶିକ୍ଷିକା ଓ ବିଭିନ୍ନ ବିଷୟରେ ଅଧ୍ୟାପକ, ଅଧ୍ୟାପିକା ଲୋଡ଼ା ହେଉଥାଏ । ତେଣୁ ବହୁ ବ୍ୟକ୍ତି ଶିକ୍ଷକତା ପ୍ରତି ଶ୍ରଦ୍ଧା, ରୁଚି ଓ ଆଗ୍ରହ ଥାଉ ନ ଥାଉ ତୁଚ୍ଛା ଡିଗ୍ରୀ ଡିପ୍ଲୋମାର ଯୋଗ୍ୟତା ବଳରେ ଶିକ୍ଷାକ୍ଷେତ୍ରକୁ ପଶିଆସିଲେ । ସେମାନେ ପ୍ରକୃତରେ ଶିକ୍ଷକତା ବା ଅଧ୍ୟାପନା କରିବାକୁ ଆସିଲେ ବୋଲି କହିବା ବୋଧହୁଏ ଠିକ ହେବନାହିଁ, ଶିକ୍ଷାକ୍ଷେତ୍ରରେ ‘ଚାକିରି’ କରିବାକୁ ଆସିଲେ ବୋଲି କହିବାକୁ ହେବ । ଅଧ୍ୟାପନା ବୃତ୍ତିକୁ ମୁଁ କେବେ ଠିକ୍ ଚାକିରି ଭଳି ଦେଖିନାହିଁ । ଏହି ଜୀବିକାର୍ଜନରୁ ଯାହା ଯେତେବେଳେ ପାଇଛି, ତହିଁରେ କୌଣସିମତେ ମୋର ଗୁଜୁରାଣ ମେଣ୍ଟିଯାଇଛି । ବୈଷୟିକ ଦିଗରୁ ବେଳେବେଳେ ଯେ ଅଭାବ ଅସୁବିଧାରେ ନ ପଡ଼ିଛି, ତାହା ନୁହେଁ । ସେହି ପରିସ୍ଥିତିରେ ପୃଥିବୀର କୋଟି କୋଟି ଅଭାବଗ୍ରସ୍ତ ଦୀନଦୁଃଖୀଙ୍କ ବିଷୟ ମନେ ପକାଇ ମୁଁ ସାନ୍ତ୍ୱନା ପାଏ । ମନର ବଳ ଆହରଣ କରେ । ବୈଷୟିକ ସଙ୍ଗତି ବା ଉନ୍ନତି ପଛରେ ମୋର ଆଉ ସହକର୍ମୀଙ୍କ ଭଳି ମୁଁ ଦଉଡ଼ି ନାହିଁ, ଦଉଡ଼ିଛି ପଢ଼ାପଢ଼ି, ଲେଖାଲେଖି କାର୍ଯ୍ୟରେ ଓ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା କାର୍ଯ୍ୟରେ । ଗୋଟିଏ ବାକ୍ୟାଂଶରେ କହିଲେ ମୁଁ ଲାଗି ପଡ଼ିଛି ‘‘ସାଂସ୍କୃତିକ କାର୍ଯ୍ୟାବଳୀ’’ ବୈଷୟିକ ସଂଗତି ଦଉଡ଼ିଛି ମୋ ପଛେ ପଛେ । (୩)

 

ଡକ୍ଟର ବେହେରା ଏକ ସାରସ୍ୱତ ବିସ୍ମୟ । ଚିରଚଞ୍ଚଳ ତାଙ୍କର ମସୀ ଓ ସାଂଗଠନିକ ଗତି-। ସେଥିପାଇଁ ସେ ଜାତୀୟ ଓ ରାଜ୍ୟସ୍ତରରେ ବାରମ୍ବାର ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି । ଡକ୍ଟର ବେହେରା ଛାତ୍ରବତ୍ସଳ, ଦରଦୀ ମଣିଷ, ଶିଷ୍ୟସମୂହଙ୍କ ଦୀକ୍ଷାଗୁରୁ ତଥା ଆଦର୍ଶ ଅଭିଭାବକ-। ଗାଁର ଅପରପ୍ରାଇମେରୀରେ ଛାତ୍ର ଥିବାବେଳେ କୃଷ୍ଣଚରଣ ନାଟ୍ୟାଭିନୟରେ ଅଂଶଗ୍ରହଣ କରୁଥିଲେ । ଏହି ନିରହଙ୍ଗାରୀ, ନିରଳସ ସାଧବଙ୍କର ପରିବାରଟି ସୁଖ, ଶାନ୍ତି ଓ ପ୍ରୀତିର ମନ୍ଦିର । ପୁଅ, ବୋହୂ , ଝିଅ, ଜ୍ୱାଇଁ ସମସ୍ତେ ପ୍ରତିଷ୍ଠିତ । ସମସ୍ତେ ବୋଧିଦ୍ରୁମର ଆଶ୍ରିତ ଓ ପାରମାର୍ଥିକ ଦିଗରେ ଯାତ୍ରାରତ । ଏଣୁ କୃଷ୍ଣଚରଣ ଜଣେ ବ୍ୟକ୍ତି ନୁହନ୍ତି – ଅନୁଷ୍ଠାନ । ସାରସ୍ୱତ ଶ୍ରୀକ୍ଷେତ୍ରର ନିଃସ୍ୱାର୍ଥପର ଇନ୍ଦ୍ରଦ୍ୟୁମ୍ନ । ‘‘ବ୍ୟବସ୍ଥିତ, ସମାହିତ, ସମୟ ସଚେତନ, ମାର୍ଜିତ, ସତତ ଜ୍ଞାନପିପାପୁ, ଛାତ୍ରବତ୍ସଳ, ପ୍ରାଚୀନ ସଂସ୍କୃତ ସାହିତ୍ୟର ସଂଗ୍ରାହକ ଏବଂ ବନ୍ଧୁବତ୍ସଳ କୃଷ୍ଣଚରଣ ପ୍ରକୃତରେ ଆଜି ଏକ ‘ମଣିଷ’ର ପରିଚିତ ମଧ୍ୟରେ ସୀମିତ ରହିନାହାନ୍ତି; ସେ ପରିଣତ ହୋଇଛନ୍ତି ସତତ ବିକଶିତ ସାରସ୍ୱତ ଅନୁଷ୍ଠାନରେ । ଶତ ଶତ ଅନୁସନ୍ଧିତ୍ସୁଙ୍କ ଅନ୍ତରରେ ବାଙ୍‌ମୟ ଗବେଷଣାର ଉତ୍‌ପ୍ରେରକ ଉପାଦାନରେ ଏବଂ ଛାୟାସ୍ନିଗ୍ଧ ଜ୍ଞାନଦୀପ୍ତ କଲ୍ୟାଣମୟ ବୋଧିଦ୍ରୁମରେ-। (୪)

 

କୃଷ୍ଣଚରଣ ସମାଲୋଚନାର ବିନ୍ଦୁବଳୟ ମଧ୍ୟ ସୁସ୍ପଷ୍ଟ । କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ’ ବା ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’ ଅନୁଦିତ ଉପନ୍ୟାସ ‘ଫୁଲମଣି ଓ କରୁଣାର ବିବରଣ’ର ବ୍ୟାଖ୍ୟା, ଭଦ୍ରକର ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ‘ମୋଗଲତାମସା’ର ସମ୍ପାଦନା ଓ ତା’ର ବିଶ୍ଳେଷଣ ଡଃ ବେହେରାଙ୍କ ଅନୁସନ୍ଧିତ୍ସା ଓ ସ୍ୱତନ୍ତ୍ର ଦୃଷ୍ଟିକୋଣର ପରିଚୟ ଦେଇଥାଆନ୍ତି । ତାଙ୍କର ‘ପ୍ରଗତି ସାହିତ୍ୟ’, ‘କଥା ସାହିତ୍ୟ’, ‘ଅଶ୍ଳୀଳତା ବିପକ୍ଷରେ’, ‘ଓଡ଼ିଆ ଉପନ୍ୟାସ’, ‘ପ୍ରସଙ୍ଗ-ଗଳ୍ପ ଓ ଉପନ୍ୟାସ’, ‘‘ପ୍ରସଙ୍ଗ ନାଟକ ଓ ଏକାଙ୍କିକା’, ‘ନାଟ୍ୟ ସାହିତ୍ୟର ପରିଚୟ’ ଆଦି ତାଙ୍କ ବଳିଷ୍ଠ ସାହିତ୍ୟାଲୋଚନାର ନିଦର୍ଶନ । ସେ ରେବତୀକୁ ପ୍ରଥମ କ୍ଷୁଦ୍ରଗଳ୍ପ ବୋଲି ସ୍ୱୀକାର ନ କରି ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପର ଅଭିଧାରେ ଚିହ୍ନିତ କରିଛନ୍ତି । ‘ବାବାଜୀ’ ଓଡ଼ିଆ ସାହିତ୍ୟର ପ୍ରଥମ ନାଟକ ବୋଲି ମାନିବାକୁ ସେ ପ୍ରସ୍ତୁତ ନୁହନ୍ତି ଲୀଳା, ସୁଆଙ୍ଗ, ତାମସା ଓ ଦାୟିକା ଆଦି ଓଡ଼ିଆ ନାଟକର ମୌଳରୂପ ବୋଲି ସେ ନିର୍ଭୟରେ ପ୍ରକାଶ କରିଛନ୍ତି ।

 

କୃଷ୍ଣଚରଣ ଉତ୍ତରିତ ହୋଇଛନ୍ତି ବିନ୍ଦୁରୁ ସିନ୍ଧୁକୁ । ସଂଘର୍ଷ ହାର ମାନିଛି ତାଙ୍କର ସାଧନାର ଜୈତ୍ର ଯାତ୍ରାରେ । ଗଭୀର ଆଶାବାତୀ, କଠୋର ପରିଶ୍ରମୀ ଏହି ବ୍ୟକ୍ତିବିଶେଷ ନିଜର ଚିନ୍ତା ଓ ଚେତନାରେ ଫୁଟାଇଛନ୍ତି ଅଭିନବ ଦୃଷ୍ଟିଭଙ୍ଗୀ । ବୟସର ସନ୍ଧ୍ୟାରେ ସେ ହାରିନାହାନ୍ତି - ବରଂ ଉର୍ଦ୍ଧ୍ୱ ବାହୁ ହୋଇ ଉଚ୍ଚାରଣ କରୁଛନ୍ତି : ଆଗକୁ ଆହୁରି ଆଗକୁ । ତାଙ୍କର ‘‘ସାରସ୍ୱତ ସାକ୍ଷାତ୍‌କାର’’ରେ ପତ୍ରସ୍ଥ ନିଜସ୍ୱ ବକ୍ତବ୍ୟରେ ସେ କହିଛନ୍ତି – ‘‘ପୂବର୍ରୁ ସାଧ୍ୟମତେ ଯେଉଁ ସାହିତ୍ୟ କର୍ମ କରିଛି, ତାହାକୁ ପ୍ରଚୁର ବା ସନ୍ତୋଷଜନକ କହିହେବ ନାହିଁ । ବିଶେଷତଃ ସାହିତ୍ୟ ଭିନ୍ନ ଗବେଷଣା କାର୍ଯ୍ୟରେ ଏତେ କାର୍ଯ୍ୟ କରିବାକୁ ରହିଛି ଯେ – ଏତେ ଯୋଜନା ଓ ପରିକଳ୍ପନା ମନସ୍ଥ ରହିଛି ଯେ ତାହାର ରୂପାୟନ କିପରି କରାଯିବ ଭାବି ପାରୁନାହିଁ । ବ୍ୟକ୍ତିଗତ ଭାବରେ ଓ ଆନୁଷ୍ଠାନିକ ଭାବେ ସେହିପରି ସାଂସ୍କୃତିକ କାର୍ଯ୍ୟ ସମାହିତ ହେବାର କଥା । ଭାରତୀୟ ଜନ୍ମାନ୍ତରବାଦରେ ମୋର ସେପରି ବିଶ୍ୱାସ ନାହିଁ । ଯଦି ପ୍ରକୃତରେ ମଣିଷର ପୁନର୍ଜନ୍ମ ଥାଏ, ତା’ହେଲେ ମୁଁ ପରଜନ୍ମରେ ଏହିସବୁ ସାଂସ୍କୃତିକ କାର୍ଯ୍ୟ କରିପାରିବି ବା କରାଇପାରିବି ବୋଲି ଆଶା ବାନ୍ଧିଛି ।

 

ଜଣେ ଗଦ୍ୟସ୍ରଷ୍ଟା ଭାବେ କୃଷ୍ଣଚରଣଙ୍କର ବହୁମୁଖୀ ଉପସ୍ଥାପନା ବାସ୍ତବରେ ଅତୁଳନୀୟ ।

 

ସହାୟକ ଗ୍ରନ୍ଥସୂଚୀ

୧.

ଅଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, କୃଷ୍ଣଚରଣୀୟ ଗଦ୍ୟଶୈଳୀ, କୃଷ୍ଣଚରଣ କୃତି ଓ କୃତିତ୍ୱ, ବିଦ୍ୟା ପ୍ରକାଶନ, ବାଲୁବଜାର, କଟକ-୨, ପ୍ରଥମ ସଂସ୍କରଣ-୨୦୦୭, ପୃ-୧୦୭

୨.

ପ୍ରଗତି ସାହିତ୍ୟ-‘ଡଗର’ ୨୨ଶ ବର୍ଷ/୨ୟ-୩ୟ ସଂଖ୍ୟା, ଅଗଷ୍ଟ-ସେପ୍ଟେମ୍ୱର-୧୯୫୮

୩.

ଡକ୍ଟର କୃଷ୍ଣଚରଣ ବେହେରା, ସୃଷ୍ଟି ଛଡ଼ାର ଷଷ୍ଠ ଶ୍ରୁତି-କୁସୁମକେଳି, ସାଥୀମହଲ, ବିନୋଦବିହାରୀ, କଟକ-୧୯୯୫, ପୃ-୧୨୩ ।

‘ଓଡ଼ିଶାର ଧର୍ମଧାରା ଓ ଉଚ୍ଚଶିକ୍ଷାର ଉଚ୍ଚବାଟ ଶୀର୍ଷକ ଦୁଇଟି ପ୍ରବନ୍ଧର ସଂକଳ୍ପ, ‘ପ୍ରସଙ୍ଗ-ଧର୍ମ ଓ ଶିକ୍ଷା-ଫ୍ରେଣ୍ଡ୍‌ସ ପବ୍ଲିଶର୍ସ, କଟକ, ୧୯୩, ପୃ-୫୦-୫୧।

୫.

ଓ୍ୱାଟସନ, ଜର୍ଜ- ଦି ଷ୍ଟଡ଼ି ଅଫ୍ ଲିଟରେଚର, ଲଣ୍ଡନ, ୧୯୬୯ ।

୬.

ସାରସ୍ୱତ ସାକ୍ଷାତକାର – ଡକ୍ଟର ବିଜୟାନନ୍ଦ ସିଂହ, ପୃ- ୧୬୮-୧୬୯ ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟ,

ଢେଙ୍କାନାଳ – ୭୫୯୦୦୧

 

***

 

Unknown

ବିଶ୍ୱକବି ରବୀନ୍ଦ୍ରନାଥ : ଜୀବନ ଓ ସାହିତ୍ୟ

ରବୀନ୍ଦ୍ର କୁମାର ବେହୁରିଆ

 

ଅନେକଙ୍କ ମତରେ, ପ୍ରଧାନତଃ ମହାପୁରୁଷମାନଙ୍କର ଜୀବନ ଓ ସାଧନାହିଁ ସ୍ମରଣ – ମନନର ଯୋଗ୍ୟ । କାରଣ, ତାହା ବୃହତ୍ତର ମାନବ ସମାଜକୁ ମୁକ୍ତି, ମୈତ୍ରୀ ଓ ଶାନ୍ତିର ପଥ ଦେଖାଇବାରେ ସହାୟକ ହୋଇଥାଏ । ବିଶ୍ୱର ଯେଉଁ କେତେଜଣ ମନୀଷୀଙ୍କର ଅଭିନବ ଚିନ୍ତା ଓ ଭାବଧାରା ବିଶ୍ୱକୁ ନୂତନ ପରିବର୍ତ୍ତନ ଓ ପ୍ରଗତି ପଥରେ ଆଗେଇ ନେଇଥିଲା, ସେମାନଙ୍କ ମଧ୍ୟରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ହେଉଛନ୍ତି ଅନ୍ୟତମ । ରବୀନ୍ଦ୍ରନାଥ ମହାଗୁରୁ ନଥିଲେ, ଥିଲେ ମହାକବି ; ଥିଲେ ମହତ୍ ପ୍ରତିଭାର ଅଧିକାରୀ- ଜଣେ ଅନନ୍ୟ ଅସାଧାରଣ ବ୍ୟକ୍ତିତ୍ୱ । ସେ ଏକାଧାରାରେ ଜଣେ କବି, ଦାର୍ଶନିକ, ସ୍ରଷ୍ଟା, ପ୍ରାବନ୍ଧିକ, ନାଟ୍ୟକାର, ଚିତ୍ରକର ତଥା ବିଶିଷ୍ଟ ଶିକ୍ଷାବିତ୍ ଥିଲେ । ତାଙ୍କର ବିଶ୍ୱପ୍ରେମ ଜନସାଧାରଣଙ୍କ ମନରେ କର୍ମପ୍ରେରଣା ଓ ନୂତନ ଚିନ୍ତାଧାରାର ଉଦ୍ରେକ କରିଥିଲା । ଏହିପରି ଜଣେ ପ୍ରତିଭାଧାରୀଙ୍କ ଜୀବନ ଓ କୀର୍ତ୍ତିକୁ ଦେଶ-ବିଦେଶରେ ସ୍ମରଣ ଓ ଆଲୋଚନାରେ ସ୍ଥାନ ଦେବା କେତେଦୂର ଯୁକ୍ତିସଂଗତ, ତାହା ଅନେକ ପ୍ରଶ୍ନ କରନ୍ତି । ରବୀନ୍ଦ୍ରନାଥ ମହାପୁରୁଷ ନଥିଲେ, କିନ୍ତୁ ତାଙ୍କର ଉପଲବ୍ଧି ମହାପୁରୁଷମାନଙ୍କ ଉପଲବ୍‌ଧିର ପାଖାପାଖି, ଏହି ଯୁକ୍ତିରେ ଯଥାଯଥ ମର୍ଯ୍ୟାଦା ସହିତ ତାଙ୍କର ଜୀବନ ଓ ସାହିତ୍ୟକୁ ଆଲୋଚନା କରିବା ପ୍ରାସଙ୍ଗିକ ।

 

ବିଶ୍ୱବିଶ୍ରୁତ ଜୀବନ ଶିଳ୍ପୀ ଜନ୍ ବୋୟର (John Bojar)ଙ୍କ ଭାଷାରେ – “He is India bringing to Europe a new divine symbol, not the cross, but the lotus. His wisdom knows no age, it is old as the rivers of India and younger than ever childhood, for the shimmers in it something inborn, which will not be revealed until the Morrow. His poetry belongs to no school, the flowers of Bengal were created by sun and rain.” ଏହି ମନ୍ତବ୍ୟ ରବୀନ୍ଦ୍ର ନାଥଙ୍କ ପ୍ରତି କେବଳ ଉଚ୍ଛ୍ୱସିତ ଅଭିନନ୍ଦନ ମାତ୍ର ନୁହେଁ, ଗଭୀର ଅନ୍ତର୍ଦୃଷ୍ଟି ସମ୍ପନ୍ନ ଜଣେ ରସଜ୍ଞ ଶିଳ୍ପୀପ୍ରାଣର ଏହା ହେଉଛି ସ୍ୱାଭାବିକ ସମ୍ବର୍ଦ୍ଧନା । ପ୍ରକୃତିର ରବି ରଶ୍ମି ଓ ଦୃଷ୍ଟିଧାରାଦ୍ୱାରା ଯେଉଁ କାବ୍ୟ ପୁଷ୍ପ ରବୀନ୍ଦ୍ରଙ୍କ ଜୀବନ-ମଞ୍ଜରୀରେ ଦିନେ ପ୍ରସ୍ଫୁଟିତ ହୋଇଥିଲା । ସେ ପୁଷ୍ପ ଆଜି କେବଳ ବଙ୍ଗଳାର ନୁହେଁ, ତାହା ସମଗ୍ର ବିଶ୍ୱର । ସେ କାବ୍ୟ ପୁଷ୍ପର ସୌରଭେ ସମଗ୍ରବିଶ୍ୱର ବାତାବରଣ ଆଜି ସୁରଭିସିକ୍ତ । କେବଳ ବଙ୍ଗ ବା ଭାରତ ବର୍ଷର ନୁହେଁ, ପ୍ରାଚ୍ୟର ପ୍ରତିନିଧି ଭାବରେ ଯେଉଁ ଗୀତାଞ୍ଜଳି ସମଗ୍ର ପାଶ୍ଚାତ୍ୟ ଜଗତକୁ ଉପହାର ଦେଇଥିଲେ, ତ୍ୟାଗର କ୍ରୁଶ-ସଙ୍କେତ ପରେ ଏ ଉପହାର ପ୍ରାଚ୍ୟ ଜଗତର ଜୀବନ ସମ୍ଭୁତ ସୌନ୍ଦର୍ଯ୍ୟର ଏକ ନୂତନ ଶତଦଳ ।

 

କେବଳ ପ୍ରାଚ୍ୟ-ପାଶ୍ଚାତ୍ୟର ମିଳନ ନୁହେଁ, ବିଶ୍ୱମାନବର ମିଳନ ପାଇଁ ଯେଉଁ ଅଳ୍ପ କେତେଜଣ ଯାଜ୍ଞିକ ମନ୍ତ୍ର ଉଚ୍ଚାରଣ କରିଛନ୍ତି, ଜୀବନ ବେଦର ମଙ୍ଗଳ-ଗାୟତ୍ରୀ ପଢ଼ିଛନ୍ତି, ରବୀନ୍ଦ୍ରନାଥ ସେମାନଙ୍କ ମଧ୍ୟରେ ହେଉଛନ୍ତି ଅନ୍ୟତମ । ତାଙ୍କ ପ୍ରତିଭା ସହିତ ସେକ୍ସପିୟର, ଗ୍ୟେଟେ, ବାଲଜାକ୍‍, ରୋମ୍ୟାରୋଲାଁ, ଟଲଷ୍ଟୟ ବା ଲିଓନାର୍ଡ଼ୋ ଦାଭିଞ୍ଚିଙ୍କ ପରି ଅଳ୍ପ କେତୋଟି ପାଶ୍ଚାତ୍ୟ ପ୍ରତିଭା କେବଳ ପ୍ରତିଦ୍ୱନ୍ଦିତା କରିବାକୁ ସମର୍ଥ । କଳା ଓ ସାହିତ୍ୟର ଯେଉଁ ବିଭାଗ ଓ ବିଭବକୁ ରବୀନ୍ଦ୍ରନାଥ ସ୍ପର୍ଶ କରିଛନ୍ତି । ତାଙ୍କ ପ୍ରତିଭାର ରଶ୍ମି ସମ୍ପାତରେ ତାହା ହୋଇଛି ସମୁଜ୍ଜ୍ୱଳ । କବିତା, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ, ସମାଲୋଚନା, ଚିତ୍ର ଓ ସଙ୍ଗୀତ ଆଦି କଳାର ବହୁ ବିଭାଗ ତାଙ୍କ ଲେଖନୀ ଓ ତୁଳୀଦ୍ୱାରା ରୁଦ୍ଧିମନ୍ତ ହୋଇଛି । ଏଭଳି ବିଶ୍ୱଚାରିଣୀ ଓ ବିଶ୍ୱତନ୍ତୀପ୍ରତିଭାକୁ ଲାଭ କରି କଳାଲକ୍ଷ୍ମୀ ହୋଇଛନ୍ତି ଅଧିକତର ଦୀପ୍ତିମୟୀ ଓ ଐଶ୍ୱର୍ଯ୍ୟମୟୀ, ତେଣୁ ରବୀନ୍ଦ୍ରନାଥଙ୍କ ଭଳି ପ୍ରତିଭା କେବଳ ଗୋଟିଏ ଦେଶ, ଗୋଟିଏ ଜାତି ବା ଗୋଟିଏ ଶତାବ୍ଦୀର ଅହଙ୍କାରର ଐଶ୍ୱର୍ଯ୍ୟ ନୁହେଁ, ତାହା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ବହୁ ଶତାବ୍ଦୀର ଆତ୍ମିକ ନିର୍ଯ୍ୟାସ ହୋଇଥିବାରୁ ସମଗ୍ର ବିଶ୍ୱର ଭାବମାନସର ତାହା ହେଉଛି କାଳଜୟୀ ବିଭବ । ଭାରତୀୟ ଭିତ୍ତିଭୂମିରେ ବିଚାର କଲେ ବାଲ୍ମିକୀ, ବ୍ୟାସ ଓ କାଳିଦାସଙ୍କ ପରେ ରବୀନ୍ଦ୍ରନାଥ ହେଉଛନ୍ତି ଭାରତୀୟ ଭାବମାନସର ଅପ୍ରତିଦ୍ୱନ୍ଦୀ ବାଣୀଦୂତ ।

 

ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ୧୮୬୧ ମସିହାରେ ମଇ ୬ ତାରିଖରେ କଲିକତାସ୍ଥ ଯୋଡ଼ାସାଁକୋର ଠାକୁର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମହର୍ଷି ଦେବେନ୍ଦ୍ରନାଥ ଠାକୁର ଓ ମାତା ସାରଦା ଦେବୀ । ରବୀନ୍ଦ୍ରନାଥ ଜଣେ ଅସାଧାରଣ ପ୍ରତିଭାବାନ ବ୍ୟକ୍ତି ଥିଲେ । ପାଠ ପଢ଼ିବା ପାଇଁ ତାଙ୍କ ପିତା ଗୃହ ଶିକ୍ଷକ ନିଯୁକ୍ତ କରିଥିଲେ । ତାଙ୍କ ନିକଟରେ ସେ ଦର୍ଶନ, ସାହିତ୍ୟ, ସଂସ୍କୃତ ଓ ଗଣିତ ବିଦ୍ୟା ଅଧ୍ୟୟନ କରିଥିଲେ । କିନ୍ତୁ ତାଙ୍କର କୋମଳ କବିପ୍ରାଣ ବିଦ୍ୟାଳୟଗୁଡ଼ିକର ନିର୍ମମତା ବିରୁଦ୍ଧରେ ବିଦ୍ରାହ କରିଥିଲା । ବିଦ୍ୟାଳୟଗୁଡ଼ିକ ବିଷୟରେ ସେ ଲେଖିଛନ୍ତି- ‘‘ଏହାର ପ୍ରକୋଷ୍ଠଗୁଡ଼ିକ ନିର୍ମମ, କାନ୍ଥଗୁଡ଼ିକ ନିର୍ଦ୍ଦୟ ପ୍ରହରୀ ସଦୃଶ ଓ ଶିକ୍ଷାର୍ଥୀଗଣ ସଂଗ୍ରହାଳୟର ମୃତ ଜୀବ ସଦୃଶ । ଶିକ୍ଷକ ହେଉଛନ୍ତି ବେତ୍ରଧାରୀ, ରକ୍ତଚକ୍ଷୁ ଓ ଏକଛତ୍ରପତି ଏବଂ ପାଠ ବିଷୟ ପଢ଼ାଇବା ବେଳେ ମନେହୁଏ ଏପରି କୋମଳ ପୁଷ୍ପମାନଙ୍କ ଉପରେ କରକାପାତ ହେଉଛି ।’’

 

ବିଦ୍ୟାଳୟ ଶିକ୍ଷାପରେ ୧୮୭୭ ମସିହାରେ ରବୀନ୍ଦ୍ରନାଥ ଠାକୁର ଉଚ୍ଚଶିକ୍ଷା ପାଇଁ ବିଲାତ ଯାତ୍ରା କରିଥିଲେ । ସେଠାରେ ଅବସ୍ଥାନ କାଳରେ ସେ ବିଭିନ୍ନ ଦେଶର ମନୁଷ୍ୟମାନଙ୍କ ମଧ୍ୟରେ ଯେଉଁ ଆଧ୍ୟାତ୍ମିକ ଐକ୍ୟ ଅଛି ତାହାର ଆହ୍ୱାନ ପାଇଥିଲେ । ତାଙ୍କର ବିଶ୍ୱପ୍ରେମ ସେଠାରେ ବିଶେଷ ଭାବରେ ପୁଷ୍ଟିଲାଭ କରିଥିଲା । ମାତ୍ର ଗୋଟିଏ ବର୍ଷ ସେଠାରେ ରହିବା ପରେ ସେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୧୯୦୧ ମସିହାରେ ସେ କଲିକତାଠାରୁ ୯୩ କିଲୋମିଟର ଦୂର ବୋଲପୁରଠାରେ ଶାନ୍ତିନିକେତନ ନାମରେ ଏକ ପ୍ରସିଦ୍ଧ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯୨୧ ମସିହାରେ ସେହି ବିଦ୍ୟାଳୟ ‘ବିଶ୍ୱଭାରତୀ ବିଦ୍ୟାଳୟ’ ନାମରେ ପ୍ରସିଦ୍ଧ ଲାଭ କଲା । ସାହିତ୍ୟରେ ତାଙ୍କର ଅନବଦ୍ୟ ସୃଷ୍ଟି ‘ଗୀତାଞ୍ଜଳି’ ପାଇଁ ୧୯୧୩ ମସିହାରେ ତାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ତତ୍‌ପରେ ୧୯୨୩ରେ ତାଙ୍କୁ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ‘‘ଡକ୍ଟର’’ ଉପାଧିରେ ସମ୍ମାନିତ କଲେ । ୧୯୧୫ରେ ଭାରତ ସରକାର ତାଙ୍କୁ ‘‘ନାଇଟ୍’’ ଉପାଧିରେ ଭୂଷିତ କରିଥିଲେ । ବିଶ୍ୱଭାରତୀୟ ମାଧ୍ୟମେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତି, ଜ୍ଞାନ, ବିଜ୍ଞାନ, ଶିଳ୍ପକଳା, ଭାଷା ଓ ସାହିତ୍ୟର ଏକ ମିଳନ କେନ୍ଦ୍ର ରୂପେ ପ୍ରତିଷ୍ଠା କରିବାକୁ ପରିକଳ୍ପନା କରିଥିଲେ । ତାଙ୍କର ଜୀବନ ଦର୍ଶନ ଓ ଶିକ୍ଷା ବ୍ୟବସ୍ଥା ଦେଶବାସୀଙ୍କୁ ଏପରି ଭାବରେ ଅନୁପ୍ରାଣୀତ କରିଥିଲା ଯେ, ସେମାନେ ତାଙ୍କୁ ‘ଗୁରୁଦେବ’ ବୋଲି ଅଭିହତ କରିଥିଲେ । ଯୁଗପୁରୁଷ ବିଶ୍ୱକବି ରବୀନ୍ଦ୍ରନାଥ ୧୯୪୧ ମସିହା ଅଗଷ୍ଟ ୭ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।

 

ରବୀନ୍ଦ୍ର ପ୍ରତିଭାର ପରିବେଶ ଅନନ୍ୟ-ସାଧାରଣ ସଂଘର୍ଷ, ବିସ୍ମୟ ଓ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ-। ରବୀନ୍ଦ୍ର ଯୁଗ ଏକ ନବ ଜାଗରଣ ଯୁଗ । ଏହି ଜାଗରଣ ଯୁଗରେ ରାଜା ରାମମୋହନ ରାୟ, ସାର ସୟଦ ଅହମ୍ମଦ ଖାଁ, ପରମହଂସଦେବ, ଡେଭିଡ୍‍ ହେୟାର, ଡିରୋଜିଓ, ମହର୍ଷି ଦେବେନ୍ଦ୍ରନାଥ, ବିଦ୍ୟାସାଗର, ମାଇକେଲ ମଧୁସୂଦନ, ବଙ୍କିମ ଚନ୍ଦ୍ର ଓ ବିବେକାନନ୍ଦ ପ୍ରଭୃତି ପଥିକୃତ ଭାବରେ ଯେଉଁ ସରଣୀ ଓ କ୍ଷେତ୍ର ପ୍ରସ୍ତୁତ କରିଥିଲେ, ରବୀନ୍ଦ୍ର ପ୍ରତିଭାର ଆବିର୍ଭାବ ଯେପରି ସେହି ସରଣୀର ହେଉଛି ଚରମ ଓ ପରମ ସିଦ୍ଧି । ରବୀନ୍ଦ୍ରନାଥ ବାଲ୍ୟଜୀବନର ଯେଉଁ ଶିକ୍ଷା, ପରିବେଶ, ପରମ୍ପରା ଓ ପ୍ରଗତିର ଆଲୋକ ମଧ୍ୟରେ ଜୀବନ ଅତିବାହିତ କରିଥିଲେ, ତାଙ୍କ ପ୍ରତିଭାର ପ୍ରଖର ରଶ୍ମି ବୀଜ ତାହାରି ମଧ୍ୟରେ ଯେପରି ଅନ୍ତର୍ନିହିତ ହୋଇ ରହିଥିଲା ଏବଂ ପରବର୍ତ୍ତୀ କାଳରେ ତା’ର ଦୀପ୍ତି ସମଗ୍ର ବିଶ୍ୱକୁ ଭାସ୍ୱର କରିପାରିବାରେ ତେଣୁ ବିସ୍ମୟର କାରଣ କିଛି ନାହିଁ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ସଂସ୍କୃତିର ମିଳନପୀଠ ଥିଲା କଲିକତା । ପୁଣି ରବୀନ୍ଦ୍ରଙ୍କ ପାରିବାରିକ ଜୀବନରେ ରାଜା ଦ୍ୱାରକାନାଥ ଓ ମହର୍ଷି ଦେବେନ୍ଦ୍ରନାଥଙ୍କ ଜୀବନ ଦର୍ଶନ ମାଧ୍ୟମରେ ମଧ୍ୟଯୁଗୀୟ ମୋଗଲ ସଂସ୍କୃତି ଓ ସୁଫୀଦର୍ଶନ ଏବଂ ହିନ୍ଦୁ ସଂସ୍କୃତି ଓ ଉପନିଷଦର ଯେପରି ଅପୂର୍ବ ସମନ୍ୱୟ ଘଟିଥିଲା । ତା’ର ଅମୃତମୟ ପରିଣତି ହେଉଛି ବିଶ୍ୱକବିଙ୍କ ପ୍ରତିଭା । ଅନ୍ୟଦିଗରେ ବାଲ୍ମୀକି, ବ୍ୟାସ, କାଳୀଦାସ, ଭବଭୂତି, ବାଣଭଟ୍ଟ ଓ ଜୟଦେବଙ୍କ ସଂସ୍କୃତ ସାହିତ୍ୟ ଓ ଚଣ୍ଡୀଦାସ ପ୍ରଭୃତିଙ୍କ ବୈଷ୍ଣବ ସାହିତ୍ୟ, ପ୍ରାଚୀନ ବୌଦ୍ଧ ସାହିତ୍ୟ ଓ ଶେଲୀ, କିଟ୍‌ସ, ସୁଇନବର୍ଣ୍ଣ, ବ୍ରାଉନିଂ, ଟେନିସନ ଓ ଫ୍ଲେକରର ପ୍ରଭୃତି ପାଶ୍ଚାତ୍ୟ କାବ୍ୟମାନସ ସହିତ ରବୀନ୍ଦ୍ରନାଥ ଯେପରି ପରିଚିତ ଓ ଆତ୍ମୀୟ ହୋଇଥିଲେ, ସେଥିରେ ତାଙ୍କ ପ୍ରତିଭା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଜଗତରୁ ରୂପ ରସ ଆହରଣ କରି କାବ୍ୟର ବିଚିତ୍ର ଇନ୍ଦ୍ରଧନୁ ସୃଷ୍ଟି କରିଥିବା ସ୍ୱାଭାବିକ । ଏଇ ଇନ୍ଦ୍ରଧନୁରେ ଜୀବନ ରଶ୍ମି ଓ ରସର ସାନ୍ଧ୍ରତା ଉଭୟ ସମନ୍ୱିତ । ଯୁଗର ଜୀବନ ପରିଧି ମଧ୍ୟରୁ ସେ ନିଜର ସୃଷ୍ଟି-ଉପାଦାନ ସଞ୍ଚୟ କରିଥିଲେ ହେଁ ଉପାଦାନ ତୁଳନାରେ ତାଙ୍କ ପ୍ରତିଭାର ଦାନ ସହସ୍ର ଗୁଣରେ ବର୍ଣ୍ଣୋଜ୍ଜ୍ୱଳ ।

 

ପ୍ରସିଦ୍ଧ ଦାର୍ଶନିକ ଋଷୋଙ୍କ ପରି ରବୀନ୍ଦ୍ରନାଥ ବ୍ୟକ୍ତିବାଦୀ ଥିଲେ । ସେ ବିଶ୍ୱାସ କରୁଥିଲେ ଯେ, ଈଶ୍ୱର ଉଭୟ ମନୁଷ୍ୟ ଓ ପ୍ରକୃତର ମୂଳଉତ୍ସ । ସେଥିପାଇଁ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ଓ ମନୁଷ୍ୟ ପ୍ରକୃତି ମଧ୍ୟରେ ଗଭୀର ଆତ୍ମିକ ସମ୍ପର୍କ ନିହିତ । ସେ ଏକ ମାନବୀୟ ଦୃଷ୍ଟିକୋଣରୁ ସମାଜକୁ ସମୀକ୍ଷା କରିଛନ୍ତି । ତାଙ୍କ ମତରେ ମନୁଷ୍ୟ ଓ ତାହାର ମୂଲ୍ୟବୋଧ ପ୍ରତ୍ୟେକ ବସ୍ତୁର ମାନଦଣ୍ଡ ନିର୍ଣ୍ଣୟ କରେ । ସେ ମନୁଷ୍ୟକୁ ପ୍ରାକୃତିକ ପରିବେଶ ସହିତ ସଂପୃକ୍ତ କରି ତାହାକୁ ପ୍ରାଣବନ୍ତ ସୃଜନଶୀଳ ଓ ପୂର୍ଣ୍ଣାଙ୍ଗ କରିବାକୁ ପ୍ରୟାସ କରିଥିଲେ ।

 

‘ମାନବ ବାଦ’ ରବୀନ୍ଦ୍ରନାଥଙ୍କ ଜୀବନର ଅନ୍ୟ ଏକ ବିଶେଷ ଗୁଣ ଥିଲା । ସେ ବ୍ୟକ୍ତିର ସ୍ୱାଧୀନତା ଓ ମାନବିକ ମୂଲ୍ୟବୋଧ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ । ମନୁଷ୍ୟ ମଧ୍ୟରେ ସେ ଈଶ୍ୱରଙ୍କ ସତ୍ତା ନିହିତ ଅଛି ବୋଲି ବିଶ୍ୱାସ କରୁଥିଲେ । ଜଣେ ଜଣକୁ ସମ୍ମାନ ଦେଲେ ଓ ସାହାଯ୍ୟ କଲେ ଭଗବାନଙ୍କର କୃପାର ଅଧିକାରୀ ହୋଇପାରିବ- ଏ ବିଶ୍ୱାସ ରବୀନ୍ଦ୍ରନାଥଙ୍କର ଥିଲା । ତେଣୁ ସେ ମୁକ୍ତ କଣ୍ଠରେ ଗାଇଥିଲେ –

 

‘‘ମରିତେ ଚାୟନା ଆମି ସୁନ୍ଦର ଭୁବନେ

ମାନୁଷେର ମାଝେ ଆମି ବାଞ୍ଚିତେଲ ଚାୟ ।’’

 

ରବୀନ୍ଦ୍ର ଶିଳ୍ପ ମାନସଟି କି ବିଚିତ୍ର । ଯେପରି ଗୋଟିଏ ସାତ ମହଲା ପ୍ରାସାଦ । ତାଙ୍କର କେଉଁଠି କାବ୍ୟ-କବିତା ବା କଥା ଶିଳ୍ପର ନୂପୁର ନିକ୍ୱଣ, କେଉଁଠି ଧର୍ମ, ଦର୍ଶନ, ବିଜ୍ଞାନ, ଇତିହାସ ଓ ସାହିତ୍ୟ-ସମାଲୋଚନାର ରାଜସଭା, କେଉଁଠି ପୁଣି ନୃତ୍ୟନାଟ ବା ସଙ୍ଗୀତର ଅପୂର୍ବ ମୁର୍ଚ୍ଛନା । ଏହା ବ୍ୟତୀତ, ପୁଣି କେତେ ବୈଚିତ୍ର୍ୟପୂର୍ଣ୍ଣ ଭ୍ରମଣ କାହାଣୀର ଜମାଣିଆ ବୈଠକ, କେଉଁଠି ପୁଣି ବ୍ୟାକରଣର ଆଲୋଚନା ନେଇ ଗମ୍ଭୀର ପରିମଣ୍ଡଳ । ରଙ୍ଗ ତୁଳୀର ମୋହମାୟା କେଉଁଠି, କେଉଁଠିବି ଅଭିନୟର ରୂପ ଲାବଣ୍ୟ । ଗୋଟିଏ ବାକ୍ୟରେ କହିବାକୁ ଗଲେ ରବୀନ୍ଦ୍ରନାଥ ଯେପରି ମୂର୍ତ୍ତିମାନ ବହୁରୂପୀ; ନାନା ରଙ୍ଗ ଓ ରସରେ ନିମଜ୍ଜିତ ପାଠକମାନଙ୍କ ମନକୁ ଭୁଲାଇବାରେ ତତ୍ପର-। କବିଙ୍କ ଭାଷାରେ-

 

‘‘ପଶ୍ଚିମ ଆଜ ଖୋଲିଅଛେ ଦ୍ୱାର

ସେଆ ହବେ ସବେ ଆନେ ଉପହାର

ଦିବେ ଆର ନିବେ, ମିଲାବେ ମିଲିବେ,

ଯାବେନା ଫିରେ

ଏଇ ଭାରତରେ ମହାମାନବେର ସାଗରତୀରେ ।’’

 

ସେଦିନର ଭାରତୀୟ ଜୀବନ ଓ ରବୀନ୍ଦ୍ରଙ୍କର କାବ୍ୟ ଜୀବନ ପାଇଁ ଏହି ବାଣୀ ଯେପରି ଥିଲା ସତ୍ୟ ଓ ଗୁରୁତ୍ୱପୂର୍ଣ୍ଣ, ସମ୍ପତି ବିଶ୍ୱସଂସ୍କୃତିର ପଟ୍ଟଭୂମିରେ ‘ଭାରତ ତୀର୍ଥ’ର ଏହି ବାଣୀ ତା’ଠୁଁ ବାସ୍ତବ ଓ ତାତ୍ପର୍ଯ୍ୟପୂର୍ଣ୍ଣ ।

 

ରବୀନ୍ଦ୍ର ପ୍ରତିଭାର ପ୍ରଧାନ ଧର୍ମ ହେଉଛି ତା’ର ମାନବମୁଖିତା, ଜୀବନ ନିଷ୍ଠା ଓ ମର୍ତ୍ତ୍ୟପ୍ରୀତି । ଏହି ପ୍ରତିଭାର ଅନ୍ୟଥମ ବୈଶିଷ୍ଟ୍ୟ – ତା’ର ଚିରନ୍ତନ ଗତିଶୀଳତା ଏବଂ ନାନାବିଧ ପରୀକ୍ଷା ଓ ଅଭିଜ୍ଞତାର ମଧ୍ୟ ଦେଇ ତା’ର ପରିପୁଷ୍ଟି ଓ ବିକାଶ । ରବୀନ୍ଦ୍ରଙ୍କ କାବ୍ୟଧର୍ମ ହେଉଛି ‘ମନୁଷ୍ୟ ଧର୍ମ’ ଓ ତାଙ୍କର ‘ଧର୍ମ’ ହେଉଛି ପ୍ରାଣଧର୍ମ ବା ‘ବିଶ୍ୱମାନବ ଧର୍ମ’ । ତାଙ୍କ କାବ ଦର୍ଶନ ମଧ୍ୟରେ ଜୀବନ ଓ ସୌନ୍ଦର୍ଯ୍ୟବୃନ୍ତ ଓ ପୁଷ୍ପ ସଦୃଶ୍ୟ ଅଙ୍ଗାଙ୍ଗୀଭାବେ ସଂପୃକ୍ତ । ଜୀବନର ସଂହତି ପ୍ରତି ଅଖଣ୍ଡ ଚେତନଶୀଳତା ତାଙ୍କ ସୃଷ୍ଟିର ସ୍ତରେ ସ୍ତରେ ପ୍ରକଟିତ ଏବଂ ଏହାହିଁ ତାଙ୍କ ଜୀବନ ଦର୍ଶନର ପ୍ରଧାନ କଥା । ଜଗତ ଓ ଜୀବନର ଶାଶ୍ୱତ ସ୍ୱରୂପକୁ ଉପଲବ୍ଧି କରିବା ଭଳି ସତ୍ୟଦୃଷ୍ଟି ଥିଲା ରବୀନ୍ଦ୍ରନାଥଙ୍କର । ସେଇ ପ୍ରେମ ଓ ଆନନ୍ଦ ତାଙ୍କର ସମସ୍ତ ସାହିତ୍ୟ ସୃଷ୍ଟିକୁ ଏକ ଅଦୃଷ୍ଟ ପୂର୍ବ ମହିମାରେ ଅଭିସିକ୍ତ କରିଛି । ନିବିଡ଼ ମାନବପ୍ରୀତି, ଅସୀମ ଭଗବତ ପ୍ରେମ ଓ ଆନ୍ତରିକ ପ୍ରକୃତି ପ୍ରୀତିର ଆଶ୍ଚର୍ଯ୍ୟ ଏକ ତ୍ରିବେଣୀ ସଂଗମ ରବୀନ୍ଦ୍ର ସାହିତ୍ୟ । ମଣିଷକୁ ଭଲ ପାଇଛନ୍ତି ବୋଲି ସ୍ୱଦେଶ ତାଙ୍କ ପାଖରେ ବଡ଼, ସନାତନ ଭାରତୀୟ ସାଧନାର ଧାରା ତାଙ୍କ ଦୃଷ୍ଟିରେ ମହିମାମୟ । ମନେହୁଏ, ଏ ଯୁଗର ସ୍ୱଦେଶୀ ସାହିତ୍ୟିକିଗଣ ରବୀନ୍ଦ୍ରନାଥ ସତ୍ୟାଦର୍ଶଠାରୁ ବହୁ ଦୂରରେ । ନିଷ୍ଠା, ସତ୍ୟତା ଓ ଆନ୍ତରିକତାର ଅଭାବ ଫଳରେ ସତ୍ୟଦୃଷ୍ଟିର ଅଭାବ ସେମାନଙ୍କ ସାହିତ୍ୟରେ ପରିଲକ୍ଷିତ ହୋଇଛି । ସେମାନଙ୍କ ମଧ୍ୟରୁ ବେଶିଭାଗ ଅର୍ଥ ପାଇଁ ଲେଖୁଛନ୍ତି; ବୃହତ୍ତର କଲ୍ୟାଣ ଚିନ୍ତା ଓ ସତ୍ୟସାଧନାର ବଶବର୍ତ୍ତୀ ପାଇଁ ନୁହେଁ । ଫଳରେ ଲେଖାର ପରିମାଣ ବୃଦ୍ଧି ପାଇବା ଦିଗରେ ବେଶି ଭାଗ ପ୍ରଚେଷ୍ଟା, ଗୁଣାତ୍ମକ ଉତ୍କର୍ଷ ସାଧନ ପାଇଁ ନୁହେଁ । ରବୀନ୍ଦ୍ରନାଥ ୧୪୦୦ ସାଲ କବିତାରେ ଦିନେ ଲେଖିଥିଲେ-

 

‘‘ଆଜ ହତ ଶତବର୍ଷ ପରେ

କେ ତୁମି ପଢ଼େଛ ବସେ ଆମାର କବିତାଖାନି

କୌତୁହଳ ଭରେ

ଆଜ ହତ ଶତବର୍ଷ ପରେ ।

xxx            xxx            xxx

ଆଜ ହତ ଶତବର୍ଷ ପରେ

ଏଖନ କରିଛେ ଗାନ ସେ କୋନ୍ ନତୁନ କବି

ତୋମାଦେର ଘରେ

ଆଜକେର ବସନ୍ତେର ଆନନ୍ଦ-ଅଭିବାଦନ

ପାଠାୟ ଦିଲାମ ତାଁର କରେ ।

ଆମାର ବସନ୍ତ ଗାନ ତୋମାର ବସନ୍ତ ଦିନେ

ଧ୍ୱନିତ ହଉକ କ୍ଷଣତରେ-

ହୃଦୟ ସ୍ପନ୍ଦନେ ତବ, ଭ୍ରମର ଗୁଞ୍ଜନେ ନବ

ପଲ୍ଲବ ମର୍ମରେ

ଆଜହତ ଶତବର୍ଷ ପରେ ।’’

 

ରବୀନ୍ଦ୍ରନାଥ ଓ ସଂସ୍କୃତ ସାହିତ୍ୟ:

ରବୀନ୍ଦ୍ରନାଥଙ୍କର କେତୋଟି ଶ୍ରେଷ୍ଠ କବିତା ସଂସ୍କୃତ କବି ଓ କାବ୍ୟର କବିତା; ଯେପରି ‘ମେଘଦୁତ’, ‘ଭାଷା ଓ ଛନ୍ଦ’, ‘ସେକାଳ’, କାଳିଦାସେର ପ୍ରତି’, ‘କୁମାର ସମ୍ଭବ ଗାନ’ ଇତ୍ୟାଦି । ଏଇସବୁ କବିତା ଏକ ଅଭିନବ କାବ୍ୟ ରସରେ ରସାଣିତ । ଏଇ ସମସ୍ତ କାବ୍ୟ କବିଙ୍କୁ ଶ୍ରଦ୍ଧା, ପ୍ରୀତି ଓ ପ୍ରଶଂସାର ଅଞ୍ଜଳି ନୁହେଁ, ଯେପରି Keats ଙ୍କ On looking into Chapman’s Homer, ସେଇପରି ରବୀନ୍ଦ୍ରନାଥଙ୍କ ନିଜସ୍ୱ ‘ଯେ ଦିନ ଉଦିଲେ ତୁମି, ବିଶ୍ୱକବି, ଦୂର ସିନ୍ଧୁପାରେ’ । ବସ୍ତୁର ଜଗତ କବିର ଚିତ୍ତକୁ ରସ ସମ୍ମୋହିତ କରି କାବ୍ୟକୁ ଜନ୍ମଦିଏ; ଏଠାରେ କବି ଓ କାବ୍ୟର ଜଗତ ରବୀନ୍ଦ୍ରନାଥଙ୍କ ଚିତ୍ତକୁ ଠିକ ସେଇପରି ରସାବିଷ୍ଟ କରି ଏଇ ଅଭିନବ ଶ୍ରେଣୀର କାବ୍ୟକୁ ଜନ୍ମ ଦେଇଛି । ରବୀନ୍ଦ୍ରନାଥଙ୍କ ‘ମେଘଦୁତ’ କାଳିଦାସଙ୍କ ‘ମେଘଦୂତ’ ପ୍ରଭାବିତ କରି – ଚିତ୍ତ ଆନନ୍ଦ-ଉଚ୍ଛ୍ୱାସ ନୁହେଁ ‘ମେଘଦୂତ’ ଓ ତା’ର କବି ରବୀନ୍ଦ୍ରନାଥଙ୍କ କଳ୍ପନାକୁ ଯେ ପ୍ରଭାବିତ କରିଛି ଏହା ତା’ର ଫଳସ୍ୱରୂପ ନୂତନ ରସସୃଷ୍ଟି । ‘ଭାଷା ଓ ଛନ୍ଦ’ କବିତା ବି ଠିକ୍ ସେଇଆ । ବାଲ୍ମୀକିଙ୍କ ରାମଚରିତ ରଚନାର ଯେଉଁ କାବ୍ୟ ରାମାୟଣର ଆରମ୍ଭ ରବୀନ୍ଦ୍ରନାଥଙ୍କ କଳ୍ପନାରେ ତାହା ଏକ ନୂଆ ରସମୂର୍ତ୍ତି ଧାରଣ କରିଛି ।

 

ରବୀନ୍ଦ୍ରନାଥଙ୍କ ଏଇ ଶ୍ରେଣୀର କାବ୍ୟ ଯେ କେଉଁଠି ସଂସ୍କୃତ କାବ୍ୟର ପ୍ରତିଛବି ତାହା ମନେ ହୁଏନା । ମନେହୁଏ ସମ୍ପୂର୍ଣ୍ଣ ନୂତନ ସୃଷ୍ଟି । କାରଣ ଏଇ ସବୁ କାବ୍ୟରେ କବିର ମନ ଓ ଦୃଷ୍ଟି ଏଠାରେ ରବୀନ୍ଦ୍ରନାଥଙ୍କ ମନ ଓ ଦୃଷ୍ଟିର ସୀମାରେଖା ନୁହେଁ । ଅଧିକନ୍ତୁ, ତାଙ୍କ କାବ୍ୟକୁ ପାଥେୟ କରି ରବୀନ୍ଦ୍ରନାଥଙ୍କ ଦୃଷ୍ଟି ଓ ମନ ସେଇ ବସ୍ତୁ ଓ ଭାବ ରାଜ୍ୟରେ ପହଞ୍ଚି ଯାହା ତାଙ୍କ କାବ୍ୟର ମୂଳ ଉପାଦାନ, ସେଇ ଉପାଦାନକୁ ନିଜ ପ୍ରତିଭା ବଳରେ ଛନ୍ଦାୟିତ ଓ ରସାୟିତ କରି ନୂଆ କାବ୍ୟ କୋଣାର୍କ ସୃଷ୍ଟି କରିଛନ୍ତି । ‘ମେଘଦୂତ’ କବିତାର ଯେଉଁ ଅଂଶଟି ବସ୍ତୁତଃ କାଳିଦାସଙ୍କ ମେଘର ଯାତ୍ରାପଥର ସଂକ୍ଷିପ୍ତ ଅନୁକରଣ ମାତ୍ର ନିମ୍ନୋକ୍ତ ପଂକ୍ତିରେ ଏହାର ପରିଚୟ ମିଳିପାରିବ ।

 

‘‘କୋଥା ଆଛେ

ସାନୁମାନ ଆମ୍ରକୂଟ, କୋଥା ବହିୟାଛେ

ବିମଳ ବିସ୍ତୀର୍ଣ୍ଣ ରେବା ବିନ୍ଧ୍ୟପଦମୂଳେ

ଉପଳବ୍ୟଥିତ ଗତି, ବେତ୍ରବତୀ କୂଳେ

ପରିଣତ ଫଳ ଶ୍ୟାମ ଜମ୍ବୁବନ ଛାୟେ

କୋଥାଏ ଦଶାର୍ନ ଗ୍ରାମ ରୟେଛେ ଲୁକାୟେ

ପ୍ରସ୍ଫୁଟିତ କେତକୀର ବେଡ଼ାଦିଏ ଘେରା ।’’

 

ଏ ମେଘଦୂତ, କିନ୍ତୁ ଠିକ ମେଘଦୂତ ନୁହେଁ । କାଳିଦାସ ଅଙ୍ଗୁଳି ନିର୍ଦ୍ଦେଶ କରି ଯେଉଁ ଦିଗକୁ ଦେଖିଛନ୍ତି, କବି ସେଇ ଦିଗକୁ ଚାହିଁଛନ୍ତି, କିନ୍ତୁ ଦେଖିଛନ୍ତି ନିଜର ମାନସ ଚକ୍ଷୁରେ ‘ଭାଷା ଓ ଛନ୍ଦ’ କିତାରେ-

 

‘‘ବୀର୍ଯ୍ୟ କା’ର କ୍ଷମାରେ କରେନା ଅତିକ୍ରମ

କାହାର ଚରିତ୍ର ଘେନି ସୁକଠିନ ଧର୍ମେର ନିୟମ

ଧରେଛେ ସୁନ୍ଦର କାନ୍ତି ମାଣିକ୍ୟେର ଅଙ୍ଗଦେଇ ମତୋ,

ମହିଶ୍ଚର୍ଯ୍ୟେ ଆଚ୍ଛେ ନମ୍ର, ମହାଦୈନ୍ୟେ କେ ହୟନି ନତ

ସମ୍ପଦେ କେ ଥାକେଭୟେ, ବିପଦେ କେ ଏକାନ୍ତ ନିର୍ଭୀକ,

କେ ପେୟେଛେ ସବଟେୟେ, କେ ଦିୟେଛେ ତାହାର ଅଧିକ

କେ ଲୟେଛେ ନିଜଶିରେ ରାଜଭାଲେ ମୁକୁଟର ସମ

ସବିନୟେ ସ ଗୌରବେ ଧରାମାଝେ ଦୁଃଖ ମହତ୍ତମ ।’’

 

ରାମାୟଣରେ ରାମ ଚରିତ୍ର ହିଁ ସତ୍ୟ । କିନ୍ତୁ ଆଦିକାଣ୍ଡର ପ୍ରଥମ ସ୍ୱର୍ଗରେ ବାଲ୍ମୀକି-ନାରଦ ପ୍ରଶ୍ନୋତ୍ତର ମଧ୍ୟରେ ଠିକ୍‍ ଏଇ ଜିନିଷ ମିଳିପାରିବ ନାହିଁ ।

 

ମହାଭାରତ, ରାମାୟଣ ଓ ପୁରାଣର ପ୍ରସଙ୍ଗ ଏବଂ ଉପାଖ୍ୟାନ ସବୁ ରବୀନ୍ଦ୍ରନାଥଙ୍କ ବହୁ କାବ୍ୟର ଉପାଦାନ । ପ୍ରାଚୀନ ଭାରତ ବର୍ଷରେ ଏଇ ବିଶାଳ ଓ ମହାନ୍ ସାହିତ୍ୟ ତାଙ୍କ କବି ଚିତ୍ତରେ ବିଶେଷ ଭାବରେ ସଂଶ୍ଳିଷ୍ଟ, କିନ୍ତୁ ଏଠାରେ ତାଙ୍କର ସୃଷ୍ଟିଗୁଡ଼ିକ ନୂତନ ଓ ମୌଳିକ ପରି ମନେହୁଏ । ‘ଗାନ୍ଧାରୀର ଆବେଦନ’ ଓ ‘କର୍ଣ୍ଣକୁନ୍ତୀ ସମ୍ବାଦ’ରେ ବ୍ୟାସ ଯେଉଁ ରସର ସୃଷ୍ଟି କରିଛନ୍ତି ତାହାର ଧାରା ପ୍ରବାହିତ ହୋଇଛି ମହାଭାରତର ଚିତ୍ରଗୁଡ଼ିକ ମଧ୍ୟରେ । ଅପର ପକ୍ଷରେ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କ ମୁହଁରେ ରବୀନ୍ଦ୍ରନାଥ ଯେଉଁସବୁ କଥା କୁହାଇଛନ୍ତି, କର୍ଣ୍ଣ ଓ କୁନ୍ତୀକୁ ଦେଇ କୁହାଇଛନ୍ତି, ତା’ର ଅନେକ କଥାହିଁ ମହାଭାରତରେ ନାହିଁ । ଅଧିକନ୍ତୁ, ସେଇ ସବୁ ଯେ ମହାଭାରତରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ, କର୍ଣ୍ଣ ଓ କୁନ୍ତୀର ମୁହଁର ଭାଷା ସେଥିରେ ସନ୍ଦେହ ନାହିଁ । ଏଇସବୁ ଚରିତ୍ରକୁ ରବୀନ୍ଦ୍ରନାଥ ନିଜ କଳ୍ପନାରେ ଆତ୍ମସାତ କରି ପାରିଛନ୍ତି । ତାଙ୍କ କାବ୍ୟରେ ସେମାନଙ୍କ କଥା ଓ କାର୍ଯ୍ୟ ଅତ୍ୟନ୍ତ ପରିଚିତ ଲୋକର ସ୍ୱାଭାବିକ କଥା ଓ କାର୍ଯ୍ୟ ବୋଲି ମନେହୁଏ ।

 

‘‘ହେର ଦେବୀ, ପରପାରେ ପାଶୁବ ଶିବିରେ

ଜ୍ୱାଲିଆଛେ ଦୀପାଲୋକ, ଏପାରେ ଅଦୂରେ

କୌରବେର ମନ୍ଦୁରାୟ ଲକ୍ଷ ଅଶ୍ୱଥୁରେ

ଶର ଶବ୍ଦ ଉଠିଛେ ବାଜିୟା ।’’

 

ମହାଭାରତରେ ନାହିଁ । କିନ୍ତୁ ମହାଭାରତର ଯୁଦ୍ଧ ପର୍ବଗୁଡ଼ିକରେ ଆସନ୍ନ ଯୁଦ୍ଧର ଯେ ଭୀଷଣ ଗମ୍ଭୀର ରସ ପୁନଃ ଫୁଟିଉଠିଛି ଏହା ହେଉଛି ତା’ର ରୂପ ।

 

‘ଚିତ୍ରାଂଗଦା’ ଓ ‘ବିଦାୟ ଅଭିଶାପ’ ମହାଭାରତର ଅତି ସାମାନ୍ୟ ଭିତ୍ତି ଉପରେ କି କଳ୍ପନାରେ ସୃଷ୍ଟି । ଏହି ଦୁଇଟି କାବ୍ୟର ଯେଉଁ ରସ ତାହା ମହାଭାରତର ଉପାଖ୍ୟାନ ସହିତ କୌଣସି ସମ୍ପର୍କ ସ୍ଥାପନ କରେ ନାହିଁ । ଏଠାରେ ପୌରାଣିକ ଚରିତ୍ର ଓ ଆଖ୍ୟାନ କବିର କଳ୍ପନାକୁ ଜାଗ୍ରତ କରେ ନାହିଁ, କବିର କଳ୍ପନାହିଁ ଏଇସବୁକୁ ଆଶ୍ରୟ କରିଛି । ଏଇ ଦୁଇଟି ସ୍ଥାନରେ ତେବେ ବି ଗଳ୍ପର ଗୋଟିଏ ଗୋଟିଏ ନାରା ଥିଲା; କିନ୍ତୁ ରାମାୟଣରେ ଋଷ୍ୟଶୃଙ୍ଘ ଉପାଖ୍ୟାନଠାରୁ ଯେ ‘ପତିତା’ର କଳ୍ପନା କମ୍ ନୁହେଁ ତାହା ରବୀନ୍ଦ୍ରନାଥଙ୍କଦ୍ୱାରା ହିଁ ସମ୍ଭବ ହୋଇଛି ।

 

ରାମାୟଣ ଓ ମହାଭାରତର ପ୍ରସଙ୍ଗ ନେଇ ଆଧୁନିକ ବଙ୍ଗଳା କାବ୍ୟ ରଚନାରେ ସ୍ୱଭାବତହିଁ ମାଇକେଲଙ୍କ କଥା ମନେହୁଏ । ‘ମେଘନାଥ ବଧ’ ଓ ‘ତିଳୋତ୍ତମା’ର ବାହ୍ୟିକ ଗଢ଼ଣ, ସଂସ୍କୃତ କ୍ଲାସିକ କବିମାନେ ପୌରାଣିକ ଉପାଖ୍ୟାନ ନେଇ ଯେଉଁସବୁ କାବ୍ୟ ରଚନା କରିଛନ୍ତି, ଠିକ୍ ସେଇ ଗଢ଼ଣ । ପୁରାଣରୁ ଆଖ୍ୟାନ ବସ୍ତୁ ନିଆଯାଇଛି-ମାତ୍ର, କିନ୍ତୁ ତାହାର ଘଟଣା ବା ଚରିତ୍ର କବି ଚିତ୍ତର ରସରେ ସେମାନଙ୍କୁ ଆକ୍ରାନ୍ତ କରେ ନାହିଁ । କାବ୍ୟ ସୃଷ୍ଟିରେ କବି ଯେ କଳ୍ପନା ଆଣିଛନ୍ତି ତାହା ପୁରାଣ-ପ୍ରସଙ୍ଗକୁ ଅତିକମ୍ର କରି ପାଠକକୁ ରସର ଗୋଟିଏ ନୂତନ ରାଜ୍ୟକୁ ନେଇଯାଏ ନାହିଁ । ଏଇ କାବ୍ୟ ପୌରାଣିକ ଆଖ୍ୟାନର ଘରେ ଥାଏ, କିନ୍ତୁ Paying Guest. ରବୀନ୍ଦ୍ରନାଥ ଥାଆନ୍ତି ବାହାରେ, କିନ୍ତୁ ସେ ଘରର ଲୋକ । ଘରକୁ ଯେତେବେଳେ ଆସନ୍ତି, ସେତେବେଳେ ସମ୍ପୂର୍ଣ୍ଣଭାବେ ଅନ୍ତଃପୁରରେ ଯାଇ ଉପସ୍ଥିତ ହୁଅନ୍ତି । ‘ବୀରାଙ୍ଗନା’ରେ ବିଦେଶୀ କବିଙ୍କ କଳ୍ପନାର ଆଦର୍ଶରେ ଅନୁପ୍ରାଣୀତ ହୋଇ ମାଇକେଲ ଅତି ସୁକ୍ଷ୍ମ ପୌରାଣିକ ସୂତ୍ର ଧରି ଅଭିନବ ରସ ସୃଷ୍ଟି କରିଛନ୍ତି । ଏଇ କାବ୍ୟ ‘ଚିତ୍ରଙ୍ଗଦା’ ଓ ‘ବିଦାୟ’ ଅଭିଶାପ’ ସବୁର ସମଶ୍ରେଣୀ କାବ୍ୟ । ସ୍ୱାଦର ତଫାତ୍ ହେଉଛି ଦୁଇଜଣ ପ୍ରତିଭାଙ୍କ ସୃଷ୍ଟିର ପ୍ରଭେଦ ।

 

ରବୀନ୍ଦ୍ରନାଥଙ୍କ କାବ୍ୟ ଭାରତବର୍ଷରେ କାବ୍ୟ ସୃଷ୍ଟିଧାରାର ସଂସ୍କୃତ କାବ୍ୟର ପରମ କୌରବମୟ ଯୁଗ ସହିତ ଏକମାତ୍ର ସମକକ୍ଷ । ରବୀନ୍ଦ୍ରନାଥ ଊନବିଂଶ ଓ ବିଂଶ ଶତାବ୍ଦୀର କବି; କିନ୍ତୁ ସେ କାଳିଦାସଙ୍କ ସମୟରେ ଜନ୍ମ ହୋଇଥିଲେ ।

 

ସମସାମୟିକ ଓଡ଼ିଆ କବିତାରେ ରବୀନ୍ଦ୍ର କାବ୍ୟ-ମାନସର ପ୍ରତିଫଳନ:

ରବୀନ୍ଦ୍ରନାଥଙ୍କ ଆଧ୍ୟାତ୍ମିକ ଚିନ୍ତାରେ ଯେଉଁମାନେ ରହସ୍ୟବାଦୀ ଉପାଦାନ ପରିଲକ୍ଷିତ ହୁଏ, ବାସ୍ତବ ଜୀବନର ପ୍ରାତ୍ୟହିକ ପ୍ରସଙ୍ଗରେ ତା’ର ଯଥାର୍ଥ୍ୟ ସୁସ୍ପଷ୍ଟ । ତେଣୁ ତାଙ୍କ ମତରେ ବ୍ୟକ୍ତି ବା ଜାତିର ମୁକ୍ତିମାର୍ଗ ସରଳ, ସୁଖ-ଦୁଃଖ ସମ୍ବଳିତ ଏବଂ ଆମର ପ୍ରାତ୍ୟହିକ ଜୀବନେ ଏଇ ଧରିତ୍ରୀ ମଧ୍ୟରେ ହିଁ ନିହିତ । ତେଣୁ ଆମ ଦୈନନ୍ଦିନ ଜୀବନରେ ଅଭିବ୍ୟକ୍ତି ଲାଭ କରୁଥିବା ମମତା, ଆତ୍ମପ୍ରକାଶ ଓ ପ୍ରତିବେଶୀ ପ୍ରୀତି ହିଁ ତାଙ୍କ ନିକଟରେ ଧର୍ମଭାବେ ଗୃହୀତ । ଏହି ଧର୍ମ ଧାରଣା ତାଙ୍କ ପ୍ରାଣସତ୍ତାର ଏକ ଅପରିହାର୍ଯ୍ୟ ଅଂଶବିଶେଷ ଭାବରେ ତାଙ୍କ କାବ୍ୟ-କବିତାରେ ପ୍ରତିଫଳିତ ହୋଇଅଛି । ରବୀନ୍ଦ୍ରନାଥ ତାଙ୍କ ଧର୍ମକୁ ମନୁଷ୍ୟର ଧର୍ମ ଭାବରେ ନାମିତ କରିଛନ୍ତି । ଏହାଦ୍ୱାରା ସେ ବୁଝାଇଛନ୍ତି ଯେ, ବ୍ୟକ୍ତି ବିଶ୍ୱଚେତନାର ଏକକ ପ୍ରତିନିଧି ତାଙ୍କ ମତରେ ପରମାତ୍ମା ମନୁଷ୍ୟ ମଧ୍ୟରେ ହିଁ ବିଦ୍ୟମାନ । ତେଣୁ ଏ ବିଶ୍ୱରେ ମନୁଷ୍ୟ ତା’ କର୍ମ ମାଧ୍ୟମରେ ନିଜ ରୂପ ଉପଲବ୍ଧ କରିବାକୁ ସମର୍ଥ । ବିଶ୍ୱର ବିବର୍ତ୍ତନ- ଏ ସମ୍ମିଳିତ ପ୍ରକ୍ରିୟା । ଏଥିରେ ମନୁଷ୍ୟ କେବଳ ଗ୍ରହୀତା ନୁହେଁ, ଦାତାର ସ୍ଥାନ ମଧ୍ୟ ସେ ଅଧିକାର କରିଥାଏ । ଆମର ବ୍ୟକ୍ତିତ୍ୱ ଶରୀର ପ୍ରତ୍ୟେକ ଅଣୁକୋଷ ସହ ଯେପରି ସଂଶ୍ଳିଷ୍ଟ, ସେହିପରି ଈଶ୍ୱରଙ୍କ ବାସ୍ତବରୂପ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଅନ୍ତର୍ନିହିତ । ତେଣୁ ସମସ୍ତେ ପରମାତ୍ମାଙ୍କ ମହାନ୍ ସତ୍ତାର ଅଂଶବିଶେଷ । ସକଳ ସତ୍ତା ମଧ୍ୟରେ ପ୍ରତିଷ୍ଠିତ ଏହି ଐକ୍ୟ ନୀତିକୁ ରବୀନ୍ଦ୍ରନାଥ ମର୍ମେ ମର୍ମେ ଅନୁଭବ କରିଥିଲେ । ଏଥିପାଇଁ ବ୍ୟକ୍ତିବିଶେଷଙ୍କୁ ଗଭୀର ସମ୍ମାନ ପ୍ରଦର୍ଶନ କରୁଥିଲେ । ରବୀନ୍ଦ୍ରନାଥ ଏକାଧାରାରେ ଥିଲେ କବି ଓ ଦାର୍ଶନିକ । ତେଣୁ ଜୀବନର ମର୍ମ ଉପଲବ୍ଧ କରି ତହିଁର ପରସ୍ପର ବିରୋଧୀ ପ୍ରକୃତିଗୁଡ଼ିକ ମଧ୍ୟରେ ଏକ ଅବିଚ୍ଛିନ୍ନ ସାମଞ୍ଜସ୍ୟର ଧାରା ଆବିଷ୍କାର କରିବାରେ ସେ ପ୍ରବୃତ୍ତ ହୋଇଥିଲେ । ‘ଗୀତାଞ୍ଜଳି’ରେ ଏହି ଜୀବନତତ୍ତ୍ୱ ଗଭୀର ଓ ବ୍ୟାପକ ଭାବେ ଆମ ସମ୍ମୁଖରେ ଉଦ୍‌ଘାଟିତ ହୋଇଅଛି । ବ୍ୟକ୍ତିଗତ ଜୀବନ ସହିତ ବିଶ୍ୱଜନୀନ ଜୀବନର, ମାନବାତ୍ମା ସହିତ ଅନନ୍ତ ଭୂମାର ସମ୍ପର୍କ ଏଥିରେ ନିରୂପିତ ହୋଇଅଛି । ‘ମାନବାତ୍ମା’ ‘ପରମାତ୍ମା’କୁ ରବୀନ୍ଦ୍ରନାଥ ‘ବିଭିନ୍ନ’ ରୂପେ ପରିକଳ୍ପନା କରିନାହାନ୍ତି । ଗୀତାଞ୍ଜଳି ମାଧ୍ୟମରେ ମଣିଷ ସହିତ ଭଗବାନଙ୍କର ଏହି ଅପରୂପ ସମ୍ପର୍କ ବିଭିନ୍ନ ରୂପରେ କବି ଉଦ୍‌ଘାଟନ କରିବାକୁ ଚେଷ୍ଟା କରିଛନ୍ତି । ବାସ୍ତବ ଓ ଆଦର୍ଶ, ଇନ୍ଦ୍ରିୟଗ୍ରହୀତା ଓ ଅତୀନ୍ଦ୍ରିୟ, ଦୈହିକ ଓ ଆଧ୍ୟାତ୍ମିକ – ଏହି ଆପାତ ବିରୋଧୀ ଭାବଧାରାର ମଧୁର ପରିକଳ୍ପନା ମଧ୍ୟରେ କବି ସର୍ବଦା ମଣିଷ ଓ ମଣିଷୋତ୍ତରର ସମ୍ପର୍କ ପ୍ରତିଷ୍ଠା କରିଛନ୍ତି । ଅସୀମ ଆଧ୍ୟାତ୍ମିକ ରାଜ୍ୟରେ ବିଚରଣ କରି ଗୋଟିକ ପରେ ଅପରଟିର ଅନୁଭୂତି ଘେନି ସେ ଉର୍ଦ୍ଧ୍ୱଗ ହୋଇଛନ୍ତି ଏବଂ ବିଶ୍ୱର ସାମ୍ୟ, ଅଭେଦତ୍ୱ ଓ ଅଦୈତ ଛନ୍ଦ ତାଙ୍କ ଶ୍ରବଣରେ ଧ୍ୱନିତ ହୋଇଛି । ସେ ସେଇ ‘ଭୂମାରୂପୀ’ର ଆଗମନର ନିକ୍ୱଣ ଧ୍ୱନି ଉନ୍ନିଦ୍ର ହୋଇ ଶୁଣିଛନ୍ତି-

 

‘‘ତୋରା ଶୁନିସିନ୍ ଶୁନିସନ୍ ତାର ପାଏର ଧ୍ୱନି,

ସେ ଯେ ଆସେ ଆସେ ଆସେ

ଯୁଗେ ଯୁଗେ ପଳେ ପଳେ ଦିନ ରଜନୀ

ସେ ଯେ ଆସେ ଆସେ ଆସେ ।’’

 

ସେ ଛନ୍ଦ ସହିତ ସ୍ୱୀୟ ଛନ୍ଦକୁ ମିଳେଇବାକୁ ଯାଇ ପଦେ ପଦେ ସାଧକ ପରାହତ ହୁଏ । ଆଗ୍ରହର ଆବେଗର କଣ୍ଠ ତା’ର ରୁଦ୍ଧ ହୁଏ । ଚକ୍ଷୁରୁ ବହେ ଅବିରଳ ଆନନ୍ଦର ଲୋତକଧାରା । ସର୍ବାଙ୍ଗରେ ଜାଗି ଉଠେ ଏକ ପ୍ରତ୍ୟାଶିତ ମିଳନର ଶିହରଣ ।

 

‘‘କଇତେ କି ଚାଇ କଇତେ କଥା ବାଧେ

      ହାର ମେନେଯେ ପରାଣ ଆାମାର କାଁଦେ

ଆମାୟ ତୁମି ଫେଲଗେ କୋନ୍‍ ଫାଁଦେ

      ଚଉଦିଗେ ମୋର ସୁରେର ଜାଲ ବୁଣି ।’’

 

ପ୍ରେମ ସ୍ୱରୂପଙ୍କ ଗୋପନ ମଧୁର ସ୍ପର୍ଶରେ ବିହ୍ୱଳ ହୋଇ ‘ଗୀତାଞ୍ଜଳି’ର କବି ରବୀନ୍ଦ୍ରନାଥ ମାନବ ଓ ପରମାତ୍ମା ମଧ୍ୟରେ ସ୍ଥାପନ କରିଛନ୍ତି ପ୍ରେମର ନିଗୂଢ଼ତମ ବନ୍ଧନ, ପତି-ପତ୍ନୀର ସମ୍ପର୍କ । ପ୍ରାଚୀନ ବୈଷ୍ଣବ କବିଗଣ ଶ୍ରୀକୃଷ୍ଣ ଓ ରାଧାଙ୍କୁ ଉପଲକ୍ଷ କରି ଜୀବାତ୍ମା ଓ ପରମାତ୍ମାର ପ୍ରଣୟମୂଳକ ଅପୂର୍ବ ଭାବ ସମ୍ପର୍କ ରଚନା କରିଥିଲେ । ରବୀନ୍ଦ୍ରନାଥ ଭାରତୀୟ ବୈଷ୍ଣବ ଦର୍ଶନର ସେଇ ମୁକ୍ତିକାମୀ ଚିରନ୍ତନ ଉଦ୍ଦାମ ପ୍ରେମଲୀଳାକୁ ଶ୍ଳୀଳ ଓ ରୁଚିପୂର୍ଣ୍ଣ କରି ଆହୁରି ଗଭୀର ଓ ମନୋହର ରୂପରେ ‘ଗୀତାଞ୍ଜଳି’ରେ ଫୁଟାଇଛନ୍ତି । ଉପନିଷଦ ଓ ଭାରତୀୟ ଦର୍ଶନର ଆତ୍ମା ଓ ପରମାତ୍ମାର ମିଳନକୁ କାବ୍ୟିକ ରୂପାୟନରେ ରସାଣିତ କରିଛନ୍ତି ।

 

କବି ପ୍ରଥମତଃ ମାଟିର ମନ୍ତ୍ରରେ ଆତ୍ମହରା ହୋଇ ସଂସାରର ସକଳ ବନ୍ଧନ, ଝଡ଼ଝଞ୍ଜା, ଅଭାବ-ଅନୁଭୂତି, ଅଶ୍ରୁ-ପୁଲକ ଓ ହର୍ଷ-ବିଷାଦ ମଧ୍ୟରେ ମୁକ୍ତିର ଚରମ ଆସ୍ୱାଦନ ପରିକଳ୍ପନା କରିଛନ୍ତି । ରୂପ ମଧ୍ୟରେ ଅରୂପ, ସୀମା ମଧ୍ୟରେ ଅସୀମ, ଶବ୍ଦ ମଧ୍ୟରେ ନିଃଶବ୍ଦ ଏବଂ ମୃତ୍ୟୁ ମଧ୍ୟରେ ଅମୃତର ଉପେଭାଗ ରବୀନ୍ଦ୍ର ସୃଷ୍ଟି ମାନସର ଓ କାବ୍ୟ ଦର୍ଶନର ଏକ ସାମଗ୍ରିକ ସ୍ୱରୂପ ଅଟେ । ବର୍ଷା, ନିଦାଘ, ବସନ୍ତରେ ପତ୍ରର ମର୍ମରରେ, ଝରଣାର ଉଚ୍ଛଳ ନୃତ୍ୟରେ, ଝିଲ୍ଲୀର ଝଙ୍କାରରେ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ନକ୍ଷତ୍ର ମେଳରେ ପୁଣି ମଣିଷର ଦୈନନ୍ଦିନ ମୁଖର ଓ ବ୍ୟଥିତ ଜୀବନ ପ୍ରବାହ ମଧ୍ୟରେ ରବୀନ୍ଦ୍ରନାଥ ତାଙ୍କ ଏହି ଉପଲବ୍ଧିକୁ ଜୀବନ୍ତ ଓ ରୂପବନ୍ତ କରି ପାରିଛନ୍ତି । ସେ ମୁକ୍ତିପାଇଁ ତେଣୁ ପାରମ୍ପରିକ ଅନୁସୃତ ସନ୍ନ୍ୟାସ ବା ପ୍ରବଜ୍ୟା ଆଚରଣକୁ ସ୍ୱୀକାର କରିନାହାନ୍ତି-। ଏହି ଚିନ୍ତାଧାରା ବହୁ ସମସାମୟିକ ଓଡ଼ିଆ କବିଙ୍କୁ ପ୍ରଭାବିତ କରିଅଛି । ସଂସାରର କୋଳାହଳ ମଧ୍ୟର, ବିପଦ ବନ୍ଧନ ମଧ୍ୟର, ଲହୁ ଲୁହ ଭିତରେ ପରିପୂର୍ଣ୍ଣ ମୁକ୍ତିର ସ୍ୱରୂପକୁ ଉପଲବ୍ଧ କରିବାକୁ ବହୁ କବିତାରେ ସ୍ୱର ଉତ୍ତୋଳିତ ହୋଇଥିବା ସ୍ପଷ୍ଟ ଲକ୍ଷ୍ୟ କରାଯିବ । ଜୀବନର ଉଦୟ ଉତ୍ସବ, ତ୍ରୁଟି-ବିଚ୍ୟୁତି, ସ୍ଖଳନ ପତନ, ପ୍ରାଣହୀନ ସ୍ୱାର୍ଥ ଆଉ ପ୍ରାଣବନ୍ତ ତିତିକ୍ଷା ମଧ୍ୟରେ କବି ମାନସିଂହ ବଞ୍ଚିବାକୁ ଚାହିଁଛନ୍ତି ଏବଂ ଏହାର ମଧ୍ୟ ଦେଇ କାମନା କରିଛନ୍ତି ପରମସତ୍ତାର ଉପଲବ୍ଧି-। ସେହି ମୁକ୍ତିର ସନ୍ଧାନରେ ସେ ତଟସ୍ଥ, ସେଇ ଆକାଂକ୍ଷାରେ ତାଙ୍କ କବିତାର ସ୍ୱର ଉଚ୍ଚକିତ ।

 

‘‘ସ୍ୱର୍ଗ, ମୁକ୍ତି ନାହିଁ ବାଞ୍ଛେ, ଜୀବନ ମୁଁ ଚାହେଁ

ସୁଖ ଦୁଃଖମୟ ଏହି ଜୀବନ ପ୍ରବାହେ

ଏ ବିଚିତ୍ର ଧରଣୀର, ମୋର ଜନ୍ମାନ୍ତର

ଜଗତର କୋଟି କୋଟି ଦୁଃଖୀ ଦରିଦ୍ରର

ନୟନେ ଲୋତକ ମୋର ଲୋତକ ମିଶାଇ

ହେଉ ମୋ ପବିତ୍ରତର । xxx

ଜୀବନେ ଜୀବନେ ଜନ୍ମି ରକ୍ତମୋର ଦେଇ

ମେଣ୍ଟିବି ମାନବ ଦୁଃଖ, କ୍ରୁଶ ଅଙ୍ଗେ ନେଇ ।’’

(‘ମୁକ୍ତି ନାହିଁ ମାଗେ’ ହେମଶସ୍ୟ-ଗ୍ରନ୍ଥାବଳୀ, ପୃ-୧୯୯୯)

 

ମାନସିଂହଙ୍କ ଆଉ ଏକ କବିତାରେ ଏହି ଅନୁସରଣ ଆହୁରି ପ୍ରାଞ୍ଜଳ ହୋଇଛି ।

 

‘‘ମୂର୍ଖ ସବୁରେ ମୁକ୍ତି ମାଗଇ, ସ୍ୱର୍ଗ ମାଗଇ ତପଶୂରୀ

ସ୍ୱର୍ଗ ମୋହର ଚିରନ୍ତନଗୋ, ତୁମେଇ ଜୀବନ ସଙ୍ଗ-ଚରୀ ।’’

(ବିରହୀ ଗାଥା’ (ହେମଶସ୍ୟ-ଗ୍ରନ୍ଥାବଳୀ, ପୃ-୨୦୮)

 

‘‘ନିବିଡ଼ ଦୁଃଖାନଳେ ଜଳି ମୁଁ ପରେ ପଛେ

      ତୁମରି ଲୀଳା ପରକାଶୁ ହେ

ନିବିଡ଼ ନିରାଶାର ଅନ୍ତଭେଦି ପ୍ରଭୋ

      ଗଭୀର ବିଶ୍ୱାସ ଆସୁହେ ।’’

‘ତୁମର ପ୍ରୟୋଜନ’ (ଜୀବନ୍ତ ଚିନ୍ତା-ଗ୍ରନ୍ଥାବଳୀ, ପୃ-୪୦୫)

 

ଏହା ସହିତ ରବୀନ୍ଦ୍ରନାଥଙ୍କ ‘‘ପ୍ରଦୀପେର ମତୋ/ସମସ୍ତ ସଂସାର ମୋର ଲକ୍ଷ୍ୟ ବର୍ତ୍ତିକାୟ/ଜ୍ୱଲାୟେ ଆଲୋ ତୁଲିବେ ଆଲୋ ତୋମାରି ଶିଖାୟ ।’’ (ମୁକ୍ତି-ନୈବେଦ୍ୟ)ର ଭାବଧାରାକୁ ତୁଳନା କରାଯାଇପାରେ ।

 

ଏହି ଭାବଧାରା ପ୍ରାୟ ୧୯୨୫ଠାରୁ ୪୦ ମଧ୍ୟରେ ବହୁ କବିତାରେ ପ୍ରକଟିତ ହୋଇଛି । କାଳିନ୍ଦୀ ଚରଣଙ୍କ କବିତାରୁ ଗୋଟିଏ ଉଦାହରଣ-

 

‘‘ହେ ପାଷାଣ ମାଗୁନାହିଁ ଶମିବାକୁ ମୋ ମରମ ଭାର

କ୍ଷମିବାକୁ ଅପରାଧ ତୁଟିବାକୁ ବ୍ୟର୍ଥତା ଆଶାର

ଲୋଡ଼ୁନାହିଁ ଲଭିବାକୁ ତବ ଅନୁଗ୍ରହ

ଧନ ମାନ ଯଶ ଖ୍ୟାତି ଅଭୟ ହୃଦୟ

ମୃତ୍ୟୁପରେ ମୁକ୍ତିନାହିଁ ମାଗେ

ବଇକୁଣ୍ଠ ନାହିଁ ଭଲ ଲାଗେ

ଏ ମର୍ତ୍ତ୍ୟ ଭୁବନ

ମୋ ସ୍ନେହ ସଦନ

ଏ ଧରଣୀ, ସୁଖ ମଣି ।’’

(‘ପୁରୀ ମନ୍ଦିର’ – ସବୁଜ କବିତା-ପୃ-୧୨୫)

 

ବୈକୁଣ୍ଠନାଥଙ୍କ କବିତାରୁ ଏହି ଭାବଧାରାର ଅନୁରୂପତା ଲକ୍ଷ୍ୟ କରାଯିବ-

 

‘‘ସ୍ଥିରତ କରସେ ମୁକ୍ତିଯାତ୍ରା ଆୟୋଜନ

ମୁକ୍ତିର ସକଳ ସ୍ୱପ୍ନ, ସବୁ ପ୍ରଲୋଭନ

ରଖ ହରେ... ଯାଏଁ ଫେରି ଦିଅ ଅବସର

ମର୍ତ୍ତ୍ୟ ଛାଡ଼ି ଯିବି କାହିଁ ଆକୁଳ ଅନ୍ତର ।’’

 

ଏହି ଚିନ୍ତାଧାରାରେ ରବୀନ୍ଦ୍ରନାଥଙ୍କ କବିତା ପରି କବି ଗଡ଼ନାୟକଙ୍କ କବିତାରେ ମର୍ତ୍ତ୍ୟ ପ୍ରତି ମମତା ପ୍ରକଟିତ-

 

‘‘ଅମର ଏ ଜୀବନେ ଅତୁଳ ଏ ଭୁବନେ ମୋହର ନାହିଁ ଅଭିଯୋଗ

ଦୁଃଖ ଅବା ସୁଖ ପ୍ରିୟ ହେ ଆସୁ ଯାହା ସକଳ ମତେ ଉପଭୋଗ ।’’

‘ଅର୍ଘ୍ୟ’, (କାବ୍ୟନାୟିକା-ଗ୍ରନ୍ଥାବଳୀ, ପୃ-୨୬୨)

 

କବି ଚିନ୍ତାମଣି ବେହେରାଙ୍କ ଆଦ୍ୟ କାବ୍ୟ ଚେତନାରେ ରବୀନ୍ଦ୍ରନାଥଙ୍କ କବିତାର ଏହି ଅପ୍ରତିହତ ପ୍ରଭାବ ଲକ୍ଷ୍ୟ କରାଯିବ-

 

ମୁକ୍ତ ମରଣେ ଯଦି ନର ମରତେ ନ ଆସେ ଆଉ

ମାଗେନା ଦିଅଁ ମୁଁ ମୁକ୍ତି ସେପରି ସରଗ ତୁମର ଥାଉ

ଯୁଗେ ଯୁଗେ ଚାହେଁ ଜନମ ହେବାକୁ ମରତେ, ସରଗ ଛାଡ଼ି

ମାଟିର ମୋହନ ମାୟା ଧୁଳି ମୋର ଦିହରୁ ଦିଅନା ଝାଡ଼ି ।

x      x      x      x      x

ମଣିଷ ପାଇଁ କି ଦେବତାର ଦାନ ମରତେ ସରଗ ଏଇ,

ଅଧିକା ସରଗ ଲୋଡ଼ା ନାହିଁ ମୋର ବନ୍ଧନେ ମୁକତି ସେଇ ।’’

‘ମୁକ୍ତି’ (ସ୍ୱସ୍ତିକା, ପୃ-୨୭)

 

କବି ସଚ୍ଚିଦାନନ୍ଦ ରାଉତରାୟ ମୁଖ୍ୟତଃ ଜଣେ ରୋମାଣ୍ଟିକ ଓ ପ୍ରଗତିବାଦୀ କବି ହେଲେ ମଧ୍ୟ ତାଙ୍କ ପ୍ରାରମ୍ଭିକ କାବ୍ୟସ୍ୱରରେ ରବୀନ୍ଦ୍ର ଚିନ୍ତାର ଯେଉଁ ପ୍ରଭାବ ସୃଷ୍ଟି ହୋଇଥିଲା ତାହା ଗୀତାଞ୍ଜଳିର ଅନୁସରଣରେ ରଚିତ ‘ପାଥେୟ’ କବିତାଗୁଚ୍ଛରେ ସ୍ପଷ୍ଟ ହୋଇଯାଇଛି-

 

‘‘ସ୍ୱର୍ଗ କାହିଁ ସ୍ୱର୍ଗ କାହିଁ ଖୋଜିବୁଲେ ଧରା,

ମାନବ ସରଗ ପାଇଁ କିମ୍ପା ଆତ୍ମହରା ?

ଏ ଜୀବନେ ସ୍ୱର୍ଗ କିମ୍ପା ହେବନାହିଁ ଦେଖା

ମରଣେ କି ସରଗର ସବୁ ସୁଖ ଲେଖା ?’’

(‘ପାଥେୟ-ଗ୍ରନ୍ଥାବଳୀ, ପୃ-୮୮୨)

 

କବି ଗୁରୁ ରବୀନ୍ଦ୍ରନାଥ ମରଣରୁ ସମ୍ବୋଧନ କରି ‘ମରଣରେ ତୁଇ ମୋର ଶ୍ୟାମ ସମାନ’ ଗାଇ ଉଠିଲା ଭଳି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମଧ୍ୟ ମୃତ୍ୟୁ ସହ ସଙ୍ଗ ସ୍ଥାପନ କରି ଗାଇଛନ୍ତି-

 

‘‘ଆସ ପ୍ରିୟତମ ମରଣ ମୋହର ମୋହ ବନ୍ଧନ ତୁଟାଇ

ଆସ ଆସ ମୋର ଅନ୍ଧ ନୟନେ ନୂତନ ଜଗତ ଫୁଟାଇ ।’’

 

ଦ୍ୱିତୀୟ ପର୍ଯ୍ୟାୟରେ ରବୀନ୍ଦ୍ରନାଥଙ୍କ କବିତାରେ ଅନ୍ତର ମଧ୍ୟରେ ଦେବତାର ଅନୁଭବ ଓ ତଦୁତ୍ତାରୁ ମଣିଷ ଦେବତାର ଯେ ଉପାସନାର ଚିତ୍ର ପ୍ରକାଶ ପାଇଛି, ତହିଁରେ ମର୍ତ୍ତ୍ୟର ମଣିଷ ପ୍ରତି ଫୁଟି ଉଠିଛି ସୀମ ସହାନୁଭୂତି । ସଂସାରର ପରିଧି ମଧ୍ୟରେ ମଣିଷ ମନରେ ଅନନ୍ତ ସହିତ ମିଳନ ଲାଗି ଯେଉଁ ବ୍ୟାକୁଳ ପିପାସା, ପରମ ପତିଙ୍କ ବିରହରେ ଆତ୍ମାର ତନ୍ଦ୍ରାହୀନତା ଏବଂ ଅଜଣା ସେଇ ଶାଶ୍ୱତ ପଥିକର-ବୀଣାଧ୍ୱନିର ତାଳେ ତଳେ ଆତ୍ମାର ନୃତ୍ୟ ଚପଳତା ‘ଗୀତାଞ୍ଜଳି’ରେ ମଧରୁ, କରୁଣ ଓ ହୃଦୟସ୍ପର୍ଶ ଭାଷାରେ ପ୍ରକାଶ ପାଇଛି । ଏହି ବିଚିତ୍ର ସ୍ପର୍ଶରେ ଅରୂପକୁ, ଅଚିନ୍ତନୀୟକୁ, ଇନ୍ଦ୍ରିୟାତୀତକୁ ଅନ୍ତର ମଧ୍ୟରେ ଉପଲବ୍ଧି କରି କବି ପ୍ରାଣବାନ ହୋଇଉଠିଛନ୍ତି । ‘ଜୀବନ ଦେବତା’ କବିତାରେ ଏ ଭାବଧାରା ଆହୁରି ପ୍ରାଞ୍ଜଳି । କବିଗୁରୁ ରବୀନ୍ଦ୍ରନାଥଙ୍କର ‘‘ବୈରାଗ୍ୟ ସାଧନେ ମୁକ୍ତି ସେ ଆମାର ନୟ/ଅସଂଖ୍ୟା ବନ୍ଧନ ମାଝେ ମହାନନ୍ଦମୟ; ଲଭିବେ ମୁକ୍ତିର ସ୍ୱାଦ-(ମୁକ୍ତି)-ଅନୁଭୂତି ପରି କବି ମାନସିଂହ ମଧ୍ୟ ପର୍ବତ କନ୍ଦରରେ ପଶି ମୁକ୍ତି ସନ୍ଧାନ କରିବାକୁ ଶ୍ରେୟସ୍କର ମଣି ନାହାନ୍ତି । ବରଂ କବିଙ୍କର ଚତୁଃପାର୍ଶ୍ୱରେ ଯେଉଁ ବିଶ୍ୱଦେବାଳୟ ରହିଛି, ରୂପ, ରସ, ବର୍ଣ୍ଣମୟ ବିଚିତ୍ର ଇନ୍ଦ୍ରିୟଗ୍ରାହ୍ୟ ସୌନ୍ଦର୍ଯ୍ୟ ଜଗତ ବିସ୍ତୀର୍ଣ୍ଣ ହୋଇରହିଛି, ତାହାରି ମଧ୍ୟରେ ସେ ଦେବସ୍ପର୍ଶ ଅନୁଭବ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ପଦାର୍ଥ ମଧ୍ୟରେ ସତ୍ୟ ଓ ମୁକ୍ତିର ମର୍ମ ସନ୍ଧାନ କରି ପାଇଛନ୍ତି । ‘‘I believe a leaf of grass is on less than a journey, work of the stars’’- ହୁଇଟ ମ୍ୟାନ)ଙ୍କର ବିଶ୍ୱାସ ଭଳି ରେଣୁରୁ ରବି ପର୍ଯ୍ୟନ୍ତ, ମୂର୍ତ୍ତିକାର ଦୁର୍ବାଦଳଠାରୁ ନୀଳାକାଶର ତାରକା ପର୍ଯ୍ୟନ୍ତ ସର୍ବତ୍ର ମହାଜୀବନ ସତ୍ୟ ଓ ଓତପ୍ରୋତ ଭାବରେ ରହିଥିବାର ବିଶ୍ୱାସରେ ଶିଳ୍ପୀପ୍ରାଣ ବଳିୟାନ ହୋଇଉଠିଛି । ସମଗ୍ର ବିଶ୍ୱଦେବାଳୟର ଅନ୍ତର୍ଲୀନ ଦେବତା-ସେହି ବିଶ୍ୱ ସ୍ରଷ୍ଟାଙ୍କ ଶ୍ରେଷ୍ଠ ରୂପ ଶିଳ୍ପୀଙ୍କ ନିକଟରେ କି ନିଜର ସମଗ୍ର ଜୀବନକୁ ନୈବେଦ୍ୟ ରୂପରେ ଅର୍ପଣ କରିଛନ୍ତି ।

 

କବି ମାନସିଂହଙ୍କ ଭାଷାରେ-

 

‘‘ଚରଣ ତଳୁ ଅନ୍ତରୀକ୍ଷ ଭେଦି ମହାବ୍ୟୋମ ସ୍ପର୍ଶେ ସେ ଦେଉଳ

ଏଇ ଯେ ଘାସେ ପୂଜାର ବେଦୀ ତାର ନକ୍ଷତ୍ରରେ ଆଲୋକିତ ତା ଚୂଳ

ଅରୂପ ତହିଁ ଦେବତା ଅଛି ବସି ଅୟୁତ ତା’ର ନେତ୍ର ସଦା ମେଲି

ଏକଥା କେବେ ନୋହିଛି ଶ୍ରୁତିଗତ, ହତାଶେ ତହୁଁ ଆସିଛି କେହି ଫେରି ।’’

‘ବିଶ୍ୱ ଦେବାଳୟ’ (ହେମପୁଷ୍ପ-ଗନ୍ଥାବଳୀ-ପୃ-୧୬୮)

 

ଏହି ପରିପ୍ରେକ୍ଷୀରେ କବି କାଳିନ୍ଦୀ ଚରଣଙ୍କ ୧୯୨୫-୩୫ ମଧ୍ୟବର୍ତ୍ତୀ କବିତା କେତୋଟିକୁ ଆଲୋଚନାର ପରିସରଭୁକ୍ତ କରାଯାଇପାରେ । ତାଙ୍କ ସ୍ୱର ମଣିଷ-ଦେବତା ଓ ଜୀବନ-ଦେବତାର ପୂଜାରେ ଊର୍ଦ୍ଧ୍ୱତାନ ହୋଇଊଠିଛି । ଅନ୍ତର ମଧ୍ୟରେ ହିଁ ସେ ଠାକୁରର ରୂପକୁ ଉପଲବ୍ଧି କରିଛନ୍ତି-

 

‘‘ମନ୍ଦିରର ଅଧିଷ୍ଠାତା ନୁହେଁ କେହି ଅପର ଦେବତା

ନୁହେଁ ଧାତୁ, କାଷ୍ଠ, ଶିଳା-ମାନବର ନୁହେଁ ଦୁର୍ବଳତା,

ତୋ ଦେବତା ନିଜେ ତୁହି ଚିରଦିନ ରହିଛୁ ଜାଗ୍ରତ

ଉଠ ଉଠ ଉଷାଲୋକ ଦ୍ୱାରେ ତୋର ଦେଖ ହେ ଆଗତ ।’’

(‘ଯୌବନ ଯାତ୍ରୀ’ – ‘ମୋ କବିତା, ପୃ-୧୮୨)

 

ସେହିପରି ବୈକୁଣ୍ଠନାଥ ଯାହା ଦୂର ଓ ଅଲଭ୍ୟ ବୋଲି ଭାବୁଥିଲେ, ତା’ର ସଙ୍ଗୀତ ଅତି ନିକଟତର ହୋଇ ତାଙ୍କରି ଅନ୍ତରରେ ହିଁ ଅନୁରଣିତ ହେଉଥିବାର ଉପଲବ୍ଧି କରିଛନ୍ତି ।

 

‘‘ଦୂରେ ଯା’ଥିଲା ଅନ୍ତରେ ଆଜି ପ୍ରିୟ

ମନ, ଉତ୍ସବ ଦୀପ ମିଳିଲେ ଜାଳିଦିଅ

କାହିଁକି ଶୋଚନା ଅଶ୍ରୁ ପୋଛୁ ତୁ କବି

ଅନ୍ତରେ ତୋର ନିତ୍ୟ ଅମର ଛବି

ଗାଆ ଗାଆ ତୋର ନବ ସଙ୍ଗୀତ ପରଶ ଅନୁଭବି ।

(ପ୍ରେମ ତନ୍ତ୍ର)

 

ସମସାମୟିକ କବି କୁନ୍ତଳା କୁମାରୀଙ୍କ ମିଳନକାମୀ ମନସ୍ରୋତସ୍ୱିନୀ ସେହି ଉଚ୍ଛଳ ପ୍ରଶାନ୍ତ ସମୁଦ୍ରର ସତ୍ତା ଭିତରେ ହଜିଯିବାକୁ ଆକାଂକ୍ଷିତ ।

 

‘‘କେତେ ଦୂରେ, ଦୂରେ ରହିଥିବି ଆଉ

ସହିବି ବିଚ୍ଛେଦ କଷଣର ଦାଉ

ଏବେ, ନଦୀ ସିନ୍ଧୁ ସମ ମିଶ ମୋ ମାନସେ

ନର ହେଉ ନାରାୟଣ ।’’

(ମିଳନ-‘ସ୍ଫୁଲିଙ୍ଗ’ –ଗ୍ରନ୍ଥାବଳୀ ପୃ-୨୦୨)

 

କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ସମକାଳୀନ ଅର୍ଦ୍ଧଶତ ସନେଟ ଯାହା ‘ପାଥେୟ’ ନାମରେ ପ୍ରକାଶିତ, ତହିଁରେ ରବୀନ୍ଦ୍ର କାବ୍ୟ-ମାନସର ବ୍ୟାପକ ବିଚ୍ଛୁରଣ ଘଟିଅଛି । ଏପରିକି ‘ଗୀତାଞ୍ଜଳି’ର ଭାବ୍ୟ-ସାମ୍ୟ ‘ପାଥେୟ’ର ବହୁ ପଂକ୍ତିରୁ ସ୍ପଷ୍ଟ ବାରିହୋଇ ପଡ଼େ-

 

‘‘ତୁମରି ଆଦେଶ ପାଳିବାକୁ ସଖା ପରାଣେ ଦିଅ ମୋ ଶକତି

ତୁମରି ଚରଣେ ବାନ୍ଧି ପ୍ରେମ ପାଶେ ସବୁ ପାଶୁ ଦିଅ ମୁକତି

ତୁମରି ପଥରେ ଚାଲିବାକୁ ପ୍ରିୟ, ଚରଣେ ଦିଅ ମୋ ବଳ

ମୋ ଜୀବନ ମଧ୍ୟେ ତୁମରି ଇଚ୍ଛାର ପରକାଶ ତୁମେ କର ।’’

(‘ପାଥେୟ’ – ଗ୍ରନ୍ଥାବଳୀ, ପୃ-୮୭୧)

 

ଏହି ପଂକ୍ତି ସହିତ ରବୀନ୍ଦ୍ରନାଥଙ୍କ ‘ତୋମାର ଇଚ୍ଛାପୂର୍ଣ୍ଣ ହେଉ ହେ ଆମାର ଜୀବନ ମାଝେ’ର ସ୍ୱର ସାମ୍ୟ ଲକ୍ଷ୍ୟ କରାଯାଇପାରେ ।

 

ତୃତୀୟ ପର୍ଯ୍ୟାୟରେ ରବୀନ୍ଦ୍ରନାଥଙ୍କ ରହସ୍ୟବାଦୀ – ମନ ସେହି ଅରୂପ, ଅବ୍ୟକ୍ତ, ଅଚିନ୍ତନୀୟ ସହିତ ପ୍ରଣୟର ଅଭିସାରିକା ରୂପରେ ବିହ୍ୱଳ ହୋଇଉଠିଛି । ସଖୀ ଭାବରେ ନୁହେଁ, ପ୍ରିୟା ଭାବରେ ସେହି ପ୍ରଣୟୀକୁ ହୃଦୟରେ ବାନ୍ଧି ରଖିବାକୁ ସେ ବ୍ୟାକୁଳ – ସତେ ଯେପରି ଏହା ତାଙ୍କର ନୂତନ ବିବାହ ଓ ସେ ନବ-ପରିଣୀତା ବଧୂ ।

 

‘‘ନୁତନ କରିୟାଲହୋ ଆରବାର ଚିର ପୁରାତନ ମୋରେ

ନୂତନ ବିବାହେ ବାନ୍ଧିବେ ଆମାୟ ନବୀନ-ଜୀବନ ତୋରେ ।’’

(ଜୀ.ଦେ’ – ଚିତ୍ରା)

ପୁଣି’, -

‘ଆଜ ଝଡ଼ର ରାତେ ତୋମାର ଅଭିସାର,

ପରାଶ ସଖା ବନ୍ଧୁ ହେ ଆମାର ।’’

(ଗୀତାଞ୍ଜଳି)

 

ଏ ଅଭିସାରର ରାତି ନ ପାହୁ, ତାହା ହିଁ ଏକାନ୍ତ କାମନା-

‘‘ଜୀବନ କୁଞ୍ଜେ ଅଭିସାର ନିଶା ଆଜି କି ହୟେଛେ ଭୋର ?’’

 

କବି ମାନସିଂହଙ୍କ କୃତିରେ ସବୁଠାରୁ ଅଧିକ ଭାବରେ ରବୀନ୍ଦ୍ରନାଥଙ୍କ ଚିନ୍ତାର ପ୍ରତିଫଳନ ହୋଇଛି । ଦେହ ଓ ବିଦେହର ମିଳନ କାମନାରେ ତାଙ୍କର କବିତାର କରୁଣ ସ୍ୱର ପଂକ୍ତିରୁ ସ୍ପଷ୍ଟ ହୁଏ ।

 

‘‘ଆଜି ଦେହ ଖୋଜେ ଏକ ଦୁର୍ଲଭ ବିଦେହୀ

ଚିତ୍ତ ଖୋଜେ ଏକ ତେଜି ବିରାଟ ନିଖିଳେ

ଖୋଜେ ଅରୂପରେ ରୂପକ୍ଳାନ୍ତ ନେତ୍ର ଦୁଇ

ସ୍ନାତ ହୋଇଉଠେ ଗଣ୍ଡ ଅନାସକ୍ତ ନୀରେ ।’’

(‘ନୂତନ ପ୍ରଣୟ’- କ୍ରୁଶ-ଗ୍ରନ୍ଥାବଳୀ, ପୃ-୪୪୨)

 

କବି ରାଉତରାୟଙ୍କ ସ୍ୱରରେ ସେଇ ମିଳନ ସ୍ୱପ୍ନର ଉଷ୍ମତା ଓ ପ୍ରଣୟିନୀ ପରି ଅଭିମାନର ସ୍ୱର ପ୍ରତିଧ୍ୱନିତ । ରବୀନ୍ଦ୍ରନାଥଙ୍କ ପରି ସେ ‘ବରଣମାଳା’ କଥା ପରିକଳ୍ପନା କରିଛନ୍ତି –

 

‘‘ଗୁନ୍ଥି ଦିଏ ପ୍ରେମ-ଫୁଲେ ବରଣର ମାଳା

ହସି ହସି ଘେନ ସଖା ପାତି ତବ ଗଳା ।’’

(ପାଥେୟ-ଗ୍ରନ୍ଥାବଳୀ, ପୃ-୮୭୦)

 

କବି କାଳିନ୍ଦୀଚରଣଙ୍କ କବିତାରେ ରବୀନ୍ଦ୍ର ଚିନ୍ତାର ଚମତ୍କାର synthesis ଘଟିଛି ।

 

‘‘ଏ ଦେହ ମୋର ସାଜଇ ବସି ତୁମରି ପ୍ରେମ ଲାଗି ଯେ

ନିଜକୁ ମୁଁ ଯେ କରଇ ପ୍ରେମ ତୁମରି ଅନୁରାଗୀ ହେ ।’’

‘ପ୍ରସାଧନ’ – (ମୋ କବିତା, ପୃ-୪୬)

 

କବି ହରିଶ୍ଚନ୍ଦ୍ର ବଡ଼ାଳଙ୍କ କବିତାରେ ରବୀନ୍ଦ୍ରନାଥଙ୍କ ‘ବରଣମାଳା’ ଓ ‘ଗୋପନ ଅତିଥି’ର ପରିକଳ୍ପନା ଅନୁରୂପ ଭାବେ ସ୍ପଷ୍ଟ-

 

‘‘ଆସ ଆସ ମୋ ପ୍ରାଣ ଅତିଥି ଆସ,

      ଗୋପନ ଚରଣ ପାତେ,

ଆସ ନୀଳ ନଭେ ବହି ବରଣର ଭେଳା,

      ବରଣର ମାଳା ହାତେ ।’’

(ଆହ୍ୱାନ)

 

ରବୀନ୍ଦ୍ରନାଥ ସୃଷ୍ଟିର ପ୍ରତ୍ୟେକ ପ୍ରତିନିଧି ମଧ୍ୟ ଦେଇ ବିଶାଳର ଚେତନା ଓ ନିଖିଳର ଦ୍ୟୋତନା ଉପଲବ୍‌ଧି କରିଥିଲେ । ତେଣୁ ମଣିଷ-ଜଗତଠାରୁ ଜୀବଜଗତ, ଉଦ୍ଭିଦ ଜଗତ, ଏପରିକି ଜଡ଼ଜଗତ ପ୍ରତି ତାଙ୍କ କାବ୍ୟ-ମନନରେ ମମତାର ଉତ୍ସ ପ୍ରସାରିତ ହୋଇପାରିଛି । ସୃଷ୍ଟିର ସକଳ ପ୍ରେରଣା ମଧ୍ୟରେ ସେ ଅନନ୍ତର ସ୍ପନ୍ଦନ ଅନୁଭବ କରିଛନ୍ତି । ଆହତ ଅନାହତ । ଗତ ଓ ଅନାଗତ- ସବୁ ସେଇ ବୀଣା ତାରରେ ଝଙ୍କାର ତୋଳିଛି । ଏହି ଚିନ୍ତାଧାରା ପ୍ରତି ଆଲୋଚ୍ୟ ସମୟରେ (୧୯୨୦ରୁ ୪୭ ମଧ୍ୟରେ ଓ କିଞ୍ଚିତ ପରେ ମଧ୍ୟ ) ବହୁ ଓଡ଼ିଆ କବି ଆକୃଷ୍ଟ ହୋଇଛନ୍ତି । ଦରବିକଶିତ ଜୀବନର ମୂଲ୍ୟବୋଧ ପ୍ରତି କୁନ୍ତଳା କୁମାରୀଙ୍କ କବିତା ‘ଶେଫାଳି ପ୍ରତି’ରେ କି ଦରଦପୂର୍ଣ୍ଣ ଅନୁରାଗ ପ୍ରକାଶିତ, ତାହା ନିମ୍ନ ପଂକ୍ତିରୁ ଉପଲବ୍‌ଧି କରାଯିବ ।

 

‘‘ଶୁଖିଗଲା ଶୁଖିଯାଉ ମନ ଫୁଲଟି

ଅମୃତ ଉଦ୍ୟାନେ ଦିନେ ସେ ଫୁଟିବଟି

ଯାତନା ଦୁଃଖ ଦହନ, ହରିଛି ବାସ ମୋହନ

ଚିତ୍ତ ତାପ ତପନେ ଶୁଖିଛି ଦଳଟି

ସତେଜ ହେବ ସେ ଦିନେ ସୁଧା ସଲିଳ ସିଞ୍ଚନେ

ତା’ ମଞ୍ଜୁ ନିକୁଞ୍ଜବନେ ହସିବ ଫୁଟି, ବାସ ଚହଟି ।’’

(ଅର୍ଚ୍ଚନା, ପୃ. ୧୨୬)

 

କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଏହି ଚିନ୍ତାକୁ ନିଜସ୍ୱ କରି ପାରିଛନ୍ତି । ଜୀବନର ବ୍ୟର୍ଥତାରେ ସେ ବିବ୍ରତ ନୁହନ୍ତି ।

 

‘‘କେତେ ଝର ହଜିଯାଏ ନ ମିଶୁଁ ସାଗରେ

ଅବିଦିତ ପାଷାଣ ଗହ୍ୱରେ

ଚିରକାଳ ପାଇଁ ତାର ଜୀବନର କ୍ଷୀଣ ଇତିହାସ

ଏ ଭୁବନ କୋଳାହଳେ ଅବହେଳେ ରହି ଅପ୍ରକାଶ

ନ ଦେଖୁଁ ଆଲୋକଧରା ତଳେ ପଡ଼େ ଝରି

ଅଶୋକର ପଲବ ମଞ୍ଜରୀ ।’’

ସୃଜନ ବ୍ୟଥା (ମୋ କବିତା, ପୃ. ୧୩୩)

 

କବି ସଚ୍ଚି ରାଉତରାୟଙ୍କ ‘ପାଥେୟ’ କବିତା ଗୁଚ୍ଛରେ ଏହି ଦାର୍ଶନିକ ସତ୍ୟର ପ୍ରତିଫଳନ ସ୍ପଷ୍ଟ ହୋଇଛି; କିନ୍ତୁ ତାଙ୍କ କବିତାରେ ଏହି ଆହରିତ ସତ୍ୟ ଏକ ଭିନ୍ନ ରୂପରେ ପ୍ରତିପାଦିତ –

 

‘‘ଜୀବନର ଦୈନ୍ୟ ଗ୍ଳାନି କେହି ମିଥ୍ୟ ନୁହେଁ

ପତନରେ ଚେତନାଟି ସୋହେ ।’’

(‘ପାଥେୟ’ ପୃ-୧୪)

 

କବି ଗୋପାଳ ମିଶ୍ରଙ୍କର କିଞ୍ଚିତ ପରେ ରଚିତ ଏକ କବିତାରେ ରବୀନ୍ଦ୍ର ଚିନ୍ତା-ମାନସର ଏହି ପ୍ରତିଫଳନ ଅତି ଲୋଭନୀୟ ଭାବେ ପ୍ରକଟିତ ।

 

‘‘ଯେ ଫୁଲ ନ ଫୁଟି ବୃକ୍ଷେ ରହି ରହିଯାଏ’’ xxx

‘‘ଯେ ନଦୀ ଉଷର ବକ୍ଷେ ଯାଏ ହଜି ହଜି’’ xxx

‘‘ଯେ ଝର କରଇ ଆତ୍ମହତ୍ୟା ସିକତାରେ

ବେଦନା ବୀଣାର ତାରେ ବ୍ୟଥା ଶୁଭୁଥାଏ ।’’

ବ୍ୟର୍ଥ ଜୀବନ (ସହକାର- ୨୯/୨ୟ)

 

ରବୀନ୍ଦ୍ରନାଥଙ୍କର ଏହି ଜୀବନ ଦର୍ଶନ, ମର୍ତ୍ତ୍ୟରେ ଚରମ ତୃପ୍ତି ଓ ମୁକ୍ତି ଆସ୍ୱାଦନର ବଳିଷ୍ଠ ପ୍ରୟାସ ତାଙ୍କର ପୁଷ୍ପଳ ପୁରୁଷକାର ଓ ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟକୁ ମହିମାଦୀପ୍ତ କରିପାରିଛି । ଜଗତରେ ଜନ୍ମଯୋଗୁଁ ସେ ନିଜକୁ ଧନ୍ୟ ମନେ କରିଛନ୍ତି ।

 

‘‘ଜଗତେ ଆନନ୍ଦ ଯଜ୍ଞେ ଆମାର ନିମନ୍ତ୍ରଣ

ଧନ୍ୟ ହଲ ଧନ୍ୟ ହଲ ମାନବ ଜୀବନ ।’’

 

କୁନ୍ତଳା କୁମାରୀ ରବୀନ୍ଦ୍ରନାଥଙ୍କ ପରି ବିପଦରେ ବିବ୍ରତ ନ ହୋଇ, ଆତ୍ମପ୍ରତ୍ୟୟ ନ ହରାଇ, ତାକୁ ବହନ କରିନେବା ପାଇଁ ଶକ୍ତି କାମନା କରିଛନ୍ତି ।

 

‘‘ଦୁଃଖ ଯେ ଦିନ ଘୋଟିଆସେ ମୋର ରୁଦ୍ର ତିମିର ବେଶେ

ସେଦିନ ଯେସନେ ଭୟେ ନ ମରିବି ତୀବ୍ର ନିରାଶା କ୍ଳେଶେ ।’’

‘ସାହସ’ – ସ୍ଫୁଲିଙ୍ଗ, ଗ୍ରନ୍ଥାବଳୀ, ପୃ-୨୦୧)

 

ରବୀନ୍ଦ୍ରନାଥଙ୍କ ପରି କବି ରାଧାମୋହନ ଗଡ଼ନାୟକ ମଧ୍ୟ ମାଟିର ଜୟଗାନ କରିଛନ୍ତି-

 

‘‘ଅମର ଏ ଜୀବନେ ଅତୁଳ ଏ ଭୁବନେ ମୋହର ନାହିଁ ଅଭିଯୋଗ

ଦୁଖ ଅବା ସୁଖ ପ୍ରିୟ ହେ ଆସୁ ଯାହା ସକଳ ମତେ ଉପଭୋଗ ।’’

‘ଅର୍ଘ୍ୟ’ – (ଗ୍ରନ୍ଥାବଳୀ, ପୃ-୨୬୨)

 

ରବୀନ୍ଦ୍ରନାଥଙ୍କ ଭାବ କବି ଗଡ଼ନାୟକଙ୍କୁ ଉପାଦାନ ଯୋଗାଇଛି-

 

ଦୁଜନେ ମିଲି ସଜାୟେ ଡାଲି

      ବସିନୁ ଏକାସନେ,

ନଟରାଜେର ପୁଜିନୁ ଏକମନେ,

କୁହେଳି ଗେଲ ଆକାଶେ ଆଲୋ

      ଦଇ ଯେ ପରକାଶି,

ଧୂର୍ଜଟୀର ମୁଖେର ପାନେ

      ପାର୍ବତୀର ହାସି ।’’

‘ସାଗରିକା’ – ରବୀନ୍ଦ୍ରନାଥ

 

‘‘ଶୃଙ୍ଗେ ଶୃଙ୍ଗେ ଦେଖିଲି ହରଷେ

ଉଷା ଭଷସୀର ଛବି ଉଦାର ମଧୁର;

ବିଭୂତି ଭୂଷଣ ପ୍ରଭୁ ଧୁର୍ଜଟୀର ବକ୍ଷେ

ହେମଗାତ୍ରୀ ହୈମନ୍ତୀ ଯେସନେ ।’’

(ରାଧାମୋହନ)

 

‘‘ହେ କବୀନ୍ଦ୍ର କାଳିଦାସ, କଳ୍ପ କୁଞ୍ଜବନେ

ନିଭୃତେ ବସିୟା ଆଚ୍ଛ ପ୍ରେୟସୀର ସେନ

ଯୌବନେର ଯୌବରାଜ୍ୟ ସିଂହାସନ ପରେ

x            x            x

ଛୟ ଦେବଦାସୀ

ଛୟ ଋତୁ ଫିରେ ଫିରେ ନୃତ୍ୟ କରେ ଆସି ।’’

‘ଋତୁ ସଂହାର’ – ରବୀନ୍ଦ୍ରନାଥ

 

ଯୌବନର ଯୌବରାଜ୍ୟେ ବସିଥିଲୁ ଦୁହେଁ

ଗତିଚକ୍ରେ ଷଡ଼ଋତୁ ଆସି

ସେବୁ ଥିଲେ ଦେବଦାସୀ ସମ

ଇହଭୂମି ପରେ ମୋର

ଢାଳୁଥିଲେ ଜୀବନର ସ୍ରୋତ ।’’

‘କାଳିଦାସ’ – ଗଡ଼ନାୟକ

 

ପୁଣି, ରବୀନ୍ଦ୍ରନାଥଙ୍କର ‘ଅନ୍ତିମ ପ୍ରେମ’ କବିତାର-

‘‘ଆମରା ଦୁଜନ ଭାସିୟା ଏସେଚ୍ଛି ଯୁଗଲ ପ୍ରେମେର ସ୍ରୋତେ

ଅନାଦି କାଲେର ହୃଦୟ ଉତ୍ସହତେ ।

ଆମରା ଦୁଜନ କରିୟାଛି ଖୋଲା କୋଟି ପ୍ରେମିକର ମାଝେ

ବିରହ ବିଧୂର ନୟନ ସଲିଲେ, ମିଲନ ମଧୁର ଲାଜେ ।

ପୁରାତନ ପ୍ରେମ ନିତ୍ୟ ନୂତନ ସାଜେ ।’’

 

ପଂକ୍ତିଗୁଡ଼ିକ ସହିତ କବି ମାୟାଧର ମାନସିଂହଙ୍କର ଏହି ବିରହୀ ଗାଥା କବିତାର-

 

‘‘ଅଗଣିତ ରବି-ଚନ୍ଦ୍ର ତାରକା ନକ୍ଷତ୍ର ସୃଷ୍ଟି ଲୟେ

ତୁମେ ଆଉ ମୁହିଁ ରହିଥିଲେ କାହିଁ ଜନମେ ଜନମେ ନିତ୍ୟକ୍ଷୟେ ?

ସୃଜନ ଲାଳସେ ଥିଲେ କିଗୋ ଆମେ ସୃଜନ ବିଳାସୀ ବିଷ୍ଣୁର

ନାହାରିକା କୋଟି ବିନ୍ଦୁର ମେଳେ ଯୋଡ଼ିଏ ପ୍ରଣୟେ ସଂକୁଳ ?

ତା’ପରେ ସକାଳ ସୃଜନ ଧାରାରେ ଥିଲେ କି ଦୁଇଟି ବିନ୍ଦୁ ହୋଇ

ସକଳ ରୂପର ଭୁଞ୍ଜି ମରମ ସକଳ ଜନମେ ଯୁଗ୍ମ ରହି । xxx

ଅଭିମାନ ଏହି ଯୁଗ୍ମ ପ୍ରାଣୀର ବିପୁଳ କାଳର କକ୍ଷେ କକ୍ଷେ

ବୋଲିକି ପାରିବ ସଙ୍ଗିନୀ ଥିଲେ, କେଉଁ ନିଗୂଢ଼ ଗୁପ୍ତ କକ୍ଷେ ।’’

 

‘ଗୀତାଞ୍ଜଳି’ର ବହୁ ଚିନ୍ତା ସବୁଜ ଓ ପରବର୍ତ୍ତୀ କବିମାନଙ୍କଦ୍ୱାରା ଅନୁସୃତ ହୋଇଥିଲେ ମଧ୍ୟ ସେହି ସେହି କବିମାନଙ୍କ କାବ୍ୟଚେତନାର ମୌଳିକତାକୁ ସଂକୁଚିତ କରିନାହିଁ । ଶେଷରେ ଏତିକି କୁହାଯାଇପାରେ ଯେ, ‘‘ରବୀନ୍ଦ୍ରନାଥଙ୍କ ଆଧ୍ୟାତ୍ମିକତାର ପୃଥିବୀ ମିଥ୍ୟ ମାୟାମୟ ନୁହେଁ, ସତ୍ୟ ସନାତନ । ପ୍ରକୃତ ରହସ୍ୟର ଉପଲବ୍ଧି ଏହି ବାସ୍ତବ ଦୃଷ୍ଟିକୋଣରୁ ହିଁ ମିଳିଥାଏ । ମାନବ-ସମାଜରୁ ଧର୍ମ ରାଜନୀତିର ସକଳ ଭେଦ, ବାଦ, ହିଂସା ଦ୍ୱେଷ ଦୂର କରି ପରସ୍ପର ମଧ୍ୟରେ ମୈତ୍ରୀ ଓ ବନ୍ଧୁତାର ପ୍ରତିଷ୍ଠା ଓ ପୃଥିବୀକୁ ମଧୁମୟ ଓ ଶୋଭାମୟ କରି ଦେଖିବା ସଙ୍ଗେ ସଙ୍ଗେ ଜୀବନକୁ ସୁନ୍ଦର ଓ ମହତ୍ କରି ଗଢ଼ିବାର ପ୍ରେରଣା, ରବୀନ୍ଦ୍ର କବିତାର ପ୍ରତି ଛତ୍ରରେ ଅନୁଭୂତ ହୋଇଥାଏ ଏବଂ ଏହାହିଁ ତାଙ୍କ ରହସ୍ୟବାଦର ଚୂଡ଼ାନ୍ତି ନିଷ୍ପତ୍ତି ।’’ ଏହି ରହସ୍ୟବାଦ ଯେତିକି ବାସ୍ତବ ସେତିକି ଆଦର୍ଶମୟ, ଯେତିକି ଇନ୍ଦ୍ରିୟଗ୍ରାହ୍ୟ ସେତିକି ଇନ୍ଦ୍ରିୟାତୀତ, ଯେତିକି ଦୃଶ୍ୟମାନ ସେତିକି ଅଦୃଶ୍ୟ- ସତେ ଯେପରି ଆବାଙ୍‌ମାନସଗୋଚର ଆମର ସେହି ଉପନିଷଦର ବୈଦିକବାଣୀ ସହିତ ଏହା ସାମଞ୍ଜସ୍ୟ ରକ୍ଷା କରେ । ଏ ଦୃଷ୍ଟିରୁ ଓଡ଼ିଆ କବିତାରେ ରହସ୍ୟବାଦୀ ଉପାଦାନ ରୂପବନ୍ତ ଓ ଆକାରବନ୍ତ ହୋଇପାରିଛି । ସେ ରହସ୍ୟ ପ୍ରତିପକ୍ଷର ଧ୍ୟାନମଗ୍ନ କବିର ହୃଦୟ ମନ୍ଦିରରେ ଅଧିଷ୍ଠିତ-। ଚଳିତ ଶତାବ୍ଦୀର ଉତ୍ତର ପଚିଶରେ ବହୁ କବିଙ୍କ ଚିନ୍ତାଧାରାରେ ତାହା ଏକ ନୂତନ ଭାବ-ସମୃଦ୍ଧି ଲାଭ କରିଛି ମାତ୍ର !

 

ଉପସଂହାର:

ବିଦେଶୀ କବି James H. Cousins ରବୀନ୍ଦ୍ରନାଥଙ୍କ କାବ୍ୟ ପ୍ରତିଭାକୁ ଅଭିନନ୍ଦନ ଜଣାଇ ଦିନେ ଲେଖିଥିଲେ-

“IF choose I must a resting place what time my feet begin to fail,

By God’s most hospitable grace I choose a brook-side in a vale.

      I ask not ocean’s trumpetings

      Or hills that hearken to the skies,

      For one is loud with questionings,

      And one is silent with replies.

      But my brooklets lyric leap

      My heart may contemplate at ease,

      Life’s deep desirings for the deep

      Mingled with mountain memories,

      And mine own rivulet of rhyme

      May run from summit unto sea,

      Singing between the banks of time

      The music of Eternity.”

 

ପ୍ରତିବର୍ଷ ରବୀନ୍ଦ୍ରନାଥଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସକାଶେ ଉଦ୍ୟୋଗ ଆୟୋଜନ ହୁଏ । ମନେହୁଏ, ରବୀନ୍ଦ୍ର ଜନ୍ମୋତ୍ସବ କେବଳ ମାତ୍ର ରବୀନ୍ଦ୍ରନାଥଙ୍କୁ ସ୍ମରଣ କରିବାର ଅବକାଶ ନୁହେଁ, ସ୍ୱଦେଶୀ ସାହିତ୍ୟର ଗତି ପ୍ରକୃତି ଲକ୍ଷ କରି ତା’ର ମୂଲ୍ୟ ନିର୍ଦ୍ଧାରଣ କରିବାର ଲଗ୍ନ । ଏତଦ୍‌ବ୍ୟତୀତ, ଦେଶର କଲ୍ୟାଣ ପାଇଁ ରବୀନ୍ଦ୍ରନାଥ ଯେଉଁ ମତାଦର୍ଶ ପୋଷଣ କରିଥିଲେ, ତାହା ଆଜି ନୂଆକରି ସ୍ମରଣ କରିବା ପ୍ରୟୋଜନ । ଆଜି ଆମ ଦେଶ ହିଂସା ଦ୍ୱେଷରେ କଳୁଷିତ, ଜାତିଭେଦରେ ଜର୍ଜରିତ; ବିଭିନ୍ନ ସ୍ଥାନରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଜାତୀୟ ସଂହତିକୁ ବିଖଣ୍ଡିତ କରିବା ପାଇଁ ଉଦ୍ୟତ । ଆଜି ସାରା ପୃଥିବୀରେ ଶାନ୍ତି ନାହିଁ । କେଉଁଠି ପରମାରୁ ଯୁଦ୍ଧର ଭ୍ରୁକୁଟି, କେଉଁଠି ପୁଣି ଦୁର୍ବଳ ଉପରେ ସବଳର ନିର୍ଲଜ୍ଜ ଉତ୍ପୀଡ଼ନ-। ଏପରି ଦିନରେ ରବୀନ୍ଦ୍ରନାଥଙ୍କ ବିଶ୍ୱଶାନ୍ତି ଓ ମୈତ୍ରୀର – ଆଦର୍ଶ, ମାନବ ପ୍ରେମ, କଲ୍ୟାଣର ଆଦର୍ଶ ଏବଂ ସର୍ବୋପରି ସତ୍-ସାହିତ୍ୟ ସୃଷ୍ଟିର ଆଦର୍ଶ ଯେତେ ବେଶି ସ୍ମରଣ କରାଯାଇପାରେ ସେତେ ହିଁ ମଙ୍ଗଳ । ବିଶେଷତଃ, ସମଗ୍ର ବିଶ୍ୱର ସଂକଟଗ୍ରସ୍ତ ଆତ୍ମା ଆଜି ରବୀନ୍ଦ୍ରଙ୍କ ସହିତ ଯେତେବେଳେ ପ୍ରଶ୍ନ କରୁଛି –

 

‘‘ଯାହାର ତୋମାର ବିଷାଇଛେ ବାୟୁ,

      ନିଭାଇଛେ ତବ ଆଲୋ,

ତୁମି କି ତାଦେର କ୍ଷମା କରିୟାଛ,

      ତୁମି କି ବେସେଛ ଭାଲୋ ?’’

 

 

ସଭାପତି, ଚାନ୍ଦବାଲି ସାଂସ୍କୃତିକ ପରିଷଦ, ଚାନ୍ଦବାଲି

ଜି: ଭଦ୍ରକ- ୭୫୬୧୩୩ (ଓଡ଼ିଶା)

 

ସହାୟକ ଗ୍ରନ୍ଥସୂଚୀ

 

୧.

ଗୁପ୍ତ, ଅତୁଳ ଚନ୍ଦ୍ର । ରବୀନ୍ଦ୍ରନାଥ ଓ ସଂସ୍କୃତ ସାହିତ୍ୟ । ସାହିତ୍ୟ ସଂପୁଟେ । କଲିକତା, ବିଶ୍ୱଭାରତୀ, ୧୯୬୪ । ପୃ.୨୮୫-୮୮୧ ।

୨.

ବେହେରା, ଚିନ୍ତାମଣି । କାବ୍ୟ ଓ କଳାକାର । ୧୯୮୩ । ପୃ.୩୦୭-୧୧ ।

୩.

ବେହୁରିଆ, ରବୀନ୍ଦ୍ର କୁମାର । ଆଧୁନିକ । ୨୦୧୧

୪.

ଭଟ୍ଟାଚାର୍ଯ୍ୟ, ବୁଦ୍ଧଦେବ । ରଚନା ପ୍ରବାହ । କୋଲକାତା, ୨୦୧୦ । ପୃ.୩୦୧-୦୩

୫.

ପ୍ରଧାନ, ଅନନ୍ତ କୁମାର । ସାହିତ୍ୟ ବାହିକା । ବାଲେଶ୍ୱର, ଫକୀରମୋହନ ସାହିତ୍ୟ ପରିଷଦ, ୨୦୧୨ । ପୃ.୩୨-୩ ।

୬.

ଶତପଥୀ, ନିତ୍ୟାନନ୍ଦ । ସବୁଜରୁ ସାମ୍ପ୍ରତିକ । ୧୯୯୯ । ପୃ. ୨୦୨-୨୧

୭.

ଠାକୁର, ରବୀନ୍ଦ୍ରନାଥ । ଗୀତାଞ୍ଜଳି ।

 

***

 

ନୀଳଶୈଳ ଉପନ୍ୟାସର କଥାକଳ୍ପରେ ଭାରତୀୟ ସଂସ୍କୃତିର ଚିତ୍ର

ବ୍ରହ୍ମାନନ୍ଦ ଖୁଣ୍ଟିଆ

 

ସମ୍ପ୍ରତି ଆଧୁନିକ ବିଶ୍ୱରେ ଯେଉଁ ପ୍ରମୁଖ ଚାରୋଟି ସଂସ୍କୃତି ବିଦ୍ୟମାନ, ସେଗୁଡ଼ିକ ହେଲା (୧) ଯୀଶୁଖ୍ରୀଷ୍ଟଙ୍କ ପ୍ରଚାରିତ ‘ବାଇବେଲ’ ପ୍ରଣିତ ଖ୍ରୀଷ୍ଟିଆନ ସଂସ୍କୃତି (୨) ମହମ୍ମଦଙ୍କ ବାଣୀ ସମ୍ବଳିତ ‘କୋରାନ’ ବର୍ଣ୍ଣିତ ଇସ୍‌ଲାମୀୟ ସଂସ୍କୃତି (୩) କାର୍ଲମାର୍କସଙ୍କ ‘Das Capital’ ଗ୍ରନ୍ଥ ପ୍ରଣିତ ଋଷୀୟ ସାମ୍ୟବାଦୀ ସଂସ୍କୃତି ଏବଂ ସର୍ବଶେଷ ଓ ସର୍ବଶ୍ରେଷ୍ଠ ସଂସ୍କୃତି (୪) ଶ୍ରୀ ଜଗନ୍ନାଥ ସଂସ୍କୃତି ଯିଏ ହିନ୍ଦୁ ସଂସ୍କୃତି ତଥା ଭାରତୀୟ ସଂସ୍କୃତି ଭାବରେ ପରିଚିତ । ୧। ବସ୍ତୁତଃ ପ୍ରାସଙ୍ଗିକ ଭାବେ ଏଠାରେ କହି ରଖିବାକୁ ହେବ ଯେ ସ୍ୱାଧିନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ଶ୍ରେଷ୍ଠ ଉପନ୍ୟାସ ‘ନୀଳଶୈଳ’ (୧୯୬୮) ଭାରତୀୟ ସଂସ୍କୃତି ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ । ପାଶ୍ଚାତ୍ୟ ସାହିତ୍ୟରେ କାଉଣ୍ଟଲିଓ ଟଲଷ୍ଟୟ, ଭାରତୀୟ ସାହିତ୍ୟରେ ପ୍ରେମଚନ୍ଦ ଓ ଫକୀର ମୋହନ ଯେପରି ଉଭୟ ଗଳ୍ପ ଓ ଉପନ୍ୟାସ ରଚନା କରି ବହୁ ପ୍ରତିଷ୍ଠାର ଅଧିକାରୀ ହୋଇ ପାରିଛନ୍ତି, ସାମ୍ପ୍ରତିକ କାଳରେ ସୁରେନ୍ଦ୍ର ମହାନ୍ତି ସେହିପରି ଉଭୟ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ବହୁତ ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ । ‘ନୀଳଶୈଳ’ ଉପନ୍ୟାସ ପାଇଁ ଭାରତୀୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ‘ସବୁଜ ପତ୍ର ଓ ଧୂସର ଗୋଲାପ’ ଗଳ୍ପ ସଂକଳନ ପାଇଁ ଓଡ଼ିଶା ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର, ‘‘କୁଳବୃଦ୍ଧ’’ ଉପନ୍ୟାସ ପାଇଁ ଶାରଳା ପୁରସ୍କାର ସ୍ରଷ୍ଟାଙ୍କ ସାରସ୍ୱତ ସୃଷ୍ଟିର ସମ୍ମାନ ଓ ବିପୁଳ ପ୍ରତିଷ୍ଠାର ସ୍ୱୀକୃତି ଦାବି କରେ । ୧୯୪୭ ମସିହାଠାରୁ ୧୯୮୮ ମସିହା ମଧ୍ୟରେ ସୁରେନ୍ଦ୍ର ପନ୍ଦର ଖଣ୍ଡ ଉପନ୍ୟାସ ରଚନା କରିଛନ୍ତି । ପ୍ରତ୍ୟେକଟି ଉପନ୍ୟାସ ନିଜସ୍ୱ ଦୀପ୍ତିରେ ଉର୍ଜସ୍ୱଳ ଏବଂ ଆଭିମୁଖ୍ୟ ଧର୍ମୀ ବକ୍ତବ୍ୟ ଓ ବୈଶିଷ୍ଟ୍ୟରେ ମହିମା ମଣ୍ଡିତ । ସେମାନଙ୍କ ମଧ୍ୟରେ ଆଲୋଚ୍ୟ ‘‘ନୀଳଶୈଳ’’ ସର୍ବୋତ୍ତମ । ପୃଷ୍ଠଭୂମିର ବିସ୍ତୀର୍ଣ୍ଣ କାନଭାସ, ସଂସ୍କୃତିର ମାର୍ମିକ ଚିତ୍ର, ଆଧ୍ୟାତ୍ମିକ ମୂଲ୍ୟବୋଧର ପ୍ରତିଷ୍ଠା, ଆଭିଜାତ କାବ୍ୟଧର୍ମୀ (Poetic) ବର୍ଣ୍ଣନାର ବ୍ୟାପ୍ତି, କଥାବସ୍ତୁ (Plot)ର ନାଟକୀୟ ଚିତ୍ରଧର୍ମୀ ଉପସ୍ଥାପନା, ଏହାକୁ ଏକ ମହାକାବ୍ୟିକ ଉପନ୍ୟାସ (Modern epic) ତଥା କ୍ରାନ୍ତିକାରୀ କ୍ଲାସିକ ସୃଷ୍ଟିରେ ପରିଣତ କରିପାରିଛି । ଏହି ପ୍ରସଙ୍ଗରେ ଲେଖକଙ୍କ ମନ୍ତବ୍ୟ – ‘ନୀଳଶୈଳ’ର ଆତ୍ମା ଇତିହାସରୁ ସୃଷ୍ଟି । ଇତିହାସ, ଏହାର କଙ୍କାଳ, ଆତ୍ମା ଗୋଟାଏ ଭାବାବେଗ, ଜଗନ୍ନାଥ ପ୍ରତୀକ । x x x x ‘ନୀଳଶୈଳ’କୁ ଯଦି ମୁଁ ଏକ ଐତିହାସିକ ଉପନ୍ୟାସ ଭାବେ ଲେଖିବାକୁ ଆରମ୍ଭ କରିଥିଲି, ତାହା ଏକ ମହାକାବ୍ୟିକ ଉପନ୍ୟାସ (ଯଦି ଏପରି ଶ୍ରେଣୀ ବିଭାଗ କରାଯାଏ)ରେ ପରିଣତ ହେଲା ।’’ । ୨ ।

 

ଅଷ୍ଟାଦଶ ଶତାବ୍ଦୀ (୧୭୨୬-୩୬) ଓଡ଼ିଶାର ରାଜନୈତିକ ଇତିହାସର ଦୃଶ୍ୟପଟରେ ମୋଗଲଗୋଳ ସମୟରେ ଓଡ଼ିଶାର ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କୁ ମୋଗଲ ଅତ୍ୟାଚାରରୁ ସୁରକ୍ଷିତ ରଖିବା ପାଇଁ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସଂଘର୍ଷମୟ ଜୀବନର କାହାଣୀ ‘ନୀଳଶୈଳ’ ଉପନ୍ୟାସର କଥାବସ୍ତୁ । ଦିଲ୍ଲୀରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ମୃତ୍ୟୁପରରେ ତଥାପି କିଛିକାଳ ପର୍ଯ୍ୟନ୍ତ ଭାରତରେ ମୋଗଲ ଶକ୍ତି ଓ ଶାସନର ପ୍ରଭାବ ଥିଲା ଅପ୍ରତିହତ । ବର୍ଣ୍ଣିତ କାଳରେ ଦିଲ୍ଲୀ-ମୁର୍ଷିଦାବାଦର ନାଏବ-ନାଜିମ ବାଦଶାହା ଥିଲେ ସୁଜା ଖାଁ । ସୁଜାଖାଁଙ୍କ ଅନୁଗତ ଭାବେ ବଙ୍ଗଳାରେ ଆଲିବର୍ଦ୍ଦି ଖାଁ, ବିହାରରେ ସରଫ୍‌ରାଜ ଖାଁ ଏବଂ ଓଡ଼ିଶାରେ ତକି ଖାଁ ନାଏକ ନାଜିମ ଭାବରେ ଅବସ୍ଥାପିତ ହୋଇଥିଲେ । ତତ୍କାଳୀନ ଓଡ଼ିଶାରେ ମୁକୁନ୍ଦଦେବଙ୍କ ପରେ, ଟୋଟମିଗଡ଼ର ଦନେଇ ବିଦ୍ୟାଧରଙ୍କ ପୁତ୍ର ରମେଇ ରାଉତ ଦ୍ୱିତୀୟ ରାମଚନ୍ଦ୍ର ଦେବ ନାମ ଧାରଣ କରି ଖୋର୍ଦ୍ଧା ସିଂହାସନରେ ଅଧିଷ୍ଠିତ ହୋଇଥିଲେ ନିର୍ମାଣ କରିବା ଅଭିପ୍ରାୟରେ । ସେ ଥିଲେ ଭୋଇ ବଂଶର ରାଜା । ଔରଙ୍ଗଜେବଙ୍କ ଭଳି ସୁଜା ଖାଁ ମଧ୍ୟ ଥିଲେ ହିନ୍ଦୁବିଦ୍ୱେଷୀ ଶାସକ । ହିନ୍ଦୁ ମନ୍ଦିର ଭାଙ୍ଗି ସେହି ସ୍ଥାନରେ ମସଜିଦ୍‌ ସେ ସମଗ୍ର ଭାରତ ବର୍ଷରେ ଏକ ହିନ୍ଦୁ ବିରୋଧୀ ଅଭିଯାନ ଚଳାଇଥିଲେ । ତାଙ୍କର ଅନୁଗତ ଜାରଜ ପୁତ୍ର ତକିଖାଁ କଟକ ସୁବାରେ ଅବସ୍ଥାପିତ ଥିଲେ ଏବଂ ସମସ୍ତ ହିନ୍ଦୁ ମନ୍ଦିର ଭାଙ୍ଗି ମୋଗଲ ସାମ୍ରାଜ୍ୟ ଏବଂ ଇସଲାମ ଧର୍ମ ଓ ସଂସ୍କୃତି ବିସ୍ତାରର ସ୍ୱପ୍ନ ଦେଖୁଥିଲେ । ତକିଖାଁ ଭଲଭାବେ ଜାଣିଥିଲେ ଓଡ଼ିଶାରେ ଆଧିପତ୍ୟ ବିସ୍ତାର ପାଇଁ ତାର ଇଷ୍ଟଦେବ ଜଗନ୍ନାଥ ଏବଂ ସେବକ ଗଜପତି ଖୋର୍ଦ୍ଧା ରାଜାଙ୍କୁ ଆକ୍ରମଣ କରି ପରାଜିତ କରିବା ଏବଂ ବିପନ୍ନ କରିବା । ତେଣୁ ଧୂର୍ତ୍ତ ତକିଖାଁ ଏକ ସମୟରେ ଉତ୍ତର ଓ ଦକ୍ଷିଣ ପଟୁ ଖୋର୍ଦ୍ଧା ରାଜ୍ୟ ଆକ୍ରମଣ କରିଥିଲେ ଏବଂ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ରାମଚନ୍ଦ୍ର ଦେବ ନିଜର ଅନୁଗତ ଦୁର୍ଗପତି, ଗଜପତି, ସାମନ୍ତରାଜା ଏବଂ ପାଇକବାହିନୀ ନେଇ ଦକ୍ଷିଣରେ ଟିକାକୋଲର ମୋଗଲ ଫୌଜଦାର ଜୁଲଫିକର ଖାଁ ବିରୁଦ୍ଧରେ ଛତ୍ରଦ୍ୱାର ଘାଟିରେ ବ୍ୟୁହ ରଚନା କରିଥିଲେ । ଗୃହଶତ୍ରୁ ବକ୍‌ସୀ ବେଣୁ ଭ୍ରମରବରଙ୍କ ବିଶ୍ୱାସ ଘାତକତା ଯୋଗୁଁ ପରାଜିତ ଓ ପଳାତକ ଭାବରେ ଚିଲିକା କୂଳର ମାଲୁଦ୍ ଗାଁରେ ବନ୍ଦୀ ହେଲେ ଏବଂ ଲୁହା ପଞ୍ଜୁରୀରେ ଆବଦ୍ଧ ହୋଇ ମୋଗଲ ଲସକରମାନଙ୍କଦ୍ୱାରା କଟକ ସୁବାକୁ ପ୍ରେରିତ ହେଲେ । ବସ୍ତୁତଃ ଏସବୁ ସତ୍ତ୍ୱେ ଓଡ଼ିଶାରେ ଜଗନ୍ନାଥଙ୍କ ପ୍ରତି, ତାଙ୍କର ଧର୍ମ ଓ ସଂସ୍କୃତି ପ୍ରତି ରାମଚନ୍ଦ୍ର ଦେବ ସମେତ ଜନସାଧାରଣଙ୍କର ଭକ୍ତି ଓ ଶ୍ରଦ୍ଧା ଥିଲା ଅମାପ ଓ ନିବିଡ଼ । ସୁତରାଂ ଅନ୍ତର୍ଦୁଷ୍ଟି ସମ୍ପନ୍ନ ସ୍ରଷ୍ଟା ସୁରେନ୍ଦ୍ର ଇତିହାସର ଗର୍ଭରୁ ଜୀବନ ପ୍ରବାହର ସାଂସ୍କୃତିକ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କୁ ଏବଂ ମୋଗଲ ଗୋଳ ସମୟରେ ତାଙ୍କୁ ସୁରକ୍ଷିତ କରି ରଖିବା ପାଇଁ ସଂକଳ୍ପନିଷ୍ଠ ରାମଚନ୍ଦ୍ର ଦେବ ଉଭୟଙ୍କୁ ଉପନ୍ୟାସର ନାୟକ ଭାବେ ଗ୍ରହଣ କରିଥିବା ମନେହୁଏ । ଏହି ବୃହତ୍ ଉପନ୍ୟାସର ପରିକଳ୍ପନା, ଲେଖକ ପୁରୀ ଶ୍ରୀକ୍ଷେତ୍ରଠାରେ ଦର୍ଶନ କରିଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକାଳୀନ ଅନୁଭୂତି ଓ ଅନୁପ୍ରେରଣା ଉପରେ ପର୍ଯ୍ୟବେସିତ ବୋଲି ସ୍ୱୀକର କରିଛନ୍ତି । ‘‘ଏପରି ଏକ ଉପନ୍ୟାସ ଲେଖିବା ମୋର କଳ୍ପନାରେ ଆଦୌ ନଥିଲା, ମାତ୍ର ୧୯୬୪ ସାଲରେ, ସେଥର ରଥଯାତ୍ରାବେଳେ ଅତି ନିକଟରୁ ବିଗ୍ରହମାନଙ୍କର ପହଣ୍ଡି ବିଜୟ ଦେଖିବାରୁ ସୌଭାଗ୍ୟ ମୋର ଘଟିଥିଲା । ଜଗନ୍ନାଥ ଓଡ଼ିଆ ଜାତିର କିପରି ଅନ୍ତରଙ୍ଗ ସେଦିନ ସେଇ ଜନ ସମୁଦ୍ର ମଧ୍ୟରେ ଠିଆ ହୋଇ ମୁଁ ଲକ୍ଷ୍ୟ କରିଥିଲି । ବସ୍ତୁତଃ ମୋ ମତରେ ସମଗ୍ର ପୃଥିବୀରେ ଏହା ଏକ ଶ୍ରେଷ୍ଠ, ବର୍ଣ୍ଣାଢ଼୍ୟ ଓ ପ୍ରେରଣାମୟ ଦୃଶ୍ୟର ଗୌରବ ଦାବି କରେ । x x x x ସେଦିନର ସେହି ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା- ‘‘ନୀଳଶୈଳ ତାର ପରିଣତି । ‘‘(୩) (କ) ଲେଖକ ତାଙ୍କ ଆତ୍ମଜୀବନୀ ‘‘ପଥ ଓ ପୃଥିବୀ’’ରେ ଅନୁରୂପ ମନ୍ତବ୍ୟ ପ୍ରଦାନ କରିଛନ୍ତି । ୩ (କ) ଲେଖକ ତାଙ୍କ ଆତ୍ମଜୀବନୀ ‘‘ପଥ ଓ ପୃଥିବୀ’’ରେ ଅନୁରୂପ ମନ୍ତବ୍ୟ ପ୍ରଦାନ କରିଛନ୍ତି । ୩ (ଖ) ବାସ୍ତବିକ ଜଗନ୍ନାଥ ହିଁ ଥିଲେ ଓଡ଼ିଶାର ରାଷ୍ଟ୍ର ଦେବତା, ଧର୍ମ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଭାରତରେ ପ୍ରଚଳିତ ସର୍ବଧର୍ମର ସମନ୍ୱୟ ଜଗନ୍ନାଥଙ୍କଠାରେ ହିଁ ସାଧିତ ଓ ଆରୋପିତ ହୋଇଛି । ନିମ୍ବାର୍କ, ମାଧ୍ୱାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ଚୈତନ୍ୟ, ଶଙ୍କରାଚାର୍ଯ୍ୟ ଓ ରାମାନୁଜ ପ୍ରମୁଖ ଧର୍ମ ପ୍ରବର୍ତ୍ତକ, ଧର୍ମଯାଜକମାନେ ଓଡ଼ିଶାର ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଧର୍ମ ଓ ମୁକ୍ତିର ପିପାସା ଧରି । ଶ୍ରୀଜଗନ୍ନାଥଙ୍କଠାରେ ସ୍ୱଧର୍ମ ସମନ୍ୱିତ କରି ଚରମ ଆଧ୍ୟାତ୍ମିକ ତୃପ୍ତି ପାଇଛନ୍ତି । ଏହି ପ୍ରସଙ୍ଗରେ ଲେଖକ ‘ନୀଳଶୈଳ’ ଉପନ୍ୟାସର ‘ଭୂମିକା’ରେ କହିଛନ୍ତି – ‘‘ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଇତିହାସରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବବିଦିତ । କୌଣସି ନିର୍ଦ୍ଦିଷ୍ଟ ଧର୍ମ, ମତବାଦ ବା ସମ୍ପ୍ରଦାୟର ସଂକୀର୍ଣ୍ଣ ପରିସର ମଧ୍ୟେ ଜଗନ୍ନାଥ ଆବଦ୍ଧ ନୁହନ୍ତି । ଶବରର ବିଶ୍ୱାବସୁଠାରୁ ଆର୍ଯ୍ୟ ଇନ୍ଦ୍ରଦ୍ୟୁମ୍ନ, ବୌଦ୍ଧ ଇନ୍ଦ୍ରଭୂତି, ଶୈବ ଶଙ୍କରାଚାର୍ଯ୍ୟ, ପଞ୍ଚତାନ୍ତ୍ରିକ ରାମାନୁଜ ଶ୍ରଦ୍ଧା ଭକ୍ତିବାଦୀ ଶ୍ରୀଚୈତନ୍ୟ, ଶୂନ୍ୟବାଦୀ ବଳରାମ, ଜଗନ୍ନାଥ ଓ ଶିଖ ଧର୍ମଗୁରୁ ନାନକଙ୍କ ପର୍ଯ୍ୟନ୍ତ ବିଭିନ୍ନ ମତବାଦ ଓ ସମ୍ପ୍ରଦାୟ ଶ୍ରୀଜଗନ୍ନାଥଙ୍କ ମୈତ୍ରୀସାଧନା ମଧ୍ୟରେ ସମନ୍ୱିତ ହୋଇଅଛନ୍ତି । x x x x ବସ୍ତୁତଃ ସାର୍ବଜନୀନ ମାନବର ମୈତ୍ରୀ ସାଧନାର ଇଷ୍ଟଦେବ ରୂପେ ଶ୍ରୀଜଗନ୍ନାଥଙ୍କ ପରିକଳ୍ପନା ଯେପରି ଅଦ୍ୱିତୀୟ. ସେହିପରି ବିରାଟ ଓ ଉଦାର ।’’ । ୪ । କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶାରେ ରାଜନୈତିକ ଅସ୍ଥିରତାର କାରଣରୁ ଏହାର ରାଷ୍ଟ୍ର ଦେବତା ଜଗନ୍ନାଥ ହୋଇଛନ୍ତି ଅସହାୟ ଓ ବିପନ୍ନ । ଗୋଟିଏ ପକ୍ଷରେ ହିନ୍ଦୁ ବିଦ୍ୱେଷୀ ମୋଗଲ ଶାସକ ଏବଂ ଅନ୍ୟ ପକ୍ଷରେ ଓଡ଼ିଶାର ଗଜପତି ରାମଚନ୍ଦ୍ର ଦେବ ଏବଂ ସନାତନ ଧର୍ମ ଓ ସଂସ୍କୃତିର ପ୍ରତୀକ ଜଗନ୍ନାଥଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ଘଟିଛି । ଓଡ଼ିଶାର ଗଜପତି ବଂଶର ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ଶ୍ରେଷ୍ଠ ସେବକ ହିଁ ଏହି ରାଜ୍ୟ ସିଂହାସନରେ ଅଭିଷିକ୍ତ ହୋଇଥାଏ । ତେଣୁ ରଥଯାତ୍ରା ସମୟରେ ରଥ ଦାଣ୍ଡରେ ଛେରାପହଁରା କାର୍ଯ୍ୟକାରୀ ନିଜର ସେବକତ୍ୱ ପ୍ରତିପାଦନ କରିବା ସଂଗେ ସଂଗେ ଜଗନ୍ନାଥଙ୍କ ଅନୁଗ୍ରହ ପ୍ରାପ୍ତିପୁର୍ବକ ରାଜସିଂହାସନ ଅଳଙ୍କୃତ କରିଥାନ୍ତି । ସମଗ୍ର ପୃଥିବୀରେ ଏପରି ପରମ୍ପରା ସ୍ୱତନ୍ତ୍ର । ଏହି ପ୍ରସଙ୍ଗରେ ଲେଖକଙ୍କ ନିଜସ୍ୱ ମନ୍ତବ୍ୟ- ‘‘ଜଗନ୍ନାଥଙ୍କୁ କେନ୍ଦ୍ରକରି ଉତ୍କଳର ଯେଉଁ ସମାଜ ଓ ଶାସନାଦର୍ଶ ବିକାଶ ହୋଇଛି, ବିଶ୍ୱ ସଭ୍ୟତାରେ ତାହା ଅଦ୍ୱିତୀୟ । ଜଗନ୍ନାଥ ପତିତ ପାବନ । ସେ ପତିତର ହିଁ ଦେବତା । ତାଙ୍କ ଦୃଷ୍ଟିରେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତେ ସମାନ । ଉତ୍କଳର ଗଜପତି ଇଜିପ୍‌ଟ, ଆସିରିଆ ବା ସୁମେରୁର ସମ୍ରାଟମାନଙ୍କ ପରି ‘ମହତ ଦେବତା’ ନୁହନ୍ତି – ଜଣେ ସାମାନ୍ୟ ସେବକ ମାତ୍ର । x x x x ତାଙ୍କ ସିଂହଦ୍ୱାରରେ ଦେବତା ମଣିଷ ହୋଇଛି ପୁଣି ମଣିଷ ଦେବତା ହୋଇଛି । ଶ୍ରୀଜଗନ୍ନାଥ କେବଳ ଉତ୍କଳର ନୁହନ୍ତି – ମାନବ ସଭ୍ୟତା ଓ ସାମଜର ଏକ ପରମ ସମ୍ପଦ ।’’ । ୫ । ଆଜି ଏହି ପରମ୍ପରାରେ ପରିବର୍ତ୍ତନ ସଂଘଟିତ ହୋଇଛି । କିନ୍ତୁ ପୂର୍ବପରି ଜଗନ୍ନାଥଙ୍କ ସେବକ ଭାବରେ ପୁରୀ ଗଜପତି ରାଜାଙ୍କର ସ୍ୱାଭିମାନ ଓ ସ୍ୱତନ୍ତ୍ରତା ପ୍ରକଟିତ ହୋଇଅଛି । ‘‘ଏକଦା ସମ୍ଭବତଃ ଛେରାପହଁରା ଅର୍ଥ ଥିଲା ରଥଯାତ୍ରା ବେଳେ ଦାଣ୍ଡ ସଫା କରିବା ଓ ରାଜ ସେବକ ରୂପେ ତାହା ଉତ୍କଳର ଗଜପତିମାନଙ୍କର କର୍ମ । ଏହାହିଁ ଥିଲା ଉତ୍କଳ ଭୂମିରେ ରାଜତନ୍ତ୍ରର ଏକ ବିଶିଷ୍ଟ ଆଦର୍ଶ – ପ୍ରଜାବର୍ଗ ଏଠାରେ ଦର୍ପିତ ସମ୍ରାଟଙ୍କର ଅଭିଯାତ୍ରାର ପଥ ମାର୍ଜନା କରନ୍ତି ନାହିଁ, ସମ୍ରାଟ ଜନତାରୂପୀ ଜନାର୍ଦ୍ଦନଙ୍କ ସେବକ ରୂପେ ପ୍ରଜାମାନଙ୍କର ଆଧ୍ୟାତ୍ମିକ ଅଭୀପ୍‌ସା ତଥା କଲ୍ୟାଣର ପଥ ପରିଷ୍କାର କରିବା ପାଇଁ ହାତରେ ସମାର୍ଜନୀ ଧରି ରଥଦାଣ୍ଡ ପରିଷ୍କାର କରିଥାନ୍ତି । ଏହା ହିଁ ଥିଲା ଛେରା ପହଁରାର ମର୍ମ । ମାତ୍ର ପରେ ସମ୍ଭବତଃ ଯେତେବେଳେ ରାଜତ୍ୱର ଅଭିମାନ ସେବକତ୍ୱର ଦୈନ୍ୟରେ ସନ୍ତୁଷ୍ଟ ରହିପାରିଲା ନାହିଁ, ସେତେବେଳେ ରଥଦାଣ୍ଡରେ ଛେରାପହଁରା ପରିବର୍ତ୍ତେ ରଥ ଉପରେ ଛେରା ପହଁରା ବିଧି ପ୍ରବର୍ତ୍ତିତ ହୋଇଥିଲା । ୬ (କ)

 

‘ନୀଳଶୈଳ’ର ଐତିହାସିକ ପଟ୍ଟଭୂମି ଉପରେ ରଚିତ ଏକ ଆଧ୍ୟାତ୍ମ ପଣ୍ଡିତ ମହାକାବ୍ୟିକ ଉପନ୍ୟାସ । ଉତ୍କଳ ଇତିହାସରେ ଏକ ବିଡ଼ମ୍ବିତ ଅଧ୍ୟାୟର ଭାଗ୍ୟହୀନ ରାଜା ରାମଚନ୍ଦ୍ର ଦେବଙ୍କ ଧୈର୍ଯ୍ୟ, ନିଷ୍ଠା, ସାହସିକତା ଓ ଜଗନ୍ନାଥ ପ୍ରୀତି ଓ ଦର୍ଶନର ଏହା ଏକ କମନୀୟ କଳାତ୍ମକ ଅଭିବ୍ୟକ୍ତି । ‘‘ଐତିହାସିକ କାରଣରୁ କେତେକ ତୃଟି ଏଥିରେ ଅଛି ନିଶ୍ଚୟ, କିନ୍ତୁ ତାହା ତ ଏକ ଉପନ୍ୟାସ, ଇତିହାସ ନୁହେଁ । ନିଜର ଅଯୋଗ୍ୟତା ଯୋଗୁଁ ରାଜ୍ୟ ହରାଇ, ଧର୍ମ ବଦଳାଇ, ନିଜ ଲୋକଙ୍କଦ୍ୱାରା ପରିତ୍ୟକ୍ତ ହୋଇ ମଧ୍ୟ ଆଜି ରାମଚନ୍ଦ୍ର ଦେବଙ୍କୁ ଯଦି କିଏ ହିରୋ କରି ଛିଡ଼ା କରାଇଛି, ସିଏ ଏଇ ସୁରେନ୍ଦ୍ର ମହାନ୍ତି । ଏହା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ବିଶେଷତ୍ୱ ନୁହେଁ ତ ଆଉ କ’ଣ ? (ଖ) ଅନ୍ୟ ପଟରେ ଭାରତୀୟ ସଂସ୍କୃତି ଓ ତାର ମୂଲ୍ୟବୋଧର କଳନାହିଁ ଏହି ଉପନ୍ୟାସର ବକ୍ତବ୍ୟ ଭାବରେ ନିରୂପିତ ହୋଇଥାଏ । ନୀଳଶୈଳ ଶୀର୍ଷକରେ ହିଁ ଏହି ଚେତନା ବାରମ୍ବାର ପ୍ରତିଧ୍ୱନିତ ହୋଇଛି । ଆଭିମୁଖ୍ୟହୀନ, ବକ୍ତବ୍ୟହୀନ ସାହିତ୍ୟ ସୃଷ୍ଟିର ପରିପନ୍ଥୀ ଥିଲେ ସ୍ରଷ୍ଟା ସୁରେନ୍ଦ୍ର । ତାଙ୍କ ମତରେ ‘‘ପ୍ରତ୍ୟେକ କାଳଜୟୀ ଲେଖକକୁ ତା ବକ୍ତବ୍ୟ କ’ଣ ନିଜର ଆତ୍ମା ଭିତରୁ ତାକୁ ଖୋଜିବାକୁ ପଡ଼ିବ ଏବଂ ତାର ପ୍ରକାଶଭଙ୍ଗୀ ଆପେ ଆପେ ଆସିଯିବ । ବକ୍ତବ୍ୟଟା ହେଉଛି ବଡ଼ କଥା । ପ୍ରତ୍ୟେକ ଲେଖକ ତାର ବକ୍ତବ୍ୟ ପ୍ରଥମେ ସ୍ଥିର କରିବା ଉଚିତ୍ । ଯଦି ମୋର କିଛି ବାର୍ତ୍ତା ଥାଏ ତେବେ ତା ହେଉଛି, ବକ୍ତବ୍ୟହୀନ ସାହିତ୍ୟ, ସାହିତ୍ୟ ନୁହେଁ ।’’ ୬ (ଗ) ଉପନ୍ୟାସର ଆରମ୍ଭ ଏକ Flash Back ଶୈଳୀରେ । ନାଟକୀୟ ଚିତ୍ରଧର୍ମୀ ଉପସ୍ଥାପନାରେ ସମଗ୍ର ଉପନ୍ୟାସର କଥାବସ୍ତୁ ଆଚ୍ଛନ୍ନ । ଉପନ୍ୟାସ ଅନ୍ୟତମ ପ୍ରଧାନ ଚରିତ୍ର ରାମଚନ୍ଦ୍ର ଦେବ ବହୁ ଦୁର୍ଗମ ପଥ ଅତିକ୍ରମ କରି ଅଶ୍ୱଛୁଟାଇ ଚାଲିଛନ୍ତି ଶ୍ରୀକ୍ଷେତ୍ର ଅଭିମୁଖେ ଶ୍ରୀଜଗନ୍ନାଥ ଦର୍ଶନର ଅଭୀପ୍‌ସା ନେଇ, ଆତ୍ମାର ଆବିଷ୍କାରରେ ମୁକ୍ତିର ପିପାସା ଧରି । କିନ୍ତୁ ପଟ୍ଟପରିବର୍ତ୍ତନରେ ରାମଚନ୍ଦ୍ର ଦେବ ଚିଲିକା କୂଳର ମାଲୁଦ୍‌ଠାରେ ପରାଜିତ ହୋଇ କଟକ ବାରବାଟୀ ଦୁର୍ଗରେ ବନ୍ଦୀ ହୋଇ ରହିଛନ୍ତି ଏବଂ ସେହିଠାରେ ତକି ଖାଁର ଭଗ୍ମୀ (ଯଦିଓ ସେ ଥିଲେ ବ୍ରାହ୍ମଣୀ କାଞ୍ଚନ ବାଇର କନ୍ୟା) ରିଜିଆର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ତାର ପାଣି ଗ୍ରହଣ କରିଛନ୍ତି । ଏଭଳି ଘାଟଣିକ ପ୍ରତିକ୍ରିୟାରେ ନାଏବ ତକିଖାଁ ଚିନ୍ତା କରିଛି ଏଣିକି ରାମଚନ୍ଦ୍ର ଦେବଙ୍କୁ ସଖୀ କଣ୍ଡେଇ ଭାବରେ ଖୋର୍ଦ୍ଧା ସିଂହାସନରେ ଅଧିଷ୍ଠିତ କରି ରଖିବ ଏବଂ ଖୋର୍ଦ୍ଧା ରାଜ୍ୟ ଓ ଜଗନ୍ନାଥଙ୍କ ଉପରେ ଆଧିପତ୍ୟ ପ୍ରକାଶ କରିବା ପାଇଁ, ଜୁଲମ କରି ଜଗନ୍ନାଥ ତୀର୍ଥଯାତ୍ରୀଙ୍କଠାରୁ ଜିଜିଆ କର ଆଦାୟ କରିବା ପାଇଁ । ରାମଚନ୍ଦ୍ର ଦେବ କିନ୍ତୁ ଚିନ୍ତା କରିଛନ୍ତି, ମୋଗଲ ଶକ୍ତିକୁ ପରାହତ କରିବା ସମ୍ଭବ ନୁହେଁ । ତେଣୁ ଏପରି ପରିଣୟର ସମ୍ପର୍କ ସ୍ଥାପନ କରି କୌଶଳରେ ମୋଗଲ ଅତ୍ୟାଚାରରୁ ଜଗନ୍ନାଥଙ୍କୁ ସୁରକ୍ଷିତ ରଖିବା ପାଇଁ । ଏହି ପ୍ରସଙ୍ଗରେ ରାମଚନ୍ଦ୍ର ଦେବଙ୍କ ସ୍ୱଗତୋକ୍ତି ଅତୀବ ଚମତ୍କାର ଓ ତାତ୍ପର୍ଯ୍ୟପୂର୍ଣ୍ଣ । ‘‘ନା ନା, ମୋର ମାନ ଲୋଡ଼ା ନାହିଁ । ତମରି ମାନ ରହୁ ଜଗନ୍ନାଥ । ତମରି ମାନରକ୍ଷା ପାଇଁ ତ ମୁଁ ଜାଣି ଜାଣି ତମଠାରୁ ଦୂରଛଡ଼ା ହୋଇଛି । ଆଃ, ଏବେ ବି ତମରି ଶ୍ରୀଭୁଜରୁ କେରି କେରି ଦୟଣା ଫୁଲର ସୁଗନ୍ଧ ଭାସି ଭାସି ଆସୁଛି । ଏବେ ବି ତମର ପଦ୍ମ ପଲାଶ ଲୋଚନ, ମୋତେ ହାତ ଠାରି ଡାକୁଛି । ମୁଁ ମହାମରଣ, ମୁଁ ମହାମୁକ୍ତି । ଫେରିଆରେ ଅବୋଧ ସବୁ ଅଭିମାନ ଭୁଲି, ଏଇଠାରେ ଶାନ୍ତି, ଏଇଠାରେ ମୋକ୍ଷ, ପୁନର୍ଜନ୍ମର ବ୍ୟୁହ ଭେଦି ଏଇଠାରେ ନୀଳନିର୍ବାଣ । ମୋ ବାଟଯାକ କଣ୍ଟା । କିନ୍ତୁ ନିଜେ ତ ମୁଁ ନିଜ ହାତରେ ସେ କଣ୍ଟା ଛାଟିଛି ଜଗନ୍ନାଥ । ତମର ମାନ ରହୁ । ଉତ୍କଳର ମାନ ରହୁ, ମୁଁ ପଛେ ପତିତ ହୁଏ ।’’ । ୭ । ଏହି ଅବକାଶରେ ଘାଜୀ ସୁଲତାନ୍ ବେଗ ଦିଲ୍ଲୀ-ମୁର୍ଶିଦାବାଦରୁ ସୁଜାଖାଁ ନିର୍ଦ୍ଦେଶରେ କେତେଜଣ ମୋଗଲ ଲସ୍‌କର ଓ ଦେଉଳ ଭଙ୍ଗାଳିମାନଙ୍କୁ ସାଙ୍ଗରେ ନେଇ ଖୋର୍ଦ୍ଧା ନିକଟବର୍ତ୍ତୀ ଦଧିବାମନ ମନ୍ଦିର ଭାଙ୍ଗିବା ପାଇଁ ଆୟୋଜନ କରିଛି । ସେହି ସମୟରେ ରିଜିଆର ପାଣିଗ୍ରହଣ କରି ରାମଚନ୍ଦ୍ର ଦେବ ହାଫିଜ୍‌କାଦର ବେଗରେ ପରିଣତ ହୋଇଛନ୍ତି ଏବଂ ଖୋର୍ଦ୍ଧା ଫେରିଆସି, ଖୋର୍ଦ୍ଧା ସିଂହାସରେ ନାମକୁ ମାତ୍ର ରାଜା ଭାବରେ ଅବସ୍ଥାପିତ । କିନ୍ତୁ ସିଂହଳ-ବ୍ରହ୍ମପୁରର ଦଧିବାମନ ମନ୍ଦିର ଭଙ୍ଗା ସମ୍ବାଦ ଶୁଣି ରାମଚନ୍ଦ୍ର ଦେବ ସ୍ଥିର ଓ ଅବିଚଳିତ ହୋଇ ରହିପାରି ନାହାନ୍ତି । ଅରଣ୍ୟ ଯୁଦ୍ଧରେ ନିପୂଣ କେତେଜଣ ପାଇକଙ୍କୁ ସାଙ୍ଗରେ ନେଇ ଘାଜୀ ସୁଲତାନ ବେଗ ଓ ମୋଗଲ ଲସ୍‌କରମାନଙ୍କୁ ପ୍ରତିରୋଧ ଓ ଆକ୍ରମଣ କରିଛନ୍ତି । ଦଧିବାମନ ମନ୍ଦିର ଧ୍ୱଂସ ମୁଖରୁ ଉଦ୍ଧାର ହୋଇଛି । ଆକ୍ରମଣରେ ଘାଜୀ ସୁଲତାନର ମୃତ୍ୟୁ ହୋଇଛି, ମୋଗଲ ଲସକରମାନେ ଅନେକ ମୃତାହତ ହୋଇଛନ୍ତି, ଅନେକ ଛତ୍ରଭଙ୍ଗ ଦେଇଛନ୍ତି । ଏହି ଅବକାଶରେ ଲେଖକ ଶ୍ରୀ ଜଗନ୍ନାଥ ଧର୍ମ ଓ ସଂସ୍କୃତି ସହିତ ସିଂହଳ-ବ୍ରହ୍ମପୁର ଦଧିବାମନ ମନ୍ଦିରର ସଂପୃକ୍ତି ସମ୍ପର୍କରେ ଅବତାରଣା କରିଛନ୍ତି । ମୁକୁଳଦେବଙ୍କ ରାଜତ୍ୱ କାଳରେ ହିନ୍ଦୁ ବିଦ୍ୱେଷୀ କଳାପାହାଡ଼ ଶ୍ରୀମନ୍ଦିର ଆକ୍ରମଣ କରି ସେଠାରେ ଶ୍ରୀଜଗନ୍ନାଥଙ୍କୁ ନ ପାଇ, ଚିଲିକା ଗର୍ଭରେ ଅବଗୋପ୍ୟ ହୋଇଥିବା ସମ୍ବାଦ ପାଇ, ସେଠାରୁ ଜଗନ୍ନାଥଙ୍କୁ ଆଣି ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ ଚମ ଦଉଡ଼ିରେ ବାନ୍ଧି ହାତୀ ପିଠିରେ ପକାଇ ନେଇ ଯାଇଥିଲା ଗୌଡ଼ (ବଙ୍ଗଳା) ଦେଶକୁ । ସେଠାରେ ଗଙ୍ଗା କୂଳରେ ବିଗ୍ରହମାନଙ୍କୁ ଅଗ୍ନିରେ ଦଗ୍‌ଧ ହୋଇ ନ ଥିଲେ, ତହୁଁ କଳାପାହାଡ଼ ଅର୍ଦ୍ଧତଦଗ୍ଧ ବିଗହମାନଙ୍କୁ ଗଙ୍ଗାନଦୀରେ ନିକ୍ଷେପ କରିଥିଲା । କିନ୍ତୁ ବିଶର ମହାନ୍ତି ନାମକ ଜନୈକ ବିଗ୍ରହମାନଙ୍କ ଅନୁସନ୍ଧାନେ କଳାପାହାଡ଼ ପଛେ ପଛେ ଛୁଟି ଯାଇଥିଲା । ଗଙ୍ଗା ନଦୀରୁ ଅର୍ଦ୍ଧଦଗ୍ଧ ବିଗ୍ରହମାନଙ୍କ ଉଦ୍ଧାର କରି ରାତ୍ରିର ଦସ୍ୟୁ ପରି ଫେରି ଆସିଥିଲା ଖୋର୍ଦ୍ଧା ରାଜ୍ୟକୁ । ମୋଗଲ ଭୟରେ ଶ୍ରୀମନ୍ଦିରକୁ ନ ନେଇ ଖୋର୍ଦ୍ଧା ନିକଟବର୍ତ୍ତୀ ସିଂହଳ-ବ୍ରହ୍ମପୁର ଦଧିବାମନ ମନ୍ଦିରରେ ବିଗ୍ରହମାନଙ୍କୁ ଲୁଚାଇ ରଖିଥିଲା । ପରବର୍ତ୍ତୀ କାଳରେ ନବକଳେବର ମାଧ୍ୟମେ ବିଗ୍ରହମାନଙ୍କୁ ଶ୍ରୀକ୍ଷେତ୍ର-ଶ୍ରୀମନ୍ଦିରେ ପ୍ରତିଷ୍ଠା ଲାଭ କରିଥିଲେ । ରାମଚନ୍ଦ୍ର ଦେବଙ୍କ ମନରେ ଅତୀତରର ଏହି ସ୍ମୃତି ଜାଗ୍ରତ ହୋଇଉଠିଛି । ‘‘ଜଗନ୍ନାଥ ଯେପରି ନିଗୃହୀତ ଓଡ଼ିଶାର ଅପରାଜେୟ ଆତ୍ମା । ତାଙ୍କୁ ବଦଳିତ କରିବା ପାଇଁ କାଳେ କଳେ ତ ବହୁ ଆକ୍ରମଣକାରୀ ଯେପରି ବହୁ ବ୍ୟର୍ଥ ଅଭିଯାନ ଚଳାଇଛନ୍ତି, ଜଗନ୍ନାଥ ସେହିପରି କାଳେ କାଳେ ରତ୍ନ ସିଂହାସନ ଆଡ଼ମ୍ବର ତୁଚ୍ଛ କରି ଅପରାଜୟତାର ଅଭିମାନ ରକ୍ଷା ପାଇଁ ସେତେବେଳେ ସେ ଦୁର୍ଗମ ଗିରି କାନ୍ତାରରେ ଆତ୍ମରକ୍ଷା କରିଛନ୍ତି । ଅଗ୍ନି ତାଙ୍କୁ ଦଗ୍ଧ କରିନାହିଁ ଜଳ ତାଙ୍କୁ ନିମଜ୍ଜିତ କରିପାରି ନାହିଁ । ଶାସ୍ତ୍ର ତାଙ୍କୁ ଛିନ୍ନ କରିବାରେ ବ୍ୟର୍ଥ ହୋଇଛି । ଜଗନ୍ନାଥ ନିଖିଳ ବିଶ୍ୱର ମୃତ୍ୟୁହୀନ, ଅକ୍ଷୟ, ଅବ୍ୟୟ ଆତ୍ମା ।’’ । ୮ । ସୁରେନ୍ଦ୍ର ମଧ୍ୟ ଥିଲେ ଆଦର୍ଶବାଦୀ । ଭାରତୀୟ ଧର୍ମ ଓ ସଂସ୍କୃତିରେ ଯାହାକିଛି ଥିଲା ଆଦର୍ଶ, ନୈତିକତା, ଗର୍ଭିତ, ଶାଶ୍ୱତ-ମୂଲ୍ୟବୋଧଭିତ୍ତିକ, ତାକୁ ସେ ବାରମ୍ବାର ପାଠକ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । ତାଙ୍କ ମତରେ ‘‘ସାହିତ୍ୟ ବା ଆର୍ଟର ଭିତ୍ତି କେତେକ ଆଦର୍ଶ ବା ସ୍ୱପ୍ନ । ସେ ଆଦର୍ଶ ବା ସ୍ୱପ୍ନ ଦିଗ୍‍ବଳୟର ରେଖା ପରି ହୁଏତ ଅବାସ୍ତବ । ଇତିହାସେ ଯୁଗେ ଯୁଗେ ପ୍ରଗତିର ଦୁର୍ଗମ ପଥରେ ବ୍ୟକ୍ତି ସେହି ଅବାସ୍ତବ ଦିଗବଳୟ ରେଖାଆଡ଼େ ପାଦ ପକାଇ ଚାଲିଛି ।’’ ।୯। ଉପନ୍ୟାସରେ ବର୍ଣ୍ଣିତ କଥାବସ୍ତୁର ଘନଘଟା ଭିତରେ ଲେଖକ ବାରମ୍ବାର ଜଗନ୍ନାଥଙ୍କୁ ହିଁ ଭେଟିଛନ୍ତି । ଜଗନ୍ନାଥଙ୍କ ମହାତ୍ମ୍ୟ, ସାଂସ୍କୃତିକ ମୂଲ୍ୟବୋଧ, ଧର୍ମର ପରାକାଷ୍ଠା ସମଗ୍ର ଉପନ୍ୟାସର କଥାବସ୍ତୁକୁ ଆଚ୍ଛନ୍ନ ଓ ଅଭିମୁଖ୍ୟଧର୍ମୀ କରିପାରିଛି । ଏପରିକି ଘଟଣାର ପ୍ରତିକୂଳରେ ଯାଇ ଲେଖକ ଜଗନ୍ନାଥଙ୍କ ସହିତ ଜଡ଼ିତ ଅନେକ ଅଲୌକିକ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ୧୬ଶହ ଶତାବ୍ଦୀର ବୈଷ୍ଣବ ପଞ୍ଚସଖା ଯୁଗରେ ପ୍ରତାପରୁଦ୍ର ଦେବଙ୍କଦ୍ୱାରା ଦଣ୍ଡିତ ହୋଇ ଭକ୍ତ ଜଗନ୍ନାଥ ଦାସ ଶ୍ରୀକ୍ଷେତ୍ରରୁ ବିତାଡ଼ିତ ହୋଇ ଶ୍ରକ୍ଷେତ୍ର ସୀମା ବାହାରେ ଗୋଟିଏ ମଠ ସ୍ଥାପନ କରି ନିଜର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଉପାସନା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଜଗନ୍ନାଥଙ୍କ ମହିମାରୁ ଭକ୍ତର ଇଚ୍ଛାପୂରଣ ପାଇଁ ସାତଲହରୀ ମଠ ସୃଷ୍ଟି ହୋଇଥିଲା । ଉପନ୍ୟାସରେ ଏହି ପ୍ରସଙ୍ଗର ବର୍ଣ୍ଣନା ଅତୀବ ଅଲୌକିକ, ଆଧ୍ୟାତ୍ମପିଣ୍ଡିତ ଓ ହୃଦୟସ୍ପର୍ଶୀ ମନେ ହୁଏ । ‘‘ପାଣିଚିଆ ମହକ ଜହ୍ନ ଆଲୁଅରେ ସାତଲହରୀ ମଠ ଅରମା ଅନ୍ଧାରରେ ଗୋଟିଏ ସ୍ତୁପ କରି ଦିଶୁଥିଲା । ଗଜପତି ପ୍ରତାପରୁଦ୍ର ଦେବଙ୍କ ଆଦେଶରେ ପୁରୀ ଶ୍ରୀକ୍ଷେତ୍ରରୁ ବିତାଡ଼ିତ ହୋଇ ଶୂନ୍ୟବାଦୀ ଜଗନ୍ନାଥ ଦାସ ଏହିଠାରେ ସ୍ଥାପନ କରିଥିଲେ ତାଙ୍କ ସାଧନାର ପୀଠ । କିମ୍ବଦନ୍ତୀ କହେ, ଜଗନ୍ନାଥଙ୍କ ସାଧନ ବଳରେ ସମୁଦ୍ର ସେଦିନ ସାତଲଡଡ଼ି ପଛକୁ ହଟିଯାଇ ସାଧକ ଜଗନ୍ନାଥ ଦାସଙ୍କ ପାଇଁ ରାଜଦଣ୍ଡ ଓ ନିର୍ଯ୍ୟାତନାର ସୀମା ବାହାରେ ସୃଷ୍ଟି କରିଥିଲା । ଏହି ସାଗରଉଦ୍ଭୁତ ଭୂମି । ଅତିବଡ଼ି ଜଗନ୍ନାଥ ଦାସ ଏହିଠାରେ ମଧ୍ୟ ନେଇଥିଲେ ଜୀବନ୍ତ ସମାଧି ।’’ ୧୦ (କ) ରାମଚନ୍ଦ୍ର ଦେବ ରିଜିଆର ପାଣିଗ୍ରହଣ କରି ହାଫିଜ୍ – କାଦରରେ ପରିଣତ ହେବାପରେ ମହାରାଣୀ ଲଳିତା ପାଟ୍ଟଦେଈ ନିଜର ବୈଧବ୍ୟ ଘୋଷଣା କରି ପୁତ୍ର ଭାଗିରଥୀ କୁମାରକୁ ସାଙ୍ଗରେ ନେଇ ପିତ୍ରାଳୟ ବାଣପୁରକୁ ଚାଲିଯାଇଛନ୍ତି । କିନ୍ତୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ଅତୁଟ ରହିଛି । ସେ ଜୀବନବ୍ୟାପୀ ସାଧନା କରିଛନ୍ତି ଭାଗିରଥୀ କୁମାରକୁ ଜଗନ୍ନାଥଙ୍କ ଶ୍ରେଷ୍ଠ ସେବକ ଭାବରେ ପ୍ରତିପାଦିତ କରି, ତାରି ମାଧ୍ୟମେ ଖୋର୍ଦ୍ଧା ସିଂହାସନରେ ଅଭିଷିକ୍ତ କରାଇବା ପାଇଁ । ଭାଗିରଥି କୁମାର ମଧ୍ୟ ଜଗନ୍ନାଥଙ୍କଠାରେ ଗଭୀର ଆସ୍ଥା ସ୍ଥାପନ କରିଛନ୍ତି । ପ୍ରତ୍ୟେକ ସଡ଼ଙ୍ଗ ଶେଷରେ ଆଲୋକର ପ୍ରକାଶ ପରି, ଦୁର୍ଗତିର ଅନ୍ଧକାରକୁ ଅତିକ୍ରମ କରି ଆଲୋକର ଦୀପ୍ତିରେ ଏ ଜାତିର ଇଷ୍ଟ ଦେବତା ଯେ ଦିନେ ଉଦ୍‌ଭାସିତ ହୋଇ ଉଠିବେ ଏଥିରେ ସେ ସ୍ଥିର ନିଶ୍ଚିତ । ‘‘ମେଘ ଯେତେ ଘନ କୃଷ୍ଣ ହେଉ, ତା’ ଚାରିପଟେ ମଧ୍ୟ ଆଲୋକର ଦୀପ୍ତି ଅଛି – ସବୁ ଦୁର୍ଯୋଗ ମଧ୍ୟରେ ସୁଦ୍ଧା ସୁଦିନର ଉଜ୍ଜ୍ୱଳ ସମ୍ଭାବନା ।’’ ୧୦ (ଖ) ।

 

‘ନୀଳଶୈଳ’ ଉପନ୍ୟାସରେ ଦୁଇଟି ପ୍ରମୁଖ କାଳ୍ପନିକ ଚରିତ୍ର ସରଦେଇ ଓ ଜଗୁନି । ଫକୀରମୋହନଙ୍କ ‘ଲଚ୍ଛମା’ ଭଳି ଇତିହାସ ଭିତରୁ ବାହାରି ଆସି ଏମାନେ ପାଠକ ପାଇଁ ବିରାଟ ସମ୍ଭାବନା ଓ ପ୍ରତ୍ୟୟ ସୃଷ୍ଟି କରି ପାରିଛନ୍ତି । ଅଥଚ ଦୁଇଟି ଶୁଖିଲା ପତ୍ର କରି ଜୀବନ ବୈଶାଖୀରେ ଉଡ଼ି ଉଡ଼ି ଆସି ଏମାନେ ଲାଗିଥିଲେ ଚିଲିକାର ତଣ୍ଡାକିନାରାର ଏକ ଚଟିଘରେ । ନୀଳଶୈଳ ନିବାସୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ଅଭୀପ୍‌ସା ଏମାନଙ୍କ ପ୍ରାଣରେ ସୃଷ୍ଟି କରିଛି ଯେଉଁ ଆବେଗ ଓ ଉଦ୍‌ବେଳନ ତାର ପଟ୍ଟାନ୍ତର ନାହିଁ । ସରଦେଇ ତାର ପରିବାରକୁ ବିପନ୍ନ କରି ନିଜ ଜୀବନର ଶେଷ ପ୍ରତୀପ ଲିଭିଯିବା ପର୍ଯ୍ୟନ୍ତ ରାମଚନ୍ଦ୍ର ଦେବଙ୍କୁ ଅକୁଣ୍ଠ ସହଯୋଗ କରିଛି । ଜଗୁନି ମଧ୍ୟ ଚିଲିକାରେ ଡଙ୍ଗା ବାହି ରାମଚନ୍ଦ୍ର ଦେବଙ୍କ ସହ ବୁଲିଛି ମୋଗଲ ଅତ୍ୟାଚାରରୁ ଜଗନ୍ନାଥଙ୍କୁ କେଉଁ ଏକ ଅଜଣା ଦ୍ୱୀପରେ ଅବଗୋପ୍ୟ କର ରଖିବା ପାଇଁ । ଏହି ଅବକାଶରେ ଲେଖକ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା (ଗୁଣ୍ଡିଚା ଯାତ୍ରା)ର ଏକ ସୁଦୀର୍ଘ ଓ ଆବେଗସିକ୍ତ ବର୍ଣ୍ଣନା ପ୍ରଦାନ କରିଛନ୍ତି । ଭାରତର ବିଭିନ୍ନ ପ୍ରାନ୍ତରୁ ଯାତ୍ରୀମାନେ ଶ୍ରୀକ୍ଷେତ୍ର ଅଭିମୁଖେ ଚାଲିଛନ୍ତି ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦରର୍ଶନ କରି ନିଜ ନିଜର ଆଧ୍ୟାତ୍ମିକ ତୃଷାକୁ ପରତୃପ୍ତ କରିବା ପାଇଁ-। ‘‘ବିଭିନ୍ନ ପ୍ରାନ୍ତରୁ ବହୁ ବିଚିତ୍ର ଯାତ୍ରୀଙ୍କ ବିଚିତ୍ର ପରିଧାନ, ବିଚିତ୍ର ଭାଷା ଓ ବିଚିତ୍ର ଯାନର ସପ୍ତରଙ୍ଗୀ ସ୍ରୋତ ରାସ୍ତାରେ ରହି ଚାଲିଥିଲା । ସବୁ ରାସ୍ତା ଗୋଟିଏ ଆଡ଼େ ମୁହାଁଇ ଥିଲା – ତାହା ପୁରୁଷୋତ୍ତମ ବଡ଼ଦାର୍ଡ । ନୀଳଗିରି ଉପରେ ସୁଦର୍ଶନ ଚକ୍ର ଲାଞ୍ଛିତ ଚୂଡ଼ାକୁ ଦୂରରୁ ପ୍ରଣତି ଜଣାଇବା ପାଇଁ ସବୁ ଆଖି ତୃଷାର୍ତ୍ତ x x x ଦୁସ୍ତର ପଥ, ଅରଣ୍ୟ, ପର୍ବତ, ଡକାୟତ, ଜିଜିଆ ଇଜରାଦାରମାନଙ୍କ ଜୁଲୁମ୍, ଲୁଣ୍ଠନ, କ୍ଳାନ୍ତି, ବ୍ୟାଧି, କ୍ଷୁଧା ଓ ମୃତ୍ୟୁ ପ୍ରଭୃତି ସବୁ ବିପଦକୁ ପଦେ ପଦେ ଠେଲି ଆଗେଇ ଯିବ ଅପରାଜେୟ ମଣିଷ ଆତ୍ମାର ଅପ୍ରତିରୋଧ ଜୈବଯାତ୍ରା । ୧୧ । ଏହି ଅବକାଶରେ ତକିଖାଁଙ୍କ ନିର୍ଦ୍ଦେଶରେ ଅମିନ୍ ଚାନ୍ଦ୍ ଯାଇଛନ୍ତି ଶ୍ରୀକ୍ଷେତ୍ରକୁ ରଥ ଉପରେ ଛରାପହଁରା କାର୍ଯ୍ୟକରି ନିଜର ଆଧିପତ୍ୟ ପ୍ରକାଶ କରିବା ପାଇଁ । କାରଣ ସେ ଜାଣିଛନ୍ତି ରାମଚନ୍ଦ୍ର ଦେବ ଧର୍ମାନ୍ତରିତ ହୋଇ ହାଫିଜ୍ କାଦରରେ ପରିଣତ ହୋଇଥିବା ଯୋଗୁଁ ହିନ୍ଦୁଧର୍ମୀ ଜନସାଧାରଣ ତାଙ୍କୁ ପତିତ ଭାବି ଘୃଣା କରିବେ । କିନ୍ତୁ ଅପ୍ରତ୍ୟାଶିତ ଜଗନ୍ନାଥ ପତିତପାବନ ହୋଇ ବାହାରିଛନ୍ତି ଏବଂ ରାମଚନ୍ଦ୍ରଦେବ ନିଜର ଅନୁଗତି ଗଡ଼ପତି, ଦୁର୍ଗପତି, ସାମନ୍ତରାଜା, ଏପରିକି ମୋଗଲବନ୍ଦୀ ଅଞ୍ଚଳର ସାମନ୍ତମାନଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏଥିରେ କ୍ଷୁବ୍ଧ ହୋଇଛନ୍ତି ଚକିଖାଁ, ଅମିନ୍‌ଚାନ୍ଦ ଏବଂ ତାଙ୍କର ଅନୁଗତମେନ ତକିଖାଁଙ୍କ ଷଡ଼ଯନ୍ତ୍ର କ୍ରମେ ବହୁଡ଼ା ଯାତ୍ରାରେ କିନ୍ତୁ ଅମିନଚାନ୍ଦ୍ ରଥ ଉପରେ ସମାର୍ଜନୀ ଧରି ଛେରା ପହଁରା କାର୍ଯ୍ୟ କରିଛନ୍ତି । ରାମଚନ୍ଦ୍ର ଦେବ ତାଙ୍କର ଦୁର୍ବଳ ସାମରିକ ଶକ୍ତି ନେଇ ଅମିନ୍‌ଚାନ୍ଦଙ୍କୁ ପ୍ରତିରୋଧ କରିପାରି ନାହାନ୍ତି । ବାହୁଡ଼ା ପରଦିନ ନୀଳାଦ୍ରିବିଜେ ହୋଇଛି । ଜଗନ୍ନାଥ ରଥ ଉପରୁ ବଡ଼ ଦେଉଳକୁ ଯିବା ଅବକାଶରେ ଲକ୍ଷ୍ମୀଙ୍କ ସହ ତାଙ୍କର ସାମାନ୍ୟ କଳହ ହୋଇଛି । ଏହା ମଧ୍ୟରେ ଲେଖକ ଉତ୍କଳୀୟ ସମାଜରେ ପରିଲକ୍ଷିତ ପତି-ପତ୍ନୀର କଳହକୁ ଉପସ୍ଥାପିତ କରିବା ସଙ୍ଗେ ସଙ୍ଗେ, ଜଗନ୍ନାଥଙ୍କୁ ମଣିଷ ଭାବରେ ରୂପାୟିତ କରିଛନ୍ତି । ‘‘ଜଗନ୍ନାଥଙ୍କ ସିଂହଦ୍ୱାରରେ ମନୁଷ୍ୟ ଦେବତା ରୂପେ ଯେପରି କଳ୍ପିତ ହୋଇଅଛି, ଦେବତା ମଧ୍ୟ ସେପରି ମନୁଷ୍ୟରେ ପରିଣତ ହୋଇଅଛି । ସେଥିପାଇଁ ଲକ୍ଷ୍ମୀ ଯେପରି ଇର୍ଷାତୁରା, ଅଭିମାନିନୀ ସ୍ୱକୀୟାରେ ପ୍ରଚଣ୍ଡ ହୋଇଅଛନ୍ତି, ଜଗନ୍ନାଥ ମଧ୍ୟ ସେହିପରି ପତ୍ନୀ ନିଗୃହୀତ ଏକ ଅନୁତପ୍ତ, ଅସହାୟ ସ୍ୱାମୀରେ ପରିଣତ ହୋଇଅଛନ୍ତି । ।୧୨। ଏହି ଅବସରେର ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ସମାପ୍ତ ହୋଇଛି । ତକିଖାଁର ପ୍ରଭାବରେ ଅନୁଗତି ଅମିନଚାନ୍ଦ୍ କ୍ରମଶଃ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଛି । ଏଥିରେ ରାମଚନ୍ଦ୍ର ଦେବ ଚିନ୍ତାଗ୍ରସ୍ତ ଓ ଆଶଙ୍କା ଜଡ଼ିତ ହୋଇ ପଡ଼ିଛନ୍ତି-। ଅତୀତରେ କଳାପାହାଡ଼ ଜଗନ୍ନାଥଙ୍କୁ ଆକ୍ରମଣ କରି ତାଙ୍କୁ ବିପନ୍ନ ଓ ଧ୍ୱଂସ କରିବା ପାଇଁ ଉଦ୍ୟମ କରିଥିଲା । ଅତୀତରେ ଏଭଳି ଉତ୍ପୀଡ଼କ ସ୍ମୃତିରେ ରାମଚନ୍ଦ୍ର ଦେବ ବିବ୍ରତ । ମୋଗଲ ଅତ୍ୟାଚାର ଆଶଙ୍କାରେ ରାମଚନ୍ଦ୍ର ଦେବ ବାହୁଡ଼ା ପର ବର୍ଷଣ ମୁଖର ରାତ୍ରିରେ ସାନ ପରିଚ୍ଛା, ବିଷ୍ଣୁ ପଶ୍ଚିମ କବାଟ, ଜଗୁନି ଏବଂ ଅନ୍ୟ କେତେଜଣ ସେବକଙ୍କ ସାହାଯ୍ୟରେ ରାତ୍ରିର ଦସ୍ୟୁ ପରି ବିଗ୍ରହମାନଙ୍କୁ ଶ୍ରୀମନ୍ଦିରରୁ ଅପହୃତ କରି ନେଇଛନ୍ତି । ପ୍ରଭାତରେ ଅମିନ୍‌ଚାନନ୍ଦ ଶ୍ରୀମନ୍ଦିର ଆସି ଦେଖିଛନ୍ତି ରତ୍ନ ସିଂହାସନ ଶୂନ୍ୟ ହୋଇ ପଡ଼ିରହିଛି । ବିଗ୍ରହମାନଙ୍କ ଏପରି ଅନ୍ତର୍ଦ୍ଧାନରେ ସେ ବିସ୍ମୟ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିରର ସେବକ ବଳିଆ ପଣ୍ଡା ଏହାର ପ୍ରତ୍ୟୁତ୍ତରରେ କହିଛନ୍ତି – ‘‘ଶୂନ୍ୟ ମହାଶୂନ୍ୟରେ ମିଶିଗଲେ । ପିଣ୍ଡ ବ୍ରହ୍ମାଣ୍ଡ ହୋଇଗଲା । ଷୋଳକଳା ଷୋଳକଳାରେ ମିଶିଗଲେ । ଆପଣ କିଛି ନ ବୁଝି କ’ଣ ଗୁଡ଼ାଏ ବୋବାଳି ଛାଡ଼ିବ ହୋ ରାଜା ଅମିନଚାନ୍ଦ । ଜଗନ୍ନାଥ କୁଆଡ଼େ ଗଲେ, ସେ ଉଦନ୍ତ ତ ମହାମହା ଯୋଗୀମାନେ ପାଇନାହାନ୍ତି । ସେ ଉଦନ୍ତ ଆମେ ଦବୁ କୁଆଡ଼ୁ ? ଜଗାବଳିଆ କଥା ଜଗାବଳିଆଙ୍କୁ ପଚାର ?’’ ୧୩ । ବାହୁଡ଼ା ପର ଘନକୃଷ୍ଣ ରାତ୍ରିର ଅନ୍ଧକାର ଭିତରେ ସେମାନେ ବିଗ୍ରହମାନଙ୍କୁ ନେଇ ରଖିଛନ୍ତି ଚିଲିକା ତଣ୍ଡାକିନାରର ସରଦେଇ ଚଟିଘରେ । ସେତେବେଳେ ସରଦେଇ ମୃତ୍ୟୁ ଶଯ୍ୟାରେ ଉପନୀତ, ଆସନ୍ନ ମୃତ୍ୟୁର ଅପେକ୍ଷାରେ । ତାର ମତିଭ୍ରମ ଭିତରେ ସେ ବହୁ ଇପ୍‌ସିତ ଜଗନ୍ନାଥଙ୍କୁ ପାଖରେ ପାଇ ଦର୍ଶନ କରିପାରି ନାହିଁ । ଅଥଚ ତାଙ୍କର ଆବିର୍ଭାବକୁ ଅନୁଭବ କରିଛି । ଏହି ପ୍ରସଙ୍ଗରେ ଜଗନ୍ନାଥ ପ୍ରାଣ ସରଦେଇର ଭାବନା ଖୁବ୍ ମର୍ମସ୍ପର୍ଶୀ ମନେହୁଏ । ‘‘କାଲି ରାତିରେ ଏ ଅପନ୍ତରା ତଣ୍ଡାକିନାରାକୁ ଆସିଥିଲା କିଏ ? ପଛରେ ସେ ରଖିଯାଇଛି ଖାଲି ଫୁଲ ଆଉ ଗନ୍ଧ, ଆଲୋକ ଆଉ କାକଳୀର ପଦ୍ମଚିହ୍ନ । x x x x ସର ତାଙ୍କୁ ଥରେ ସୁଦ୍ଧା ଦେଖି ପାରିଲା ନାହିଁ । ଚନ୍ଦନ, କସ୍ତୁରୀ ଗନ୍ଧରେ ଘର ଭିତରର ପବନ ଭାରି ହୋଇ ଉଠିଥିଲା । ଚଟାଣଯାକ ଥିତିବିତି ହୋଇ ପଡ଼ିଥିଲା ଦୟଣା, ନାଗେଶ୍ୱର, ମାଳତୀ, କୁନ୍ଦ ଆଉ କେତକୀର ମାଳା ଓ ପାଖୁଡ଼ା ।’’ ।୧୪। ଏହାପରେ ରାତ୍ରି ପ୍ରଭାବ ହେବା ପୂର୍ବରୁ ରାମଚନ୍ଦ୍ର ଦେବ, ଜଗୁନି ଓ ଅନ୍ୟ ଅନୁଗତମାନଙ୍କ ସାହାଯ୍ୟରେ ବିଗ୍ରହମାନଙ୍କୁ ଗୋଟିଏ ମାଛ ଡଙ୍ଗାରେ ବୋହି ନେଇଛନ୍ତି ଚିଲିକା ଗର୍ଭସ୍ଥ ନଳଘାସ ଓ ହେନ୍ତାଳ ବଣ ଘେରା ଗୁରୁବାଇ ଦ୍ୱୀପକୁ । ସେଠାରେ ପୂର୍ବନିର୍ମିତ ଏକ ସାଧାରଣ ବେଦୀ ଉପରେ ବିଗ୍ରହ ମା’ଙ୍କୁ ଅବସ୍ଥାପିତ କରାଯାଇଛି । ଏହି ଅବକାଶରେ ରାମଚନ୍ଦ୍ର ଦେବଙ୍କ ମାନସ ପଟରେ ଅତୀତର ଶ୍ରୁତି ଜାଗ୍ରତ ହୋଇଉଠିଛି । ତାଙ୍କର ମନେପଡ଼ିଛି ବାରବାଟୀ ଦୁର୍ଗରେ ବ୍ରାହ୍ମଣୀ କାଞ୍ଚନ ବାଇର କନ୍ୟା ରିଜିଆର ଅନୁରୋଧ । କାଞ୍ଚନ ବାଇ ମୃତ୍ୟୁ ଶଯ୍ୟାରେ କନ୍ୟାକୁ ଅନୁରୋଧ କରି କହିଥିଲା – ‘‘କେବେ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଘଟେ ଯଦି, ତା’ ହେଲେ ତାଙ୍କ ରତ୍ନବେଦୀ ତଳେ ମୋ ଳାଗି ଏ ଇନ୍ଦ୍ର ନୀଳମଣି ମୁଦିଟି ନିବେଦନ କରିଦେବୁ । ବ୍ରାହ୍ମଣୀ ହୋଇ ମୁଁ ତ ଜଗନ୍ନାଥଙ୍କୁ ଥରେ ଦେଖି ପାରିଲି ନାହିଁ, ତୁ ପାରୁ ଯଦି ସେ ନୀଳଗିରିଙ୍କୁ ନିଶ୍ଚୟ ଦେଖିବୁ । ସବୁ ନିଶିର ପ୍ରଭାତ ସେ, ସବୁ ପ୍ରତୀକ୍ଷାର ପ୍ରାପ୍ତି, ସବୁ ଦୁଃଖ କୁମୁଦିନୀର ଚନ୍ଦ୍ରମା ।’’ ।।୧୫।। ଜୟ ଜଗନ୍ନାଥ ପ୍ରାଣ ଚରିତ୍ରଠାରେ ଏ ଜାତିର ଧର୍ମ ଓ ସଂସ୍କୃତିର ଏକ ମହନୀୟ ଅନୁଭୂତି ? ବାସ୍ତବିକ ଭାବି ବସିଲେ ଏହାର ଥଳକୂଳ ମିଳେନାହିଁ । ଗୁରୁବାଇ ଦ୍ୱୀପରେ ଜଗନ୍ନାଥଙ୍କୁ ରଖି ସାନପରିଚ୍ଛା ବିଷ୍ଣୁ ପଶ୍ଚିମ କବାଟ, ଜଗୁନି, ରାମଚନ୍ଦ୍ର ଦେବ ଓ କେତେଜଣ ଦଇତା ପତିଙ୍କୁ ଛାଡ଼ି ଅନ୍ୟମାନେ ଚାଲି ଯାଇଛନ୍ତି । ରାମଚନ୍ଦ୍ର ଦେବ ତଥାପି ଚିନ୍ତାମୁକ୍ତ ନୁହନ୍ତି । ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ତାଙ୍କ ମନ ମଧ୍ୟରେ ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ । ସେ ଜାଣିଛନ୍ତି ଜଗନ୍ନାଥ ତଥାପି ବିପଦମୁକ୍ତ ନୁହନ୍ତି । କିନ୍ତୁ ସେତ ଅସମାଧିତ, ଗହନ ରହସ୍ୟର ପ୍ରତିରୂପ ଏହି ଜଗନ୍ନାଥ ? ସର୍ଜନାର କେଉଁ ଆଦିମ ପ୍ରଭାତରେ ପ୍ରଳୟ ପୟୋଧି ଜଳେ କେଉଁ ଧ୍ୱଂସ ଲୀଳା ମଧ୍ୟରୁ ମହାଦାରୁ ଖଣ୍ଡେ ଦାରୁ ରୂପରେ ଭାସି ଆସିଥିଲେ ଏଇ ଶେଷଦେବ ? ଉପକଥାର ଯବନ ରକ୍ତବାହୁ, ପୁଣି ଇତିହାସର ମହାପଦ୍ମନନ୍ଦଠାରୁ ମୋଗଲ ସେନାପତିମାନଙ୍କ ପର୍ଯ୍ୟନ୍ତ ଏହି ଅସମାଧିତ ରହସ୍ୟକୁ ଉନ୍ମୁଳନ କରିବା ପାଇଁ କେତେ କେତେ ଆକ୍ରମଣ ହୋଇ ନଥିଲା ? ତଥାପି ରହସ୍ୟର ସେହି ଉତ୍ତରୀୟ ଅପସୃତ ହେଲା ନାହିଁ । ବିଶ୍ୱର ଅପରାଜିତ ଆତ୍ମା ରହିଲା ଅବଦମିତ ହୋଇ । xxx .... ଜଗନ୍ନାଥ ଯେପରି ସେହି ମହାମୁକ୍ତି, ସେହି ମହାପୂର୍ଣ୍ଣ, ପୁଣି ସେହି ମହାଶୂନ୍ୟର ଅବିନଶ୍ୱର, ଅନିର୍ବଚନୀୟ ଆଦି ଅନ୍ତହୀନ ଭାବମୂର୍ତ୍ତି । ।।୧୬।। ଶ୍ରୀକ୍ଷେତ୍ରର ଶ୍ରୀବତ୍ସ ଖଣ୍ଡାଶାଳ ଦେଉଳରେ ଯିଏ ଚଉଷଠି ପଉଟି ମଣୋହିଁ କରୁଥିଲେ ତାଙ୍କ ପାଇଁ ଚିଲିକାର ଅପନ୍ତରା ଦ୍ୱୀପେ ନିରାଡ଼ମ୍ବର ପୂଜାବିଧି ଏକ ବିଡ଼ମ୍ବନା ମାତ୍ର । ସେବକମାନେ ଉପାୟହୀନ, ତଥାପି ମନରେ ସାହସ ଓ ଦମ୍ଭର ଶେଷ ନାହଁ । ତେଣୁ ଗୁରୁବାର ଦ୍ୱୀପରେ ଜଗନ୍ନାଥଙ୍କ ପୂଜାବିଦ୍ଧି ଅବକାଶରେ ଲକ୍ଷ୍ମୀ ପରମଗୁରୁ କହିଛନ୍ତି- ‘‘ଆହେ ମହାପାତ୍ରେ, ସମୁଦ୍ର ତାହାର ତଡ଼ପ, ପବନ ତାହାର ଉତ୍ତରୀୟ, ଗଗନ ତାର ଖଣ୍ଡୁଆ । ଦିଅ ଦିଅ ଶୀଘ୍ର ନୀତି ବଢ଼ାଅ ।’’ ।୧୭। ଜଗନ୍ନାଥ ଏଠାରେ ଅନନ୍ତ, ଅନ୍ତର୍ଯ୍ୟାମୀ, ଯାହାର ସ୍ଥିତି କଳନା କରିବା ମଣିଷ ପକ୍ଷରେ ଅସମ୍ଭବ । ଯୁଗେ ଯୁଗେ ସେ ହିଁ ତ ଯେପରି ମଣିଷଦ୍ୱାରା ଆଶ୍ରିତ ଓ ସୁକ୍ଷିତ ହୋଇ ଆସିଛନ୍ତି, ସେହିପରି ଦୁର୍ଗତି କାଳରେ ମଣିଷକୁ ବରାଭୟ ପ୍ରଦାନ କରି ପଥ ନିର୍ଦ୍ଦେଶ କରିଛନ୍ତି । ‘‘ହେ ମହାବାହୁ, ତୁମେ ତ ସେଇ ବଣା ବାଟୋଇର ଦିଶାରୀ, ଅକୂଳ ପାରାବାରର କାଣ୍ଡାରୀ, ଜୀବନ ରଥର ସାରଥୀ । ।୧୮। ବସ୍ତୁତଃ ପ୍ରାଚୀନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ସଂସ୍କୃତିର ମହିମା ପ୍ରକଟିତ ହୋଇ ଆସିଛି । ଆଜି ମଧ୍ୟ ପ୍ରତ୍ୟେକ ହିନ୍ଦୁ, ‘ସର୍ବମଙ୍ଗଳ ଜଗନ୍ନାଥ’ କହି ତାର ଶୁଭ କାର୍ଯ୍ୟ ଆରମ୍ଭ କରିଥାଏ, ସେଥିପାଇଁ କୌଣସି ମାସ, ବାର, ତିଥି ତାରିଖରେ ପ୍ରୟୋଜନ ନାହିଁ । ଏହା ହିଁ ତ ଜଗନ୍ନାଥ ପ୍ରାଣ ଏ ଜାତି – ସଂସ୍କୃତିର ଚିହ୍ନ । ତେଣୁ ମୋ ମତରେ ଐତିହାସିକ ପଟ୍ଟାଭୂମି ଉପରେ ରଚିତ ‘ନୀଳଶୈଳ’ ଭାରତୀୟ ସଂସ୍କୃତି ତଥା ଜଗନ୍ନାଥ ସଂସ୍କୃତିର ମହିମ୍ନ ଚିତ୍ର ପ୍ରଦାନ କରିବାରେ ଲେଖକଙ୍କର ଏକ ସଫଳ ପ୍ରୟାସ । ‘ନୀଳଶୈଳ’ ଉପନ୍ୟାସ କଥାବସ୍ତୁର ପରବର୍ତ୍ତୀ ଅଧ୍ୟାୟ ଲେଖକଙ୍କ ‘‘ନୀଳାଦ୍ରି ବିଜୟ’’ (୧୯୮୦)ରେ ପରିଦୃଷ୍ଟ ଓ ଆଲୋଚ୍ୟ ଉପନ୍ୟାସର ଉତ୍ତରାର୍ଦ୍ଧ ।

 

ସହାୟକ ସୂଚୀ :

 

(୧) ଝଙ୍କାର, ଜୁଲାଇ, ୧୯୮୬, ଦ୍ରଷ୍ଟବ୍ୟ (୨) ‘ନୀଳଶୈଳ’ ଇତିହାସ ଏହାର କଙ୍କାଳ, ଆତ୍ମା ଏହାର ଭାବାବେଗ- ସୁରେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ସାହିତ୍ୟ ସମୀକ୍ଷଣ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ, ପୃ-୨୪୨ । (୩) (କ) ‘ଭୂମିକା’ – ନୀଳଶୈଳ, ସୁରେନ୍ଦ୍ର ମହାନ୍ତି, କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର, ୧ମ ସଂ. ୧୯୬୮ (ଖ) ଲେଖକଙ୍କ ‘ଜୀବନ ସ୍ମୃତି’, ‘ପଥ ଓ ପୃଥିବୀ’, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ, ୨ୟ ସଂ. ୧୯୬୮. ପୃ-୩୪୬, ଦ୍ରଷ୍ଟବ୍ୟ । (୪) ‘ଭୂମିକା’ – ନୀଳଶୈଳ, କଟକ ଷ୍ଟୁଡେଣ୍ଟସ ଷ୍ଟୋର, କଟକ, ୧ମ ସଂ. ୧୯୬୮, (୫) ‘ଶ୍ରୀଜଗନ୍ନାଥ’- ସୁରେନ୍ଦ୍ର ମହାନ୍ତି, ଉତ୍କଳ ଯୁଗେ ଯୁଗେ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ, ୧ମ ସଂ. ୧୯୯୬, ପୃ-୪୯ । ୬ (ଖ) ’ନୀଳଶୈଳ’ – ସୁରେନ୍ଦ୍ର ମହାନ୍ତି, କଟକ, ଷ୍ଟୁଡେଣ୍ଟସ ଷ୍ଟୋର, କଟକ, ୧୦ମ ସଂ. ୨୦୧୦, ପୃ-୩୧୧/୩୧୨ (ଖ) ‘ନୀଳଶୈଳର କଥାଶିଳ୍ପୀ’ – ଶ୍ରୀ ଭର୍ତ୍ତୃହରି ମହତାବ, କୋଣାର୍କ (ସୁରେନ୍ଦ୍ର ମହାନ୍ତି ବିଶେଷାଙ୍କ), ଜୁଲାଇ, ୧୯୯୧, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ପୃ-୯ (ଗ) ଲେଖକଙ୍କ ସହ ସାକ୍ଷାତକାର – ୧୯୮୬ (ସାକ୍ଷାତ କରିଥିଲେ ଶ୍ରୀ ଶାନ୍ତନୁ କୁମାର ରଥ) (୭) ନୀଳଶୈଳ – ସୁରେନ୍ଦ୍ର ମହାନ୍ତି, କଟକ ଷ୍ଟୁଡେଣ୍ଟସ ଷ୍ଟୋର, କଟକ, ୧୦ମ ସଂ. ୨୦୧୦, ପୃ-୪ । (୮) ଚତ୍ରୈବ, ପୃ- ୧୬୭ (୯) ମୁଁ କାହିଁକି ଲେଖେ ? – ସୁରେନ୍ଦ୍ର ମହାନ୍ତି, ‘ଡଗର’ ପ୍ରକାଶିତ, ୧/୧୧/୫୦ (୧୦) ନୀଳଶୈଳ-ସୁରେନ୍ଦ୍ର ମହାନ୍ତି, କଟକ ଷ୍ଟୁଡେଣ୍ଟସ ଷ୍ଟୋର, କଟକ ୧୦ମ ସଂ. ୨୦୧୦, ପୃ-୧୪ (୧୧) ତତ୍ରୈବ, ପୃ-୨୦୯/୨୧୦ (୧୨) ତତ୍ରୈବ, ପୃ-୩୧୪ (୧୩ ତତ୍ରୈବ-ପୃ-୩୨୩ (୧୪) ତତ୍ରୈବ, ପୃ-୩୨୩ (୧୪) ତତ୍ରୈବ- ପୃ-୩୩୫ (୧୫) ତତ୍ରୈବ, ପୃ-୧୫୧ (୧୬) ତତ୍ରୈବ – ପୃ-୩୩୯ (୧୭) ତତ୍ରୈବ, ପୃ-୩୪୧ (୧୮) ତତ୍ରୈବ-ପୃ-୩୪୨ ।

 

 

ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ

ନିମାପଡ଼ା, ପୁରୀ – ୭୫୨୧୦୬

 

***